ଏବେ ବି ଐତିହ୍ୟ ବେରବୋଇର ଗାନ୍ଧୀ ପୀଠ ଅବହେଳିତ : ପ୍ରଶାସନର ଦୃଷ୍ଟି ନାହିଁ
ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : କାଳ ଭଳି ଏ ସମାଜକୁ ଗ୍ରାସ କରୁଥିବା ନିଶା ଓ ହିଂସା କବଳରୁ ସମାଜକୁ ମୁକ୍ତ କରି ନିଶାମୁକ୍ତ ସୁସ୍ଥ ସମାଜ ଗଠନ ହୋଇପାରିଲେ ଗାନ୍ଧୀଜୀଙ୍କ ନିଶା ଓ ହିଂସା ମୁକ୍ତ ସମାଜ ଗଠନର ସ୍ଵପ୍ନ ଚରିତାର୍ଥ ହୋଇପାରିବ ଏବଂ ତାହା ହିଁ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ବୋଲି ଡେଲାଙ୍ଗ-ବ୍ଲକ୍ ବେରବୋଇର ଐତିହ୍ୟ ଗାନ୍ଧୀପୀଠ ପରିସରରେ ଆୟୋଜିତ ସର୍ବଧର୍ମ ପ୍ରାର୍ଥନା ସଭା, ଆଲୋଚନା ଚକ୍ର, ସତ୍ୟାଗ୍ରହ ସଭାରେ ଗାନ୍ଧୀ ଚିନ୍ତକ, ସମାଜସେବୀ, ସମାଜର ବଳିଷ୍ଠ ବ୍ୟକ୍ତିତ୍ୱବୃନ୍ଦ ବ୍ୟକ୍ତ କରିଛନ୍ତି । ଆଜି ଦେଶବ୍ୟାପୀ ଗାନ୍ଧିଜୀଙ୍କ ତିରୋଧାନ ଦିବସରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବାବେଳେ ବେରବୋଇ ଗାନ୍ଧୀ ସ୍ମୃତି କମିଟି ତରଫରୁ ଗାନ୍ଧୀପୀଠ ପରିସରରେ ଭିନ୍ନ ଭିନ୍ନ ସାମାଜିକ ଦୃଷ୍ଟି ସ୍ଵରୂପ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରାତଃରୁ କମିଟି ତରଫରୁ ଗାନ୍ଧୀପୀଠ ପରିସରରେ ସଫେଇ କାର୍ଯ୍ୟକ୍ରମ କରାଯାଇଥିଲା । କସ୍ତୁରବା କେନ୍ଦ୍ର ସଞ୍ଚାଳିକା କବିତା ରାଣୀ ପରିଡ଼ାଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ବାଲବାଡି କେନ୍ଦ୍ରର କୁନି କୁନି ଶିଶୁ ଓ ଗାନ୍ଧୀ କମିଟିର ସଭ୍ୟମାନେ ରାମଧୂନ ଗାନକରି ପବିତ୍ର ବ୍ରହ୍ମେଶ୍ୱରଙ୍କ ପୁଷ୍କରିଣୀରେ ଗାନ୍ଧୀଙ୍କ ଉଦ୍ଦେଶ୍ୟରେ ତିଳ ତର୍ପଣ କରିଥିଲେ । ତତ୍ପରେ ଗାନ୍ଧୀଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରାଯାଇ ସର୍ବଧର୍ମ ପ୍ରାର୍ଥନା ସଭା ଅନୁଷ୍ଠିତ ହୋଇଥିଲା । ସ୍ଵଚ୍ଛତା, ତିଳ ତର୍ପଣ ଓ ସର୍ବଧର୍ମ ପ୍ରାର୍ଥନା ସଭାରେ ଗାନ୍ଧୀ ସ୍ମୃତି କମିଟିର ସଭାପତି ତଥା ଶିକ୍ଷାବିତ୍ କୁନ୍ତଳା ବିଶ୍ୱାଳ, ସମ୍ପାଦକ ଚନ୍ଦ୍ରଶେଖର