
ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୬ ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଓ ଅଖିଳ ଭାରତୀୟ ସାହିତ୍ୟ ପରିଷଦ କେଶବ ନଗର ଶାଖାର ମିଳିତ ଆନୁକୂଲ୍ୟରେ ମାସିକ ସାରସ୍ଵତ ସମାବେଶରେ ଓଡ଼ିଆ ଜାତିର ବାହୁବଳୀ ପିଣ୍ଡିକି ବାହୁବଳେନ୍ଦ୍ର ସମ୍ପର୍କରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଶାଖାର ସଭାପତି ବିଜୟିନୀ ଜେନାଙ୍କ ସଭାପତିତ୍ୱ, ବିଦ୍ୟା ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ସୁରେନ୍ଦ୍ର ଶତପଥୀଙ୍କ ଆବାହକତ୍ୱ ଓ ସମ୍ପାଦକ ସୁସ୍ମିତା ମହାପାତ୍ରଙ୍କ ସଂଯୋଜନାରେ ଆୟୋଜିତ ଏହି ଆଲୋଚନା ଚକ୍ରରେ ମୁଖ୍ୟଅତିଥି ଭାବେ ରାଉରକେଲା କଲେଜର ପ୍ରାକ୍ତନ ଅଧ୍ୟକ୍ଷା ପ୍ରଫେସର ସୁଜାତା ପ୍ରଧାନ, ବିଷୟ ବିଶେଷଜ୍ଞ ଭାବେ ପ୍ରଭାବୀ ଯୁବ ଲେଖକ ଭେଙ୍କଟ ବାଲାଜୀ ବିଶ୍ୱନାଥ ଶତପଥୀ ଯୋଗଦେଇ ପିଣ୍ଡିକି ବାହୁବଳେନ୍ଦ୍ରଙ୍କ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ବିଷୟ ବିଶେଷଜ୍ଞ ଶ୍ରୀ ଶତପଥୀ ତାଙ୍କ ବକ୍ତବ୍ୟରେ କହିଲେ ଯେ, ସେ ଜାତିବାଦର ଉର୍ଦ୍ଧ୍ବରେ ଥିଲେ । ସେ ୧୮୦୩ ମସିହା ଡିସେମ୍ବର ମାସରେ ସେନାପତି ଋପେ ଇଂରେଜ ମାନଙ୍କ ସହ ଲଢେ଼ଇ କରି ତାଙ୍କୁ ପରାସ୍ତ କରିଥିଲେ । ୧୮୨୦ରେ ସେ ପୁରୀକୁ ସ୍ୱାଧୀନ କରିଥିଲେ । ଦୀର୍ଘ ୧୮ ବର୍ଷରେ ସେ ଇଂରେଜ ମାନଙ୍କୁ ୫୪ ଥର ପରାସ୍ତ କରିଥିଲେ । ତେବେ ଏହି ଯୁଦ୍ଧରେ ତତ୍କାଳୀନ ୪୪୩୪ ଜଣ ପାଣ ଯୋଦ୍ଧା ପ୍ରାଣବଳି ଦେଇଥିଲେ । ଭାରତର ସ୍ୱାଧୀନତା ସଂଗ୍ରାମରେ ୪ ପିଢିର ବଳିଦାନ ତଥା ଏହାସହ ଦାରୁଠେଙ୍ଗ, ପଟିଆ, ଚନ୍ଦକା, ଖଜଣାପାଟ ବରଗଛ, ଦେଉଳିଆ ପାହାଡ, କାହାଳିଆ ଷଣ୍ଢ ମନ୍ଦିର, ବୀରବର ଉଗାଳ ଷଣ୍ଢ, ଭୁବନେଶ୍ୱରର କ୍ରାନ୍ତିକାରୀ ମନ୍ଦିର, ବାହୁବଳେନ୍ଦ୍ରଙ୍କ ବିଶ୍ୱାସ ଘାତକ ବନ୍ଧୁ ଆର୍ତ୍ତ ରାଉତ, ତାପଙ୍ଗ ଗଡର ଦଳବେହେରା ମାଧବ ରାଉତରାୟ, ହାତିଆ ପାହାଡ, ପ୍ରଜାତନ୍ତ୍ର କିପରି ପାଶ୍ଚାତ୍ୟ ସଂସ୍କୃତି ବହୁ ପୂର୍ବରୁ ରାମାୟଣରେ ବର୍ଣ୍ଣିତ ଆଦି ସମ୍ପର୍କରେ ଆଲୋଚନା କରିଥିଲେ । ଭାରତ ବର୍ଷକୁ ମା’ ମାନିଲେ କ୍ରାନ୍ତିକାରୀ ହୋଇ ପାରିବ ବୋଲି ଶ୍ରୀ ଶତପଥୀ ମତ ରଖିଥିଲେ । ମୁଖ୍ୟ ଅତିଥି ପ୍ରଫେସର ପ୍ରଧାନ ବିଷୟବସ୍ତୁ ଉପରେ ମତ ରଖି କହିଲେ ଯେ, ଏହା ଏକ ସମୟପୋଯୋଗୀ ବିଷୟ । ଇତିହାସକୁ ବହୁ କ୍ଷେତ୍ରରେ ଅବହେଳା କରାଯାଇଛି । ଏହାସହ ସୁନ୍ଦରଗଡ ଜିଲ୍ଲାର ବୀର ବିର୍ସା ମୁଣ୍ଡା, ମାଦ୍ରି କାଲୋ, ନିର୍ମଳ ମୁଣ୍ଡା, ଉଷାକୋଠି, ଆମକୋ ସିମକୋ, ବାର ବଖରା, ବିକ୍ରମ ଖୁଣ୍ଟ, ଜୁନାଗଡ଼ ଗୁମ୍ଫା ସମ୍ପର୍କରେ ଆଲୋଚନା କରିଥିଲେ । ପ୍ରାରମ୍ଭରେ ସଭାପତି ଶ୍ରୀମତୀ ଜେନା ସ୍ୱାଗତ ଭାଷଣ ଓ ଆଲୋଚନା ଚକ୍ରର ଆଭିମୁଖ୍ୟ, କାର୍ଯ୍ୟକାରୀ ସଭାପତି ଜଗନ୍ନାଥ ରାଉତ ପ୍ରାକ କଥନ ଓ ସମ୍ପାଦକ ଶ୍ରୀମତୀ ମହାପାତ୍ର ବିଭିନ୍ନ ତଥ୍ୟ ଉପସ୍ଥାପନ କରିଥିଲେ । ଶେଷରେ ଶାଖାର ବିଦ୍ୟାଳୟ ପ୍ରମୁଖ ସୌମ୍ୟପ୍ରସାଦ ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ବିଦ୍ୟାମନ୍ଦିରର ସମସ୍ତ ଗୁରୁଜୀ, ଗୁରୁମା ମାନେ ଉପସ୍ଥିତ ଥିଲା ବେଳେ ଶାଖାର ବହୁ ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦେଇଥିଲେ ।