▪ ସମ୍ବିଧାନ ସଭା ଦ୍ୱାରା ୧୯୫୦ରେ ଭାରତର ଜାତୀୟ ଗୀତ ରୂପେ ଗୃହିତ ହୋଇଥିଲା
▪ ବନ୍ଦେ ମାତରମକୁ ପ୍ରଥମେ ସ୍ୱତନ୍ତ୍ର ଭାବେ ଲେଖାଯାଇଥିଲା ଏବଂ ପରେ ଏହାକୁ ବଙ୍କୀମ ଚନ୍ଦ୍ର ଚାଟାର୍ଜୀଙ୍କ ଉପନ୍ୟାସ ‘‘ଆନନ୍ଦମଠ’’ (୧୮୮୨ରେ ପ୍ରକାଶିତ)ରେ ସାମିଲ କରାଯାଇଥିଲା
▪ ୧୮୯୬ ମସିହାରେ କଲିକତାରେ ଆୟୋଜିତ କଂଗ୍ରେସ ଅଧିବେଶନରେ ରବିନ୍ଦ୍ର ନାଥ ଠାକୁର ପ୍ରଥମେ ଏହାକୁ ଗାଇଥିଲେ
▪ ୭ ଅଗଷ୍ଟ ୧୯୦୫ରେ ବନ୍ଦେ ମାତରମକୁ ପ୍ରଥମଥର ପାଇଁ ଏକ ରାଜନୈତିକ ସ୍ଲୋଗାନ ରୂପେ ବ୍ୟବହାର କରାଯାଇଥିଲା
ନୂଆଦିଲ୍ଲୀ, (ପିଆଇବି) : ଚଳିତ ବର୍ଷ ନଭେମ୍ବର ୭, ୨୦୨୫ ତାରିଖରେ ଭାରତର ଜାତୀୟ ଗୀତ ବନ୍ଦେ ମାତରମକୁ ୧୫୦ ବର୍ଷ ପୂରଣ ହେଉଛି । ଏହି ଗୀତର ଅର୍ଥ ହେଉଛି ମା’ଙ୍କ ବନ୍ଦନା । ଏହି ଗୀତ ଅଗଣିତ ସ୍ୱାଧୀନତା ସଂଗ୍ରାମୀ, ରାଷ୍ଟ୍ର ନିର୍ମାତାଙ୍କ ପିଢ଼ିକୁ ଅନୁପ୍ରାଣିତ କରିବା ସହିତ ଭାରତର ଜାତୀୟ ପରିଚୟ ଏବଂ ସାମୂହିକ ଭାବନାରେ ପରିଣତ ହୋଇଛି । ବଙ୍କିମ ଚନ୍ଦ୍ର ଚାଟାର୍ଜୀଙ୍କ ଦ୍ୱାରା ରଚିତ ଏହି ଗୀତ ୭ ନଭେମ୍ବର ୧୮୭୫ରେ ପ୍ରଥମ ଥର ପାଇଁ ବଙ୍ଗଦର୍ଶନ ସାହିତ୍ୟ ପତ୍ରିକାରେ ପ୍ରକାଶିତ ହୋଇଥିଲା । ପରେ ୧୮୮୨ରେ ପ୍ରକାଶିତ ନିଜ ଉପନ୍ୟାସ ‘ଆନନ୍ଦମଠ’ରେ ଶ୍ରୀ ଚାଟାର୍ଜୀ ଏହାକୁ ବ୍ୟବହାର କରିଥିଲେ । ରବୀନ୍ଦ୍ର ନାଥ ଠାକୁର ଏହି ଗୀତକୁ ସ୍ୱର ଦେଇଥିଲେ । ଏହା ଅନେକ ବର୍ଷ ଧରି ଭାରତର ସଭ୍ୟତାଗତ, ରାଜନୈତିକ ଏବଂ ସାଂସ୍କୃତିକ ଚେତନାର ଅଭିନ୍ନ ଅଙ୍ଗ ହୋଇଆସିଛି । ବନ୍ଦେ ମାତରମ୍ର ଇତିହାସ ସାହିତ୍ୟ, ଜାତୀୟତାବାଦ ଏବଂ ଭାରତର ସ୍ୱାଧୀନତା ସଂଗ୍ରାମକୁ ଯୋଡ଼ିଆସିଛି । ୧୬ ଏପ୍ରିଲ ୧୯୦୭ରେ ଇଂରାଜୀ ଦୈନିକ ବନ୍ଦେ ମାତରମରେ ଶ୍ରୀ ଅରବିନ୍ଦ ଏ ଗୀତର ଗୋଟିଏ ଅଂଶକୁ ପ୍ରକାଶ କରିଥିଲେ । ଏଥିରେ ସେ ଗୀତର ରଚନା ଏବଂ ଇତିହାସ ସମ୍ପର୍କରେ ସୂଚନା ଦେଇଥିଲେ । ୧୯୦୭ରେ ମାଡାମ୍ ଭିକାଜୀ କାମ ପ୍ରଥମ ଥର ପାଇଁ ଭାରତ ବାହାରେ ବର୍ଲିନରେ ଉତ୍ତୋଳନ କରିଥିବା ତିରଙ୍ଗାରେ ବନ୍ଦେ ମାତରମ୍ ଲେଖାକୁ ସ୍ଥାନ ଦେଇଥିଲେ । ବନ୍ଦେ ମାତରମ ଗୀତର ରଚୟିତା ବଙ୍କିମ ଚନ୍ଦ୍ର ଚାଟାର୍ଜୀ (୧୮୩୮–୧୮୯୪) ଉନବିଂଶ ଶତାବ୍ଦୀର ବଙ୍ଗରେ ଜଣେ ପ୍ରଭାବଶାଳୀ ବ୍ୟକ୍ତିତ୍ୱ ଥିଲେ । ସେ ଜଣେ ଔପନ୍ୟାସିକ, କବି ଏବଂ ପ୍ରାବନ୍ଧିକ ରୂପେ ବଙ୍ଗୀୟ ବୌଦ୍ଧିକ ଏବଂ ସାହିତ୍ୟିକ ଇତିହାସରେ ଉଲ୍ଲେଖନୀୟ ଯୋଗଦାନ ଦେଇ ଯାଇଛନ୍ତି । ତାଙ୍କର ଯୋଗଦାନ ଭାରତୀୟ ଜାତୀୟବାଦର ଉଦ୍ରେକକୁ ପ୍ରଭାବିତ କରିଥିଲା । ଅକ୍ଟୋବର ୧୯୦୫ରେ ଉତ୍ତର କଲିକତାରେ ବନ୍ଦେ ମାତରମ ସମ୍ପ୍ରଦାୟ ପ୍ରତିଷ୍ଠା କରାଯାଇଥିଲା । ଏହାର ଉଦ୍ଦେଶ୍ୟ ଥିଲା ମାତୃଭୂମିକୁ ଏକ ଲକ୍ଷ୍ୟ ଏବଂ ଧାର୍ମିକ ଉତ୍ସାହ ରୂପେ ପ୍ରୋତ୍ସାହିତ କରିବା । ଏହାର ସଦସ୍ୟମାନେ ପ୍ରତ୍ୟେକ ଦିନ ପ୍ରଭାତ ଫେରୀ ସମୟରେ ବନ୍ଦେ ମାତରମ ଗୀତ ଗାଉଥିଲେ । ଏହି ପ୍ରଭାତ ଫେରୀରେ ରବୀନ୍ଦ୍ର ନାଥ ଠାକୁର ମଧ୍ୟ ବେଳେବେଳେ ଯୋଗ ଦେଉଥିଲେ । ୨୦ ମଇ ୧୯୦୬ରେ ବରିସଲ (ବର୍ତ୍ତମାନର ବାଂଲାଦେଶ)ରେ ଅଭୂତପୂର୍ବ ବନ୍ଦେ ମାତରମ ଶୋଭାଯାତ୍ରା ଆୟୋଜନ କରାଯାଇଥିଲା ଏଥିରେ ହିନ୍ଦୁ ଓ ମୁସଲିମଙ୍କ ସମେତ ହଜାର ହଜାର ଲୋକ ସାମିଲ ହୋଇଥିଲେ । ସେହି ବର୍ଷ ବନ୍ଦେ ମାତରମ ପତ୍ରିକାର ଶୁଭାରମ୍ଭ ହୋଇଥିଲା । ଏହାର ପ୍ରଥମ ସମ୍ପାଦକ ଥିଲେ ବିପିନ ଚନ୍ଦ୍ର ପାଲ । ଶ୍ରୀ ଅରବିନ୍ଦ ପରବର୍ତ୍ତୀ କାଳରେ ଏହାର ଯୁଗ୍ମ ସମ୍ପାଦକ ରୂପେ ଯୋଗ ଦେଇଥିଲେ । ଏହା ପ୍ରଭାବୀ ସମ୍ପାଦକୀୟ ଜରିଆରେ ଭାରତର ଜାଗରଣର ଉପକରଣ ପାଲଟିଥିଲା । ବନ୍ଦେ ମାତରମ ଗୀତ ଓ ସ୍ଲୋଗାନର ପ୍ରଭାବ ବୃଦ୍ଧି ପାଉଥିବା ଦେଖି ବ୍ରିଟିଶ ସରକାର ଏହା ଉପରେ ଅଙ୍କୁଶ ଲଗାଇବା ପାଇଁ କଠୋର ପଦକ୍ଷେପ ନେଇଥିଲେ । ଏହାର ବୋଲିବା କିମ୍ବା ଉଚ୍ଚାରଣ କରିବା, ଶିକ୍ଷାନୁଷ୍ଠାନରେ ଏହାର ଆବୃତ୍ତି ଉପରେ କଟକଣା ଲାଗି କରାଯାଇଥିଲା ଏବଂ ରାଜନୈତିକ ବିପ୍ଳବରେ ଛାତ୍ରଛାତ୍ରୀଙ୍କ ଅଂଶଗ୍ରହଣ ଉପରେ କଟକଣା ଲାଗି କରାଯାଇଥିଲା । ବନ୍ଦେ ମାତରମ ଉଚ୍ଚାରଣ କରିବା କାରଣରୁ ନଭେମ୍ବର ୧୯୦୫ରେ ବଙ୍ଗର ରଙ୍ଗପୁରରେ ୨୦୦ ଛାତ୍ରଛାତ୍ରୀଙ୍କ ଉପରେ ଜୋରିମାନା ଲାଗୁ କରାଯାଇଥିଲା । ୧୯୦୬ରେ ମହାରାଷ୍ଟ୍ର ଧୂଲିଆରେ ଆୟୋଜିତ ଏକ ସଭା ଏବଂ ୧୯୦୮ରେ କର୍ଣ୍ଣାଟକର ବେଲଗାମରେ ବନ୍ଦେ ମାତରମ ଗାଇବା ପାଇଁ ଲୋକଙ୍କ ଉପରେ ବ୍ରିଟିଶ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା । ସ୍ୱାଧୀନତା ଆନ୍ଦୋଳନ ସମୟରେ ବନ୍ଦେ ମାତରମ ଭାରତର ସଂଗ୍ରାମୀ ଗୀତ ପାଲଟିଥିଲା । ବ୍ରିଟିଶ ସାମ୍ରାଜ୍ୟବାଦ ବିରୋଧରେ ଏହା ବିପ୍ଳବର ବହ୍ନି ଜାଳିଥିଲା । ଜାତି, ଧର୍ମ ଏବଂ ଭାଷା ନିର୍ବିଶେଷରେ ଏହା ସବୁ ଭାରତୀୟଙ୍କୁ ଏକତ୍ରିତ କରିଥିଲା । ରାଜନୈତିକ ସଭା, ଶୋଭାଯାତ୍ରା, ଆନ୍ଦୋଳନ ଆଦିରେ ଏହା ପ୍ରେରଣାର ଗୀତ ପାଲଟିଥିଲା । ଏହା କେବଳ ବିଦ୍ରୋହ ପାଇଁ ପ୍ରେରଣା ଦେଇନଥିଲା ବରଂ ସାଂସ୍କୃତିକ ଗୌରବ ଏବଂ ଆଧ୍ୟାତ୍ମିକ ଉତ୍ସାହକୁ ଜାଗ୍ରତ କରିବା ସହିତ ଭାରତର ସ୍ୱାଧୀନତା ପାଇଁ ମୂଳଦୁଆକୁ ମଜବୁତ କରିଥିଲା । ୧୮୯୬ ମସିହାରେ କଲିକତାରେ ଆୟୋଜିତ କଂଗ୍ରେସ ଅଧିବେଶନରେ ରବିନ୍ଦ୍ର ନାଥ ଠାକୁର ପ୍ରଥମେ ଏହାକୁ ଗାଇଥିଲେ । ୧୯୦୫ରେ ବଙ୍ଗ ଭଙ୍ଗ ଆନ୍ଦୋଳନ ଏବଂ ସ୍ୱଦେଶୀ ଆନ୍ଦୋଳନ ସମୟରେ ବଙ୍ଗରେ ଏହି ଗୀତ ଓ ସ୍ଲୋଗାନର ଲୋକପ୍ରିୟତା ବଢ଼ିଥିଲା । ସେହିବର୍ଷ କଂଗ୍ରେସର ବାରଣାସୀ ଅଧିବେଶନରେ ବନ୍ଦେ ମାତରମଙ୍କୁ ସର୍ବଭାରତୀୟ ସମାରୋହ ପାଇଁ ଗୀତ ରୂପେ ଗ୍ରହଣ କରାଯାଇଥିଲା । ୧୯୦୬ରେ ନବଗଠିତ ପୂର୍ବ ବଙ୍ଗ ପାଇଁ ବରିସଲରେ ଆୟୋଜିତ ବଙ୍ଗ କ୍ଷେତ୍ରୀୟ ସମ୍ମିଳନୀରେ ବନ୍ଦେ ମାତରମକୁ ନିଷିଦ୍ଧ କରାଯାଇଥିଲା । ୧୯୦୭ରେ ଲାହୋରଠାରେ ଯୁବ ଆନ୍ଦୋଳନକାରୀମାନେ ବନ୍ଦେ ମାତରମର ସ୍ଲୋଗାନ ଦେଇ ରାୱଲପିଣ୍ଡିରେ ସ୍ୱଦେଶୀ ନେତାମାନଙ୍କର ଗିରଫଦାରୀକୁ ବିରୋଧ କରିଥିଲେ । ୧୯୦୮ ମସିହା ଫେବୃଆରୀ ୨୭ ତାରିଖରେ ତାମିଲନାଡ଼ୁର ଟୁଟିକୋରିନ ଠାରେ କୋରାଲ ମିଲ୍ସର ହଜାର ହଜାର ଶ୍ରମିକ କମ୍ପାନୀ ବିରୋଧରେ ଏକତ୍ର ବିଦ୍ରୋହ ପ୍ରଦର୍ଶନ ଲାଗି ବନ୍ଦେ ମାତରମ୍ ନାରା ଲଗାଇଥିଲେ । ଜୁନ୍ ୧୯୦୮ରେ ହଜାର ହଜାର ଲୋକ ଲୋକମାନ୍ୟ ତିଲକଙ୍କ ଶୁଣାଣି ସମୟରେ ବମ୍ବେ ପୁଲିସ କୋର୍ଟ ବାହାରେ ବନ୍ଦେ ମାତରମ ଗୀତ ଗାଇଥିଲେ । ଏହାପରେ ୨୧ ଜୁନ୍ ୧୯୧୪ରେ ତିଲକଙ୍କୁ ପୁଣେ ଠାରେ ବନ୍ଦେ ମାତରମ ନାରା ଦେଇ ସ୍ୱାଗତ କରାଯାଇଥିଲା । ସମ୍ବିଧାନ ସଭା ଜନ ଗଣ ମନ ଏବଂ ବନ୍ଦେ ମାତରମ୍ ଉଭୟକୁ ଜାତୀୟ ପ୍ରତୀକ ଭାବରେ ଗ୍ରହଣ କରିବା ଉପରେ ସମ୍ପୂର୍ଣ୍ଣ ଏକମତ ଥିଲା ଏବଂ ଏହି ପ୍ରସଙ୍ଗରେ କୌଣସି ବିତର୍କ ହୋଇନଥିଲା । ୨୪ ଜାନୁଆରୀ ୧୯୫୦ରେ ଡକ୍ଟର