
- ଭାଗବତ ଓଡ଼ିଆ ଜାତିର ଜୀବନ ବେଦ
- ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ଓ ସମାଜର ମୂଳ ଆଧାର ହେଉଛି ଜଗନ୍ନାଥ ଦାସଙ୍କ ଭାଗବତ
ଭୁବନେଶ୍ୱର : ଅତିବଡ଼ୀ ଜଗନ୍ନାଥ ଦାସଙ୍କ ଓଡ଼ିଆ ଭାଗବତ ହେଉଛି ଓଡ଼ିଆ ଅସ୍ମିତାର ଅନନ୍ୟ ପରିଚୟ । ସଂସ୍କୃତ ଭାଷାର ଅନୁସୃଜନ ହୋଇଥିଲେ ସୁଦ୍ଧା ଏହା ମୂଳ ଭାଗବତଠାରୁ ଅଧିକ ଲୋକପ୍ରିୟ । ଭାଗବତ ଓଡ଼ିଆ ଜାତିର ଜୀବନ ବେଦ କହିଲେ ଅତ୍ୟୁକ୍ତି ହେବ ନାହିଁ । ଏହି ଅନବଦ୍ୟ କୃତି ଓଡ଼ିଆ ଭାଷା ସାହିତ୍ୟ, ସଂସ୍କୃତି ଓ ସମାଜର ମୂଳ ଆଧାର । ଜୀବନ, ମୃତ୍ୟୁ, ମୋକ୍ଷ, ମୁକ୍ତି, ବିଚାର, ଦ୍ୱନ୍ଦ୍ୱ, ଚଳଣି, ପରମ୍ପରା ଓ ସଂସ୍କୃତି ସମ୍ବନ୍ଧିତ ନାନାବିଧ ପ୍ରଶ୍ନର ସହଜ ଉତ୍ତର ଦେଇଥାଏ ଭାଗବତ । ଭାଗବତ ପଠନ ଓ ଭାଗବତ ଟୁଙ୍ଗୀ ପରମ୍ପରା ଓଡ଼ିଆ ସଂସ୍କୃତିକୁ ଦେଇଛି ଭିନ୍ନ ପରିଚୟ । ସ୍ଥାନୀୟ ସଂସ୍କୃତି ଭବନ ସଭାଗୃହରେ କେନ୍ଦ୍ର ସାହିତ୍ୟ ଏକାଡେମୀ ଏବଂ ଓଡ଼ିଶା ସାହିତ୍ୟ ଏକାଡେମୀର ମିଳିତ ଆନୁକୂଲ୍ୟରେ ଆୟୋଜିତ ଅତିବଡ଼ୀ ଜଗନ୍ନାଥ ଦାସ ଜାତୀୟ ଆଲୋଚନାଚକ୍ରରେ ଏଭଳି ମତ ପ୍ରକାଶ କରିଛନ୍ତି ଅତିଥି ଏବଂ ଆଲୋଚକ ବୃନ୍ଦ । ପଦ୍ମଶ୍ରୀ ଡକ୍ଟର ଅନ୍ତର୍ଯ୍ୟାମୀ ମିଶ୍ର ଏହାକୁ ଉଦଘାଟନ କରିବା ପୂର୍ବକ ଜଗନ୍ନାଥ ଦାସଙ୍କ ଓଡ଼ିଆ ଭାଗବତ ଏବଂ ଓଡ଼ିଆ ସଂସ୍କୃତିର ମହତ୍ତ୍ୱ ସଂପର୍କରେ ଆଲୋକପାତ କରିଥିଲେ । ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ସାହିତ୍ୟ ଏକାଡେମୀର ସଚିବ ଡକ୍ଟର କେ. ଶ୍ରୀନିବାସରା ଓ ସେ ଅତିବଡ଼ୀ ଜଗନ୍ନାଥ ଦାସଙ୍କ ବହୁବିଧ କୃତି ଏବଂ ବୈଶିଷ୍ଟ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଉଦଘାଟନୀ ଅଧିବେଶନରେ ସଭାପତିତ୍ୱ କରିଥିଲେ କେନ୍ଦ୍ର ସାହିତ୍ୟ ଏକାଡେମୀର ଓଡ଼ିଆ ଉପଦେଷ୍ଟା ପରିଷଦର ଆବାହକ ଡକ୍ଟର ଗୌରହରି ଦାସ । ସେ କହିଥିଲେ ଓଡ଼ିଆ ଜନଜୀବନ ଏବଂ ଭାଗବତ ଓତପ୍ରୋତ ଭାବେ ଜଡ଼ିତ । ମଣିଷ ମନର ସବୁ ପ୍ରକାର ପ୍ରଶ୍ନର ଉତ୍ତର ତହିଁରେ ଭରି ରହିଛି । ଏଥିସହିତ ସେ ଭାଗବତର କେତେକ ଧାଡିର ଲୋକପ୍ରିୟତା ଏବଂ ବହୁଳ ବ୍ୟବହାର ସମ୍ପର୍କରେ ସୂଚନା ଦେଇଥିଲେ । ମୂଳ ଭାଷଣ ପ୍ରଦାନ କରିଥିଲେ ବିଶିଷ୍ଟ ସମାଲୋଚକ ଡକ୍ଟର ପ୍ରଦୀପ୍ତ କୁମାର ପଣ୍ଡା । ସେ ପଞ୍ଚସଖା ଯୁଗର ସାହିତ୍ୟର ବୈଶିଷ୍ଟ୍ୟ, ଓଡ଼ିଆ ଭାଗବତର ମୌଳିକତା ଓ ପ୍ରଭାବ ଆଦି