ବଲାଙ୍ଗିରରେ ଭାରତ ବନ୍ଦ ସଫଳ : କଳା କୃଷି ଆଇନ ପ୍ରତ୍ୟାହାର ନ ହେଲେ ସରକାରଙ୍କୁ ବହୁମୂଲ୍ୟ ଦେବାକୁ ପଡିବ – କିଷାନ କଂଗ୍ରେସ

ବଲାଙ୍ଗିର, (ଦେବାଶିଷ ମିଶ୍ର) : କୃଷକ ସଂଗଠନ ମାନଙ୍କ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଥିବା ବେଳେ ବଲାଙ୍ଗିରରେ ମଧ୍ୟ ଭାରତ ବନ୍ଦ ଡାକରା ସଫଳ ହୋଇଛି । ଆନ୍ଦୋଳନକାରୀମାନଙ୍କ ପକ୍ଷରୁ କୁହାଯାଇଛି ଯେ, ଜନ ବିରୋଧୀ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ସଂଖ୍ୟା ଗର୍ବରେ ବଧିରା ହୋଇସାରିଛି । ତାଙ୍କୁ ଆଉ ୧୩୦ କୋଟି ଜନତାଙ୍କ ସ୍ୱାର୍ଥ ଦିସୁନାହିଁ । କୃଷକ ବିରୋଧୀ ତିନୋଟି କଳା କୃଷି ଆଇନ ପ୍ରତ୍ୟାହାର ଦାବୀରେ କ୍ରମାଗତ ଭାବରେ ଦୀର୍ଘ ମାସ ଧରି ଆନ୍ଦୋଳନ ଚାଲିଛି । ଆନ୍ଦୋଳନରେ ୭୦୦ରୁ ଅଧିକ କୃଷକ ସହିଦ ହୋଇ ସାରିଛନ୍ତି । ତଥାପି ମଧ୍ୟ ଏହି ଜନ ବିରୋଧୀ କେନ୍ଦ୍ର ସରକାରର କାନକୁ କିଛି ଶୁଭୁନାହିଁ । ଆଜି ଦେଶ ସାରା ସର୍ବଭାରତୀୟ ସ୍ତରରେ ସଂଯୁକ୍ତ କୃଷକ ମୋର୍ଚ୍ଚା, ଭାରତୀୟ ଜାତୀୟ କଂଗ୍ରେସ, ବାମପନ୍ଥୀ ଦଳ, ସମଭାବାପନ୍ନ ଗଣ ସଂଗଠନ ସରକାର ବିରୁଦ୍ଧରେ ସର୍ବ ଭାରତୀୟ ବନ୍ଦ ଡାକରା ଦେଇଛନ୍ତି । ସମସ୍ତେ ଦାବୀ କରିଛନ୍ତି କୃଷକ ବିରୋଧୀ, ଜନ ବିରୋଧୀ ତିନୋଟି କଳା କୃଷି ଆଇନକୁ ସରକାର ତୁରନ୍ତ ପ୍ରତ୍ୟାହାର କରନ୍ତୁ ନହେଲେ ଆଗାମୀ ଦିନରେ ମୋଦୀ ନେତୃତ୍ୱାଧୀନ କେନ୍ଦ୍ର ସରକାରକୁ ବହୁମୂଲ୍ୟ ଦେବାକୁ ପଡିବ ବୋଲି ସ୍ଥାନୀୟ କଚେରୀ ଛକଠାରେ ସଂଯୁକ୍ତ ମୋର୍ଚ୍ଚା ଦ୍ୱାରା ଆୟୋଜିତ ଭାରତବନ୍ଦ ପରିପ୍ରେକ୍ଷୀରେ ଅନୁଷ୍ଠିତ ହୋଇଥିବା ପ୍ରତିବାଦ ସଭାରେ କିଷାନ କଂଗ୍ରେସ ଅଧ୍ୟକ୍ଷ ସାନନ୍ଦ ମିଶ୍ର କେନ୍ଦ୍ର ସରକାରଙ୍କୁ ଚେତାବନୀ ଦେଇଛନ୍ତି । ସଂଯୁକ୍ତ କୃଷକ ମୋର୍ଚ୍ଚାର କୃଷକ ନେତା ଆକାଶ ମିଶ୍ରଙ୍କ ଆବାହକତ୍ୱରେ ତଥା କୃଷକ ନେତା ଜତି ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପ୍ରତିବାଦ ସଭାରେ କିଷାନ ମୋର୍ଚ୍ଚା ରାଜ୍ୟ ସଂପାଦକ ଚଗଲା ପରିଚ୍ଛା କହିଥିଲେ ଏହି ଆନ୍ଦୋଳନ କେବଳ କୃଷକମାନଙ୍କର ନୁହେଁ, କେନ୍ଦ୍ରର କଳା କୃଷି ଆଇନ ଦେଶର ୧୩୦ କୋଟି ଜନତାଙ୍କୁ ପ୍ରଭାବିତ କରୁଛି । ତେଣୁ ଏହି ଅନ୍ଦୋଳନ ଭାରତର ୧୩୦ କୋଟି ଛାତ୍ର, ଯୁବକ, କୃଷକ, ଶ୍ରମିକ ଓ ମହିଳାମାନଙ୍କର ଆନ୍ଦୋଳନ ବୋଲି ସେ କହିବା ସହ ତିନି କଳା ଆଇନ ପ୍ରତ୍ୟାହାର ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଶ୍ରୀ ପରିଚ୍ଛା କରିଥିଲେ । ଅଶୃ ସଂପାଦକ ସୁରୁଲାଲ ମଟାରୀ ନିଜ ବକ୍ତବ୍ୟରେ କହିଥିଲେ ଏହି ଆନ୍ଦୋଳନ ହେଉଛି ଦ୍ୱିତୀୟ ସ୍ୱାଧିନତା ସଂଗ୍ରାମ । କାରଣ ଇଷ୍ଟ ଇଣ୍ଡିଆ କଂପାନୀ ଦେଶକୁ ବ୍ୟବସାୟ କରିବା ପାଇଁ ଆସି ଶହ ଶହ ବର୍ଷ ପର୍ଯ୍ୟନ୍ତ ଆମକୁ ପରାଧୀନ କରିଥିଲା । ଏବେ ତାର ପୁନରାବୃତ୍ତି ହେବାକୁ ଯାଉଛି । ଦେଶର ପ୍ରଧାନମନ୍ତ୍ରୀ ମୋଦୀ ବର୍ତ୍ତମାନ ଦେଶର ସମସ୍ତ ଶିଳ୍ପ, ଲାଭଜନକ ଉଦ୍ୟୋଗ ଯଥା ବିଏସ୍‌ଏନ୍‌ଏଲ୍‌, ଏଲ୍‌ଆଇସି, ରେଲୱେ, ପ୍ରତିରକ୍ଷା ନିର୍ମାଣ ଏ ସବୁକୁ ପୁଞ୍ଜିପତିମାନଙ୍କ ହାତକୁ ଠେଲି ଦେବା ପରେ ଏବେ ଦେଶର ଅର୍ଥନୀତି ଉପରେ ନିର୍ଭର କରୁଥିବା କୃଷି ଓ କୃଷକଙ୍କ ଭାଗ୍ୟକୁ ଅଦାନି ଓ ଅମ୍ବାନି ଭଳି ପୁଞ୍ଜିପତିମାନଙ୍କ ହାତକୁ ଟେକି ଦେଉଛନ୍ତି । ଏହାକୁ ଜନସାଧାରଣ ବୁଝିବା ଉଚିତ୍‌ । ସଂଯୁକ୍ତ ମୋର୍ଚ୍ଚାର ଆବାହକ ଆକାଶ ମିଶ୍ର ଏହି ଆନ୍ଦୋଳନକୁ ଆଗାମୀ ଦିନରେ ଗାଁର ପ୍ରତ୍ୟେକ ଲୋକଙ୍କ ପାଖକୁ ପହଞ୍ଚାଯିବ ବୋଲି କହିଥିଲେ । କେନ୍ଦ୍ର ସରକାର ତିନି କଳା ଆଇନ ଯଥା ଶସ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ ଉଠାଇ ଦେଇ ମୁକ୍ତ ବଜାରୀକରଣ ଲାଗୁ କରିବା, ଅତ୍ୟାବଶ୍ୟକ ସାମଗ୍ରୀ ଆଇନ ରଦ୍ଦ କରିବା ତଥା ଚୁକ୍ତି ଭିତ୍ତିକ ଚାଷ ଲଗେଇ କ୍ଷୁଦ୍ର ଚାଷୀମାନଙ୍କ ଆର୍ଥିକ ମାନଦଣ୍ଡରେ ଆଘାତ ଦେବା ପାଇଁ ଯେପରି ଚେଷ୍ଟା କରିଛି ଏବଂ ତା’ ସହ ରାଜ୍ୟ ତଥା ଦେଶରେ ଚାଷୀ ସବୁବେଳେ ଯେପରି ଜଳସେଚନର ଅସୁବିଧା, ସାର ବିହନର ଅସୁବିଧା, ବିଜୁଳିର ସୁବିଧାରେ ହନ୍ତସନ୍ତ ହେଉଛି ସେ ସବୁର ସମାଧାନ ଶୀଘ୍ର କରନ୍ତୁ ବୋଲି ଉପସ୍ଥିତ ଥିବା ଚାଷୀନେତା ବିଭୁଦତ୍ତ ମିଶ୍ର, ହିମାଂଶୁ ସାହୁ, ଅରୁଣ ମିଶ୍ର, ଅସୀତ ମିଶ୍ର, ବିଧୁଭୂଷଣ ତ୍ରିପାଠୀ, ଦ୍ରୋଣ କୁମ୍ଭାର, ଅଙ୍କିତ ସାହୁ, ସରୋଜ ରଥ, ଗଗନ ନାଥ, କସ୍ତୁଭ ସାହୁ, ଅମିତ ନାଏକ ପ୍ରମୁଖ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ବିଷୋଦ୍‌ଗାର କରି ତିନି କଳା କୃଷି ଆଇନ ପ୍ରତ୍ୟାହାର ଦାବୀ କରିଥିଲେ । ପୂର୍ବଦିନ ସଂଯୁକ୍ତ କୃଷକ ମୋର୍ଚ୍ଚା ନେତା ଅରୁଣ ମିଶ୍ର ଏବଂ ବିଭୁଦତ୍ତ ମିଶ୍ରଙ୍କ ନେତୃତ୍ୱରେ କେନ୍ଦ୍ର ସରକାରଙ୍କ ତିନି କଳା ଆଇନ ବିରୁଦ୍ଧରେ ସହରର ବିଭିନ୍ନ ସ୍ଥାନରେ ପଥପ୍ରାନ୍ତ ସଭା କରି ସାଧାରଣ ଜନତାଙ୍କୁ କଳା କୃଷି ଆଇନ ବିରୁଦ୍ଧରେ ସଚେତନ କରାଯାଇଥିଲା ।

Leave A Reply

Your email address will not be published.