ରାଜେନ୍ଦ୍ର ପ୍ରସାଦ ସମ୍ବିଧାନ ସଭାକୁ ସମ୍ବୋଧିତ କରି କହିଥିଲେ ଯେ ସ୍ୱାଧୀନତା ଆନ୍ଦୋଳନରେ ଏହାର ଗୁରୁତ୍ୱପୂର୍ଣ୍ଣ ଭୂମିକା ହେତୁ ବନ୍ଦେ ମାତରମ୍ ଜାତୀୟ ସଙ୍ଗୀତ ଜନ ଗଣ ମନ ପରି ସମାନ ମାନ୍ୟତା ପାଇବା ଉଚିତ ଏବଂ ସମାନ ଭାବରେ ସମ୍ମାନିତ ହେବା ଉଚିତ । ଏହାକୁ ଆଧାର କରି ସ୍ୱାଧୀନ ଭାରତର ଜାତୀୟ ସଙ୍ଗୀତ ଭାବରେ ରବୀନ୍ଦ୍ରନାଥ ଟାଗୋରଙ୍କ ‘ଜନ-ଗଣ-ମନ’କୁ ଗ୍ରହଣ କରାଯାଇଥିଲା ଏବଂ ବଙ୍କିମ ଚନ୍ଦ୍ରଙ୍କ ‘ବନ୍ଦେ ମାତରମ୍’କୁ ‘ଜନ-ଗଣ-ମନ’ ସହିତ ସମାନ ମର୍ଯ୍ୟାଦା ଦେଇ ଜାତୀୟ ଗୀତ ଭାବରେ ଗ୍ରହଣ କରାଯାଇଥିଲା । ବନ୍ଦେ ମାତରମର ୧୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଏହାକୁ ସମ୍ମାନ ଦେବା ଲାଗି ଦେଶବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ଭାରତ ସରକାର ୪ଟି ପର୍ଯ୍ୟାୟରେ ବନ୍ଦେ ମାତରମର ୧୫୦ ବର୍ଷ ପୂର୍ତ୍ତି ପାଳନ କରିବେ । ପ୍ରଥମ ପର୍ଯ୍ୟାୟ ୨୦୨୫ ନଭେମ୍ବର ୭ରୁ ୧୪ ତାରିଖ, ଦ୍ୱିତୀୟ ପର୍ଯ୍ୟାୟ ୨୦୨୬ ଜାନୁଆରୀ ୧୯ରୁ ୨୬ ତାରିଖ, ତୃତୀୟ ପର୍ଯ୍ୟାୟ ଅଗଷ୍ଟ ୭ରୁ ୧୫ ତାରିଖ ଏବଂ ଚତୁର୍ଥ ପର୍ଯ୍ୟାୟ ନଭେମ୍ବର ୧ରୁ୭ ପର୍ଯ୍ୟନ୍ତ ଆୟୋଜନ କରାଯିବ । ୭ ନଭେମ୍ବର ୨୦୨୫ରେ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଏକ ଜାତୀୟ ସ୍ତରର କାର୍ଯ୍ୟକ୍ରମ ଆୟୋଜନ କରାଯିବ । ଏହାପରେ ଏକ ବର୍ଷବ୍ୟାପୀ କାର୍ଯ୍ୟକ୍ରମ ଆୟୋଜନ କରାଯିବ । ଆକାଶବାଣୀ, ଦୂରଦର୍ଶନ, ପତ୍ରସୂଚନା କାର୍ଯ୍ୟାଳୟ (ପିଆଇବି) ଦ୍ୱାରା ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯିବ ।