ନୂଆଦିଲ୍ଲୀ, (ପିଆଇବି) : ସନାତନ ସମ୍ପ୍ରଦାୟ, ପରମ୍ପରା ଓ ଅଭ୍ୟାସରେ ଆଖଡ଼ା ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଗ୍ରହଣ କରେ । ‘ଅଖଣ୍ଡ’ ଶବ୍ଦରୁ ସୃଷ୍ଟି ଏହି ବିଚାରଧାରା ପ୍ରଥମେ ଆଦିଗୁରୁ ଶ୍ରୀ ଶଙ୍କରାଚାର୍ଯ୍ୟଙ୍କ ପ୍ରଣୀତ ହୋଇଥିଲା । ତା’ପରେ ନିରନ୍ତର ଭାବେ ଏହା ସାଂଗଠନିକ ରୂପରେ ଆମ ସଂସ୍କୃତି, ଆଧ୍ୟାତ୍ମିକ ପରମ୍ପରାକୁ ନିରନ୍ତର ଭାବେ ସମାଜରେ ପ୍ରବାହିତ କରି ସାରା ବିଶ୍ୱରେ ସମାବେଶୀ ଓ ପ୍ରତିବଦ୍ଧ ସାମାଜିକ ନେତୃତ୍ୱର ଅନନ୍ୟ ନିଦର୍ଶନ ପାଲଟିଛି । ଯୁଗ ଯୁଗ ଧରି ମହାକୁମ୍ଭର ଆୟୋଜନରେ ତାଙ୍କର ସ୍ଥାନ ସର୍ବାଗ୍ରେ ରହି ଆସିଛି । ସାଧୁ ସନ୍ଥଙ୍କ ଶୃଙ୍ଖଳା ଓ ଦୂରଦୃଷ୍ଟିଦ୍ୱାରା ଆଖଡ଼ାଗୁଡ଼ିକ ସ୍ୱତନ୍ତ୍ର ମର୍ଯ୍ୟାଦା ସହ ଶ୍ରଦ୍ଧାଳୁଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ପ୍ରୟାଗରାଜର ମହାକୁମ୍ଭ ୨୦୨୫ରେ ଉପସ୍ଥିତ ୧୩ଟି ଆଖଡ଼ା ଭିତରେ ଶୈବ, ବୈଷ୍ଣବ ଓ ଉଦାସୀନ ସମ୍ପ୍ରଦାୟ ଉଲ୍ଲେଖନୀୟ । ସେମାନେ ଧାର୍ମିକ ମହତ୍ତ୍ୱ ସହ ଭକ୍ତି, ପୂଜା ଏବଂ ସାମୂହିକ ଜୀବନ ଉପରେ ଅନନ୍ୟ ଦୃଷ୍ଟିକୋଣକୁ ବ୍ୟାଖ୍ୟା କରନ୍ତି । ଶୈବ ଆଖଡ଼ାର ନେତୃତ୍ୱ ନିଅନ୍ତି ନାଗା ସନ୍ନ୍ୟାସୀ।ସେମାନେ ଭଗବାନ ଶିବଙ୍କୁ ପୂଜା କରନ୍ତି ଏବଂ ନିଜର ଆଧ୍ୟାତ୍ମିକ ଏବଂ ସାମରିକ ଦକ୍ଷତା ପାଇଁ ବେଶ୍ ଜଣାଶୁଣା । ପାରମ୍ପରିକ ଅସ୍ତ୍ରଶସ୍ତ୍ର ଯଥା ଭାଲା ଓ ଖଣ୍ଡା ଧରି ଥିବା ଏହି ନାଗା ସନ୍ନ୍ୟାସୀମାନେ କୁମ୍ଭମେଳାରେ ଭବ୍ୟ ଶୋଭାଯାତ୍ରା ଓ ରୀତିନୀତି ମଧ୍ୟମରେ ସାହି ସ୍ନାନର ମହତ୍ତ୍ୱକୁ ବଢ଼ାଇଥାଆନ୍ତି । ଏହି ବର୍ଗରେ ଜୁନା ଆଖଡ଼ାର ନାଗା ସନ୍ନ୍ୟାସୀମାନେ କୁମ୍ଭର ସବୁଠାରୁ ମାନ୍ୟ ଅଂଶଗ୍ରହଣକାରୀ ଭାବେ ଜଣାଯାଆନ୍ତି । କଠୋର ଅଭ୍ୟାସ ଏବଂ ଆତ୍ମରକ୍ଷା କୌଶଳରେ ପାରଦର୍ଶିତା ଲାଗି ତାଙ୍କର ସ୍ୱତନ୍ତ୍ର ଖ୍ୟାତି ରହିଛି । ଐତିହାସିକ ଦୃଷ୍ଟିରୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆଖଡ଼ା ହେଉଛି ଶ୍ରୀ ପଞ୍ଚଦଶନାମ ଆବାହନ ଆଖଡ଼ା, ଯାହା ୧୨୦୦ ବର୍ଷରୁ ଅଧିକ ସମୟ ଧରି କୁମ୍ଭମେଳାର ଅଂଶଗ୍ରହଣ କରିଆସୁଛି । ହନ୍ତ ଗୋପାଳ ଗିରିଙ୍କ ନେତୃତ୍ୱରେ ଏହି ଆଖଡ଼ା ଛଡ଼ି ଯାତ୍ରାର ପବିତ୍ର ପରମ୍ପରାକୁ ବଜାୟ ରଖିଛି । ଏହାର ନିରନ୍ତର ଉପସ୍ଥିତି ସନାତନ ଧର୍ମର ଆଧ୍ୟାତ୍ମିକ ଐତିହ୍ୟର ସଂରକ୍ଷଣରେ ଆଖଡ଼ାମାନଙ୍କର କାଳଜୟୀ ପ୍ରାସଙ୍ଗିକତାକୁ ସୂଚାଇଥାଏ । କୁମ୍ଭରେ ଶ୍ରୀ ପଞ୍ଚ ନିର୍ମୋହୀ ଆନି ଆଖଡ଼ା, ଶ୍ରୀ ପଞ୍ଚ ନିର୍ବାଣୀ ଆନି ଆଖଡ଼ା ଏବଂ ପଞ୍ଚ ଦିଗମ୍ବର ଅନି ଆଖଡ଼ା ସମେତ ବୈଷ୍ଣବ ଆଖଡ଼ାଙ୍କ ଭାଗିଦାରୀ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହି ଆଖଡ଼ାମାନେ ଭଗବାନ ବିଷ୍ଣୁଙ୍କ ପୂଜା କରିଥଆନ୍ତି । ଭଗବାନ ହନୁମାନଙ୍କ ପ୍ରତିମୂର୍ତ୍ତି ଥିବା ଧର୍ମ ଧ୍ୱଜ ଏହି ଆଖଡ଼ା ପକ୍ଷରୁ ଭକ୍ତଙ୍କୁ ପ୍ରଦାନ କରାଯାଇଥାଏ । ଏହା ଦିବ୍ୟ ସୁରକ୍ଷା ଏବଂ ଆଶୀର୍ବାଦର ପ୍ରତୀକ । ପ୍ରଥମଥର ପାଇଁ ପ୍ରୟାଗରାଜର ମହାକୁମ୍ଭରେ ସାମିଲ ମହିଳାଙ୍କ ଆଖଡ଼ା ଏଥର ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇଛି । ପ୍ରାୟ ୧୦୦୦ ମହିଳା ଏହି ଆଖଡ଼ାରେ ଯୋଗ ଦେଇଛନ୍ତି । ସଂସ୍କୃତରେ ପିଏଚ୍ଡି ପ୍ରାର୍ଥୀ ରାଧେନନ୍ଦ ଭାରତୀଙ୍କ ଭଳି ମହିଳାଙ୍କ ସମେତ ଅନେକ ବିଦ୍ୱତୀ ଏଥିରେ ଯୋଗ ଦେଇଛନ୍ତି । ଆଖଡ଼ାରେ ନାରୀମାନଙ୍କୁ ଅନ୍ତର୍ଭୁକ୍ତ କରି ଆଧ୍ୟାତ୍ମିକ ଜୀବନରେ ସେମାନଙ୍କ ଭୂମିକାକୁ ସ୍ୱୀକୃତି ପ୍ରଦାନ କରେ । ଏହି ଆନ୍ଦୋଳନର ଏକ ପ୍ରମୁଖ ଭୂମିକା ହେଉଛି କୁମ୍ଭର ସବୁଠାରୁ ବଡ଼ ଏବଂ ପ୍ରଭାବଶାଳୀ ଆଖଡ଼ା ଶ୍ରୀ ପଞ୍ଚଦଶନାମ ଜୁନା ଆଖଡ଼ା । ଏହି ଆଖଡ଼ାରେ ୨୦୦ରୁ ଅଧିକ ମହିଳା ସନ୍ନ୍ୟାସୀ ରହିଛନ୍ତି । ପୁଣି ଏହି ସଂଖ୍ୟା ଆହୁରି ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି । ଲିଙ୍ଗଗତ ସମାନତାକୁ ଗ୍ରହଣ କରି ଏହି ଆଖଡ଼ାମାନେ କେବଳ ସେମାନଙ୍କର ଆଭ୍ୟନ୍ତରୀଣ ଢାଞ୍ଚାକୁ ନୂଆ ରୂପ ଦେଉନାହାନ୍ତି ବରଂ ଭାରତର ସାଂସ୍କୃତିକ ଏବଂ ଆଧ୍ୟାତ୍ମିକ ଢାଞ୍ଚାରେ ସକ୍ରିୟ ଯୋଗଦାନ କରିବା ପାଇଁ ମହିଳାମାନଙ୍କୁ ସଶକ୍ତ କରୁଛନ୍ତି । ଅନ୍ୟତମ ଧନୀ ଓ ପ୍ରଭାବଶାଳୀ ଆଖଡ଼ା ହେଉଛି ମହା ନିର୍ବାଣୀ ଆଖଡ଼ା । ଏହା ମଧ୍ୟ ଲିଙ୍ଗଗତ ସାମ୍ୟ ପ୍ରତିଷ୍ଠାରେ ଆଗରେ ରହିଛି । ମହିଳାମାନଙ୍କ ପାଇଁ ମହାମଣ୍ଡଳେଶ୍ୱର ପାହ୍ୟା ପ୍ରତିଷ୍ଠା କରିଥିବା ପ୍ରଥମ ଆଖଡ଼ା ଭାବରେ ଏହା ପରିଚିତ । ସାଧ୍ୱୀ ଗୀତା ଭାରତୀ ଏବଂ ସନ୍ତୋଷ ପୁରୀଙ୍କ ଭଳି ମହିଳା ମହାମଣ୍ଡଳେଶ୍ୱରଙ୍କ ଅଂଶଗ୍ରହଣ ଆଧ୍ୟାତ୍ମିକ ସମ୍ପ୍ରଦାୟର ନେତୃତ୍ୱ ଏବଂ ମାର୍ଗଦର୍ଶନ ପାଇଁ ମହିଳାମାନଙ୍କୁ ସମାନ ସୁଯୋଗ ପ୍ରଦାନ କରିବା କ୍ଷେତ୍ରରେ ଆଖଡ଼ାର ପ୍ରତିବଦ୍ଧତାକୁ ଦର୍ଶାଇଥାଆନ୍ତି । ଏହା ବ୍ୟତୀତ ମହା ନିର୍ବାଣୀ ଆଖଡ଼ାରେ ପରିବେଶ ସଂରକ୍ଷଣ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି, ଯାହା ସାମାଜିକ ଏବଂ ଆଧ୍ୟାତ୍ମିକ ଦାୟିତ୍ୱ ପ୍ରତି ଆଖଡ଼ାର ବ୍ୟାପକ ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ । ସେହିପରି ମହାକୁମ୍ଭରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା ହେଉଛି କିନ୍ନର ଆଖଡ଼ାର ଉପସ୍ଥିତି । ଏହା ମହାକୁମ୍ଭକୁ ଏକ ସମାବେଶୀ ସ୍ଥାନ ଭାବରେ ପରିସ୍ଫୁଟିତ କରିଛି । ମହାକୁମ୍ଭ- ୨୦୨୫ରେ ଏହି ପ୍ରମୁଖ ଆଖଡ଼ାମାନଙ୍କର ଯୋଗଦାନ ଭାରତର ଆଧ୍ୟାତ୍ମିକ ଜୀବନରେ ଆଖଡ଼ାମାନଙ୍କର ସ୍ଥାୟୀ ପ୍ରାସଙ୍ଗିକତାର ପ୍ରମାଣ ଦିଏ । ଏହି ଅନୁଷ୍ଠାନଗୁଡ଼ିକ କେବଳ ସନାତନ ଧର୍ମର ଆଧ୍ୟାତ୍ମିକ ଓ ସାଂସ୍କୃତିକ ମୂଲ୍ୟବୋଧକୁ ବଜାୟ ରଖନ୍ତି ନାହିଁ ବରଂ ଆଧୁନିକ ସମ୍ବେଦନଶୀଳତାକୁ ଗ୍ରହଣ କରି ଅନ୍ତର୍ଭୁକ୍ତୀକରଣ ଏବଂ ସମାନତାକୁ ଗ୍ରହଣ କରନ୍ତି । ମହାକୁମ୍ଭରେ ଆଖଡ଼ାମାନେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କୁ ଆଧ୍ୟାତ୍ମିକ ଉନ୍ନତି, ଶୃଙ୍ଖଳା ଓ ଏକତାର ମାର୍ଗ ପ୍ରଦାନ କରି ପ୍ରେରଣା ଯୋଗାଇ ଆସୁଛନ୍ତି । ଆସନ୍ତା ଦିନମାନଙ୍କରେ ସେମାନଙ୍କ ପ୍ରତିବଦ୍ଧତା ଭାରତୀୟତା ମନ୍ତ୍ରକୁ ଚିରନ୍ତନୀକରିବ ଏଥିରେ ସନ୍ଦହ ନାହିଁ ।