ମାନବବାଦ୍‌ର ଉଦ୍‌ଘୋଷକ ସ୍ୱାମୀ ବିବେକାନନ୍ଦ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ୱାମୀ ବିବେକାନନ୍ଦ ଲୋକ ସଂସଦ, ବଲାଙ୍ଗିର ଶାଖା, ବିଚାରଧାରା ତରଫରୁ ସ୍ୱାମୀ ବିବେକାନନ୍ଦ ଓ ଭାରତୀୟ ନବଜାଗରଣ ଶୀର୍ଷକ ଷଷ୍ଠ ଇ- ପାଠ ଚକ୍ର ଗତ ୨୨ ତାରିଖ ଦିନ ଅନୁଷ୍ଠିତ ହୋଇ ଯାଇଛି । କୁମାରୀ କାଜଲ ମହାନ୍ତିଙ୍କ ମନ୍ତ୍ର ପାଠ ଓ ଅଧ୍ୟାପକ କବିରାଜ ଭୋଇଙ୍କ ବିବେକ ବାଣୀ ପଠନ ପରେ ଅଧ୍ୟାପକ ରାମ ଶରଣ ହୋତାଙ୍କ ସଂଯୋଜନାରେ ପାଠଚକ୍ର ଆରମ୍ଭ ହୋଇଥିଲା । ସଭାପତିତ୍ଵ ଅଭିଭାଷଣରେ ଡିଏଭି କଲେଜ ଟିଟିଲାଗଡ଼ର ପ୍ରାକ୍ତନ ଅଧ୍ୟକ୍ଷ ତଥା ସୁବକ୍ତା ଡ. ଛାୟା କାନ୍ତ ଷଡ଼ଙ୍ଗୀ ଭାରତୀୟ ବେଦ, ବେଦାନ୍ତରୁ ଉଦ୍ଧୃତ କରି ଆଧ୍ୟାତ୍ମିକ ଜନଜାଗରଣରେ ଭାରତୀୟ ସଂସ୍କୃତିର ଅବଦାନ ଓ ବିବେକାନନ୍ଦଙ୍କ ସୁପ୍ତ ଭାରତୀୟ ଜନତାଙ୍କ ମଧ୍ୟରେ ଏକ ଆଧ୍ୟାତ୍ମିକ ତଥା ସାଂସ୍କୃତିକ ଚେତନା ଜାଗ୍ରତ କରି ତାର ବିସ୍ତୃତ ବିବରଣୀ ରଖିଥିଲେ । ସଭାର ପ୍ରବକ୍ତା ଓଡ଼ିଶାର ଯୁକ୍ତିବାଦୀ ଚିନ୍ତାଧାରାର ପ୍ରବକ୍ତା ପ୍ରଫେସର୍ ଡ. ଧନେଶ୍ଵର ସାହୁ ବିବେକାନନ୍ଦ ଓ ଭାରତୀୟ ନବଜାଗରଣ ପରିପ୍ରେକ୍ଷୀରେ ସମଗ୍ର ବିଶ୍ୱର ନବଜାଗରଣ ଉପରେ ଆଲୋକପାତ କରିଥିଲେ । ଡ. ସାହୁ ଇଉରୋପରେ ନିଉଟନ, ଦିକାର୍ଡ, ହବ୍ସ, ଫ୍ରଏଡ୍, ମାର୍କସ ପ୍ରଭୁତି ମନିଶିମାନଙ୍କର ବିଶ୍ୱ ନବଜାଗରଣରେ ଅବଦାନକୁ ଆଲୋକପାତ କରିଥିଲେ । ସେ ସ୍ୱାମୀ ବିବେକାନନ୍ଦଙ୍କ ପୂର୍ବରୁ ରାଜା ରାମମୋହନ ରାୟ, ଈଶ୍ୱର ଚନ୍ଦ୍ର ବିଦ୍ୟାସାଗର, କେଶବ ଚନ୍ଦ୍ର ସେନ, ଆମ୍ବେଦକର କିପରି ଭାରତରେ ନବଜାଗରଣର ବୀଜ ବପନ କରିଥିଲେ ତାର ବିସ୍ତୃତ ବିବରଣୀ ରଖିଥିଲେ । ସ୍ୱାମୀ ବିବେକାନନ୍ଦ ସାମାଜିକ କୁସଂସ୍କାର, ରୁଢୀ ବାଦି ଅବ୍ୟବସ୍ଥାର ବିରୁଦ୍ଧରେ ଭାରତୀୟ ଆଧ୍ୟାତ୍ମିକତା ଭିତ୍ତିରେ ଏକ ଜାତୀୟ ବାଦି ଚେତନା ଓ କ୍ରାନ୍ତିକାରୀ ସମାଜ ସଂସ୍କାର ଆନ୍ଦୋଳନର ଆରମ୍ଭ କରିଥିଲେ । ସ୍ୱାମୀଜୀଙ୍କ ମୌଳିକ ଅବଦାନ ଥିଲା ଭାରତୀୟ ଜନତାଙ୍କ ମଧ୍ୟରେ ମାନବବାଦ, ଆସକ୍ତି ମୁକ୍ତ ଜୀବନ, ବେଦ ବେଦାନ୍ତର ମୌଳିକ ସିଦ୍ଧାନ୍ତକୁ ଜନଜୀବନରେ ପ୍ରତିଫଳିତ କରିବା । ଗାନ୍ଧିଜୀଙ୍କ ପୁର୍ବରୁ ସ୍ୱାମୀ ବିବେକାନନ୍ଦ ହିଁ ଆରମ୍ଭ କରିଥିଲେ ଜାତୀୟ ବାଦି ଚେତନାର ବିକାଶ ପର୍ବର ପରିପୋଷକ । ସଭା ଶେଷରେ ଡ. ଲକ୍ଷ୍ମଣ କୁମାର ମେହେର ମହୋଦୟ ଧନ୍ୟବାଦ୍ ଅର୍ପଣ କରିଥିଲେ ଓ ପରିଶେଷରେ ସବିତା ମହରା ମହୋଦୟ। ଶାନ୍ତି ପାଠ କରିଥିଲେ । ପାଠଚକ୍ରରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ବହୁ ସଦସ୍ୟ ଯୋଗ ଦେଇଥିଲେ ।

Leave A Reply

Your email address will not be published.