ଗ୍ରାମୀଣ ବିକାଶର ନୂତନ ସଂକଳ୍ପ, ନିଯୁକ୍ତିର ନୂଆ ଗ୍ୟାରେଣ୍ଟି

● ଲୋକସଭାରେ ଆଜି ବିକଶିତ ଭାରତ – ରୋଜଗାର ଏବଂ ଜୀବିକା ମିଶନ (ଗ୍ରାମୀଣ) ପାଇଁ ଗ୍ୟାରେଣ୍ଟି: ଭିବି – ଜି ରାମ ଜି (ବିକଶିତ ଭାରତ – ଜି ରାମ ଜି) ବିଲ୍, 2025 ଉପସ୍ଥାପନ କଲେ କେନ୍ଦ୍ର ମନ୍ତ୍ରୀ ଶିବରାଜ ସିଂହ ଚୌହାନ
● ଏହି ବିଲ୍ ଗ୍ରାମୀଣ ପରିବାରକୁ 125 ଦିନର ମଜୁରି ଆଧାରିତ ନିଯୁକ୍ତିର ଗ୍ୟାରେଣ୍ଟି ଦେଉଛି ଏବଂ ସଶକ୍ତିକରଣ, ବିକାଶ, ସମନ୍ୱୟ ଏବଂ ସମ୍ପୂର୍ଣ୍ଣତା ଉପରେ ଧ୍ୟାନ ଦେଉଛି
● ଗ୍ରାମ ପଞ୍ଚାୟତଗୁଡ଼ିକ ପ୍ରଧାନମନ୍ତ୍ରୀ ଗତି ଶକ୍ତି ମାଧ୍ୟମରେ ଯୋଜନାଗୁଡ଼ିକର ସମନ୍ୱୟ ଏବଂ ସମ୍ପୂର୍ଣ୍ଣତା ଉପରେ ଆଧାରିତ ଏକ ‘ବିକଶିତ ଗ୍ରାମ ପଞ୍ଚାୟତ ଯୋଜନା’ ସୃଷ୍ଟି କରିବେ
● ଗ୍ରାମୀଣ ସାର୍ବଜନୀନ କାର୍ଯ୍ୟ ପାଇଁ ଏକ ସମନ୍ୱିତ ‘‘ବିକଶିତ ଭାରତ ଜାତୀୟ ଗ୍ରାମୀଣ ଭିତ୍ତିଭୂମି ଷ୍ଟାକ୍’’ର ପରିକଳ୍ପନା
● ଜଳ ସଂରକ୍ଷଣ, ମୌଳିକ ଗ୍ରାମୀଣ ଭିତ୍ତିଭୂମି, ଜୀବିକା ଏବଂ ବିପର୍ଯ୍ୟୟ ପ୍ରଶମନ ଉପରେ ମୁଖ୍ୟତଃ ଧ୍ୟାନ କେନ୍ଦ୍ରିତ କରାଯିବ
● କୃଷି ଋତୁରେ କୃଷି ଶ୍ରମିକଙ୍କ ଉପଲବ୍ଧତାକୁ ସୁଗମ କରିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା।
● ଏକ ସାପ୍ତାହିକ ସାର୍ବଜନୀନ ପରିପ୍ରକାଶ ବ୍ୟବସ୍ଥା ଏବଂ ଦୃଢ଼ ସାମାଜିକ ଅଡିଟ୍ ମାଧ୍ୟମରେ ସ୍ୱଚ୍ଛତା ଏବଂ ଉତ୍ତରଦାୟିତ୍ୱ ସୁନିଶ୍ଚିତ ହେବ
● ଦକ୍ଷ ଏବଂ ଉଚ୍ଚ-ସଚ୍ଚୋଟତାପୂର୍ଣ୍ଣ କାର୍ଯ୍ୟକାରିତା ପାଇଁ ଡିଜିଟାଲ୍ ସାର୍ବଜନୀନ ଭିତ୍ତିଭୂମି ଉପରେ ଆଧାରିତ ଏକ ଦୃଢ଼ ପ୍ରଶାସନିକ ଢାଞ୍ଚା

ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂହ ଚୌହାନ ଆଜି ଲୋକସଭାରେ ବିକଶିତ ଭାରତ – ରୋଜଗାର ଏବଂ ଜୀବିକା ମିଶନ (ଗ୍ରାମୀଣ) ପାଇଁ ଗ୍ୟାରେଣ୍ଟି: ଭିବି – ଜି ରାମ ଜି (ବିକଶିତ ଭାରତ – ଜି ରାମ ଜି) ବିଲ୍, 2025 ଉପସ୍ଥାପନ କରିଛନ୍ତି । ଏହି ବିଲର ଉଦ୍ଦେଶ୍ୟ ହେଉଛି, 2047 ସୁଦ୍ଧା ବିକଶିତ ଭାରତର ଜାତୀୟ ସଂକଳ୍ପ ଅନୁରୂପ ଏକ ଗ୍ରାମୀଣ ବିକାଶ ଢାଞ୍ଚା ପ୍ରତିଷ୍ଠା କରିବା। ଏହା ଅଧୀନରେ ପ୍ରତ୍ୟେକ ଗ୍ରାମୀଣ ପରିବାର ଯାହାର ବୟସ୍କ ସଦସ୍ୟ ଅଣକୁଶଳୀ ଶ୍ରମ କରିବାକୁ ଇଚ୍ଛୁକ, ସେମାନଙ୍କୁ ପ୍ରତ୍ୟେକ ଆର୍ଥିକ ବର୍ଷରେ 125 ଦିନର ମଜୁରି ଆଧାରିତ ନିଯୁକ୍ତିର ଏକ ବୈଧାନିକ ଗ୍ୟାରେଣ୍ଟି ପ୍ରଦାନ କରାଯିବ। ଏହାସହିତ ଏକ ସମୃଦ୍ଧ ଏବଂ ସଶକ୍ତ ଗ୍ରାମୀଣ ଭାରତ ପାଇଁ ସଶକ୍ତିକରଣ, ବିକାଶ, ସମନ୍ୱୟ ଏବଂ ସମ୍ପୂର୍ଣ୍ଣତାକୁ ପ୍ରୋତ୍ସାହିତ କରାଯିବ।
ଏହି ଐତିହାସିକ ବିଲ୍ ଭବିଷ୍ୟତ ପାଇଁ ପ୍ରସ୍ତୁତ, ସମନ୍ୱିତ ଏବଂ ସମ୍ପୂର୍ଣ୍ଣତା ଆଧାରିତ ଗ୍ରାମୀଣ ବିକାଶ ଢାଞ୍ଚା ସ୍ଥାପନ କରିବାର ଲକ୍ଷ୍ୟ ରଖିଛି। ଏହା 2047 ମସିହାରେ ଏକ ବିକଶିତ ଭାରତର ଦୃଷ୍ଟିକୋଣ ଅନୁରୂପ ଗ୍ରାମୀଣ ବିକାଶକୁ ସମର୍ଥନ କରିବ। ଫଳରେ ନିଯୁକ୍ତି ସୁଯୋଗ ସୃଷ୍ଟି ମାଧ୍ୟମରେ ଗ୍ରାମୀଣ ପରିବାରକୁ ସଶକ୍ତ କରାଯିବ। ଏହି ବିଲ୍ ବିକଶିତ ଗ୍ରାମ ପଞ୍ଚାୟତ ଯୋଜନା ଉପରେ ଆଧାରିତ ଏକ ସମନ୍ୱିତ ଯୋଜନା ପ୍ରକ୍ରିୟା ମାଧ୍ୟମରେ ସମସ୍ତ ପ୍ରାସଙ୍ଗିକ ଯୋଜନାକୁ ସମନ୍ୱିତ କରିବା ସହିତ ସେଗୁଡ଼ିକୁ ସଂସ୍ଥାଗତ ରୂପ ଦେବ। ଏହାକୁ ବିକଶିତ ଭାରତ ଜାତୀୟ ଗ୍ରାମୀଣ ଭିତ୍ତିଭୂମି ଷ୍ଟାକରେ ସଂଯୁକ୍ତ କରାଯିବ। ଏହା ବ୍ୟତୀତ, ଏକ ପ୍ରଯୁକ୍ତିବିଦ୍ୟା-ସକ୍ଷମ ଢାଞ୍ଚା ଏବଂ ଆଇନଗତ ଓ ପ୍ରଶାସନିକ ବ୍ୟବସ୍ଥା ମାଧ୍ୟମରେ ଅଧିକ ସ୍ୱଚ୍ଛ ଏବଂ ଉତ୍ତରଦାୟୀ ବ୍ୟବସ୍ଥା ସୁନିଶ୍ଚିତ କରାଯାଇଛି।
ବିକଶିତ ଭାରତ – ରୋଜଗାର ଏବଂ ଜୀବିକା ମିଶନ (ଗ୍ରାମୀଣ) ପାଇଁ ଗ୍ୟାରେଣ୍ଟି: ଭିବି – ଜି ରାମ ଜି (ବିକଶିତ ଭାରତ – ଜି ରାମ ଜି) ବିଲ୍, 2025 ଅଧୀନରେ ଗ୍ରାମୀଣ ପରିବାରର ଅକୁଶଳୀ ଶାରୀରିକ ଶ୍ରମ କରିବାକୁ ଇଚ୍ଛୁକ ବୟସ୍କ ସଦସ୍ୟଙ୍କ ପାଇଁ ପ୍ରତି ଆର୍ଥିକ ବର୍ଷରେ ବୈଧାନିକ ମଜୁରୀ ନିଯୁକ୍ତି ଗ୍ୟାରେଣ୍ଟି 125 ଦିନ ପର୍ଯ୍ୟନ୍ତ ବୃଦ୍ଧି କରାଯିବ।
ଏହି ବିଲ୍ ଅଧୀନରେ ଗ୍ରାମାଞ୍ଚଳରେ କରାଯାଇଥିବା ସମସ୍ତ କାର୍ଯ୍ୟକୁ ବିକଶିତ ଭାରତ ଜାତୀୟ ଗ୍ରାମୀଣ ଭିତ୍ତିଭୂମି ଷ୍ଟାକ୍ ସହିତ ସଂଯୁକ୍ତ କରାଯିବ। ଏହା ଗ୍ରାମାଞ୍ଚଳ ସାର୍ବଜନୀନ କାର୍ଯ୍ୟ ପାଇଁ ଏକ ଦୃଢ଼ ଏବଂ ସମନ୍ୱିତ ଜାତୀୟ ଢାଞ୍ଚା ସୃଷ୍ଟି କରିବ। ଜଳ ସଂରକ୍ଷଣ ଏବଂ ଜଳ-ସମ୍ବନ୍ଧୀୟ କାର୍ଯ୍ୟ; ମୌଳିକ ଗ୍ରାମୀଣ ଭିତ୍ତିଭୂମି; ଜୀବିକା-ସମ୍ବନ୍ଧୀୟ ଭିତ୍ତିଭୂମି; ଏବଂ ଅତିଖରାପ ପାଣିପାଗ ପ୍ରଶମନ କାର୍ଯ୍ୟଗୁଡ଼ିକୁ ପ୍ରାଥମିକତା ଦିଆଯିବ। ଏହି ପଦ୍ଧତି ସମଗ୍ର ଦେଶରେ ଫଳପ୍ରଦ, ଦୀର୍ଘସ୍ଥାୟୀ, ଦୃଢ଼ ଏବଂ ପରିବର୍ତ୍ତନକାରୀ ଗ୍ରାମୀଣ ସମ୍ପତ୍ତି ସୃଷ୍ଟି ସୁନିଶ୍ଚିତ କରିବ।
ଏହି ବିଲ୍ ଅଧୀନରେ ସମସ୍ତ କାର୍ଯ୍ୟକୁ ବଟମ୍ ଅପ୍ ପଦ୍ଧତି, ସମନ୍ୱୟ ଏବଂ ସମ୍ପୂର୍ଣ୍ଣତା ଉପରେ ଆଧାରିତ ବିକଶିତ ଗ୍ରାମ ପଞ୍ଚାୟତ ଯୋଜନା ମାଧ୍ୟମରେ ଚିହ୍ନଟ କରାଯିବ। ଏଗୁଡ଼ିକୁ ବ୍ଲକ, ଜିଲ୍ଲା ଓ ରାଜ୍ୟ ସ୍ତରରେ ସମନ୍ୱିତ କରାଯିବ ଯାହା ଦ୍ୱାରା