ଆଦିବାସୀ ଅଧୁଷିତ କନ୍ଧମାଳ ଜିଲ୍ଲାରେ ବିଏସଏନଏଲ ସେବା ସମ୍ପୂର୍ଣ୍ଣ ବିପର୍ୟ୍ୟସ୍ତ : ଇଣ୍ଟର ନେଟ ସେବା ସମ୍ପୂର୍ଣ୍ଣ ଠପ୍‌

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ଆଦିବାସୀ ଅଧ୍ୟୁଷିତ ଏବଂ ଦୁର୍ଗମ ଅଞ୍ଚଳ ଭାବେ ପରିଚିତ କନ୍ଧମାଳ ଜିଲ୍ଲାରେ ଦିନ ଦିନ ଧରି ବିଏସ୍‌ଏନ୍‌ଏଲ୍‌ ସେବା ସମ୍ପୂର୍ଣ୍ଣ ବିପର୍ୟ୍ୟସ୍ତ ହୋଇପଡ଼ୁଛି । ଜିଲ୍ଲା ସଦର ମହକୁମା ଫୁଲବାଣୀ ସହର ସମେତ ଆଖପାଖ ଅଞ୍ଚଳରେ ଇଣ୍ଟରନେଟ୍‌ ସେବା କାର୍ୟ୍ୟ କରୁନି । ଜିଲ୍ଲାର ଅଧିକାଂଶ ବ୍ଲକ‌୍‌ରେ କ୍ରମାଗତ ଭାବେ ନେଟ୍‌ୱର୍କ ରହୁ ନଥିବାରୁ ମୋବାଇଲ୍‌ ସେବା ବ୍ୟାହତ ହୋଇପଡ଼ିଛି । ଦିନତମାମ ସମଗ୍ର ଫିରିଙ୍ଗିଆ ବ୍ଲକ୍‌, ଫୁଲବାଣୀ ସଦର, ରାଇକିଆ, କ.ନୂଆଗାଁ ଓ ବାଲିଗୁଡା ବ୍ଲକ୍‌ରେ ବିଏସ୍‌ଏନ୍‌ଏଲ୍‌ ନେଟ୍‌ୱର୍କ ଫେଲ୍‌ ହୋଇ ପଡ଼ିଥିବାରୁ ମୋବାଇଲ ସେବା ଠପ୍‌ ହୋଇ ଯାଇଥିଲା । କନ୍ଧମାଳ ଜିଲ୍ଲା ସଦର ମହକୁମା ଫୁଲବାଣୀରୁ ଜିଲ୍ଲାର ଦୁର୍ଗମ ଅଞ୍ଚଳକୁ ଭଲ ରାସ୍ତା ନଥିବା ବେଳେ ବିପର୍ୟ୍ୟସ୍ତ ବିଏସ୍‌ଏନ୍‌ଏଲ୍‌ ସେବା ବୋଝ ଉପରେ ନଳିତା ବିଡ଼ା ଭଳି ପରିସ୍ଥିତି ସୃଷ୍ଟି କରିଛି । ଏହାଯୋଗୁଁ ବିଭିନ୍ନ କ୍ଷେତ୍ରରେ ବିଭ୍ରାଟ ସୃଷ୍ଟି ହୋଇଛି ।

ବିଏସ୍‌ଏନ୍‌ଏଲ୍‌ ସେବା ଠପ୍‌ ହୋଇଯାଇ ଥିବାରୁ ବିଶେଷ କରି ସ୍ବାସ୍ଥ୍ୟ ସେବା ଉପରେ ଏହାର କୁପ୍ରଭାବ ପଡ଼ିଛି । ମୋବାଇଲରେ ନେଟ୍‌ୱର୍କ ରହୁ ନଥିବାରୁ ଦୁର୍ଗମ ଅଞ୍ଚଳବାସୀ ଆମ୍ବୁଲାନ୍‌ସକୁ ଖବର ଦେଇ ନପାରି ନାନା ପ୍ରକାର ହଇରାଣ ହରକତ ହେଉଛନ୍ତି । ଦେଶର ସର୍ବବୃହତ୍‌ ଟେଲି ଯୋଗାଯୋଗ ସଂସ୍ଥା ବିଏସ୍‌ଏନ୍‌ଏଲ୍‌ କନ୍ଧମାଳ ଜିଲ୍ଲାରେ ଆଜି ପର୍ୟ୍ୟନ୍ତ ମାତ୍ର ୬୦ ପ୍ରତିଶତ ‌ମୋବାଇଲ୍‌ ସେବା ଯୋଗାଇ ଦେବାରେ ସମର୍ଥ ହୋଇଛି । କେନ୍ଦ୍ର ସରକାର ପ୍ରତି ପଞ୍ଚାୟତକୁ ଇଣ୍ଟରନେଟ୍‌ ସେବା ଯୋଗାଇ ଦେବା କଥା କହୁଥିବା ବେଳେ କନ୍ଧମାଳ ଜିଲ୍ଲାର ୧୭୧ଟି ପଞ୍ଚାୟତକୁ ଇଣ୍ଟରନେଟ୍‌ ସେବା ଦିବା ସ୍ବପ୍ନ ଭଳି ମନେ ‌ହେଉଛି । ବିଏସ୍‌ଏନ୍‌ଏଲ୍‌ ବିଭାଗର ସୂଚନା ଅନୁସାରେ, କନ୍ଧମାଳ ଜିଲ୍ଲାରେ ମାତ୍ର ୧୪୨ଟି ଟାୱାର୍‌ ରହିଛି । ସେଥିମଧ୍ୟରୁ ଜିଲ୍ଲା ପ୍ରଶାସନ ସହଯୋଗରେ ୧୬ଟି ମିନି ଟାୱାର୍‌ ନିର୍ମାଣ କରାଯାଇଛି । ଗତ ଦୁଇବର୍ଷ ହେଲା ଜିଲ୍ଲାରେ ଆଦୌ ନୂଆ ଟାୱାର୍‌ ପ୍ରତିଷ୍ଠା ହୋଇନାହିଁ। ଜିଲ୍ଲାରେ ଆଉ ୫୦ଟି ନୂଆ ବିଏସ୍‌ଏନ୍‌ଏଲ୍‌ ଟାୱାର୍‌ ସ୍ଥାପନ ହେବବୋଲି ଗତବର୍ଷ କର୍ତ୍ତୃପକ୍ଷ ଘୋଷଣା କରିଥିଲେ। ମାତ୍ର, ଏହା କେବଳ ଘୋଷଣାରେ ରହିଯାଇଛି । ଏନେଇ ଫୁଲବାଣୀ ବିଏସ୍‌ଏନ୍‌ଏଲ୍‌ ଟେଲିକମ୍‌ ଏସ୍‌ଡିଓ ମନୋଜ କୁମାର ପଟ୍ଟନାୟକଙ୍କ ସହ ଯୋଗାଯୋଗ କରା ଯାଇଥିଲା । ଜିଲ୍ଲାର ୧୭୧ଟି ପଞ୍ଚାୟତରୁ ୧୫୧ଟିରେ ଇଣ୍ଟରନେଟ୍‌ ସୁବିଧା ଅଛି ବୋଲି ଶ୍ରୀ ପଟ୍ଟନାୟକ କହୁଥିବା ବେଳେ ବାସ୍ତବ କ୍ଷେତ୍ରରେ ଏହା ସତ୍ୟ ଭଳି ମନେ ହେଉନାହିଁ । ଫୁଲବାଣୀ, ବାଲିଗୁଡ଼ା ଭଳି ସଦର ମହକୁମାକୁ ଛାଡ଼ିଦେଲେ ବାକି ଦୁର୍ଗମ ବ୍ଲକ୍‌ରେ ଅଧିକାଂଶ ସମୟ ମୋବାଇଲ୍‌ ନେଟ୍‌ୱର୍କ ରହୁନ‌ାହିଁ । ଇଣ୍ଟରନେଟ୍‌ ସେବା କଥା କଳ୍ପନା କରିବା ବୃଥ‌ା।ଅପରପକ୍ଷେ, ଜିଲ୍ଲାରେ ୨୧ଟି ନୂଆ ଟାୱାର୍‌ ନିର୍ମାଣ ପାଇଁ ଜମି ଓ ଘର ଏଗ୍ରିମେଣ୍ଟ ସରିଥିବାବେଳେ ୩ ବର୍ଷ ହେଲା ଟାୱାର୍‌ ନିର୍ମାଣ ପାଇଁ ଯନ୍ତ୍ରାଂଶ ଆସିପାରୁ ନାହିଁ । ଆସନ୍ତା ମାର୍ଚ୍ଚ ସୁଦ୍ଧା ଯନ୍ତ୍ରାଂଶ ଆସିବା ସମ୍ଭାବନା ରହିଛି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି । ମୋବାଇଲ ସେବା ଠପ୍‌ ହୋଇଯିବା କାରଣରୁ ପୁଲିସ ବ୍ୟବସ୍ଥା ମଧ୍ୟ ପ୍ରଭାବିତ ହୋଇଛି। ଗ୍ରାମାଞ୍ଚଳର ଥାନାଗୁଡ଼ିକ ସହ ଯୋଗାଯୋଗ ମଧ୍ୟ ବାଧାପ୍ରାପ୍ତ ହୋଇଛି । ଫୁଲବାଣୀ ସହରରେ ଅଧିକାଂଶ ସମୟରେ ଇଣ୍ଟରନେଟ୍‌ ସେବା ବାଧାପ୍ରାପ୍ତ ହେଉଛି । ଏଥିଯୋଗୁଁ ଟେଲି ଯୋଗାଯୋଗ ସମ୍ପୂର୍ଣ୍ଣ ବିପର୍ୟ୍ୟସ୍ତ ହୋଇପଡ଼ିଛି। ଆଗାମୀ ଦିନରେ ଟେଲି ଯୋଗାଯୋଗ ସେବାକୁ ସ୍ବାଭାବିକ କରା ନଗଲେ ଆନ୍ଦୋଳନ ଜୋର୍‌ଦାର୍‌ କରାଯିବ ବୋଲି ବିଶିଷ୍ଟ ଶ୍ରମିକ ନେତା ତଥା ଏଆଇସିସି ସଦସ୍ୟ ଘନ ଶବର ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.