
ବଲାଙ୍ଗିର, (କେପିଏନ୍ଏସ୍) : ଅନ୍ୟର ଜୀବନ ବଞ୍ଚାଇବାକୁ ଦୌଡ଼ିଥିବା ଜଣେ ଯୁବକ ଶେଷରେ ନିଜ ଜୀବନ ହରାଇଲେ। କିନ୍ତୁ ମୃତ୍ୟୁ ପରେ ମଧ୍ୟ ସେ ମାନବିକତାର ଏମିତି ଏକ ଉଦାହରଣ ଛାଡ଼ିଗଲେ, ଯାହା ସମାଜ ପାଇଁ ସବୁଦିନ ପ୍ରେରଣା ହୋଇ ରହିବ। ବଲାଙ୍ଗିର ଜିଲ୍ଲାରୁ ଆସିଛି ଏହି ହୃଦୟସ୍ପର୍ଶୀ ଘଟଣା। ବଲାଙ୍ଗିର ଜିଲ୍ଲା ସଇଁତଲା ଥାନା ଅନ୍ତର୍ଗତ ଫଟାମୁଣ୍ଡା ଗ୍ରାମ ନିକଟରେ ଘଟିଛି ଏହି ଦୁଃଖଦ ଘଟଣା। ରାସ୍ତା ଉପରେ ଘଟିଥିବା ଏକ ଦୁର୍ଘଟଣାରେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇ ପଡ଼ିଥିଲେ। ଏହା ଦେଖି ରେଙ୍ଗାଲବାହାଲ ଗ୍ରାମର ଉଜ୍ଜଳ ପଟେଲ କୌଣସି ଦ୍ୱିଧା ନକରି ଆହତ ବ୍ୟକ୍ତିଙ୍କୁ ଉଦ୍ଧାର କରି ରାସ୍ତା କଡ଼ରେ ସୁରକ୍ଷିତ ସ୍ଥାନକୁ ନେଇଥିଲେ। କିନ୍ତୁ ଭାଗ୍ୟର ନିଷ୍ଠୁର ପରିହାସ ଅନ୍ୟ କିଛି ଥିଲା। ଆହତଙ୍କୁ ବଞ୍ଚାଇବା ପରେ ନିଜେ ରାସ୍ତା ପାର ହେଉଥିବା ସମୟରେ ଏକ ଦ୍ରୁତଗତି ବାଇକ୍ ତାଙ୍କୁ ଧକ୍କା ଦେଇଥିଲା। ଗୁରୁତର ଆହତ ଅବସ୍ଥାରେ ଉଜ୍ଜଳଙ୍କୁ ତୁରନ୍ତ ଚିକିତ୍ସା ପାଇଁ ନିଆଯାଇଥିଲେ ମଧ୍ୟ ଡାକ୍ତରମାନେ ତାଙ୍କୁ ବଞ୍ଚାଇ ପାରିନଥିଲେ। ଘଟଣା ପରେ ପୋଲିସ ଶବ ବ୍ୟବଚ୍ଛେଦ କରାଇ ମୃତଦେହକୁ ପରିବାର ଲୋକଙ୍କ ହସ୍ତାନ୍ତର କରିଛି। ଉଜ୍ଜଳ ପଟେଲ ଅଞ୍ଚଳରେ ଜଣେ ପରୋପକାରୀ ଓ ସହୃଦୟ ବ୍ୟକ୍ତି ଭାବେ ପରିଚିତ ଥିଲେ। ମୃତ୍ୟୁ ପରେ ମଧ୍ୟ ତାଙ୍କ ପରିବାର ଏକ ମହାନ ନିଷ୍ପତ୍ତି ନେଇଛନ୍ତି। ଉଜ୍ଜଳଙ୍କ ଦୁଇଟି ନେତ୍ର ଦାନ କରି ଆଉ ଦୁଇଜଣଙ୍କ ଜୀବନରେ ନୂଆ ଆଲୋକ ଭରିବାର ପଦକ୍ଷେପ ନେଇଛନ୍ତି। ମାନବିକତାର ଏହି ମହାନ ବାର୍ତ୍ତା ସମସ୍ତଙ୍କ ପାଇଁ ଏକ ଉଦାହରଣ ପାଲଟିଛି। ଉଜ୍ଜଳଙ୍କ ପରିବାରରେ ତାଙ୍କର ପତ୍ନୀ, ଏକ ପୁଅ ଓ ଏକ ଝିଅ ରହିଛନ୍ତି। ପରିବାରର ଏକମାତ୍ର ରୋଜଗାରକ୍ଷମ ସଦସ୍ୟଙ୍କୁ ହରାଇବା ପରେ ପରିବାର ଉପରେ ଦୁଃଖର ପାହାଡ଼ ଭାଙ୍ଗି ପଡ଼ିଛି। ସରକାରଙ୍କ ପକ୍ଷରୁ ତୁରନ୍ତ ଆର୍ଥିକ ସହାୟତା ଓ ଉଚିତ କ୍ଷତିପୂରଣ ଦେବାକୁ ପରିବାର ସହ ସ୍ଥାନୀୟ ଲୋକମାନେ ଦାବି କରିଛନ୍ତି । ଅନ୍ୟର ଜୀବନ ବଞ୍ଚାଇବା ପାଇଁ ନିଜ ଜୀବନକୁ ବାଜି ଲଗାଇଥିବା ଉଜ୍ଜଳ ପଟେଲ ଆଜି ଆମ ଗହଣରେ ନାହାନ୍ତି। କିନ୍ତୁ ତାଙ୍କର ନିଃସ୍ୱାର୍ଥ ସେବା, ମାନବିକତା ଏବଂ ମୃତ୍ୟୁ ପରେ ନେତ୍ରଦାନର ମହାନ ନିଷ୍ପତ୍ତି ସମାଜ ପାଇଁ ଏକ ଚିରସ୍ମରଣୀୟ ହୋଇରହିବ। ମାନବିକତାର ଏହି କାହାଣୀ ନିଶ୍ଚିତ ଭାବେ ଆଗାମୀ ପିଢ଼ିକୁ ପ୍ରେରଣା ଯୋଗାଇବ।