ବ୍ୟାପକ ଆଞ୍ଚଳିକ ପ୍ରାଥମିକତା ସହିତ ସଂଯୋଜିତ ହେବ ଏବଂ ଏକ ସମନ୍ୱିତ, ସମ୍ପୂର୍ଣ୍ଣ ସରକାରୀ ଗ୍ରାମୀଣ ବିକାଶ ଢାଞ୍ଚା ସୃଷ୍ଟି ହେବ। ଏହି ବିକଶିତ ଗ୍ରାମ ପଞ୍ଚାୟତ ଯୋଜନାଗୁଡ଼ିକ ଜିପିଏସ ପରି ଭୂ-ସ୍ଥାନିକ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରି ପ୍ରସ୍ତୁତ କରାଯିବ ଏବଂ ପିଏମ ଗତି-ଶକ୍ତି ସହିତ ସମନ୍ୱିତ ହେବ।
ରାଜ୍ୟଗୁଡ଼ିକୁ ଆଗୁଆ ବିଜ୍ଞପ୍ତି ଜାରି କରିବାକୁ କ୍ଷମତା ଦିଆଯିବ। ଏଥିପାଇଁ ଗୋଟିଏ ଆର୍ଥିକ ବର୍ଷରେ 60 ଦିନ ପର୍ଯ୍ୟନ୍ତ ସମୟସୀମା ନିର୍ଦ୍ଦିଷ୍ଟ କରାଯିବ ଯେଉଁ ସମୟରେ ଏହି ବିଲ୍ ଅନୁଯାୟୀ କାମ ବନ୍ଦ ରହିବ। ଫଳରେ ସର୍ବାଧିକ ବିହନ ଏବଂ ଅମଳ ଋତୁରେ କୃଷି ଶ୍ରମିକଙ୍କ ଉପଲବ୍ଧତା ସୁନିଶ୍ଚିତ ହୋଇପାରିବ।
ପ୍ରତ୍ୟେକ ରାଜ୍ୟ ସରକାରଙ୍କୁ ଏହି ବିଲ୍ ଅନୁଯାୟୀ ପ୍ରସ୍ତାବିତ ଗ୍ୟାରେଣ୍ଟିଗୁଡ଼ିକୁ କାର୍ଯ୍ୟକାରୀ କରିବା ପାଇଁ ଆଇନ ଆରମ୍ଭ ହେବାର ତାରିଖଠାରୁ ଛଅ ମାସ ମଧ୍ୟରେ ଏକ ଯୋଜନା ପ୍ରସ୍ତୁତ କରିବାକୁ ପଡିବ। ଏହି ଯୋଜନା ଏକ କେନ୍ଦ୍ରୀୟ ପ୍ରାୟୋଜିତ ଯୋଜନା (ସିଏସଏସ) ଭାବରେ ପରିଚାଳିତ ହେବ, ଯାହାର ପାଣ୍ଠି ବଣ୍ଟନ ଢାଞ୍ଚା ଉତ୍ତର-ପୂର୍ବ ଏବଂ ହିମାଳୟ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ପାଇଁ 90:10 ଏବଂ ବିଧାନସଭା ଥିବା ଅନ୍ୟ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ 60:40 ହେବ।
ସମାବେଶୀ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବା ଏବଂ ଆର୍ଥିକ ସମ୍ବଳର ସମାନ ବଣ୍ଟନ ସୁନିଶ୍ଚିତ କରିବା ପାଇଁ, ବିଲ୍ ବସ୍ତୁଗତ ମାପଦଣ୍ଡ ଉପରେ ଆଧାରିତ ରାଜ୍ୟଗୁଡ଼ିକୁ ଆଦର୍ଶ ଆବଣ୍ଟନର ବ୍ୟବସ୍ଥା କରିଛି। ରାଜ୍ୟ ସରକାରଗୁଡ଼ିକ ଜିଲ୍ଲା ଏବଂ ଗ୍ରାମ ପଞ୍ଚାୟତ ମଧ୍ୟରେ ପାଣ୍ଠିର ସ୍ୱଚ୍ଛ ଏବଂ ଆବଶ୍ୟକତା-ଭିତ୍ତିକ ବଣ୍ଟନ ସୁନିଶ୍ଚିତ କରିବେ। ପଞ୍ଚାୟତର ବର୍ଗ ଏବଂ ସ୍ଥାନୀୟ ବିକାଶ ଆବଶ୍ୟକତାକୁ ବିଚାରକୁ ନେଇ ଏହି ବଣ୍ଟନ କରାଯିବ ଯାହା ଦ୍ଵାରା ସମାନତା, ସ୍ୱଚ୍ଛତା ଏବଂ ଦାୟିତ୍ୱକୁ ସୁଦୃଢ଼ ହେବ।
ଏହି ବିଲ୍ ଡିଜିଟାଲ୍ ସାର୍ବଜନୀନ ଭିତ୍ତିଭୂମି ଉପରେ ଆଧାରିତ ଏକ ବ୍ୟାପକ ପ୍ରଶାସନ ଇକୋସିଷ୍ଟମ୍ ସୃଷ୍ଟି କରିବ। ଏଥିରେ ବାୟୋମେଟ୍ରିକ୍ ପ୍ରମାଣୀକରଣ, ଭୂ-ସ୍ଥାନିକ ପ୍ରଯୁକ୍ତିବିଦ୍ୟା-ଆଧାରିତ ଯୋଜନା ଏବଂ ତଦାରଖ, ମୋବାଇଲ୍-ଆଧାରିତ ରିପୋର୍ଟିଂ ସହିତ ରିଅଲ୍-ଟାଇମ୍ ଡ୍ୟାସବୋର୍ଡ, ଏଆଇ ଆଧାରିତ ବିଶ୍ଳେଷଣ ଏବଂ ସ୍ୱଚ୍ଛ, ଦକ୍ଷ ଏବଂ ଉଚ୍ଚ ସଚ୍ଚୋଟତା ଆଧାରିତ କାର୍ଯ୍ୟକାରିତା ସୁନିଶ୍ଚିତ କରିବା ପାଇଁ ଦୃଢ଼ ସାମାଜିକ ଅଡିଟ୍ ବ୍ୟବସ୍ଥା ଅନ୍ତର୍ଭୁକ୍ତ।
ଗ୍ରାମ ପଞ୍ଚାୟତଗୁଡ଼ିକ କାର୍ଯ୍ୟ ସ୍ଥିତି, ଦେୟ, ଅଭିଯୋଗ, କାର୍ଯ୍ୟ ପ୍ରଗତି, ମଷ୍ଟର ରୋଲ୍ ଇତ୍ୟାଦି ଉପସ୍ଥାପନ କରିବା ପାଇଁ ଗ୍ରାମ ପଞ୍ଚାୟତ ଭବନରେ ସାପ୍ତାହିକ ସୂଚନା ବୈଠକ କରିବେ। ଏହା ସହିତ, ସାପ୍ତାହିକ ସୂଚନା ସ୍ୱୟଂଚାଳିତ ଭାବରେ ସୃଷ୍ଟି ହେବ ଏବଂ ସାର୍ବଜନୀନ ଭାବରେ ଉପଲବ୍ଧ ଫର୍ମାଟରେ, ଭୌତିକ ଏବଂ ଡିଜିଟାଲ୍ ଉଭୟ ସ୍ୱରୂପରେ ପ୍ରଦର୍ଶିତ ହେବ।
ଏହି ବିଲ୍ ଅଧୀନରେ ମଜୁରୀ ହାର କେନ୍ଦ୍ର ସରକାର ଦ୍ୱାରା ସୂଚିତ କରାଯିବ। ନୂତନ ହାର ଜାରି ନହେବା ପର୍ଯ୍ୟନ୍ତ, ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଯୁକ୍ତି ଗ୍ୟାରେଣ୍ଟି ଆଇନ (ଏମଜିଏନଆରଇଜିଏ) ଅଧୀନରେ ପ୍ରଚଳିତ ମଜୁରୀ ହାର କାର୍ଯ୍ୟକାରୀ ରହିବ। ଯଦି 15 ଦିନ ମଧ୍ୟରେ ନିଯୁକ୍ତି ପ୍ରଦାନ କରାନଯାଏ, ତେବେ ନିର୍ଦ୍ଧାରିତ ହାରରେ ବେକାରୀ ଭତ୍ତା ପ୍ରଦାନ କରାଯିବ, ଯାହାକୁ ରାଜ୍ୟ ସରକାର ପ୍ରଦାନ କରିବେ।

ପୃଷ୍ଠଭୂମି : ଗ୍ରାମୀଣ ଭାରତର ରୂପାନ୍ତରଣ

ଗତ ଦୁଇ ଦଶନ୍ଧି ମଧ୍ୟରେ ଗ୍ରାମୀଣ ଭାରତରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆସିଛି। ପ୍ରମୁଖ ସରକାରୀ ଯୋଜନାଗୁଡ଼ିକର ସମ୍ପୂର୍ଣ୍ଣତା ଆଧାରିତ କାର୍ଯ୍ୟକାରିତା; ଗ୍ରାମୀଣ ସଂଯୋଗୀକରଣ, ଗୃହ, ପାନୀୟ ଜଳ, ପରିମଳ ଏବଂ ବିଦ୍ୟୁତୀକରଣର ପ୍ରସାର; ଉନ୍ନତ ଡିଜିଟାଲ ସୁବିଧା ସହିତ ଗଭୀର ଆର୍ଥିକ ଅନ୍ତର୍ଭୁକ୍ତିକରଣ; ଗ୍ରାମୀଣ ଶ୍ରମଶକ୍ତିର ବିବିଧତା; ଏବଂ ଉନ୍ନତ ଆୟ, ଉତ୍ପାଦକ ଭିତ୍ତିଭୂମି ଓ ଅଧିକ ଜଳବାୟୁ ସ୍ଥିରତା ଭଳି ବର୍ଦ୍ଧିତ ଆକାଂକ୍ଷା ଏହି ପରିବର୍ତ୍ତନରେ ଅନ୍ତର୍ଭୁକ୍ତ। ସବୁ ପରିବର୍ତ୍ତନଗୁଡ଼ିକ ପାଇଁ ଏକ ପୁନଃସନ୍ତୁଳିତ ଆଭିମୁଖ୍ୟର ଆବଶ୍ୟକତା ରହିଛି ଯାହା ପରିବର୍ତ୍ତିତ ଆକାଂକ୍ଷା ସହିତ ଖାପ ଖୁଆଉଥିବ, ପ୍ରଯୁକ୍ତିବିଦ୍ୟାକୁ ଉପଯୋଗ କରୁଥିବ ଏବଂ କେନ୍ଦ୍ର, ରାଜ୍ୟ ଓ ସ୍ଥାନୀୟ ଯୋଜନା ମଧ୍ୟରେ ପ୍ରଭାବଶାଳୀ ସମନ୍ୱୟକୁ ସୁନିଶ୍ଚିତ କରୁଥିବ।
ପରିବର୍ତ୍ତିତ ଆକାଂକ୍ଷା ପୂରଣ କରିବା ପାଇଁ ବିଭିନ୍ନ ପରିପୂରକ ସରକାରୀ ଯୋଜନାକୁ ନେଇ ଏକ ସମ୍ପୂର୍ଣ୍ଣ ସରକାରୀ ଗ୍ରାମୀଣ ବିକାଶ ଢାଞ୍ଚା ପ୍ରତିଷ୍ଠା କରିବା ନିମନ୍ତେ ଦୃଢ଼ ସମନ୍ୱୟ ଆବଶ୍ୟକ। ଗ୍ରାମୀଣ ଭିତ୍ତିଭୂମି ବିକାଶ ବିଭାଜିତ ଭାବରେ ନୁହେଁ, ବରଂ ଏକ ବ୍ୟବସ୍ଥିତ ଏବଂ ଭବିଷ୍ୟତ ଦୃଷ୍ଟିକୋଣ ଆଧାରରେ କାର୍ଯ୍ୟକାରୀ ହେବା ଉଚିତ୍ । ଦେଶର ସମସ୍ତ ଗ୍ରାମୀଣ କ୍ଷେତ୍ରରେ ଅସମାନତା ହ୍ରାସ କରିବା ଏବଂ ସମାବେଶୀ ବିକାଶକୁ ପ୍ରୋତ୍ସାହିତ କରିବା ପାଇଁ ବସ୍ତୁନିଷ୍ଠ ମାପଦଣ୍ଡକୁ ଆଧାର କରି ସମନ୍ୱିତ ସମ୍ବଳ ବିତରଣ ଅତ୍ୟନ୍ତ ଜରୁରୀ।
ଜାତୀୟ ବିକାଶର ଅଗ୍ରଗତି ସହିତ, ଗ୍ରାମୀଣ ବିକାଶ କାର୍ଯ୍ୟକ୍ରମଗୁଡ଼ିକୁ ସମୟକ୍ରମେ ସମୀକ୍ଷା କରାଯିବା ଆବଶ୍ୟକ । ଫଳରେ ଏହା ଉଦୀୟମାନ ଆବଶ୍ୟକତା ଏବଂ ଆକାଂକ୍ଷା ସହିତ ସମନ୍ୱିତ ରହିବ। ଆଜିର ବ୍ୟାପକ ପରିବର୍ତ୍ତିତ ପରିସ୍ଥିତିରେ, 2047 ସୁଦ୍ଧା ଏକ ବିକଶିତ ଭାରତର ଲକ୍ଷ୍ୟ ହାସଲ କରିବା ପାଇଁ ଗ୍ରାମୀଣ ବିକାଶ ଲାଗି ଏକ ରୂପାନ୍ତରଣକାରୀ ଆଭିମୁଖ୍ୟ ଅତ୍ୟାବଶ୍ୟକ। ଏହି କ୍ରମରେ ବିକାଶ କାର୍ଯ୍ୟର ପରିସର ବୃଦ୍ଧି ପାଇବା ଦ୍ୱାରା ଗ୍ରାମୀଣ ପରିବାର ପାଇଁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ଆଶା କରାଯାଉଛି। ତେଣୁ, ଦୃଢ଼ ଜୀବିକା ଗ୍ୟାରେଣ୍ଟି ମାଧ୍ୟମରେ ଗ୍ରାମୀଣ ପରିବାରଗୁଡ଼ିକୁ ସଶକ୍ତ କରିବା ଏବଂ ଗ୍ରାମୀଣ ଶ୍ରମଶକ୍ତିକୁ ଅଧିକ ପ୍ରଭାବଶାଳୀ ଭାବରେ ନିୟୋଜିତ କରିବା ଅତ୍ୟନ୍ତ ଜରୁରୀ। ଏଥିପାଇଁ, ଗ୍ରାମୀଣ ସମ୍ପତ୍ତି ସୃଷ୍ଟିକୁ ସୁଦୃଢ଼ କରିବା ଲାଗି ସରକାର ଏକ ଉପଯୁକ୍ତ ଆଇନ ମାଧ୍ୟମରେ ପ୍ରତି ଆର୍ଥିକ ବର୍ଷରେ ଗ୍ରାମୀଣ ପରିବାର ପାଇଁ ମଜୁରୀ ନିଯୁକ୍ତି ଗ୍ୟାରେଣ୍ଟିକୁ 100 ଦିନରୁ 125 ଦିନକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି ।

Leave A Reply

Your email address will not be published.