ସ୍ୱାଧୀନତାର ୭୦ ବର୍ଷ ପରେ ବି ମୌଳିକ ସୁବିଧାରୁ ବଂଚିତ ମାଓ ପ୍ରଭାବିତ ଅପହଂଚ ଗାଁ ଡଙ୍ଗାମରା : ରାସ୍ତା, ପାଣି, ବିଜୁଳି, ଶିକ୍ଷା, ସ୍ୱାସ୍ଥ୍ୟସେବା ସବୁ ଅପହଂଚ
କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା ଉପାନ୍ତ ତୁରେକେଲା ବ୍ଲକର ସଂପୂର୍ଣ୍ଣ ମାଓଙ୍କ ଲାଲଗଡ କବ୍ଚାରେ ଥିବା ବଡଡକଲା ପଂଚାୟତର ଡଂଗାମରା ଗାଁ । ଅଶାନ୍ତ ଡଂଗାମରା ଗାଁ ମାଓବାଦୀଙ୍କ ଦିନେ ଚରାଭୂଇଁ ପାଲଟିଥିଲା, ଯାହା ଆଜି ଶାନ୍ତ ହୋଇ ରହିଛିି । ଗାଁରେ ବସବାସ କରୁଥିବା ଆଦିବାସୀମାନେ ଆଜି ବି ସରକାରଙ୍କ ଅନେକ ଯୋଜନାରୁ ବାଦ୍ ପଡିଛନ୍ତି । ମୌଳିକ ଅଧିକାର ମଧ୍ୟରେ ଗମନାଗମନ, ପାଣି, ବିଜୁଳି, ସ୍କୁଲ ଶିକ୍ଷା, ସ୍ୱାସ୍ଥ୍ୟସେବା ଆଜି ବି ପାଇ ପାରି ନାହାନ୍ତି ସେମାନେ । ଆମ ପ୍ରତିନିଧିଙ୍କ ଦ୍ୱାରା ପ୍ରସ୍ତୁତ ହୋଇଛି ଏ ଗାଁକୁ ନେଇ ଏକ ବିଶେଷ ରିପୋର୍ଟ ।
ବଲାଙ୍ଗିର ଓ ନୂଆପଡା ଜିଲ୍ଲାର ଉପାନ୍ତ ସୀମାରେ ଥିବା ଆଦିବାସୀ ବହୁଳ ବଡଡକଲା ପଂଚାୟତ । ଏହି ପଂଚାୟତର ଡଙ୍ଗାମରା ଗାଁଟି ଧୁଣ୍ଡେଲ ସଂରକ୍ଷିତ ଜଂଗଲର ଚୁର୍ତୁଃପାଶ୍ୱରେ ଘେରି ରହିଥିବା ପାହାଡ ପର୍ବତ ମଧ୍ୟରେ ରହିଛି । ଡଙ୍ଗାମରା ଗାଁ ଟି ୧୯୬୫ ସାଲରେ ଗଢି ଉଠିଥିଲା । ବରିହାମୁଣ୍ଡା, ପହରିଆପଡା, ଗୁହୁରିଆପଡା, ଡଙ୍ଗାମରାକୁ ନେଇ ଡଙ୍ଗାମରା ଗାଁ । ସଂରକ୍ଷିତ ଜଂଗଲ ମଧ୍ୟରେ ରହିଥିବାରୁ ଆଜି ମଧ୍ୟ ଏକ ରାଜସ୍ୱ ଗ୍ରାମ ରୂପେ ଏହି ଗାଁ ମାନ୍ୟତା ପାଇନାହିଁ । ଏହି ଗାଁ ମୂଖ୍ୟତଃ ଗଣ୍ଡ ଆଦିବାସୀ ବହୁଳ ହୋଇଥିବା ବେଳେ ହରିଜନ ଓ ପଛୁଆବର୍ଗର ଲୋକେ ବସବାସ କରୁଛନ୍ତି । ଗାଁରେ ମୋଟ ୨୦୦ ପରିବାର ପାଖାପାଖି ବସବାସ କରନ୍ତି । ହେଲେ ସରକାରଙ୍କ କୌଣସି ଯୋଜନାରେ ଆଜି ବି ସାମିଲ ହୋଇ ପାରିନାହାନ୍ତି ଗ୍ରାମବାସୀ । ପାହାଡ ପର୍ବତ ଘେରରେ ଥିବାରୁ ଗାଁ କୁ କୌଣସି ରାସ୍ତା ନାହିଁ । ଲୋକେ ପାଦ ଚଲା ରାସ୍ତାରେ ହିଁ ଯିବା ଆସିବା କରନ୍ତି । ସେହିପରି ବିଜୁଳି ସାତ ସପନ । ଘଂଚ ଜଂଗଲ ଘେରା ଗାଁରେ ବିଜୁଳି ନ ଥିବାରୁ ବଣ୍ୟଜନ୍ତୁ ଆଦି ଭୟରେ ବର୍ଷ ବର୍ଷ ଧରି ଭୟରେ ଜୀବନ ଯାପନ କରନ୍ତି ଲୋକେ । ଗାଁରେ ୩୦ ରୁ ୪୦ ପ୍ରାଥମିକ ଶିକ୍ଷା ପାଇବା ପାଇଁ ଯୋଗ୍ୟ ଛାତ୍ରଛାତ୍ରୀ ଥିଲେ ବି କୌଣସି ଶିକ୍ଷା ଦାନର ବ୍ୟବସ୍ଥା ନାହିଁ କିମ୍ବା ବିଦ୍ୟାଳୟଟିଏ ହୋଇ ପାରିନାହିଁ । ପ୍ରାଥମିକ ଶିକ୍ଷା ପାଇଁ ୫/୬ କି.ମି. ଦୂର ବଡଡକଲା ଆଶ୍ରମ ସ୍କୁଲକୁ କିମ୍ବା ୪ କି.ମି. ଦୂର ଡମନିଚୁଆଁ ଗାଁକୁ ଶିକ୍ଷା ଗହଣ ପାଇଁ ଯାଆନ୍ତି ନଚେତ ପାହାଡ ଚଢି ନୂଆପଡା ଜିଲ୍ଲା କୋମନା ବ୍ଲକର ୬/୭ କି.ମି. ଦୂର ବଣ୍ଡାଯୋର ଗାଁକୁ ପଢିବା ପାଇଁ ଯାଆନ୍ତି । ଛୋଟ ଛୋଟ ଶିଶୁ ମାନଙ୍କ ଦୂର ଦୂରାନ୍ତକୁ ଶିକ୍ଷା ପାଇଁ ଯିବାକୁ ପଡୁଥିବାରୁ ପରିବାରର କେହି ଜଣେ ପାହାଡ ପର୍ବତ ଜଂଗଲ ପାରି କରି ଆସୁଥିବା ବେଳେ ପୁନଃ ପାଠ ପଢ଼ି ସାରିବା ପରେ ଆଣିବାକୁ ଯାଆନ୍ତି ।
ପାଣିର ସମସ୍ୟା ଗୁରୁତର । ଗାଁରେ ଗୋଟିଏ ହେଲେ ନଳକୂପ ନାହିଁ, ଫଳରେ ଏକ ଚାଷ ଜମିରେ ଏକ ୬/୭ ଫୁଟ ଚୁଆ ଖୋଳି ପାଣି ବ୍ୟବହାର କରନ୍ତି । ତାହା ମଧ୍ୟ ଖରାଦିନେ ଶୁଖି ଯାଉଥିବାରୁ ୬/୭ କି.