
ବଲାଙ୍ଗିର, (କେପିଏନ୍ଏସ୍) : ଜାତୀୟସ୍ତରରେ ୩ଟି ସ୍ୱର୍ଣ୍ଣପଦକ ସହ ଜାତୀୟ ରେକର୍ଡ ହାସଲ କରି ବଲାଙ୍ଗିର ଜିଲ୍ଲାକୁ ଗୌରବାନ୍ୱିତ କରିଥିବା ଯୁବ ସନ୍ତରଣ ପ୍ରତିଭା ସୌରଭ ପୁଟେଲଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି । ରାଜସ୍ଥାନର ଜୟପୁରଠାରେ ଅନୁଷ୍ଠିତ ୪୨ତମ ସବ୍-ଜୁନିଅର ନ୍ୟାସନାଲ ଆକ୍ୱାଟିକ୍ ଚାମ୍ପିଅନସିପ୍-୨୦୨୬ରେ ସୌରଭ ଚମତ୍କାର ପ୍ରଦର୍ଶନ କରି ୩ଟି ଇଭେଣ୍ଟରେ ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି । ସେ ୨୦୦ ମିଟର ଓ ୧୦୦ ମିଟର ବ୍ରେଷ୍ଟଷ୍ଟ୍ରୋକ୍ରେ ପ୍ରଥମ ସ୍ଥାନ ଅଧିକାର କରି ସ୍ୱର୍ଣ୍ଣପଦକ ଜିତିଥିବାବେଳେ ୫୦ ମିଟର ବ୍ରେଷ୍ଟଷ୍ଟ୍ରୋକ୍ରେ ମଧ୍ୟ ସ୍ୱର୍ଣ୍ଣପଦକ ହାସଲ କରି ଜାତୀୟ ରେକର୍ଡ ସ୍ଥାପନ କରିଛନ୍ତି । ସୌରଭଙ୍କ ଏହି କୃତିତ୍ୱ ପାଇଁ ବଲାଙ୍ଗିର ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାର ତାଙ୍କୁ ସମ୍ବର୍ଦ୍ଧିତ କରିବା ସହ ଆଗାମୀ କ୍ରୀଡ଼ା ଯାତ୍ରା ଓ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଶୁଭେଚ୍ଛା ଜଣାଇଥିଲେ । ଜିଲ୍ଲାପାଳ କହିଥିଲେ ଯେ, ସୌରଭଙ୍କ ଏହି ସଫଳତା ଜିଲ୍ଲାର ଅନ୍ୟ ଯୁବ କ୍ରୀଡ଼ାବିତ୍ମାନଙ୍କୁ ନିଶ୍ଚିତ ଭାବେ ପ୍ରେରଣା ଯୋଗାଇବ । ସେ ଆହୁରି କହିଥିଲେ ଯେ, ଜିଲ୍ଲାର ସମସ୍ତ ବିଦ୍ୟାଳୟରେ ପାଠପଢ଼ା ସହ କ୍ରୀଡ଼ାକୁ ମଧ୍ୟ ସମାନ ଗୁରୁତ୍ୱ ଦିଆଯାଉଛି । ବଲାଙ୍ଗିର ଜିଲ୍ଲାରେ ଅନେକ ପ୍ରତିଭା ରହିଛନ୍ତି । ଏହି ପ୍ରତିଭାମାନଙ୍କୁ ଚିହ୍ନଟ କରି ସେମାନଙ୍କ ବିକାଶ ପାଇଁ ସମସ୍ତେ ମିଳିମିଶି ଉଚିତ ମାର୍ଗଦର୍ଶନ ଓ ସହଯୋଗ ଯୋଗାଇଦେବା ଆବଶ୍ୟକ ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଡ. ବିଜୟାନନ୍ଦ ସେଠୀ, ଜିଲ୍ଲା କ୍ରୀଡା ଅଧିକାରୀ ହରିଓମ ଶମ୍ଭୁ ନାରାୟଣ ଦାଶ ଉପସ୍ଥିତ ଥିଲେ ।