୪ ବର୍ଷର ସନ୍ତାନକୁ ଛାଡି ପ୍ରେମିକ ସହିତ ଫେରାର୍‌ ହେବା ପରେ ଏବେ ପ୍ରତାରଣାର ଶିକାର ହେଲେ ମହିଳା

  • ନବଜାତ ଶିଶୁ ସହ ଉତ୍ତର ପ୍ରଦେଶ ଲଳିତପୁର ଜିଲ୍ଲାରୁ ବିକ୍ରି ମହିଳା ପୋଲିସ ଦ୍ୱାରା ଉଦ୍ଧାର

ଆଗଲପୁର, (ସୁଶିଳ କୁମାର ମିଶ୍ର) : ଆଗଲପୁର ବ୍ଲକ ରିନବଚନ ଗ୍ରାମର ଜଣେ ମହିଳାଙ୍କୁ ଉତ୍ତର ପ୍ରଦେଶ ରାଜ୍ୟର ଲଳିତପୁର ଜିଲ୍ଲା ସୋଜାନ ଥାନା ନିକୁରା ଗ୍ରାମରୁ ଆଗଲପୁର ପୋଲିସ ଉଦ୍ଧାର କରିବାରେ ସଫଳ ହୋଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ ରିନବଚନ ଗ୍ରାମର ସତ୍ୟାନନ୍ଦ ଦୀପଙ୍କ ଝିଅ ଗୀତୀଞ୍ଜଳି ଦୀପ ୫ ବର୍ଷ ତଳେ ସେହି ଗ୍ରାମର ସାର୍ତିକ ସୁଗ୍ରୀଙ୍କ ପୁଅ ଯୌତୁକ ସୁଗ୍ରୀକୁ ବିବାହ କରିଥିଲେ । ତାଙ୍କର ୪ ବର୍ଷର ଏକ କନ୍ୟା ସନ୍ତାନ ଅଛି, ହେଲେ ବିବାହିତ ମହିଳା ଜଣକଙ୍କ ସେହି ଗ୍ରାମର ଗର୍ଜନ ବାଗଙ୍କ ପୁଅ ରାଧାକାନ୍ତ ବାଗଙ୍କ ସହ ପ୍ରେମ ସଂପର୍କ ଗଢିଉଠିଥିଲା । ଉଭୟେ ୧୦ ମାସ ପୂର୍ବେ ରାତିରେ ଫେରାର ହୋଇଯିବା ସହ କିଛିଦିନ ତାଙ୍କ ଭିଣୋଇ ଘର ପଣ୍ଡରାଣୀ ଗ୍ରାମରେ ରହିବା ପରେ ବରଗଡ ଜିଲ୍ଲା ମେଲଛାମୁଣ୍ଡାରେ ଘର ଭଡାନେଇ ରହୁଥିଲେ । ସେଠାରେ ମହିଳା ଜଣକ ଗର୍ଭବତୀ ହେବା ପରେ ରାଧାକାନ୍ତ ଗର୍ଭପାତ କରିବା ପାଇଁ ବାରମ୍ବାର ଚେଷ୍ଟା କରିଥିଲେ । ମହିଳା ଜଣକ ରାଜି ନହେବାରୁ ରାଧାକାନ୍ତ, ତାଙ୍କ ଭିଣୋଇ ଓ ଭଉଣୀ ମିଶି ଷଡୟନ୍ତ୍ର ରଚି, ବାହାର ରାଜ୍ୟରେ ଚାକିରି ଲୋଭ ଦେଖାଇ, ସମ୍ବଲପୁର ନେଇ ଉତ୍ତର ପ୍ରଦେଶ ଲଳିତପୁରର ମୋହିତ କୁମାରଙ୍କୁ ଡାକି ପୀଡିତାଙ୍କୁ ଭଉଣୀର ପରିଚୟ ଦେଇଥିଲେ । ମୋହିତ କୁମାର ଏକ କମ୍ପାନୀର ମାଲିକ ଅଟନ୍ତି ତାଙ୍କ କମ୍ପାନୀରେ ଚାକିରି କରିବା ପାଇଁ ମିଥ୍ୟା ପ୍ରତିଶ୍ରୁତି ଦେଇ ଉତ୍ତର ପ୍ରଦେଶ ନେଇଯାଇଥିଲେ । ପିଡିତାଙ୍କ ଅଭିଯୋଗ ଅନୁସାରେ ରାଧାକାନ୍ତ ସେଠାରେ କିଛି ଟଙ୍କାରେ ବିକ୍ରି କରି କୌଶଳ କ୍ରମେ ସେଠାରୁ ଫେରାର ମାରିଥିଲେ । ସମସ୍ତ ଘଟଣାର ଦଲାଲ ସାଜିଥିଲେ ସୁବର୍ଣ୍ଣପୁର ଜିଲ୍ଲା ଡୁଂଗୁରିପାଲି ଥାନା କନ୍ଦୁମୁଣ୍ଡାଗାଁର ଅନନ୍ତ ଦୀପ ବୋଲି କୁହାଯାଇଛି । ଯେତେବେଳେ ମୋହିତ କୁମାର ଜାଣିଲେ ମହିଳା ଜଣକ ଗର୍ଭବତୀ ଅଛନ୍ତି ତାଙ୍କୁ ଆଶ୍ରୟ ଦେଇଥିଲେ । କିଛିଦିନ ପରେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ ମହିଳା ଜଣକ । ମହିଳାଙ୍କ ବାପା ଏହା ଜାଣିବା ପରେ ଲୋଇସିଂହା ଓ ଆଗଲପୁର ପୋଲିସରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତିକରି ଆଗଲପୁର ଫାଣ୍ଡି ଅଧିକାରୀ ଦେବାର୍ଚ୍ଚନ ମିର୍ଧା ଓ କନେଷ୍ଟବଳ ରବିନ୍ଦ୍ର ଧରୁଆ ଗତ ୮ ତାରିଖ ଉତ୍ତର ପ୍ରଦେଶର ଲଳିତପୁର ଯାଇ ଉତ୍ତର ପ୍ରଦେଶ ସୋଜାନ ଥାନା ପୋଲିସ ସହାୟତାରେ ନିକୁରା ଗ୍ରାମରୁ ଉଭୟ ନବଜାତ ଶିଶୁ ଓ ମହିଳାଙ୍କୁ ଉଦ୍ଧାର କରି ଆଗଲପୁର ଆଣିଥିଲେ । ଅଭିଯୁକ୍ତ ବର୍ତମାନ ଫେରାର ଥିବାରୁ ଗିରଫ୍‌ କରାଯାଇ ନାହିଁ ଏବଂ ତଦନ୍ତ ଜାରି ରହିଥିବା ଆଗଲପୁର ପୋଲିସ ଠାରୁ ପ୍ରକାଶ । ପୀଡିତା ମହିଳା ଓ ତାଙ୍କ ବାପା ଦୋଷୀକୁ ଶୀଘ୍ର ଗିରଫ କରି ନୃଢ କାର୍ୟ୍ୟାନୁଷ୍ଠାନ ନେବା ପାଇଁ ଦାବୀ କରିଛନ୍ତି । ଦେଖିବାକୁ ବାକି ରହିଲା କେତେ ଶୀଘ୍ର ପୋଲିସ ଫେରାର୍‌ ଅଭିଯୁକ୍ତକୁ ଧରିବାରେ ସଫଳ ହେଉଛି ।

Leave A Reply

Your email address will not be published.