ମି. ଦୂର ଡବଲା ଯୋର ନାଲାକୁ ପିଇବା ପାଣି ଆଣିବାକୁ ତଥା ଗାଧୋଇବା ପାଇଁ ଯାଆନ୍ତି । ସ୍ୱାସ୍ଥ୍ୟ ସେବା ସଂପୂର୍ଣ୍ଣ ବିପର୍ଯ୍ୟସ୍ତ । ରାସ୍ତାଘାଟ ନ ଥିବା ବେଳେ କାଁ ଭାଁ କ୍ୱାକ୍ ଡାକ୍ତରଙ୍କ ଭରସାରେ ଚିକିତ୍ସିତ ହୁଅନ୍ତି ଲୋକେ । କୌଣସି ପ୍ରକାର ଗୁରୁତର ରୋଗ ହେଲେ ବଡଡକଲାରେ ଥିବା ଆର୍ୟୁବୈଦିକ ଚିକିତ୍ସା କେନ୍ଦ୍ର କିମ୍ବା ୨୦ କି.ମି. ଦୂର ତୁରେକେଲା ସିଏଚସି ଅଥବା ୬/୭ କି.ମି. ଦୂର ନୂଆପଡା ଜିଲ୍ଲା କୋମନା ସିଏଚସି ଡାକ୍ତରଖାନାକୁ ଯାଇ ଚିକିତ୍ସିତ ହୁଅନ୍ତି । ଏପରିକି ଗାଁରେ କୌଣସି ଆଶା ମା’ ନିଯୁକ୍ତି ନ ଥିବାରୁ ଗର୍ଭବତୀ ମହିଳା ମାନେ ଡାକ୍ତରୀ ସୁବିଧାରୁ ବଂଚିତ ହୁଅନ୍ତି । କୌଣସି ପ୍ରକାର ଗୁରୁତର ରୋଗର ଶିକାର ହେଲେ ଗମନା ଗମନର ସୁବିଧା ନ ଥିବାରୁ ଆମ୍ବୁଲାନ୍ସ ଯିବା ଆସିବା ମଧ୍ୟ ହୋଇ ପାରେନାହିଁ । ଯଦ୍ୱାରା ଭାର କରି ନେବା ଆଣିବା କରନ୍ତି । ଗାଁ ଠାରୁ ୬/୭ କି.ମି. ବଡଡକଲା କିମ୍ବା କୋମନା ମୂଖ୍ୟ ସଡକ ଯାଏ ଭାର କରି ନେଲା ପରେ ହିଁ ଆମ୍ବୁଲାନ୍ସ ଦ୍ୱାରା ଡାକ୍ତରୀ ସୁବିଧା ପାଇପାରନ୍ତି । ପାହାଡ ପର୍ବତ ଘେରା ଗାଁରେ କାମ ଧନ୍ଦା କହିଲେ କିଛି ନାହିଁ । କୌଣସି ରୋଜଗାର ମଧ୍ୟ ନ ଥିବାରୁ ଜଂଗଲ ଜମି କାଟି ଚାଷବାସ କରନ୍ତି । ଜଂଗଲ ଜମିରୁ ଯାହା ରୋଜଗାର କରନ୍ତି, ସେଥିରେ ପରିବାର ଭରଣ ପୋଷଣ କରନ୍ତି । ସରକାରୀ ଯୋଜନାରୁ କୌଣସି ଉନ୍ନୟନ ମୂଳକ କାର୍ଯ୍ୟ ଆଜି ଯାଏ ହୋଇନାହିଁ । ଜଂଗଲ ଜମି ପଟ୍ଟା ମିଳିଥିଲେ ସୁଦ୍ଧା ଜଂଗଲ ଜମିରେ କୌଣସି ସରକାରୀ ଉନ୍ନୟନ କାମ କରାଯାଇ ପାରୁନାହିଁ । ଇଂଦିରା ଆବାସ, ପ୍ରଧାନମନ୍ତ୍ରୀ ଆବାସ କିମ୍ବା ବିଜୁ ପକ୍କା ଘରରୁ ବଂଚିତ ହୋଇଛନ୍ତି ଗାଁର ଲୋକେ । ଗାଁରେ ଝାଟିମାଟି ଘରରେ ରହି ଆସୁଛନ୍ତି । ଜଂଗଲ ଜମି ଅଧିକାରର ପଟ୍ଟା ପାଇଥିଲେ ସୁଦ୍ଧା ସେମାନଙ୍କୁ ବୀମା, ଋଣ କିମ୍ବା ଅନ୍ୟ ଯୋଜନାରେ ସାମିଲ କରାଯାଇ ପାରିନାହିଁ । ଫଳରେ ଜଂଗଲ ଜମି ଅଧିକାର ପଟ୍ଟାରେ ସମସ୍ତ ସରକାରୀ ସୁବିଧା ସୁଯୋଗ ମିଳିବା ପାଇଁ ଗ୍ରାମବାସୀ ଦାବୀ କରିଛନ୍ତି ।
ଗାଁର ବିଭିନ୍ନ ସମସ୍ୟା ଉପରେ ଗ୍ରାମବାସୀ ଯାହା କହନ୍ତି –
କୁଣ୍ଡଲ ମାଝି
ଏହି ଗାଁରେ ଆମ ଅଜା ଅମଳରୁ ରହି ଆସୁଛୁ । ଆମ୍ଭ ଅଜାମାନେ ଜମିହୀନ ଏବଂ ଘରଦ୍ୱାର ନ ଥିବାରୁ ପେଟପାଟଣା ପାଇଁ ଏହି ଜଂଗଲ ଭିତରକୁ ଚାଲି ଆସିଲେ । ଜଂଗଲ କାଟି ଘରଦ୍ୱାର କରିବା ସହିତ ଚାଷଜମି କରି ଚାଷବାସରୁ ଯାହା ପାଇଲେ ସେଥିରେ ଚଳିଲେ । ସେହି ଦିନଠାରୁ ଆମ୍ଭେମାନେ ମଧ୍ୟ ରହିଆସୁଛୁ । ଆଜିକି ୫୫ବର୍ଷ ବିତିଗଲା ଆମେ ରହୁଛୁ । ହେଲେ ଆମ୍ଭ ଗାଁକୁ କୌଣସି ସୁବିଧା ସୁଯୋଗ ନାହିଁ । ଆମକୁ ପିଇବା ପାଣି, ରାସ୍ତା, ଛୁଆମାନଙ୍କ ପାଠପଢା ପାଇଁ ବିଦ୍ୟାଳୟଟିଏ ସରକାର ସୁବିଧା କରିବା କଥା ।
ତୁଲେଶ୍ୱର ହଂସ
ମୋତେ ୭୦ ବର୍ଷ ହେଲାଣି । ମୋର ଅଜାମାନେ ଆସିଥିଲେ । ଜମିବାଡି ନ ଥିବାରୁ ଜଂଗଲ ଜମିରେ ଆସି ବସା କଲେ । ଚାଷବାସ କଲେ, ଚାଷବାସରୁ ଯାହା ରୋଜଗାର କଲେ ସେଥିରୁ ଚଳିଲେ । ନିର୍ବାଚନ ପରେ ନିର୍ବାଚନ ହେଉଛି । ଆମ୍ଭ ଡଙ୍ଗାମରା ଗାଁଟି ବଡଡକଲା ପଂଚାୟତର ଏକ ପାଲି ଗାଁ । ନିର୍ବାଚନ ବେଳେ ବଡ ବଡ ନେତାଙ୍କର ଚେଲା ଚାମୁଣ୍ଡା ଆସି ଭୋଟ ନିଅନ୍ତି । କହନ୍ତି, ଏଥର ଗାଁକୁ ରାସ୍ତା, ପାଣି ପାଇଁ ନଳକୂପ, ବିଜୁଳି ଲଗାଇ ଦେବ, ହେଲେ ଆଜି ଯାଏ କେହି ଆସି ନାହାନ୍ତି । ନିକଟ ଗାଁରେ କେହି ଏମଏଲ୍ଏ କି ଆଉ କେଉଁ ବଡ ନେତା ଆସିଲେ ସେ ଗାଁକୁ ଯାଇ ଗୁହରୁ କରୁଁ ହେଲେ କେହି ହେଲେ ଆମ୍ଭର ଦୁଃଖ ଆଜି ଯାଏ ଶୁଣି ନାହାନ୍ତି । ଗାଁରେ ଆଜି ବି ଆମ୍ଭେ ମୌଳିକ ଅଧିକାରରୁ ବଂଚିତ ହୋଇ ରହିଛୁ ।
ଯଶୋଦା ମାଝି
ବହୁତ ଅସୁବିଧାରେ ଅଛୁ । ଗାଁରେ ରାସ୍ତା ଘାଟ ନ ଥିବାରୁ ଗର୍ଭବତୀ ମହିଳା କିମ୍ବା ବଡ ରୋଗ ବେମାର ହେଲେ ଡାକ୍ତରଖାନାକୁ ନେବା ବହୁତ ଅସୁବିଧା ହେଉଛି । ରାସ୍ତା ଘାଟ ନ ଥିବାରୁ ଆମ୍ଭ ଗାଁ କୁ ଆମ୍ବୁଲାନ୍ସ ଆସିପାରେ ନାହିଁ । ଫଳରେ ଭାର କରି ୩ କି.ମି. ପାହାଡ ଡେଇଁ ଡମନିଚୁଆଁ କିମ୍ବା ବଡଡକଲାକୁ ନେବାକୁ ହୁଏ । ତା ପରେ ତୁରେକେଲା ୭ କି.ମି., କଂଟାବାଂଜି ୨୨ କି.ମି. କିମ୍ବା ୧୦ କି.ମି. ନୂଆପଡା ଜିଲ୍ଲା କୋମନା ଡାକ୍ତରଖାନାକୁ ନେବାକୁ ପଡିଥାଏ । ଗାଁରେ ମୂଖ୍ୟ ସମସ୍ୟା ମଧ୍ୟରେ ପାଣି, ବିଜୁଳି ଏବଂ ରାସ୍ତା ବହୁତ ଜରୁରୀ ଅଟେ ।
ବୈଶାଖୀ ବରିହା
ଆମ୍ଭର ଗାଁରେ ରାସ୍ତାଘାଟ, ବିଜୁଳି, ପାଣିର ସମସ୍ୟା ଥିବାରୁ ଝିଅ ବୋହୁ ବିବାହ ଦେବା କିମ୍ବା ଆଣିବା କଷ୍ଟକର । ଜଂଗଲ ଭିତରେ ଗାଁ ଥିବାରୁ ଅଧିକାଂଶ ଲୋକ ସଂପର୍କ କରନ୍ତି ନାହିଁ । ବାଧ୍ୟ ହୋଇ ପାଖରେ ଥିବା ଜଂଗଲି ଲୋକ ସହ ସଂପର୍କ ରଖି ଆସିଛୁ । ଗାଁରେ ବିଦ୍ୟାଳୟଟି ନ ଥିବାରୁ ଆଜିକୁ ୭୦ବର୍ଷ ହେଲା କେହି ଶିକ୍ଷିତ ହୋଇ ପାରିନାହାନ୍ତି । ପାଠ ଦୁଇ ଅକ୍ଷର କେହି ପଢି ନାହାନ୍ତି । ବିଦ୍ୟାଳୟକୁ ଯିବାକୁ ହେଲେ ପାହାଡ ଡେଇଁ ଯିବାକୁ ହୁଏ । ଗାଁର ଚାରିପଟେ ପାହାଡ ଥିବାରୁ ଜଂଗଲି ଜୀବଜନ୍ତୁଙ୍କ ଭୟ । ତେଣୁ କେହି ଛୋଟ ଛୋଟ ପିଲାକୁ ଜଂଗଲ ପାରିକରି ୬/୭ କି.ମି. ଦୂରକୁ ପଠାଉନାହୁଁ ।
ମଦନ ମାଝି (୭ମ ଶ୍ରେଣୀ ଛାତ୍ର)
