- ଅଭିନବ ଏବଂ ନାଗରିକ କୈନ୍ଦ୍ରିକ ସଂସ୍କାର ଉପରେ ଗୁରୁତ୍ୱ
ଭୁବନେଶ୍ୱର, (ପିଆଇବି) : ଭୁବନେଶ୍ୱରରେ ଆଜି ସୁଶାସନ ଉପରେ ଦୁଇ ଦିନିଆ (୧୭-୧୮ ଜୁଲାଇ, ୨୦୨୫) ଜାତୀୟ ସମ୍ମିଳନୀ ସଫଳତାପୂର୍ବକ ଉଦଯାପିତ ହୋଇଯାଇଛି । ଭାରତ ସରକାରଙ୍କ ପ୍ରଶାସନିକ ସଂସ୍କାର ଏବଂ ସାଧାରଣ ଅଭିଯୋଗ ବିଭାଗ (ଡିଏଆରପିଜି) ଏବଂ ଓଡ଼ିଶା ସରକାରଙ୍କ ମିଳିତ ସହଯୋଗରେ ସମ୍ମିଳନୀର ଆୟୋଜନ କରାଯାଇଥିଲା । ଏହିସମ୍ମିଳନୀରେ କେନ୍ଦ୍ର କାର୍ମିକ, ସାଧାରଣ ଅଭିଯୋଗ ଏବଂ ପେନସନ ପ୍ରଶାସନ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅତିଥି ଭାବେ ଯୋଗ ଦେଇଥିଲେ । ଡକ୍ଟର ସିଂ ତାଙ୍କର ଅଭିଭାଷଣରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱାଧୀନ ସଂସ୍କାରର ଚାରିଟି ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ଆଲୋକପାତ କରିଥିଲେ । ଏସବୁ ଜରିଆରେ ପୁରୁଣାକାଳିଆ ବ୍ୟବସ୍ଥାକୁ ଉଚ୍ଛେଦ କରିବା ସହ ଦୀର୍ଘକାଳୀନ ପରମ୍ପରାର ଦୋଷତ୍ରୁଟି ଦୂର ପାଇଁ ଚେଷ୍ଟା କରାଯାଇଥିବା ସେ କହିଥିଲେ । କେନ୍ଦ୍ର ମନ୍ତ୍ରୀ ଏଗୁଡ଼ିକର ସୁଦୂରପ୍ରସାରୀ ସାମାଜିକ ଆର୍ଥିକ ପ୍ରଭାବ, ବିଶେଷ କରି ତୃଣମୂଳସ୍ତରରେ ଏହାଦ୍ୱାରା ଆସିଥିବା ପରିବର୍ତ୍ତନ ଉପରେ ଜୋର ଦେଇଥିଲେ । ଏସବୁ ବ୍ୟବସ୍ଥା ସେବା ଯୋଗାଣରେ ସୁଧାର ଆଣିବା ସହିତ ନାଗରିକଙ୍କ ଜୀବନର ଗୁଣବତ୍ତାରେ ସୁଧାର ଆଣିଥିବା ସେ କହିଥିଲେ । ଡକ୍ଟର ସିଂହ କହିଥିଲେ ଯେ ଗତ ୧୧ ବର୍ଷ ମଧ୍ୟରେ ନିଆଯାଇଥିବା ପଦକ୍ଷେପଗୁଡ଼ିକ ସାଧାରଣ ନାଗରିକଙ୍କ ମାନସିକତାରେ ମୌଳିକ ପରିବର୍ତ୍ତନ ଆଣିଛି । ଏହା ସେମାନଙ୍କ ମଧ୍ୟରେ ବ୍ୟବସ୍ଥା ପ୍ରତି ଆତ୍ମସମ୍ମାନ, ଆତ୍ମବିଶ୍ୱାସ ଏବଂ ଭରସାର ନୂଆ ଭାବନା ସୃଷ୍ଟି କରିଛି । କେତେକ ଉଦାହରଣ ଦେଇ କେନ୍ଦ୍ର ମନ୍ତ୍ରୀ କହିଥିଲେ, କେନ୍ଦ୍ରୀକୃତ ସାଧାରଣ ଅଭିଯୋଗ ସମାଧାନ ଏବଂ ନିରୀକ୍ଷଣ ପ୍ରଣାଳୀ (ସିପିଗ୍ରାମ୍ସ) ଏବଂ ଡିଜିଟାଲ ଜୀବନ ପ୍ରମାଣପତ୍ର ଅଭିନବ ପ୍ରଶାସନର ବିଶ୍ୱସ୍ତରୀୟ ମଡେଲରେ ପରିଣତ ହୋଇଛି । ସେ ଭାରତର ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ (ୟୁପିଆଇ)ର ବ୍ୟାପକ ପିସ୍ତାର ଉପରେ ମଧ୍ୟ ଆଲୋକପାତ କରିଥିଲେ । ଡିଜିଟାଲ ସଶକ୍ତିକରଣ ପ୍ରତି ସରକାରଙ୍କ ପ୍ରତିବଦ୍ଧତାର ପ୍ରମାଣ ସ୍ୱରୂପ ଭିସା ଭଳି ପାରମ୍ପରିକ ବିଶ୍ୱସ୍ତରୀୟ ପେମେଣ୍ଟ ପ୍ଲାଟଫର୍ମକୁ ୟୁପିଆଇ ଅତିକ୍ରମ କରିପାରିଛି । ଅପରପକ୍ଷରେ ୧୬ ଶହରୁ ଅଧିକ ପୁରୁଣା ଆଇନ ଉଚ୍ଛେଦ ବିଷୟରେ ମଧ୍ୟ କେନ୍ଦ୍ର ମନ୍ତ୍ରୀ ଉଲ୍ଲେଖ କରିଥିଲେ । ସେ ଜୋର ଦେଇ କହିଥିଲେ, ଏହା ଅମଲାତାନ୍ତ୍ରିକ ପ୍ରତିବନ୍ଧକକୁ ହ୍ରାସ କରିଛି ଏବଂ ପ୍ରଶାସନିକ ଦକ୍ଷତା ବୃଦ୍ଧି କରିଛି । ଶାସନ ସଂସ୍କାରର ଯାତ୍ରା ଉପରେ ଆଲୋକପାତ କରି ଡକ୍ଟର ସିଂହ କହିଥିଲେ, ସ୍ୱାଧୀନତା ପରଠାରୁ ୪୧ଟି ସୁଶାସନ ସମ୍ମିଳନୀ ଆୟୋଜିତ ହୋଇଛି । ଏଥିମଧ୍ୟରୁ ୨୯ଟି ପ୍ରଧାନମନ୍ତ୍ରୀ ମୋଦୀଙ୍କ କାର୍ଯ୍ୟକାଳ ମଧ୍ୟରେ ଅନୁଷ୍ଠିତ ହୋଇଛି । ଏହା ପ୍ରଗତିଶୀଳ ପ୍ରଶାସନ ପ୍ରତି ସରକାରଙ୍କ ଅତୁଟ ପ୍ରତିବଦ୍ଧତାକୁ ଦର୍ଶାଉଛି । ଏହି ସମ୍ମିଳନୀକୁ ସଫଳତାର ସହ ଆୟୋଜନ କରିବା ଏବଂ ଜନସେବା କ୍ଷେତ୍ରରେ ଅଭିନବ ପ୍ରୟାସ କରିବା ଉପରେ ଜାତୀୟ ବିଚାରବିମର୍ଶକୁ ଆଗକୁ ବଢାଇବା ପାଇଁ ସେ ଡିଏଆରପିଜି ସଚିବ ଭି. ଶ୍ରୀନିବାସଙ୍କୁ ପ୍ରଶଂସା କରିଥିଲେ । ଉଦଘାଟନୀ ଅଧିବେଶନ ଉଦବୋଧନ ଦେଇ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକକୈନ୍ଦ୍ରିକ, ପ୍ରଯୁକ୍ତିବିଦ୍ୟା ପରିଚାଳିତ ଏବଂ ଭବିଷ୍ୟତ ପାଇଁ ପ୍ରସ୍ତୁତ ପ୍ରଶାସନ ପ୍ରତି ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତାକୁ ଦୃଢ଼ ଭାବେ ବ୍ୟକ୍ତ କରିଥିଲେ । ସେ କହିଥିଲେ, ‘‘ସୁଶାସନ କିଛି ଲୋକଙ୍କର ବିଶେଷାଧିକାର ନୁହେଁ, ବରଂ ପ୍ରତ୍ୟେକ ନାଗରିକଙ୍କ ହକ୍ ଏବଂ ପ୍ରତ୍ୟେକ ସରକାରୀ କର୍ମଚାରୀଙ୍କ ଗମ୍ଭୀର କର୍ତ୍ତବ୍ୟ ।’’ ବିପର୍ୟ୍ୟୟ ପରିଚାଳନା ଏବଂ ସମାବେଶୀ ବିକାଶ ଠାରୁ ଆରମ୍ଭ କରି ଡିଜିଟାଲ୍ ସାର୍ବଜନୀନ ସେବା ଏବଂ ତଥ୍ୟ-ଆଧାରିତ ନୀତି ନିର୍ଦ୍ଧାରଣ ପର୍ଯ୍ୟନ୍ତ ପ୍ରମୁଖ କ୍ଷେତ୍ରରେ ଓଡ଼ିଶାର ପରିବର୍ତ୍ତନ ଉପରେ ସେ ଆଲୋକପାତ କରିଥିଲେ । ଡିଏଆରପିଜିର ସଚିବ ଭି. ଶ୍ରୀନିବାସ ସମ୍ମିଳନୀରେ ଅଭିଭାଷଣ ରଖି କହିଥିଲେ, ଏହି ସମ୍ମିଳନୀ ୨୦୨୫ ପ୍ରଶାସନିକ ସେବା ଦିବସର ବିଷୟବସ୍ତୁ – ‘‘ଜିଲ୍ଲା ଏବଂ ବ୍ଲକର ସମଷ୍ଟିଗତ ବିକାଶ ମାଧ୍ୟମରେ ଭାରତର ସାମାଗ୍ରିକ ବିକାଶ’’ ଅନୁରୂପ ରଖାଯାଇଛି । ସେ ବିକଶିତ ଭାରତର ଦୃଷ୍ଟିକୋଣକୁ ସାକାର କରିବା ପାଇଁ ପ୍ରଶାସନିକ କର୍ମଚାରୀଙ୍କ ମଧ୍ୟରେ ପ୍ରତିବଦ୍ଧତା, ସହଭାଗିତା ଏବଂ ସାମର୍ଥ୍ୟ ବୃଦ୍ଧି ପାଇଁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନକୁ ଦୋହରାଇଥିଲେ । ଏହି ଦୁଇ ଦିନିଆ କାର୍ଯ୍ୟକ୍ରମରେ ସାରା ଦେଶର ବିଭିନ୍ନ ପ୍ରସଙ୍ଗ ଉପରେ ଅନ୍ତର୍ଦୃଷ୍ଟିପୂର୍ଣ୍ଣ ଆଲୋଚନା ଅଧିବେଶନ ଅନୁଷ୍ଠିତ ହୋଇଥିଲା । ଏଥିରେ ସର୍ବୋତ୍ତମ ଅଭ୍ୟାସ ଏବଂ ସଫଳତାର କାହାଣୀ ପ୍ରଦର୍ଶିତ ହୋଇଥିଲା । ସମ୍ମିଳନୀ ପ୍ରଶାସନିକ କ୍ଷେତ୍ରରେ ସ୍ୱଚ୍ଛ, ପ୍ରତିକ୍ରିୟାଶୀଳ ଏବଂ ନାଗରିକ-ପ୍ରଥମ ହୋଇଥିବା ନୂତନ ଦୃଷ୍ଟାନ୍ତ ଉପରେ ଆଲୋକପାତ କରିଥିଲା । ଜାତୀୟ ସମ୍ମିଳନୀର ପ୍ରଥମ ଅଧିବେଶନରେ ଜିଲ୍ଲାଗୁଡ଼ିକର ସାମଗ୍ରିକ ବିକାଶ ବିଷୟବସ୍ତୁ ଅଧୀନରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପୁରସ୍କାର ପ୍ରାପ୍ତ କାର୍ଯ୍ୟକ୍ରମ ୨୦୨୪ ଉପରେ ଧ୍ୟାନ ଦିଆଯାଇଥିଲା । ଡିଏଆରପିଜିର ଅତିରିକ୍ତ ସଚିବ ପୁନିତ ଯାଦବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଅଧିବେଶନରେ ଆଦର୍ଶ ଜିଲ୍ଲାସ୍ତରୀୟ ସୁଶାସନ ମଡେଲ ପ୍ରଦର୍ଶିତ ହୋଇଥିଲା । ସମ୍ମିଳନୀର ଦ୍ୱିତୀୟ ଅଧିବେଶନର ବିଷୟବସ୍ତୁ ଆକାଂକ୍ଷୀ ବ୍ଲକ କାର୍ଯ୍ୟକ୍ରମ ଅଧୀନରେ ପ୍ରଧାନମନ୍ତ୍ରୀଙ୍କ ପୁରସ୍କୃତ ପଦକ୍ଷେପ ୨୦୨୪ ଉପରେ ଆଧାରିତ ଥିଲା। ଏହି ଅଧିବେଶନରେ ଅଧ୍ୟକ୍ଷତା କରିଥିଲେ ଡିଏଆରପିଜିର ଯୁଗ୍ମ ସଚିବ ସରିତା ଚୌହାନ । ଏଥିରେ ଆକାଂକ୍ଷୀ ବ୍ଲକଗୁଡ଼ିକରେ ଯୁଗାନ୍ତକାରୀ ପରିବର୍ତ୍ତନକୁ ଆଗେଇ ନେଉଥିବା ଜିଲ୍ଲାସ୍ତରୀୟ ନେତୃବର୍ଗଙ୍କ ଦ୍ୱାରା ପ୍ରଭାବଶାଳୀ ଉପସ୍ଥାପନା କରାଯାଇଥିଲା । ଜାତୀୟ ସମ୍ମିଳନୀର ତୃତୀୟ ଅଧିବେଶନରେ ବିଭିନ୍ନ ବର୍ଗରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପୁରସ୍କାର ପ୍ରାପ୍ତ କାର୍ଯ୍ୟକ୍ରମ ୨୦୨୩/୨୦୨୪ ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ଏଥିରେ ଆଇଆଇପିଏର ମହାନିର୍ଦ୍ଦେଶକ ଡକ୍ଟର ଏସ.ଏନ ତ୍ରିପାଠୀ ଅଧ୍ୟକ୍ଷତା କରିଥିଲେ । ଏହି ବିଭିନ୍ନ କ୍ଷେତ୍ରରେ ଅଭିନବ ପ୍ରଶାସନିକ ସମାଧାନ ଉପରେ ବିଭିନ୍ନ ପ୍ରସଙ୍ଗ ଉପସ୍ଥାପନା କରାଯାଇଥିଲା । ଜାତୀୟ ସମ୍ମିଳନୀର ଦ୍ୱିତୀୟ ଦିନ ତଥା ଚତୁର୍ଥ ଅଧିବେଶନରେ ରାଜ୍ୟ ଏବଂ ଜିଲ୍ଲାସ୍ତରରେ ଅଭିନବ ବର୍ଗରେ ପ୍ରଧାନମନ୍ତ୍ରୀଙ୍କ ପୁରସ୍କାରପ୍ରାପ୍ତ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରାଯାଇଥିଲା । ଏହି ଅଧିବେଶନରେ ଓଡ଼ିଶା ସରକାରଙ୍କ ପ୍ରମୁଖ ସଚିବ ଏନବିଏସ ରାଜପୁତ ଅଧ୍ୟକ୍ଷତା