ବିଶ୍ୱାଳ, ପ୍ରାକ୍ତନ ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷା ସୁଶ୍ରୀ ସନ୍ଧ୍ୟାବତୀ ପ୍ରଧାନ, କମିଟିର ଉପ ସଭାପତି ସନ୍ତୋଷ ବିଶ୍ୱାଳ,ସହ ସମ୍ପାଦକ ସର୍ବେଶ୍ୱର ବରେଇ, ସାଂସ୍କୃତିକ ସମ୍ପାଦକ ଅମରେନ୍ଦ୍ର ବାରିକ, ସାଙ୍ଗଠନିକ ସମ୍ପାଦକ ତଥା ଗାନ୍ଧୀତତ୍ତ୍ଵ ପ୍ରଚାରକ ଅନାମ ମଲ୍ଲିକ, କୋଷାଧ୍ୟକ୍ଷ ତଥା ସମାଜସେବୀ ଭାଗୀରଥି ପରିଡ଼ା, ବୁଦ୍ଧିଜୀବୀ ଦେବେନ୍ଦ୍ର ବେହେରା, ସୁରେଶ ମନ୍ତ୍ରୀ, ସଭ୍ୟ ଶିକ୍ଷକ ଅଭୟ ଚରଣ ସାହୁ, କ୍ଷେତ୍ରବାସୀ ଆଳୁକ, ସେବିକା ସବିତା ପଟ୍ଟନାୟକ, ଗାନ୍ଧୀ ପ୍ରେମୀ ଦିବାକର ଷଡ଼ଙ୍ଗୀ ପ୍ରମୁଖ ଯୋଗଦାନ ପୂର୍ବକ ଗାନ୍ଧୀଙ୍କ ସ୍ମୃତିକୁ ସ୍ମରଣ କରି ଗଭୀର ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ଯେଉଁ ବେରବୋଇର ପବିତ୍ର ମାଟିରେ ୧୯୩୮ ମସିହା ମାର୍ଚ୍ଚ ୨୫ରୁ ୩୧ ପର୍ଯ୍ୟନ୍ତ ଦୀର୍ଘ ସାତଦିନ ସସ୍ତ୍ରୀକ ରହି ଦେଶବାସୀଙ୍କୁ ପରାଧୀନତାରୁ ରକ୍ଷା ପାଇଁ ମୁକ୍ତି ମନ୍ତ୍ରରେ ଅଭିମନ୍ତ୍ରିତ କରିଥିଲେ, ସେହି ଗାନ୍ଧୀପୀଠରେ ଏକ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରାଯାଇ ପୀଠର ଉନ୍ନତିକରଣ ପାଇଁ ମାତ୍ର କିଛି କାର୍ଯ୍ୟ କରାଯାଇଥିଲେ ମଧ୍ୟ ଏବେ ବି ତାହା ଅନେକ ଅବହେଳିତ ଓ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିରହିବା ଗାନ୍ଧୀଙ୍କ ଚିନ୍ତା ଚେତନା ପ୍ରତି ଚରମ ଅବହେଳା ବୋଲି ଗାନ୍ଧୀ ପ୍ରେମୀମାନେ କ୍ଷୋଭର ସହ ପ୍ରକାଶ କରିଛନ୍ତି । ପୀଠ ପରିସରରେ ଦୀର୍ଘଦିନ ଧରି ନିର୍ମିତ ହୋଇଥିବା ଗାନ୍ଧିଜୀଙ୍କ ନୂତନ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇ ପାରିନାହିଁ । ଡେଲାଙ୍ଗ ଅଞ୍ଚଳରେ ନିଶାଚର ମଦ୍ୟପ, ବିଭିନ୍ନ ପ୍ରକାରର ନିଶାଶକ୍ତଙ୍କ କବଳରୁ ସାଧାରଣ ଜନତା ନିଜକୁ ସୁରକ୍ଷିତ ମଣୁ ନାହାନ୍ତି । ଏସବୁକୁ ଦୃଷ୍ଟିରେ ରଖି ପୂର୍ବାହ୍ନରେ ଗାନ୍ଧୀସ୍ମୃତି କମିଟି, କସ୍ତୁରବା କେନ୍ଦ୍ର ଓ ପ୍ରଜାପିତା