କେନ୍ଦ୍ର ସାହିତ୍ୟ ଅକାଦେମିର ଯୁବ ପୁରସ୍କାର ସମାରୋହ ଅନୁଷ୍ଠିତ

  • ଅନୁବାଦର ସେତୁ ସିଧାସଳଖ ଦୁଇ ଭାରତୀୟ ଭାଷାକୁ ଯୋଡ଼ିବା ଉଚିତ : କବି ଜେରି ପିଣ୍ଟୋ
    ପୁରସ୍କାର ଗ୍ରହଣ କଲେ ୨୨ଟି ଭାରତୀୟ ଭାଷାର ଯୁବ ଲେଖକ

ଭୁବନେଶ୍ୱର : ଉତ୍କଳ ବିଶ୍ୱବିଦ୍ୟାଳୟର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ପ୍ରେକ୍ଷାଳୟରେ ସାହିତ୍ୟ ଅକାଦେମିର ଯୁବ ପୁରସ୍କାର ସମାରୋହ ଆୟୋଜିତ ହୋଇଯାଇଛି । ଏହି ସମାରୋହରେ ୨୨ଟି ଭାରତୀୟ ଭାଷାର ଯୁବ ଲେଖକଙ୍କୁ ୨୦୨୪ ବର୍ଷର ଯୁବ ପୁରସ୍କାର ପ୍ରଦାନ କରାଯାଇଛି । ସାହିତ୍ୟ ଅକାଦେମିର ସଭାପତି ତଥା ବିଶିଷ୍ଟ କବି ଡକ୍ଟର ମାଧବ କୌଶିକ ଅଧ୍ୟକ୍ଷତା କରି କହିଥିଲେ, ଯୁବ ଲେଖକ ହେଉଛନ୍ତି ଗୋଟିଏ ଭାଷାର ସେନାପତି । ଭବିଷ୍ୟତ କଥା ଚିନ୍ତା କରି ସେମାନଙ୍କୁ ଲେଖାର ସ୍ୱରୂପ ଗଢ଼ିବାକୁ ପଡ଼େ । ସ୍ୱାମୀ ବିବେକାନନ୍ଦଙ୍କ ବାଣୀ- “ଉଠ, ଜାଗ୍ରତ ହୁଅଟ୍ଟ” ଉଦ୍ଧାର କରି କହିଥିଲେ ଯେ ଯୁବା କେବେହେଲେ ଅଟକିଯାଏ ନାହିଁ । ଯେ ପର୍ଯ୍ୟନ୍ତ ମାନବ ସଭ୍ୟତା ତିଷ୍ଠି ରହିଛି, ଅଗ୍ରଗତି କରୁଛି ଲେଖକ ଅଟକିବ ନାହିଁ । ବେଳେ ବେଳେ ପ୍ରାଚୁର୍ଯ୍ୟ ମଣିଷକୁ ଦିଗଭ୍ରଷ୍ଟ କରିଦିଏ । ତେଣୁ ଯୁବ ଲେଖକ ସମ୍ମୁଖରେ ଦାୟିତ୍ୱ ଓ ବିପଦ ଅନେକ । ବିବିଧତା ଭାରତର ଏମିତି ଏକ ବୈଭବ ଯାହା ପୃଥିବୀର ଅନ୍ୟ କେଉଁଠି ଦେଖାଯାଏ ନାହିଁ । ସମଗ୍ର ୟୁରୋପ ମହାଦେଶ ମାତ୍ର ୫ – ୬ଟି ଭାଷାକୁ ନେଇ ଚାଲୁଥିବା ବେଳେ ଭାରତ ୨୪ ସରିକି ଭାଷାର ଶକ୍ତି ସହ ଅଗ୍ରଗତି କରୁଛି ବୋଲି ଶ୍ରୀ କୌଶିକ କହିଥିଲେ । ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ସୁପରିଚିତ ଇଂରାଜୀ କବି ଜେରି ପିଣ୍ଟୋ କହିଥିଲେ, ଅନୁବାଦ ହେଉଛି ଏକ ସେତୁ । ଏହି ସେତୁ ଇଂରାଜୀ ଭାଷାର ପଥ ଦେଇ ଯିବା ବଦଳରେ ସିଧାସଳଖ ୨ଟି ଭାଷାକୁ ଯୋଡ଼ିବା ଉଚିତ୍‌ । ଲେଖାଲେଖି ଆରମ୍ଭ କରିବାର