କରିଥିଲେ । ବିଭିନ୍ନ କ୍ଷେତ୍ରରେ ପ୍ରଭାବଶାଳୀ ପରିବର୍ତ୍ତନ ଆଣିଥିବା ଅଗ୍ରଣୀ କାର୍ଯ୍ୟକ୍ରମଗୁଡ଼ିକ ଉପରେ ଏହି ଅଧିବେଶନରେ ଆଲୋଚନା କରାଯାଇଥିଲା । ଜାତୀୟ ସମ୍ମିଳନୀର ଶେଷ ବୈଷୟିକ ଅଧିବେଶନରେ ପ୍ରଯୁକ୍ତ ଆଧାରିତ ଏବଂ ସାମାଜିକ ସ୍ତରରେ ପ୍ରଭାବୀ ପ୍ରଶାସନ ଉପରେ ଧ୍ୟାନ ଦିଆଯାଇ ଓଡ଼ିଶା ସରକାରଙ୍କ ଅଭିନବ କାର୍ୟ୍ୟକ୍ରମଗୁଡ଼ିକ ପ୍ରଦର୍ଶନ କରାଯାଇଥିଲା । ଦୁଇ ଦିନିଆ ଜାତୀୟ ସମ୍ମିଳନୀର ଉଦଯାପନୀ ଅଧିବେଶନ ବେଶ ବିଚାରପୂର୍ଣ୍ଣ ଏବଂ ପ୍ରେରଣାଦାୟୀ ଥିଲା । ଡିଏଆରପିଜିର ଅତିରିକ୍ତ ସଚିବ ପୁନୀତ ଯାଦବ ଏହି ସମ୍ମିଳନୀର ଗୁରୁତ୍ୱପୂର୍ଣ୍ଣ ଆଲୋଚନାର ସାରାଂଶ ଉପସ୍ଥାପନ କରିଥିଲେ । ସେ ପ୍ରଶାସନ କ୍ଷେତ୍ରରେ ଅଭିନବ କାର୍ଯ୍ୟକ୍ରମ, ସହଯୋଗ ଏବଂ ନାଗରିକ କୈନ୍ଦ୍ରିକ ଆଭିମୁଖ୍ୟର ଉପରେ ଗୁରୁତ୍ୱାରୋପ କରିଥିଲେ । ଓଡ଼ିଶା ସରକାରଙ୍କ ଅତିରିକ୍ତ ମୁଖ୍ୟ ସଚିବ ଶ୍ରୀ ସୁରେନ୍ଦ୍ର କୁମାର ରାଜ୍ୟର ପ୍ରଶାସନିକ ସଂସ୍କାର ଉପରେ ବିଚାର ବ୍ୟକ୍ତ କରିବା ସହିତ ଏଭଳି ଏକ ଜାତୀୟ ମଞ୍ଚର ସହ-ଆୟୋଜନ ଲାଗି ସୁଯୋଗ ମିଳିଥିବାରୁ କୃତଜ୍ଞତା ବ୍ୟକ୍ତ କରିଥିଲେ । ସୁଶାସନ ଅଭ୍ୟାସ ଉପରେ ଏହି ଦୁଇ ଦିନିଆ ଜାତୀୟ ସମ୍ମିଳନୀ ଜ୍ଞାନ ବିନିମୟ, ସହଭାଗୀ ଶିକ୍ଷା ଏବଂ ସାରା ଭାରତରୁ ଦୃଷ୍ଟାନ୍ତମୂଳକ ଜନସେବା କାର୍ଯ୍ୟକ୍ରମକୁ ସ୍ୱୀକୃତି ଦେବା ପାଇଁ ଏକ ପ୍ରଭାବଶାଳୀ ମଞ୍ଚ ଭାବରେ କାର୍ଯ୍ୟ କରିଥିଲା । ଅଭିନବ ପଦକ୍ଷେପ, ସମାବେଶନ ଏବଂ ରୂପାନ୍ତରଣକାରୀ ପ୍ରଶାସନ ଉପରେ ବିଶେଷ ଗୁରୁତ୍ୱ ପ୍ରଦାନ କରି ଏହି ଦୁଇଦିନିଆ କାର୍ଯ୍ୟକ୍ରମରେ ଏକ ସ୍ୱଚ୍ଛ, ଦକ୍ଷ ଏବଂ ନାଗରିକ-ପ୍ରଥମ ପ୍ରଶାସନ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସାମୂହିକ ସଂକଳ୍ପକୁ ଦୋହରାଇଥିଲା ।