ଗୁରୁତ୍ୱପୂର୍ଣ୍ଣ ଦିଗର ବର୍ଣ୍ଣନା କରିଥିଲେ । ଓଡ଼ିଶା ସାହିତ୍ୟ ଏକାଡେମୀର ସହ ସଚିବ ସଂଜୟ କୁମାର ଛୁଆଳସିଂହ ଧନ୍ୟବାଦ ଅର୍ପଣ କରିଥିଲେ ଏବଂ ସଭା ସଂଯୋଜନା କରିଥିଲେ ସାହିତ୍ୟ ଏକାଡେମୀ କୋଲକାତା କାର୍ଯ୍ୟାଳୟର ଭାରପ୍ରାପ୍ତ ଅଧିକାରୀ କ୍ଷେତ୍ରବାସୀ ନାଏକ । ଆଲୋଚନା ଚକ୍ରର ପ୍ରଥମ ଅଧିବେଶନରେ ସଭାପତିତ୍ୱ କରିଥିଲେ ଉତ୍ତର ଓଡିଶା ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ଡକ୍ଟର ପ୍ରଫୁଲ୍ଲ କୁମାର ମିଶ୍ର । ଏହି ଅଧିବେଶନରେ ବିଶିଷ୍ଟ ସାହିତ୍ୟିକ ଦାଶ ବେନହୁର ଭାଗବତ ଓ ଓଡ଼ିଆ ଜୀବନ ସମ୍ପର୍କରେ ଆଲୋଚନା କରିଥିବା ବେଳେ ଡକ୍ଟର ଜୟନ୍ତୀ ରଥ ଓଡ଼ିଆ ସାହିତ୍ୟରେ ଭାଗବତର ପ୍ରଭାବ ବିଷୟରେ ଆଲୋକପାତ କରିଥିଲେ । ଡକ୍ଟର ଶାନ୍ତନୁ କୁମାର ରଥ ଉତ୍କଳୀୟ ଜନତାଙ୍କ ଜୀବନ ବେଦ-ଓଡ଼ିଆ ଭାଗବତ ଶୀର୍ଷକରେ ପ୍ରବନ୍ଧ ଉପସ୍ଥାପନ କରିଥିଲେ । ସଭାମୁଖ୍ୟ ଡକ୍ଟର ମିଶ୍ର ଓଡ଼ିଆ ଭାଗବତର ସମ୍ପୂର୍ଣ୍ଣ ରୂପେ ଅଧ୍ୟୟନ କରିବା ପୂର୍ବରୁ ସଂପୃକ୍ତ ପ୍ରକରଣ ଗୁଡ଼ିକର ଶିକ୍ଷା ଲାଭ କରିବା ଉଚିତ ବୋଲି କହିଥିଲେ । ଆଲୋଚନାଚକ୍ରର ଦ୍ୱିତୀୟ ଅଧିବେଶନରେ ଅଧ୍ୟକ୍ଷତା କରିଥିଲେ ପ୍ରଫେସର ଯତୀନ୍ଦ୍ର କୁମାର ନାୟକ । ସେ କହିଥିଲେ ସେ ଜଗନ୍ନାଥ ଦାସଙ୍କ ଭାଗବତ ହେଉଛି ସଂସ୍କୃତ ଭାଗବତର ବିସ୍ମୟକର ଅନୁସୃଜନ । ଏହା ମୂଳ ଭାଗବତକୁ ଅତିକ୍ରମ କରିବାରେ ସଫଳ ହୋଇଛି । ଆଲୋଚକ ଡକ୍ଟର କଳ୍ପତରୁ ନାୟକ ଜଗନ୍ନାଥ ଦାସଙ୍କ ଓଡ଼ିଆ ଭାଗବତର ଭାଷା ତତ୍ତ୍ୱ ବିଷୟରେ ପ୍ରବନ୍ଧ ଉପସ୍ଥାପନ କରିଥିଲେ । ବିଶିଷ୍ଟ ଗବେଷକ ପୀତବାସ ରାଉତରାୟ କହିଥିଲେ ଯେ ଭାଗବତ ଓଡ଼ିଶାର ସାଂସ୍କୃତିକ ଚେତନାକୁ ଋଦ୍ଧିମନ୍ତ କରିଛି । ଏହା ସର୍ବଜନାଦୃତ ଏବଂ ସବୁଠୁ ଅଧିକ ବିକ୍ରି ହେଉଥିବା ଅମୂଲ୍ୟ କୃତି । ଡକ୍ଟର ସଂଗ୍ରାମ ଜେନା କହିଥିଲେ ଯେ ଜଗନ୍ନାଥ ଦାସଙ୍କ ଭାଗବତ ଓଡ଼ିଆ ଜନ ଜୀବନର ଆଧ୍ୟାତ୍ମିକ ଓ ସାମାଜିକ ନୀତି ଆଦର୍ଶ ତଥା ଜାତୀୟ ଚରିତ୍ରର ନିର୍ମାତା । ଆଲୋଚନାଚକ୍ରରେ ବହୁ ସାହିତ୍ୟିକ, ଗବେଷକ ଏବଂ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ଆସନ୍ତାକାଲି ଆଲୋଚନାଚକ୍ରର ଦ୍ୱିତୀୟ ଦିବସରେ ହେବାକୁ ଥିବା ଦୁଇଟି ଅଧିବେଶନରେ ଗବେଷକମାନେ ଯୋଗଦେଇ ଜଗନ୍ନାଥ ଦାସଙ୍କ କୃତିର ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରିବେ ।