ସରକାର ଓ ବିରୋଧୀଙ୍କ ବିକାଶ ତାଲିକାରେ ନାହିଁ ବିଜୟାନନ୍ଦ ଚିନିକଳ : ମୁଣ୍ଡରେ ହାତ ଦେଲେ ୭ ହଜାର ଆଖୁଚାଷୀ ଓ ୩୦୦ କର୍ମଚାରୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସରକାର କୃଷିଭିତ୍ତିକ ଶିଳ୍ପକୁ ଗୁରୁତ୍ୱ ଦେଉଥିବା ଓ ଚାଷୀଙ୍କର ଉନ୍ନତି କରୁଥିବା କହୁଥିବା ବେଳେ କେବିକେ ଅନ୍ତର୍ଗତ ବଲାଙ୍ଗିର ଭଳି ଏକ ଶିଳ୍ପବିହୀନ ଜିଲ୍ଲାର ଏକମାତ୍ର କୃଷିଭିତ୍ତିକ ଶିଳ୍ପକୁ ଗତ ୭ବର୍ଷ ହେଲା ବନ୍ଦ କରି ଦେଇଛନ୍ତି, ଫଳରେ ଜିଲ୍ଲାର ଦେଓଗାଁ ସ୍ଥିତ ବିଜୟାନନ୍ଦ ସମବାୟ ଚିନିକଳରେ କାମ କରୁଥିବା ୩୦୦ କର୍ମଚାରୀ ଓ ୭୦୦୦ ଆଖୁଚାଷୀ ର୍ଦୁର୍ଦ୍ଦିନରେ ରହିଥିବା ଅଭିଯୋଗ ହେଉଛି । ଏପରିକି ବିରୋଧୀଦଳ ମଧ୍ୟ ଏନେଇ ମୁହଁ ଖୋଲୁ ନାହାଁନ୍ତି ବୋଲି ଅଭିଯୋଗ ହେଉଛି । ଚାଷୀ ଓ କାରଖାନାର କର୍ମଚାରୀଙ୍କ ସ୍ୱାର୍ଥ ଦୃଷ୍ଟିରୁ କାରଖାନାକୁ ପୁଣିଥରେ ଚଳାଇବାକୁ ସରକାର ଧ୍ୟାନଦେବାକୁ ବିଭିନ୍ନ ସମୟରେ ଦାବୀ ହେଉଛି । କୋର୍ଟ କଚେରୀ ଆଇନର ଖେଳ ଓ ସରକାରୀ ଷଡଯନ୍ତ୍ର ଭିତରେ କାରଖାନାର ଭାଗ୍ୟ ଝୁଲି ରହିଛି । କାରଖାନା ଚାଲିବ ନାଁ ଏଭଳି ପଡିରହିବ ତାହା ଏବେ ଲୋକଙ୍କ ମନରେ ପ୍ରଶ୍ନ ରହିଛି । ରାଜନୈତିକଦଳର ନେତାମାନେ ବିଭିନ୍ନ ସମୟରେ ଲୋକଙ୍କୁ କେବଳ ମିଥ୍ୟା ପ୍ରତିଶୃତି ଦେଇ ଚାଲିଥିବା ବେଳେ ସଧାରଣ ଲୋକଙ୍କ ଧର୍ୟ୍ୟଚ୍ୟୁତି ହେବାକୁ ବସିଲାଣି ବୋଲି ମତ ପ୍ରକାଶ ପୋଉଛି । ଆଗକୁ ଏନେଇ ଏକ ବଡ ଜନଆନ୍ଦୋଳନ ହେବାକୁ ଯାଉଥିବା ସୂଚନା ମିଳିଛି । ସୂଚନାଯୋଗ୍ୟ ଯେ, ଦେଓଗାଁ ସାଗରପାଲିଠାରେ ୧୯୯୩ ମସିହାରେ ୮୬ ଏକର ବିଶିଷ୍ଟ ଜମିରେ ତାମିଲନାଡୁର ପୋନ୍ନିସୁଗାର ଏଣ୍ଡ କେମିକାଲ୍ସ ନାମକ ଏକ ଘରୋଇ କମ୍ପାନୀ ଏହି ଚିନି କାରଖାନାକୁ ଆରମ୍ଭ କରିଥିଲେ । ଏହି ସୁଗାରମିଲରେ ବଲାଙ୍ଗିର