ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଖପ୍ରାଖୋଲ ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ବାର୍ଷିକ କ୍ରୀଡା ମହୋତ୍ସବ ଶୁକ୍ରବାର ଖପ୍ରାଖୋଲ ନୋଡାଲ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆରେ ବିପୁଳ ଉତ୍ସାହ ଓ ଆନନ୍ଦମୟ ପରିବେଶରେ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଛାତ୍ରମାନେ ଗ୍ରାମଦେବୀ ଡ଼ୁମେରତଲେନ ମନ୍ଦିରଠାରୁ ପବିତ୍ର ମଶାଲ ଆଣି କ୍ରୀଡା ମହୋତ୍ସବରେ ଶୁଭାରମ୍ଭ କରିଥିଲେ, ଯାହା କାର୍ଯ୍ୟକ୍ରମକୁ ଅଧିକ ଗୌରବମୟ ଓ ପାରମ୍ପରିକ ଅର୍ଥବହ କରିଥିଲା । ପ୍ରଧାନ ଆଚାର୍ଯ୍ୟ ଗନ୍ଧର୍ବ ମହାକୁଡ଼ଙ୍କ ନେତୃତ୍ୱ ଓ ତତ୍ତ୍ୱାବଧାନରେ ଆୟୋଜିତ ଏହି କ୍ରୀଡା ମହୋତ୍ସବରେ ଛାତ୍ରଛାତ୍ରୀ ମାନଙ୍କ ଭାରୀ ସହଭାଗୀତା ଦେଖାଗଲା । କାର୍ଯ୍ୟକ୍ରମରେ ଖପ୍ରାଖୋଲ ଥାନାଧିକାରୀ ନରେନ୍ଦ୍ର ଛତର ମୁଖ୍ୟଅତିଥି ଭାବେ ଯୋଗଦେଇ କ୍ରୀଡାର ମହତ୍ତ୍ୱ ଉପରେ ଆଲୋକପାତ କରିଛନ୍ତି । ସମ୍ମାନିତ ଅତିଥିରୂପେ ତହସିଲଦାର ସତ୍ୟ ସୁନ୍ଦର ରାଉତରାୟ, ଖପ୍ରାଖୋଲ ସରପଞ୍ଚ ବେଟିଖାଇ ସେନ୍ଦରିଆ ଏବଂ ବିଧାୟକ ପ୍ରତିନିଧି ପଦ୍ମନ ସିଂ ବରିହା ଉପସ୍ଥିତ ଥିଲେ । ଥାନାଧିକାରୀ ଶ୍ରୀ ଛତର କହିଲେ ଜେ “କ୍ରୀଡା କେବଳ ଶାରୀରିକ ସୁସ୍ଥତା ନୁହେଁ, ଶିଶୁମାନଙ୍କ ମନୋବଳ, ଶିଷ୍ଟାଚାର ଓ ଦଳ ସମନ୍ୱୟକୁ ଉନ୍ନତ କରେ” କାର୍ଯ୍ୟକ୍ରମ ସ୍ଥଳୀରେ ବିଦ୍ୟାଳୟ କମିଟି ସଭାପତି ଲୁଇସ ବିଶ୍ଵାଳ, ସମ୍ପାଦକ ବୁଲୁ ପଣ୍ଡା, କୋଷାଧକ୍ଷ ଆଶିଷ ଭୋଇ ସମେତ ଗୁରୁମା ଗୁରୁଜୀ, ଅଭିଭାବକ ଓ ଗଣମାନ୍ୟଙ୍କ ଉପସ୍ଥିତି ଛାତ୍ରଛାତ୍ରୀଙ୍କୁ ବିଶେଷ ଉତ୍ସାହିତ କରିଥିଲା । ବିଭିନ୍ନ ଖେଳ ପ୍ରତିଯୋଗିତାରେ ଛାତ୍ରଛାତ୍ରୀ ନିଜର କୌଶଳ, ଶାରୀରିକ କ୍ଷମତା ଓ ଦଳୀୟଭାବ ପ୍ରଦର୍ଶନ କରିଥିଲେ । ପ୍ରଧାନ ଆଚାର୍ଯ୍ୟ ଗନ୍ଧର୍ବ ମହାକୁଡ଼ଙ୍କ କହିବା ଅନୁଯାୟୀ, ବିଭିନ୍ନ ଇଭେଣ୍ଟରେ ବିଜୟୀ ହୋଇଥିବା ଛାତ୍ରଛାତ୍ରୀଙ୍କୁ ଆସନ୍ତା ବାର୍ଷିକ ଉତ୍ସବ ସମାରୋହରେ ମାନପତ୍ର ଓ ପ୍ରଶସ୍ତି ପୁରସ୍କାର ପ୍ରଦାନ କରାଯିବ । କ୍ରୀଡା ମହୋତ୍ସବର ସମସ୍ତ କାର୍ଯ୍ୟକ୍ରମ ସଫଳ ହୋଇଥିବାରୁ ଛାତ୍ର, ଅଭିଭାବକ ଓ ଶିକ୍ଷକମାନଙ୍କ ମଧ୍ୟରେ ଆନନ୍ଦମୟ ପରିବେଶ ଦେଖାଗଲା ।
Prev Post