ଆମ୍ଭ ଗାଁଟି ପାହାଡ ପର୍ବତ ଘେରା । କାହିଁ କେଉଁ ବର୍ଷରୁ ଏ ଗାଁଟି ବସିଛି । ଗାଁରେ କିଛି ସୁବିଧା ନାହିଁ । ରାସ୍ତା ଘାଟ, ପାଣି, ପଢିବା ପାଇଁ ବିଦ୍ୟାଳୟ ନ ଥିବାରୁ ଗାଁରେ କେହି ପାଠସାଠ ପଢ଼ୂ ନାହାନ୍ତି । ମୋର ବାପା ମୋତେ ନୂଆପଡା ଜିଲ୍ଲାର ବଣ୍ଡାଯୋର ଗାଁରେ ୫ ଶ୍ରେଣୀଯାଏ ପଢାଇଲେ । ମୁଁ ସେଠାରେ ମାମୁଁ ଘରେ ରହି ପଢୁଥିଲି । କିନ୍ତୁ ମୋର ଅଧିକା ପଢିବାର ଇଛା ଅଛି । ହେଲେ ସୁବିଧା ନ ଥିବାରୁ ବାଧ୍ୟ ହୋଇ ବାହାରେ ରହି ପଢିବା ପାଇଁ ସ୍ଥିର କରିଛି । କିନ୍ତୁ ଅନ୍ୟ ଛୁଆମାନେ ରାସ୍ତା ଘାଟର ସୁବିଧା ନ ଥିବାରୁ ପାଠ ପଢ଼ାରୁ ବଂଚିତ ହୋଇଛନ୍ତି । ଗାଁରେ ମୋ’ଠାରୁ କେହି ବି ଅଧିକ ଶିକ୍ଷା ଗ୍ରହଣ କରିନାହାନ୍ତି ଆଜି ଯାଏ ।
ଧନସିଂ ମାଝି (ସରପଂଚ ବଡଡକଲା ଗ୍ରା.ପ.)
ଡଙ୍ଗାମରା ଗାଁ ବଡଡକଲା ଗାଁର ପାଲି ଗାଁ । ଗାଁଟି ରେଭନ୍ୟୁ ଭିଲେଜ ନୁହେଁ । ଜଂଗଲ ଜମି ଭିତରେ ଦୀର୍ଘ ୫୦/୬୦ବର୍ଷ ହେଲା ରହି ଆସୁଛନ୍ତି । ଗାଁକୁ ରାସ୍ତା ନିର୍ମାଣ କରିବାକୁ ହେଲେ ଧୁଣ୍ଡେଲ ସଂରକ୍ଷିତ ଜଂଗଲ ଭିତରୁ ପାହାଡ ଉପରେ ନିର୍ମାଣ କରିବାକୁ ହେବା । ରାସ୍ତା ନିର୍ମାଣ କରିବାକୁ ଗଲେ ଜଂଗଲ ବିଭାଗ କୌଣସି ଅନୁମତି ଦେଉନାହିଁ । ତଥାପି ଏମଜିଏନଆରଜିଏ ଯୋଜନାରେ ଚଳିତ ବର୍ଷ କିଛି ମାଟିକାମ ଏବଂ ପିଇବା ପାଣିର ବ୍ୟବସ୍ଥା କରାଯିବ । ବିଜୁଳି ଯିବାର ବ୍ୟବସ୍ଥା ହୋଇ ପାରୁ ନ ଥିବାରୁ ସୋଲାର ଲାଇଟ ଦୁଇଟି ବ୍ୟବସ୍ଥା କରିଛୁ । ଏହି ଗାଁର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଆଗାମୀ ଦିନରେ ବ୍ଲକ ପ୍ରଶାସନର ସହଯୋଗ ଲୋଡାଯିବ ।