ଜିଲ୍ଲା ସମେତ ଆଖପାଖର ସୁବର୍ଣ୍ଣପୁର, ନୂଆପଡା, କଳାହାଣ୍ଡି, ବୌଦ୍ଧ ଜିଲ୍ଲାର ଚାଷୀମାନେ ଆଖୁ ବିକ୍ରୀ କରୁଥିଲେ । ତେବେ ୭ ବର୍ଷ ପର୍ୟ୍ୟନ୍ତ ଏହି କମ୍ପାନୀ କାରଖାନା ଚଳାଇବା ପରେ ୨୦୦୦ ମସିହାରେ କ୍ଷତି ହେଉଥିବା ଦର୍ଶାଇ ହଠାତ ବନ୍ଦ କରିଦେଇଥିଲା । ଏହି କମ୍ପାନୀକୁ ଋଣ ଦେଇଥିବା ଆଇସିଆଇସିଆଇ ବ୍ୟାଙ୍କ ହାତକୁ ଏହା ଚାଲିଗଲା । ଏଠାରେ କାମ କରୁଥିବା ପ୍ରାୟ ୩୦୦ଟି କର୍ମଚାରୀ ପରିବାର ଅସହାୟ ହୋଇ ପଡିଥିବା ବେଳେ ଅନେକ ବାଦ ବିବାଦ ପରେ ୨୦୦୫ ମସିହାରେ ବିଜୟାନନ୍ଦ କୋଅପରେଟିଭ ସୁଗର ମିଲ୍ସ ଲିଃ ନାମରେ ଏହି କାରଖାନାର ପୁନଃରୁଦ୍ଧାର କରାଗଲା । ସୂଚନା ଅନୁସାରେ କୋଅପରେଟିଭ ସେଲ୍ଫହେଲ୍ପ ଗ୍ରୁପ ଏକ୍ଟ ୨୦୦୧ ଆଧାରରେ ଏହା ପଞ୍ଜିକୃତ ହୋଇଥିଲା । ପଶ୍ଚିମ ଓଡିଶା ବିକାଶ ପରିଷଦର ୫ କୋଟି ଟଙ୍କାର ଅଂଶଧନ ରାଶିରେ ଆରମ୍ଭ ହୋଇ ଯଜ୍ଞେଶ୍ଵର ବାବୁଙ୍କ ନେତୃତ୍ୱରେ ଚାଲିଲା । ତେବେ ଯଜ୍ଞେଶ୍ଵର ବାବୁଙ୍କ ନେତୃତ୍ୱରେ ସୋସାଇଟି ଜରିଆରେ ୨୦୦୫ ମସିହାରୁ ୨୦୧୩ ମସିହା ପର୍ୟ୍ୟନ୍ତ କାରଖାନାଟି ଚାଲିବା ଭିତରେ ଓଡିଶା ରାଜ୍ୟ ସମବାୟ ବ୍ୟାଙ୍କରୁ ୩୮କୋଟି ୪୬ଲକ୍ଷ ଓ ଇଣ୍ଡିଆନ ଓଭରସିସ୍‌ ବ୍ୟାଙ୍କରୁ ୨ କୋଟି ୪୮ ଲକ୍ଷ ଟଙ୍କାର ଋଣ ଉଠାଯାଇଛି । ଏବେ କାରଖାନାର ଋଣ ବୋଝ ପ୍ରାୟ ୫୬ କୋଟିରେ ପହଞ୍ଚିଲାଣି । କାରଖାନାର ଋଣକାରବାର ନେଇ ଆପତ୍ତି ଉଠିଥିଲା ଓ ପରିଚାଳନା ବୋର୍ଡର ସଭାପତିଙ୍କ ନାମରେ ମାମଲା ମଧ୍ୟ ରୁଜୁ ହୋଇଥିଲା । ଏବେ କ୍ରାଇମବ୍ରାଞ୍ଚ ଓ ଭିଜିଲାନ୍ସ ବିଭାଗ ହାତରେ ଏହି ମାମଲାର ତଦନ୍ତ କରାଯାଇ ପ୍ରାୟ ୨୦ରୁ ଅଧିକ ମାମଲା ରୁଜୁ କରାଯାଇଛି । ଆଇନର ଖେଳ ଭିତରେ କାରଖାନାଟି ଛନ୍ଦିହୋଇ ଯାଇଛି ବୋଲି ମତ ପ୍ରକାଶ ପାଉଛି । ସୂଚନା ମତେ ୨୦୧୩ ମସିହାରେ ଏହି ମିଲଟିକୁ ସରକାର ଜବତକରି ନେଇ ସରକାରୀ ଉଦ୍ୟମରେ ବରଗଡ ଚିନିକଳର ୧କୋଟି ୨୦ଲକ୍ଷର ସହଯୋଗରେ ମିଲଟି ଚାଲିଲା । କାରଖାନା ୩ ମାସ ଚାଲିଲା ପରେ ଶେଷଥର ପାଇଁ ଏଠାରୁ ସେହିବର୍ଷ ୨୮୮୦୦କ୍ୱିଣ୍ଟାଲ ଚିନି, ୧୭୦୦ କ୍ୱିଣ୍ଟାଲ ବ୍ରାଉନସୁଗାର ଓ ୨୦୨୨ ମେଟ୍ରିକଟନ ମୋଲାସିଅସ ଉତ୍ପାଦନ କରି ବିକ୍ରୀ କରାଯାଇଥିଲା । ଯେଉଁଥିରୁ କର୍ମଚାରୀଙ୍କ ଦରମା, ଚାଷୀଙ୍କ ଆଖୁର ପାଉଣା ଇତ୍ୟାଦି ଦିଆଯାଇଥିଲା । କିନ୍ତୁ ୨୦୧୪ ମସିହାରୁ ଆଉ ମିଲଟି ଚାଲୁନାହିଁ । ସରକାରଙ୍କ ଉଦାସୀନତା ଓ ଅର୍ଥାଭାବରୁ କାରଖାନାଟି ଚାଲିପାରୁ ନାହିଁଁ ବୋଲି ମତ ପ୍ରକାଶ ପାଉଛି । କାରଖାନାରେ ଥିବା ମେସିନ ମରାମତିର ମଧ୍ୟ ଆବଶ୍ୟକତା ରହିଛି । ଏବେ କାରଖାନାଟି ଚାଲିବା ନେଇ ସନ୍ଦେହ ଦେଖାଦେଇଛି । ଏପଟେ କାରଖାନାର ୩୦୦ କର୍ମଚାରୀ, ୭୦୦୦ ଆଖୁଚାଷୀ ଓ ୧୦୦୦ ଟ୍ରାନ୍ସପୋଟର ପରିବାରଙ୍କ ଭବିଷ୍ୟତ ଅନ୍ଧାର ଭିତରକୁ ଠେଲି ହୋଇଯାଇଛି । ଦିନକୁ ୨୫୦୦ ମେଟ୍ରିକଟନ ପେଡି ପାରୁଥିବାର କ୍ଷମତା ରଖିଥିବା ଏହି କାରଖାନଟିକୁ ସରକାର ଚଳାଇବାର ନିତାନ୍ତ ଆବଶ୍ୟକତା ରହିଛି ବୋଲି ମତ ପ୍ରକାଶ ପାଉଛି । ବର୍ଷକୁ ୮୦ କୋଟି ଟଙ୍କାର ବ୍ୟବସାୟ କରୁଥିବା ତଥା ଉନ୍ନତମାନର ଚିନି ଉତ୍ପାଦନ ସତ୍ୱେ ଏହି କାରଖାନାଟି ବନ୍ଦ ହେବା ନିହାତି ଦୁର୍ଭାଗ୍ୟର ବିଷୟ ବୋଲି ମତ ପ୍ରକାଶ ପାଉଛି । ଅନ୍ୟପଟେ ସରକାର ୨୦୧୩ ମସିହାରେ ୧୯୬୨ ସମବାୟ ଆଇନ ଅନୁଯାୟୀ ପରିଚାଳନା ବୋର୍ଡକୁ ଭାଙ୍ଗି ଦେଇଛନ୍ତି । କୋଅପରେଟିଭ ରେଜିଷ୍ଟାର ଏହାର ଦାୟିତ୍ୱରେ ରହିଛନ୍ତି । ତେବେ ସମବାୟ ଆଇନ ଅନୁଯାୟୀ ଜଣେ ଅଧିକାରୀ ୬ ମାସରୁ ଅଧିକ ସମୟ ଦାୟିତ୍ୱରେ ରହିପାରିବେ ନାହଁ । କିନ୍ତୁ ଏହାର ଖିଲାପ କରି ରେଜିଷ୍ଟର ଦାୟିତ୍ୱରେ ରହିବା ସହ ନୂତନ ପରିଚାଳନା ବୋର୍ଡ ଗଠନ କରୁନାହାଁନ୍ତି ବୋଲି ଅଭିଯୋଗ ହେଉଛି । ସେପଟେ ରାଜ୍ୟ ସମବାୟ ବ୍ୟାଙ୍କ ଏହି କାରଖାନାକୁ ଋଣ ଖିଲାପି ଘୋଷଣା କରି ଜବତ କରିବାକୁ ନୋଟିସ କରିଛନ୍ତି ଓ ଏହାକୁ ବିକ୍ରୀ କରିବା ପାଇଁ ଦୁଇଥର ଟେଣ୍ଡର ଡକାଯାଇଛି ବୋଲି ସୂଚନା ମିଳିଛି । କିନ୍ତୁ ଆଇନ ଜାଲରେ କାରଖାନା ରହିଥିବାରୁ କେହି ଏହାକୁ ନେବାକୁ ମଙ୍ଗୁ ନାହାଁନ୍ତି ବୋଲି କୁହାଯାଉଛି । ରାଜ୍ୟସମବାୟ ବ୍ୟାଙ୍କ ଏହାକୁ ଚଳାଇବାକୁ ମଧ୍ୟ ଦୁଇ ତିନିଥର ବୈଠକ କରି ସାରିଥିଲା । କିନ୍ତୁ ଏପର୍ୟ୍ୟନ୍ତ କିଛି ପଦକ୍ଷେପ ନିଆଯାଇନି ବୋଲି ସୂଚନା ମିଳିଛି । କାରଖାନା ମରାମତି ପାଇଁ ୨କୋଟି ଓ ୪୦୦୦ ଏକରରେ ଆଖୁଚାଷ ପାଇଁ ତଥା ଅନ୍ୟାନ୍ୟ ଖର୍ଚ୍ଚ ପାଇଁ ୫କୋଟି ଏଭଳି ମୋଟ ୭ କୋଟି ଟଙ୍କାର ସହାୟତା ଯୋଗାଇ ଦେବାକୁ କର୍ମଚାରୀ ସଂଘ ତରଫରୁ ସରକାରଙ୍କ ପାଖରେ ଅନେକ ଥର ଦାବୀ କରାଯାଇଥିଲା । କିନ୍ତୁ ସରକାର ନିଜେ ଚଳାଉନାହାଁନ୍ତି କି କାହାକୁ ଚଳାଇବାକୁ ଦେଉନାହାଁନ୍ତି ବୋଲି ମତପ୍ରକାଶ ପାିଛି। କାରଖାନାକୁ ଚଳାଇବାକୁ ରାଜନେତା ଓ ସରକାରଙ୍କର ଆନ୍ତରିକତା ନାହିଁ ବୋଲି ଅଭିଯୋଗ ହେଉଛି । ରାଜ୍ୟ ସରକାର ବରଗଡ, ନୟାଗଡ ଚିନିକଳକୁ ଆର୍ଥିକ ଅନୁଦାନ ଦେଇ ଚଳାଇଲେ କିନ୍ତୁ ଦେଓଗାଁ ଚିନିକଳ ବେଳକୁ ଚୁପ ହୋଇ ରହିଛନ୍ତି ବୋଲି ଅଭିଯୋଗ ହେଉଛି । ଗତ ୨୨ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ବଲାଙ୍ଗିର ଜିଲ୍ଲା ଗସ୍ତ ପୂର୍ବରୁ ଦେଓଗାଁ ଚିନିକଳ ସମ୍ମୁଖରେ ଭିଲେଜର୍ସ ଇଣ୍ଡିଆପାର୍ଟି ତରଫରୁ ଧାରଣା ଦିଆଯାଇଥିଲା । ଜିଲ୍ଲାପାଳଙ୍କ ଜରିଆରେ ଅନେକ ଥର ଦାବୀପତ୍ର ଯାଇଛି । ସରକାର ତୁରନ୍ତ ଆର୍ଥିକ ସହାୟତା ଦେଇ ଏହି କାରଖାନାକୁ ଚଳାଇବାକୁ ଚାଷି ମହଲରେ ଦାବୀ ହେଉଛି ।

Leave A Reply

Your email address will not be published.