ରାଉରକେଲା, (ସସ୍ମିତା ପ୍ରଧାନ) : ଅଲଚିକି ଲିପିର ଶତବର୍ଷ ପୂର୍ତ୍ତି ପାଳନରେ ଭାରତ ସରକାରଙ୍କ ସଂସ୍କୃତି ବିଭାଗ ଓ ଫାଗୁନ (ମାସିକ ସାନ୍ତାଳୀ ଖବରକାଗଜ) ମିଳିତ ଆନୁକୂଲ୍ୟରେ ଦିଲ୍ଲୀର ଡ. ଆମ୍ବେଦକର ଅନ୍ତର୍ଜାତୀୟ ପ୍ରେକ୍ଷାଳୟ ଠାରେ ଗତ ଫେବୃଆରୀ ୧୬ରେ ଆୟୋଜିତ ହୋଇଥିଲା । ଶତବର୍ଷ ପାଳନ ଅବସରରେ ଭାରତର ୧୦୦ ଜଣ ସାନ୍ତାଳୀ ଲେଖକ, ସଂଗଠକ, ସଙ୍ଗଠନ ଓ ପ୍ରସାରକଙ୍କୁ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବର୍ଦ୍ଧିତ କରିଥିଲେ । ଏହି ଉତ୍ସବରେ ରାଉରକେଲାର ସାନ୍ତାଳୀ କବି, ଲେଖକ, ଅନୁବାଦକ ଓ ଚିତ୍ରାଶିଳ୍ପୀ ରମେଶ ଚନ୍ଦ୍ର ପାତ୍ର ଅନୁପସ୍ଥିତ ଥିବରୁ ଗତ ୨୯ ତାରିଖରେ ଫାଗୁନ ପତ୍ରିକାର ସମ୍ପାଦକ ମାଙ୍ଗାତ ମୁର୍ମୁ ଭୁବନେଶ୍ୱରର ଧଉଳି ଠାରେ ଶାଲ, ମାନପତ୍ର, ସଂସ୍କୃତି ବିଭାଗର ଅଲଚିକିର ଶତବାର୍ଷିକୀ ସ୍ମାରକୀ ଓ ପଣ୍ଡିତ ରଘୁନାଥ ମୁର୍ମୁ ଡାକ ଟିକଟ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ସୂଚନାଯୋଗ୍ୟ ଯେ ଶ୍ରୀ ପାତ୍ର ୧୯୫୮ ମସିହା ଜୁଲାଇ ମାସ ୯ ତାରିଖରେ ମୟୂରଭଞ୍ଜ ଜିଲ୍ଲାର ବାହାଲଦାରୋଡ଼ ନିକଟସ୍ଥ ହେଁସଡା (ତାରଣା) ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ୧୯୭୮ ମସିହାରୁ ସାନ୍ତାଳୀ ଭାଷାରେ ଲେଖିବାକୁ ଆରମ୍ଭ କରିଥିଲେ । ୨୦୦୬ ମସିହାରେ ଦୈନିକ ସମ୍ବାଦ ଖବରକାଗଜରେ “ସମ୍ବାଦ ତାରାସ” ଅଲଚିକିରେ ସମ୍ପାଦନ କରି ଇତିହାସ ସୃଷ୍ଟି କରିଥିଲେ । ନିଜସ୍ୱ ସମ୍ପାଦନାରେ ଅଲଚିକି ଲିପିରେ “‘ସାରଥି” ସାହିତ୍ୟ ପତ୍ରିକା ପ୍ରକାଶ କରୁଛନ୍ତି । ରାଞ୍ଚିରୁ ପ୍ରକାଶିତ “ଆଖଳା” ପତ୍ରିକାରେ ସାନ୍ତାଳୀ ବିଭାଗର ସମ୍ପାଦନା କରିଛନ୍ତି । ତାଙ୍କର ପ୍ରଥମ ପୁସ୍ତକ” ଅଲଚିକିର ଜନ୍ମଦାତା” (ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜୀବନୀ) ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜନ୍ମ ଶତବାର୍ଷିକୀ ୨୦୦୫ ମସିହାରେ ପ୍ରକାଶିତ ହୋଇଛି । ସାହିତ୍ୟ ଏକାଡେମୀ ଦ୍ୱାରା ପୁରସ୍କୃତ ପ୍ରଥମ ସାନ୍ତାଳୀ ପୁସ୍ତକ ଯଦୁମଣି ବେଶ୍ରାଙ୍କର “ଭାବନା”ର ଓଡ଼ିଆ ଅନୁବାଦ ୨୦୨୧ ମସିହାରେ ଏବଂ ଓଡିଶା ସାହିତ୍ୟ ଏକାଡେମୀ ଦ୍ୱାରା ଗୌରହରି ଦାସଙ୍କ ନିଜ ସଂଗେ ନିଜର ଲଢେଇର ସାନ୍ତାଳୀ ଅନୁବାଦ ୨୦୨୩ରେ ପ୍ରକାଶିତ । ଏବର୍ଷ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ସାନ୍ତାଳୀ ନାଟକ ବିଦୂଚାନ୍ଦାନ ସାହିତ୍ୟ ଏକାଡେମୀ ଦ୍ୱାରା ଓଡ଼ିଆରେ ପ୍ରକାଶ ପାଇବ । ଶ୍ରୀ ପାତ୍ର ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଲିଖିତ ଚାରିଟି ନାଟକ ଓ ଦୁଇଟି କାବ୍ୟକୁ ସାନ୍ତାଳୀରୁ ଓଡ଼ିଆରେ ଅନୁବାଦ କରିଛନ୍ତି । ଦେଢଶହରୁ ଉର୍ଦ୍ଧ୍ୱ ସାନ୍ତାଳୀ କବିତାକୁ ଓଡ଼ିଆରେ ଅନୁବାଦ କରିଛନ୍ତି । ବହୁ ଓଡ଼ିଆ କବିତା ଓ ଗଳ୍ପକୁ ସାନ୍ତାଳୀ ଭାଷାରେ ଅନୁବାଦ କରିଛନ୍ତି । ତାଙ୍କର ବହୁତ ଓଡ଼ିଆ ଓ ସାନ୍ତାଳୀ ମୌଳିକ ରଚନା ଏବଂ ଅନୁବାଦ ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶିତ ହୋଇଛି ଓ ପ୍ରକାଶିତ ହେଉଛି । ଶ୍ରୀ ପାତ୍ର ବିଭିନ୍ନ ଅନୁଷ୍ଠାନ ଦ୍ୱାରା ସମ୍ବର୍ଦ୍ଧିତ ମଧ୍ୟ ହୋଇଛନ୍ତି ।