ଅନଲାଇନ୍ ମାଧ୍ୟମରେ ସମ୍ବଲପୁରୀ କବିତା ଆସର୍

ସଇଁନ୍ତଲା, (ଅଜିତ କୁମାର ସାହୁ) : ମାଁ ଘଣ୍ଟେଶ୍ୱରୀ ସାହିତ୍ୟ ଘର, ଚିପିଲିମା ଦ୍ଵାରା ଅନଲାଇନ୍ ମାଧ୍ୟମରେ ତା’ର ଏକାଦଶ ସାହିତ୍ୟ ଆସର ଅନୁଷ୍ଠିତ ହୋଇଯାଇଛି । ତେବେ ସମ୍ବଲପୁରୀ କବିତା ପାଠକୁ ନେଇ ଏଥିରେ ମୋଟ ଛଅ ଜଣ କବି/କବୟିତ୍ରୀ ସ୍ୱରଚିତ କବିତା ପାଠ କରିଥିଲେ । ସେମାନେ ହେଲେ ସଂଗୀତା ପଣ୍ଡା ଷଡଙ୍ଗୀ, ସାବିତ୍ରୀ ପୁରୋହିତ, ଅଶୋକ କୁମାର ପୂଜାହାରୀ, ବୃନ୍ଦାବନ ସାହୁ, ଶିବ ପ୍ରସାଦ ସା ଓ ଆଶୁତୋଷ ମେହେର ନିଜ ନିଜର ସର୍ବଶ୍ରେଷ୍ଠ କବିତା ପାଠ କରିଥିଲେ । ଆସରର ମୁଖ୍ୟ ଆଲୋଚକ ବିଶିଷ୍ଟ ଗୀତିକାର ଦୁର୍ଗା ମାଧବ ପଣ୍ଡା କବିତାଗୁଡ଼ିକ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ ଓ ତାଙ୍କ ମତରେ ପିଲାଟିଏ ଜନ୍ମ ହୋଇ ସ୍ୱପ୍ନ ଦେଖି ଶିଖିଲା ମାତ୍ରେ କବି ଅଟେ । ସେ ସ୍ୱପ୍ନକୁ ସେ ଶବ୍ଦରେ ବଖାଣି ଅନ୍ୟକୁ ବୁଝାଇ ପାରିଲେ ସମାଜ ତାକୁ କବିର ଆଖ୍ୟା ଦିଏ । ସମସ୍ତେ ନିଜ ନିଜ କ୍ଷେତ୍ରରେ ବୀର ଅଟନ୍ତି । ସୂର୍ଯ୍ୟ ପ୍ରତି ପଛ କରି ଛିଡ଼ା ହେଲେ ଯାଇ ଆମର ନିଜର ପ୍ରତିଛବି ସୃଷ୍ଟି ହୁଏ । ଏଠାରେ ଆମେ ସୂର୍ଯ୍ୟଙ୍କୁ ଅସମ୍ମାନ କରୁନାହୁଁ କିନ୍ତୁ ସୂର୍ଯ୍ୟଙ୍କ ଠାରୁ ଶକ୍ତି ପାଉଛୁ ତେଣୁ ନିଜ ଭିତରେ ସେ ଦମ୍ଭ ଧାରଣ କରିବାକୁ ସେ ସମସ୍ତ କବିଙ୍କୁ ଆହ୍ୱାନ ଦେଇଛନ୍ତି । ଏହା ପରେ ଘଣ୍ଟି ପରିବାରର ଉପଦେଷ୍ଟା ଅବସର ପ୍ରାପ୍ତ ଅଧ୍ୟାପକ ଲଷ୍ମୀନାରାୟଣ ପାଣିଗ୍ରାହୀ ସମସ୍ତ କବିତା ଗୁଡ଼ିକର ଆଙ୍ଗିକ ଓ ଆତ୍ମିକ ଦିଗ ଗୁଡିକ ଉପରେ ଆଲୋଚନା କରିଥିଲେ । ତାଙ୍କ ମତରେ ଗ୍ରାମାଞ୍ଚଳରେ ବ୍ୟବହୃତ ଶବ୍ଦର ଅତ୍ୟଧିକ ପ୍ରୟୋଗ, ପାରିପାର୍ଶ୍ବିକ ପରିବେଶ, ଜୀବନ ଜୀବିକା ଉପରେ ଚରିତ୍ର ଚିତ୍ରଣ କରି ଜାଣିଲେ, ତାହା ଏକ କାଳଜାୟୀ ସାହିତ୍ୟ କୃତି ହେବ ଏଥିରେ ସନ୍ଦେହ ନାହିଁ । ଏହାପରେ ରାଜ୍ୟ ତଥା ରାଜ୍ୟ ବାହାରୁ ଆସରରେ ଯୋଡ଼ି ହୋଇଥିବା ଅନେକ ମାନ୍ୟଗଣ୍ୟ ସାହିତ୍ୟପ୍ରେମୀ ଶ୍ରୋତାଗଣ ନିଜର ମତାମତ ରଖିଥିଲେ । ମଧୁର ଶବ୍ଦରେ ସଜାଇ ତରଣୀସେନ ମେହେର ସଂଯୋଜନା କରି ସମସ୍ତଙ୍କୁ ମୁଗ୍ଧ କରିଥିଲେ । ଆସର୍ ଶେଷରେ ଘଣ୍ଟି ପରିବାର ଓ ଘଣ୍ଟେଶ୍ୱରୀ ସାହିତ୍ୟ ଅନୁଷ୍ଠାନ ତରଫରୁ କବୟିତ୍ରୀ ସଂଗୀତା ମୋହନ ଗହୀର ଧନ୍ୟବାଦ ଅର୍ପଣ କରିଥିଲେ । ପରିଚାଳନାରେ ସୁଧାଂଶୁ ଭୂଷଣ ଷଣ୍ଢ ଓ ପ୍ରୀତିନନ୍ଦା ପାଣିଗ୍ରାହୀ ସହଯୋଗ କରିଥିଲେ ।

1 Comment
  1. Taranisen Meher says

    ବହୁତ ବହୁତ ଧନ୍ୟବାଦ ଆଜ୍ଞା

Leave A Reply

Your email address will not be published.