ରାଉରକେଲା, (ସସ୍ମିତା ପ୍ରଧାନ) : ବୀରମିତ୍ରପୁର ସ୍ଥିତ ବିଶ୍ରା ଷ୍ଟୋନ ଓ ଲାଇମ କମ୍ପାନୀର ଲାଇମଷ୍ଟୋନ ଓ ଡେଲାମାଇଟ ଖଣି ପ୍ରାୟ ୧୦୦ରୁ ଅଧିକ ବର୍ଷ ହେବ ଚାଲିଆସୁଛି । ୧୯୧୦ ମସିହାରୁ ଏହା ଆରମ୍ଭ କରାଯାଇଥିଲା । ସେତେବେଳେ ଏହା ବାର୍ଡ ଆଣ୍ଡ କେ ଲିମିଟେଡ ଅଧିନରେ ଥିଲା । କ୍ରମେ ଭାରତ ସରକାରଙ୍କର ଇସ୍ପାତ ମନ୍ତ୍ରଣାଳୟ ଅଧିନସ୍ଥ ସେଲ୍ର ବିଭିନ୍ନ ଷ୍ଟିଲ ପ୍ଲାଣ୍ଟ ମାନଙ୍କରେ ଯଥା ଆର୍ଏସ୍ପି, ଡିଏସ୍ପି, ବିଏସ୍ପି, ଟିସ୍କୋ ଇତ୍ୟାଦିରେ ଫେକ୍ସ ଷ୍ଟୋନର ଆବଶ୍ୟକତାକୁ ଦୃଷ୍ଟିରେ ରଖି ୧୯୮୦ ମସିହାରେ କେନ୍ଦ୍ର ସରକାର ଏହି କମ୍ପାନୀକୁ ନିଜ ଅଧୀନକୁ ନେଇଥିଲେ । ଫଳରେ ବୀରମିତ୍ରପୁର ସହରର ଦୃତଗତିରେ ଉନ୍ନତି ହେଲା । ଏହି କମ୍ପାନୀ ବୀରମିତ୍ରପୁର ପାଇଁ ଜୀବନ ରେଖା ପାଲଟିଗଲା କହିଲେ ଅତ୍ୟୁକ୍ତି ହେବନାହିଁ । ଏହି କମ୍ପାନୀର ଆଖପାଖରେ ୨୦ କିମି ବ୍ୟାସାର୍ଦ୍ଧରେ ଥିବା ଅଞ୍ଚଳବାସୀଙ୍କ ଜୀବନ ଜୀବିକାରେ ଅଦ୍ଭୂତପୂର୍ବ ପରିବର୍ତ୍ତନ ହେଲା । ଏହି ଖଣିରୁ ଉତ୍ପାଦିତ ଲାଇମଷ୍ଟୋନ ଓ ଡୋଲାମାଇଟ ବିଭିନ୍ନ ପ୍ଲାଣ୍ଟକୁ ବିକ୍ରି କରି ସେଥିରୁ ଆସୁଥିବା ଅର୍ଥକୁ ଶ୍ରମିକ ଓ କର୍ମଚାରୀମାନଙ୍କ ଦରମା, ସ୍ଥାନୀୟ ଭେଣ୍ଡର, ସପ୍ଲାୟରଙ୍କୁ ଅର୍ଥ ଦିଆଯାଇଥାଏ । ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ପ୍ରାୟ ୧୦ ହଜାର ବ୍ୟକ୍ତି ଏହି କମ୍ପାନୀ ଉପରେ ନିର୍ଭରଶୀଳ ଥିବା ବେଳେ ଏହାକୁ ବନ୍ଦ କରିଦେବା ପାଇଁ ଚାଲିଥିବା ଉଦ୍ୟମକୁ ସ୍ଥାନୀୟ ବୁଦ୍ଧିଜୀବୀମାନେ ନାପସନ୍ଦ କରିଛନ୍ତି । ପ୍ରାରମ୍ଭରେ ଏହି କମ୍ପାନୀରେ ପ୍ରାୟ ୧୮ହଜାର ଲୋକ କାମକରୁଥିବା ବେଳେ ସମ୍ପ୍ରତି ୩୩୧ ଜଣ ଶ୍ରମିକ, ୧୧ ଜଣ ଅଫିସର ଓ ୮ ଜଣ କଣ୍ଟ୍ରାକଚୁଆଲ ଅଫିସର କାମ କରୁଛନ୍ତି । ବହୁ ଉତ୍ଥାନ ପତନ ମଧ୍ୟରେ ଥିବା ଏହି କମ୍ପାନୀ ସମ୍ପତ୍ତି ୧୫ମାସର ଦରମା ପାଖାପାଖି ୧୩ କୋଟି, ଗ୍ରାଚ୍ୟୁଇଟି ୯ରୁ ୧୦ କୋଟି, ସୋସାଇଟିର ପ୍ରାୟ ୯୦ ଲକ୍ଷ ଏଲ୍ଆଇସିରେ ପ୍ରାୟ ୩୦ ଲକ୍ଷ ଟଙ୍କା ବାକି ରହିଛି । ତେବେ ଶେଷ ସୂଚନା ଅନୁଯାୟୀ ଗତ ୪ବର୍ଷ ହେବ ଅର୍ଥାତ୍ ୨୦୨୦ ମସିହା ଅଗଷ୍ଟ ମାସରୁ ସାମାନ୍ୟ ସୁଧାର ଆସି ପ୍ରତ୍ୟେକ ମାସରେ ଦରମା ମିଳିଯାଉଛି । ସେହିପରି ଗତ ଦୁଇମାସ ତଳେ ବ୍ୟବସାୟ ବୃଦ୍ଧି ପାଇଁ ସ୍ଥାନୀୟ ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମଙ୍କୁ ଦେଖାକରିବାରୁ, ତାଙ୍କ ଉଦ୍ୟମରେ ରେଳ ବିଭାଗ ମାସକୁ ୧୫ଟି କଞ୍ଚାମାଲ ବୋହୁଥିବା ରେଳଗାଡ଼ିକୁ ୨୦ରୁ ୨୨ କଞ୍ଚାମାଲ ବୋହୁଥିବା ରେଳଗାଡ଼ିକୁ ବୃଦ୍ଧି କରିବ ବୋଲି ବଚନବଦ୍ଧ ହୋଇଥିଲା । ଏବେ ଏହା ମଧ୍ୟ ସ୍ଥଗିତ ରହିଲା । ଏହିଭଳି ସ୍ଥିତିରେ ଚଳିତ ମାସ ଗତ ୯ ତାରିଖରୁ ୱଜ ଡିଭିଜନ ଦାବି କରି ସମସ୍ତ କାର୍ଯ୍ୟକ୍ରମ ବନ୍ଦ କରିଦେଇଛନ୍ତି । ଫଳରେ କଞ୍ଚାମାଲ ଯିବାଟା ବାଧାପ୍ରାପ୍ତ ହେବ । ଧାରଣା ଚାଲିବା ଫଳରେ ଦରମା ମିଳିବା ବାଧାପ୍ରାପ୍ତ ହୋଇପାରେ । ଅନ୍ୟପଟେ ବିଏସ୍ଏଲ୍ କମ୍ପାନୀ ତରଫରୁ ବିଭିନ୍ନ କମ୍ପାନୀ ସେଲ୍, ଆର୍ଆଇଏନ୍ଏଲ୍ ସହ କରିଥିବା ଚୁକ୍ତି ହିସାବରେ କଞ୍ଚାମାଲ ନପାଇଲେ ସେମାନେ ଅନ୍ୟ ସ୍ଥାନରୁ କଞ୍ଚାମାଲ ନେବାକୁ ଚେଷ୍ଟା କରିପାରନ୍ତି । ଫଳରେ ପ୍ଲାଣ୍ଟ ପୁଣି ଦୂରାବସ୍ଥାକୁ ଚାଲି ଯାଇପାରେ । ଏବେ ଏଭଳି ଆଶଙ୍କା କରାଯାଉଛି ଯେ ଏଭଳି ସ୍ଥିତି ଜାରି ରହିଲେ ହୁଏତ ଏହା ପୁରୁଣାପାଣି ସେଲ୍ ମାଇନ୍ସ ଭଳି ଅବସ୍ଥା ହେବ । ଯଦି ଏହି କମ୍ପାନୀ ବନ୍ଦ ହୋଇଯାଏ ତେବେ ଏଥିପାଇଁ କିଏ ଦାୟୀ ରହିବ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି । ଆଗାମୀ ୧୦୦ବର୍ଷ ପର୍ଯ୍ୟନ୍ତ ଚାଲିବାକୁ ଥିବା କ୍ଷମତା ଏହି ଖଣି ବନ୍ଦ ହେଲେ, ଏହାକୁ ବିଡ଼ମ୍ବନା ହିଁ କୁହାଯିବ । ତେଣୁ ଏହାକୁ ଚାଲୁ ରଖିବା ପାଇଁଁ ସମସ୍ତେ ମିଳିମିଶି ଉଦ୍ୟମ କରିବା ଦରକାର ବୋଲି ମତପ୍ରକାଶ ପାଇଛି ।