
କେସିଙ୍ଗା, (ପ୍ରୀତେଶ ପଟେଲ) : କଳାହାଣ୍ଡି ଜିଲ୍ଲାର କେସିଙ୍ଗା, କର୍ଲାମୁଣ୍ଡା, ଏମ୍. ରାମପୁର ଏବଂ ପାଷ୍ଟିକୁଦି ପ୍ରଭୃତି ଡାକ୍ତରଖାନାରେ ଡାକ୍ତରମାନଙ୍କ ଆନ୍ଦୋଳନ ଯୋଗୁଁ ରୋଗୀ ସେବା ଗୁରୁତର ଭାବେ ପ୍ରଭାବିତ ହୋଇଛି । ସରକାରଙ୍କ ପକ୍ଷରୁ ଦରମା ବନ୍ଦ ଏବଂ ‘ଏସମା’ ଲାଗୁ କରିବାର ଚେତାବନୀ ସତ୍ତ୍ୱେ ଆନ୍ଦୋଳନରତ ଡାକ୍ତରମାନେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଜାରି ରଖିଛନ୍ତି । ନିୟମିତ ଡାକ୍ତରମାନଙ୍କ ଅନୁପସ୍ଥିତି ଯୋଗୁଁ ବର୍ତ୍ତମାନ ଆୟୁଷ ଏବଂ ଚୁକ୍ତିଭିତ୍ତିକ ଡାକ୍ତରଙ୍କ ଦ୍ୱାରା ଚିକିତ୍ସା ସେବା ଯୋଗାଇ ଦିଆଯାଉଛି । ଡାକ୍ତରଖାନାଗୁଡ଼ିକରେ ଉଭୟ ଆଉଟ୍ଡୋର୍ ଏବଂ ଇନ୍ଡୋର୍ ସେବା ବାଧାପ୍ରାପ୍ତ ହୋଇଛି, ଯାହାଫଳରେ ଗର୍ଭବତୀ ମହିଳା ଓ ଅନ୍ୟ ରୋଗୀମାନେ ଚରମ ହଇରାଣ ହେଉଛନ୍ତି । ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ହରେକୃଷ୍ଣ ଶତପଥୀଙ୍କ ସୂଚନା ଅନୁଯାୟୀ, ସରକାରଙ୍କ ନିର୍ଦ୍ଦେଶକ୍ରମେ ଆନ୍ଦୋଳନରତ ଡାକ୍ତରଙ୍କ ଦରମା ବନ୍ଦ କରିବା ପାଇଁ ପଦକ୍ଷେପ ନିଆଯିବ। ଯଦି ଆଗାମୀ ୧-୨ ଦିନ ମଧ୍ୟରେ ଆନ୍ଦୋଳନ ଶେଷ ନହୁଏ, ତେବେ ଜିଲ୍ଲାର ସ୍ୱାସ୍ଥ୍ୟସେବା ପରିସ୍ଥିତି ଆହୁରି ଅସମ୍ଭାଳ ହେବାର ଆଶଙ୍କା ରହିଛି। ଓଡ଼ିଶା ମେଡିକାଲ ସର୍ଭିସେସ୍ ଆସୋସିଏସନ ୧ ଜୁଲାଇ ୨୦୨୬ ଠାରୁ ଜରୁରୀକାଳୀନ ସେବା ସହିତ ସମସ୍ତ ଚିକିତ୍ସା ସେବା (ଓପିଡି ଓ ଆଇପିଡି) ସମ୍ପୂର୍ଣ୍ଣ ବନ୍ଦ ରଖିବାକୁ ଆହ୍ୱାନ ଦିଆଯାଇଛି। ଏହି ଆହ୍ୱାନର ଅସର ରୋଗୀ ମାନଙ୍କର ଉପରେ ପଡୁଛି । ଯଦି ଡାକ୍ତରମାନେ ସେବା ପାଇଁ କାମ କରନ୍ତି ତେବେ ଏହି ଧାରଣା କାହା ପାଇଁ ଏହି ପ୍ରଶ୍ନ ଏବେ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚାର ବିଷୟ ?