ବ୍ରହ୍ମା କୁମାରୀଙ୍କ ସମ୍ମିଳୀତ ସହଯୋଗରେ ଅନୁଷ୍ଠିତ ସତ୍ୟାଗ୍ରହ ଓ ସଭାରେ କମିଟି ସଭାପତି କୁନ୍ତଳା ବିଶ୍ୱାଳଙ୍କ ଅଧ୍ୟକ୍ଷତା କରିଥିଲେ । ଏଥିରେ ବିଶିଷ୍ଟ ଶିଶୁ ସାହିତ୍ୟିକ ଡ଼କ୍ଟର ହେମନ୍ତ କୁମାର ଛୋଟରାୟ , ନାରୀନେତ୍ରୀ ସୁଶ୍ରୀ ସନ୍ଧ୍ୟାବତୀ ପ୍ରଧାନ, କୃଷକ ନେତା ଅଶୋକ ପ୍ରଧାନ, କିଷାନ୍ ପଟ୍ଟନାୟକ, ଡେଲାଙ୍ଗ-ବ୍ଲକ୍ ଅଧ୍ୟକ୍ଷା ବାସନ୍ତୀ ସାହୁ, ଉପାଧ୍ୟକ୍ଷ ଦୁର୍ବାସା ନିଶଙ୍କ, ନାରୀନେତ୍ରୀ ନିରୁପମା ପାତ୍ର, ଐତିହାସିକ ତଥା ଗବେଷକ ଭୀମସେନ ମହାପାତ୍ର, ନାଟ୍ୟକାର ସାହିତ୍ୟିକ ବିଭୂତି ଭୂଷଣ ପଟ୍ଟନାୟକ, ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ତ୍ରିପାଠୀ, ସାମ୍ବାଦିକ କବି ଦିଲ୍ଲୀପ ଧାଉଡିଆ ସମାଜସେବୀ ନଳିନୀ ପଟ୍ଟନାୟକ, ପ୍ରମୋଦ ପ୍ରଧାନ, ପବିତ୍ର ସାହୁ, ଆଇନଜୀବୀ ହୃଷୀକେଶ ପାଢ଼ୀ, ସମାଜସେବୀ ଗାନ୍ଧୀପ୍ରେମୀ ଅନାମ ମଲ୍ଲିକ ପ୍ରମୁଖ ଯୋଗଦେଇ ଡେଲାଙ୍ଗ ଅଞ୍ଚଳରୁ ସବୁ ପ୍ରକାର ନିଶାକୁ ହଟାଇବା ପାଇଁ ଯୋଜନାବଦ୍ଧ ଦୃଢ଼ ନିଷ୍ପତ୍ତି ଯୁକ୍ତ ପ୍ରସ୍ତାବ ଦେଇଥିଲେ । ନିଶା ହଟାଇବା ଓ ଗାନ୍ଧୀପୀଠର ଉନ୍ନତି କରଣ ଆଧାରିତ ଏକ ଦାବିପତ ଡେଲାଙ୍ଗ ଅତିରିକ୍ତ ତହସିଲଦାର ରାଜେନ୍ଦ୍ର ନାରାୟଣ ମହାରଣାଙ୍କୁ ସରକାରଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଥିଲା । ସମସ୍ତେ ଡେଲାଙ୍ଗ-ଥାନା ଅଧିକାରୀଙ୍କୁ ଭେଟି ନିଶା କବଳରୁ ଡେଲାଙ୍ଗ-ବ୍ଲକ୍କୁ ମୁକ୍ତ କରିବା ପାଇଁ ନିବେଦନ କରିଥିଲେ । ଏ ସମସ୍ତ ଘଟଣାକୁ ପୁରୀ ଜିଲ୍ଲାପାଳଙ୍କୁ ଜଣାଇ ପରିସର ଓ ପରିସ୍ଥିତିର ଆବଶ୍ୟକୀୟ ପରିବର୍ତ୍ତନ ପାଇଁ ପଦକ୍ଷେପ ନିଆଯିବ ବୋଲି ସମସ୍ତେ ଏକ ସ୍ଵରରେ କହିଥିଲେ । ଅସ୍ପୃଶ୍ୟତା ନିବାରଣ, ସ୍ଵଦେଶୀ ଚିନ୍ତାଧାରା, କୁଟୀର ଶିଳ୍ପ ଉପରେ ଅନେକ କଥା ଆଲୋଚନା କରାଯାଇଥିଲା । କାର୍ଯ୍ୟକ୍ରମଟି ସଫଳ ହୋଇଥିବାରୁ ଗାନ୍ଧୀ କମିଟି ତରଫରୁ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା ।