ଓମ୍ବାଡସି ସହାୟତାରେ ଟିଟିଆଇ, ତକତପୁରର ଆଧୁନିକୀକରଣ
ବୈଷୟିକ ଶିକ୍ଷା ଓ ତାଲିମ ନେଇ ଦେଶ ବିଦେଶର ଶିଳ୍ପ ସଂସ୍ଥା ପାଇଁ ପ୍ରସ୍ତୁତ ହେଉଛନ୍ତି ଯୁବପିଢ଼ି
• ଅତ୍ୟାଧୁନିକ ୱେଲ୍ଡିଂରେ ଉତ୍କର୍ଷ କେନ୍ଦ୍ର
• ରୋବୋଟିକ୍ ଏବଂ ଭର୍ଚୁଆଲ ୱେଲ୍ଡିଂ ସିମୁଲେଟର୍ସ ବ୍ୟବସ୍ଥା
• ଅତ୍ୟାଧୁନିକ ସିଏନସି ମିଲିଂ ଓ ଟର୍ଣ୍ଣିଂ ଲ୍ୟାବ୍
• ଛାତ୍ରଛାତ୍ରୀଙ୍କ ପାଇଁ ହ୍ୟାଣ୍ଡ୍ସ-ଅନ୍-ପ୍ରାକ୍ଟିସ୍ ସୁବିଧା
ବାରିପଦା, (ଦେବସ୍ମିତ ଚୌଧୁରୀ) : ଦେଶ ବିଦେଶର ପ୍ରମୁଖ ଶିଳ୍ପ ସଂସ୍ଥା ପାଇଁ ଦକ୍ଷ ମାନବ ସମ୍ବଳର ଆବଶ୍ୟକତା ରହିଛି । ଏଥିପାଇଁ ଓଡ଼ିଶାର ଯୁବପିଢ଼ିଙ୍କୁ ପ୍ରସ୍ତୁତ କରିବା ଲାଗି ବିଭିନ୍ନ ଆଇଟିଆଇ ଏବଂ ପଲିଟେକନିକ୍ କଲେଜର ଆଧୁନିକୀକରଣ ଓ ଭିତ୍ତିଭୂମି ସଦୃଢ଼ ଉପରେ ବିଶେଷ ଗୁରୁତ୍ୱ ଦେଉଛନ୍ତି ରାଜ୍ୟ ସରକାର । ଓମ୍ବାଡସି ପାଣ୍ଠି ସହାୟତାରେ ବାରିପଦାସ୍ଥିତ ବୈଷୟିକ ତାଲିମ ଅନୁଷ୍ଠାନ (ଟିଟିଆଇ) ନୂଆ ରୂପ ପାଇବା ଫଳରେ ଛାତ୍ରଛାତ୍ରୀମାନେ ନିଜ କ୍ୟାରିୟରକୁ ନୂଆ ଉଡ଼ାଣ ଦେଇ ପାରୁଛନ୍ତି । ଓଡ଼ିଶାର ଏକ ପ୍ରମୁଖ ଆଦିବାସୀ ବହୁଳ ଜିଲ୍ଲା ହେଉଛି ମୟୂରଭଞ୍ଜ । ଛାତ୍ରଛାତ୍ରୀଙ୍କୁ ବୈଷୟିକ ଶିକ୍ଷା ଓ ତାଲିମ ଦେଇ ସେମାନଙ୍କ ଦକ୍ଷତା ବିକାଶ କରିବା ଲକ୍ଷ୍ୟରେ ୧୯୫୭ରେ ବାରିପଦାର ତକତପୁରଠାରେ ଟିଟିଆଇ ସ୍ଥାପନ କରାଯାଇଥିଲା । ଓଡ଼ିଶାର ଏହି ପୁରାତନ ଶିକ୍ଷା ଓ ତାଲିମ ଅନୁଷ୍ଠାନରେ ବର୍ତ୍ତମାନ ୧୬ଟି ଟ୍ରେଡରେ ପାଠ୍ୟକ୍ରମ ରହିଛି । ଫଳରେ ମୟୂରଭଞ୍ଜ ସହିତ ରାଜ୍ୟର ବିଭିନ୍ନ ଜିଲ୍ଲାର ଛାତ୍ରଛାତ୍ରୀମାନେ ଏହି କେନ୍ଦ୍ରକୁ ଆସି ତାଲିମ ନେବା ପାଇଁ ଆଗ୍ରହ ଦେଖାଉଛନ୍ତି । ଆସନ୍ତାକାଲିର ଶିଳ୍ପ ଓ ବଜାର ଚାହିଦାକୁ ଦୃଷ୍ଟିରେ ରଖି ଟିଟିଆଇ ପରିସରରେ ଓମ୍ବାଡସି ସହାୟତାରେ ଅତ୍ୟାଧୁନିକ ୱେଲ୍ଡିଂରେ ଉତ୍କର୍ଷ କେନ୍ଦ୍ର ସ୍ଥାପନ କରାଯାଇଛି । ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ ଏଠାରେ ଏମଆଇଜି ଓ ଟିଆଇଜି ଭଳି ୱେଲ୍ଡିଂ ଉପକରଣ ସହିତ ରୋବୋଟିକ୍ ଏବଂ ଭର୍ଚୁଆଲ ୱେଲ୍ଡିଂ ସିମୁଲେଟର୍ସ ଆଦି ରହିଛି । ଛାତ୍ରଛାତ୍ରୀମାନେ ନିଜ ହାତରେ ଏହି ଅତ୍ୟାଧୁନିକ ୱେଲ୍ଡିଂ ଉପକରଣ ବ୍ୟବହାର କରିବା ଫଳରେ ସେମାନଙ୍କ ଦକ୍ଷତା ଆଉ ଏକ ନୂଆ ଉଚ୍ଚତାକୁ ଯାଇ ପାରିବ । ସେହିପରି ଟିଟିଆଇ ପରିସରରେ ଅତ୍ୟାଧୁନିକ ସିଏନସି ମିଲିଂ ଏବଂ ଟର୍ଣ୍ଣିଂ ଲ୍ୟାବ୍ ସ୍ଥାପନ କରାଯାଇଛି । ଦେଶ ବିଦେଶର ପ୍ରମୁଖ ଶିଳ୍ପ ସଂସ୍ଥାରେ ବ୍ୟବହୃତ ମେସିନ ଏଠାରେ ଥିବାରୁ ଛାତ୍ରଛାତ୍ରୀମାନେ ହ୍ୟାଣ୍ଡ୍ସ-ଅନ୍-ପ୍ରାକ୍ଟିସର ସୁବିଧା ପାଇପାରୁଛନ୍ତି । ‘ସ୍କିଲ୍ଡ ଇନ୍ ଓଡ଼ିଶା କାର୍ଯ୍ୟକ୍ରମ ଅଧୀନରେ ଯୁବପିଢ଼ିଙ୍କ ଦକ୍ଷତାକୁ ଶାଣିତ କରିବା ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଛି । ଏଥିପାଇଁ ଓମ୍ବାଡସି ସହାୟତାରେ ଟିଟିଆଇରେ ଯେଉଁ ଅତ୍ୟାଧୁନିକ ବ୍ୟବସ୍ଥା କରାଯାଇଛି ତା’ ଦ୍ୱାରା ଛାତ୍ରଛାତ୍ରୀମାନେ ବିଶେଷ ଉପକୃତ ହେଉଛନ୍ତି । ରୋବୋଟିକ୍ ଓ ଭର୍ଚୁଆଲ ୱେଲ୍ଡିଂ ସିମୁଲେଟର୍ସ ସହିତ ସିଏନସି ଲ୍ୟାବ୍ ହେବା ଫଳରେ ଛାତ୍ରଛାତ୍ରୀମାନେ ଶିଳ୍ପ ଉପଯୋଗୀ ତାଲିମ ପାଇପାରୁଛନ୍ତି । ଏହା ସେମାନଙ୍କ କ୍ୟାରିୟରକୁ ଆଗକୁ ନେବାରେ ସହାୟକ ହେଉଛି,’’ କହିଛନ୍ତି ଟିଟିଆଇର ଅଧ୍ୟକ୍ଷ କନ୍ଦନ ମାଝୀ । ଏହି ଅତ୍ୟାଧୁନିକ ଲାବୋରେଟୋରିରେ ଛାତ୍ରଛାତ୍ରୀମାନଙ୍କୁ ପ୍ରଶିକ୍ଷଣ ଦେବା ପାଇଁ ଦକ୍ଷ ପ୍ରଶିକ୍ଷକମାନଙ୍କୁ ନିୟୋଜିତ କରାଯାଇଛି । ସେମାନଙ୍କୁ ‘ଟ୍ରେନିଂ ଅଫ୍ ଟ୍ରେନର’ କାର୍ଯ୍ୟକ୍ରମ ଜରିଆରେ ତାଲିମ ଦିଆଯାଇ ସେମାନଙ୍କ ଦକ୍ଷତା ବିକାଶ କରାଯାଉଛି । ସେହିପରି ଏହି ଲ୍ୟାବରେ ସ୍ୱଳ୍ପକାଳୀନ ତାଲିମ ପାଠ୍ୟକ୍ରମ ଦିଆଯାଉଛି । ବିଭିନ୍ନ ବ୍ୟାଚରେ ତାଲିମ ନେଇ ଛାତ୍ରଛାତ୍ରୀମାନେ ବିଭିନ୍ନ କମ୍ପାନିରେ ନିଯୁକ୍ତି ପାଉଛନ୍ତି । ବର୍ତ୍ତମାନ ସାରା ବିଶ୍ୱରେ ଅକ୍ଷୟ ଶକ୍ତି ବ୍ୟବହାର ଉପରେ ଗୁରୁତ୍ୱ ଦିଆଯାଉଛି। ଓମ୍ବାଡସି ସହାୟତାରେ ଟିଟିଆଇରେ ୫୦ କିଲୋୱାଟ୍ ବିଶିଷ୍ଟ ‘ରୁଫ୍ ଟପ୍ ଅନ୍ ଗ୍ରୀଡ୍ ସୋଲାର’ ବ୍ୟବସ୍ଥା କରାଯାଇଛି । ଶକ୍ତି ସଞ୍ଚୟ ଦିଗରେ ଏହା ପ୍ରମୁଖ ଭୂମିକା ଗ୍ରହଣ କରୁଛି ।। ଓମ୍ବାଡସି ସହାୟତାରେ ଟିଟିଆଇ ପରିସରରେ ଏହି ଅତ୍ୟାଧୁନିକ ବ୍ୟବସ୍ଥା ହେବା ଫଳରେ ଆଦିବାସୀ ବହୁଳ ମୟୂରଭଞ୍ଜ ଜିଲ୍ଲାରୁ ଦକ୍ଷ ଯୁବ ମାନବସମ୍ବଳ ସୃଷ୍ଟି କରିବାକୁ ଲକ୍ଷ୍ୟ ରହିଛି । ଏଠାରୁ ତାଲିମ ନେଇ ଯୁବପିଢ଼ି ବିଭିନ୍ନ ଖଣି ଓ ଶିଳ୍ପ ସଂସ୍ଥାରେ ନିଯୁକ୍ତି ସୁଯୋଗ ପାଉଛନ୍ତି । ଫଳରେ ଆଗାମୀ ଦିନରେ ସ୍ଥାନୀୟ ଅଞ୍ଚଳର ଅର୍ଥନୈତିକ ବିକାଶରେ ଏହି କାର୍ଯ୍ୟକ୍ରମ ବିଶେଷ ସହାୟକ ହୋଇପାରିବ ।