ବନ୍ଦେ ଉତ୍କଳ ଜନନୀକୁ ଶିକ୍ଷା ପାଠ୍ୟକ୍ରମରେ ସାମିଲ କରିବାର ସରକାରୀ ନିଷ୍ପତ୍ତିକୁ କୋଶଲ ରାଜ୍ୟ ସମନ୍ୱୟ ସମିତିର ତୀବ୍ର ବିରୋଧ : ଆଗାମୀ ଜୁନ ୨୯ ତାରିଖରେ ସବୁ ଜିଲ୍ଲାରେ ପ୍ରତିବାଦ କରାଯିବ
ବଲାଙ୍ଗିର, (ଦେବାଶିଷ ମିଶ୍ର) : ୨କୋଟି ଲୋକଙ୍କ ମତାମତକୁ ପାଦରେ ଦଳି ଦେଇ ଓଡିଶା ରାଜ୍ୟ ସରକାର ଏକପାଖିଆ ଭାବରେ “ବନ୍ଦେ ଉତ୍କଳ ଜନନୀ”କୁ ରାଜ୍ୟ ସଂଗୀତର ମର୍ଯ୍ୟାଦା ଦେବା ସହ ଶିକ୍ଷା ପାଠ୍ୟକ୍ରମରେ ସାମିଲ କରିଛନ୍ତି । ଏତାଦୃଶ କାମ କରି ରାଜ୍ୟ ସରକାର ତାଙ୍କର ଉଗ୍ର ଆଞ୍ଚଳିକ ବୈଷମ୍ୟ ଓ ଉପନିବେଶବାଦୀ ଚେହେରାକୁ ଉଜାଗର କରିଛନ୍ତି । ତେଣୁ କୋଶଲ ରାଜ୍ୟ ସମନ୍ୱୟ ସମିତି ଏହାର ତୀବ୍ର ନିନ୍ଦା କରିବା ସହ ଏହାକୁ ପ୍ରତିବାଦ କରି ଆଗାମୀ ଜୁନ ୨୯ ତାରିଖରେ ସବୁ ଜିଲ୍ଲା ଶିକ୍ଷାଧିକାରୀମାନଙ୍କ ମାର୍ଫତରେ ଦାବୀପତ୍ର ପ୍ରଦାନ କରିବାକୁ ନିଷ୍ପତ୍ତି କରିଛି ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ “ବନ୍ଦେ ଉତ୍କଳ ଜନନୀ” ଉତ୍କଳ ସମ୍ମିଳନୀକୁ ଉତ୍ସାହିତ କରିବା ପାଇଁ ଉଦ୍ଦିଷ୍ଟ ଏକ ସଂଗୀତ । ଅଭିଭକ୍ତ କଟକ, ପୁରୀ ଓ ବାଲେଶ୍ୱର ହିଁ ଉତ୍କଳର ଆଧୁନିକ ରୁପ । କିନ୍ତୁ ୧୯୩୬ ମସିହାରେ ଯେଉଁ ଓଡିଶା ପ୍ରଦେଶ ଗଠିତ ହେଲା ଓ ୧୯୪୮ ମସିହାରେ ବିସ୍ତାରିତ ହେଲା ଏଥିରେ କୋଶଲ, ଉତ୍କଳ, କଳିଙ୍ଗ ଏଭଳି ୩ଟି ସାଂସ୍କୃତିକ / ଐତିହାସିକ ଭୂଖଣ୍ଡ ସମ୍ମିଳିତ । ଏଭଳି ସ୍ଥଳରେ ବନ୍ଦେ ଉତ୍କଳ ଜନନୀକୁ ରାଜ୍ୟ ସଂଗୀତ ମର୍ଯ୍ୟାଦା ଦେବା ଓ ଶିକ୍ଷାପାଠ୍ୟକ୍ରମରେ ସାମିଲ କରିବା ନିହାତି ଭାବରେ ଅପ୍ରାସଙ୍ଗିକ ଓ ଅସୈମ୍ବଧାନିକ ଅଟେ ।
ସବୁଠାରୁ ଅଧିକ ଲଜ୍ଜ୍ୟାର ବିଷୟ ଯେ ମହାମାରୀ କରୋନାର ପ୍ରଥମ ଲହରର ସୁଯୋଗ ନେଇ ରାଜ୍ୟ ସରକାର ବନ୍ଦେ ଉତ୍କଳ ଜନନୀକୁ ବେଆଇନ ଭାବରେ ରାଜ୍ୟ ସଂଗୀତର ମର୍ଯ୍ୟାଦା ଦେଇଥିବା ବେଳେ କରୋନାର ୨ୟ ଲହରୀର ସୁଯୋଗ ନେଇ ଏହାକୁ ଶିକ୍ଷା ପାଠ୍ୟକ୍ରମରେ ସାମିଲ କରିଛନ୍ତି । ତେଣୁ ରାଜ୍ୟ ସରକାରଙ୍କ ଏତାଦୃଶ କାର୍ଯ୍ୟକଳାପ କେବଳ ବେଆଇନ ନୁହେଁ ଏହା ମାନବିକତା ବିରୋଧୀ ମଧ୍ୟ । ତେଣୁ ରାଜ୍ୟ ସରକାରଙ୍କ ଏତାଦୃଶ ନିଷ୍ପତ୍ତିକୁ ସବୁସ୍ତରରେ ଦଳମତ ନିର୍ବିଶେଷରେ ସମସ୍ତେ ବିରୋଧ କରିବା ସହ ଆଗାମୀ ଦିନରେ ଏକତ୍ରିତ ଭାବରେ ସ୍ୱତନ୍ତ୍ର କୋଶଲ ପ୍ରଦେଶ ମୁକ୍ତି ଆନ୍ଦୋଳନକୁ ଜୋରଦାର କରିବାକୁ ଆଗଭର ହେବା ପାଇଁ କୋଶଲ ରାଜ୍ୟ ସମନ୍ୱୟ ସମିତି କେନ୍ଦ୍ରୀୟ ଅଧ୍ୟକ୍ଷ ପ୍ରମୋଦ କୁମାର ମିଶ୍ର ଓ କେନ୍ଦ୍ରୀୟ ସାଧାରଣ ସଂପାଦକ ସୁନିଲ ପୁରୋହିତ ଆହ୍ୱାନ ଦେଇଛନ୍ତି । ଏଥି ସହିତ ଏ ଅଞ୍ଚଳର ଜନସାଧାରଣ ଓ ମାଁ / ମାଟି ପ୍ରତି ମମତା ରଖିଥିବା ସବୁ ସାଂସଦ / ବିଧାୟକ ଓ ଅନ୍ୟାନ୍ୟ ନିର୍ବାଚିତ ନେତା ମଧ୍ୟ ରାଜ୍ୟ ସରକାରଙ୍କ ଏଭଳି ନିଷ୍ପତ୍ତି କୁ ପ୍ରତିବାଦ କରନ୍ତୁ ବୋଲି କୋଶଲ ରାଜ୍ୟ ସମନ୍ୱୟ ସମିତି ଅନୁରୋଧ କରିଛି ।