କୌଣସି ବୟସ ନାହିଁ । ଲେଖିବା ସହିତ ପଢ଼ିବା ମଧ୍ୟ ସମାନ ଭାବେ ଗୁରୁତ୍ୱପୂର୍ଣ୍ଣ । ଏଥିସହିତ ସାହିତ୍ୟ ଏକ ବରଦାନ ତଥା ବିଶେଷାଧିକାର ବୋଲି ସେ ଉଲ୍ଲେଖ କରିଥିଲେ । ସଭାରେ ଅକାଦେମିର ସଚିବ ଡକ୍ଟର କେ. ଶ୍ରୀନିବାସରାଓ ସ୍ୱାଗତ ଭାଷଣ ପ୍ରଦାନ କରି କହିଥିଲେ, ପୃଥିବୀର ଯେକୌଣସି ଦେଶର ଭାଷା ଓ ସାହିତ୍ୟର ଧ୍ୱଜାଧାରୀ ହେଉଛନ୍ତି ସେ ଦେଶର ଯୁବ ଲେଖକ । ଭାରତର ଅଗ୍ରଣୀ ସାହିତ୍ୟିକ ଅନୁଷ୍ଠାନ ସାହିତ୍ୟ ଅକାଦେମି ଯୁବ ସାହିତ୍ୟିକଙ୍କୁ ଯୁବା ସାହିତ୍ୟୀ, ନବୋଦୟ ପରି କାର୍ଯ୍ୟକ୍ରମ ଜରିଆରେ ପ୍ରୋତ୍ସାହିତ କରିଆସୁଛି, ଯାହା ମଧ୍ୟରେ ଯୁବ ପୁରସ୍କାର ଅନ୍ୟତମ । ଶେଷରେ ସାହିତ୍ୟ ଅକାଦେମିର ଉପସଭାପତି ପ୍ରଫେସର କୁମୁଦ ଶର୍ମା ସମାପନୀ ବକ୍ତବ୍ୟ ରଖିଥିଲେ । ପ୍ରଫେସର ଶର୍ମା ବିବେକାନନ୍ଦଙ୍କ ଜନ୍ମ ଦିବସରେ ତାଙ୍କୁ ମନେପକାଇ ବକ୍ତବ୍ୟ ଆରମ୍ଭ କରିଥିଲେ । ଯୁବ ଲେଖକଙ୍କୁ ଉପଦେଶ ଦେବା ଉଚିତ କି ନାହିଁ ତାହା ଦ୍ୱନ୍ଦର ବିଷୟ । ଜଣେ କଳାକାର ଭବିଷ୍ୟତ ଦେଖିପାରେ, ଆଗାମୀ ଦିନର ଯାତନାକୁ ସେ ପୂର୍ବାନୁମାନ କରିପାରେ । କେବଳ ଯୁବ ଲେଖକଙ୍କୁ ନୁହେଁ, ସେମାନଙ୍କ କଠିନ ପରିଶ୍ରମକୁ ଏହି ପୁରସ୍କାର ମିଳିଛି ବୋଲି ପ୍ରଫେସର ଶର୍ମା ଉଲ୍ଲେଖ କରିଥିଲେ । ଏହି ଉତ୍ସବରେ ନୟନଜ୍ୟୋତି ଶର୍ମା (ଅହମିଆ), ସୁତପା ଚକ୍ରବର୍ତ୍ତୀ (ବଙ୍ଗଳା), ସେଲ୍ଫ ମେଡ୍ ରାଣୀ ବୋଡ଼ୋ (ବୋଡ଼ୋ), ହୀନା ଚୌଧୁରୀ (ଡୋଗ୍ରୀ), କେ. ବୈଶାଳୀ (ଇଂରାଜୀ), ରିଙ୍କୁ ଭଜେସିଂହ ରାଠୋଡ଼ (ଗୁଜୁରାଟୀ), ଗୌରବ ପାଣ୍ଡେ (ହିନ୍ଦୀ), ଶ୍ରୁତି ବି.ଆର. (କନ୍ନଡ଼), ଅଦ୍ୱୈତ ସାଲଗାଓଁକର (କୋଙ୍କଣୀ), ରିଙ୍କି ଝା ରିଷିକା (ମୈଥିଳି), ଶ୍ୟାମକ୍ରିଷ୍ଣନ ଆର୍ (ମାଲୟାଲମ), ୱାଇଖୋମ ଚିଙ୍ଗଖେଙ୍ଗନବା (ମଣିପୁରୀ), ଦେବୀଦାସ ସୌଦାଗର (ମରାଠୀ), ସୁରଜ ଚାପାଗାଇଁ (ନେପାଳୀ), ସଞ୍ଜୟ କୁମାର ପଣ୍ଡା (ଓଡ଼ିଆ), ରଣଧୀର (ପଞ୍ଜାବୀ), ସୋନାଲି ସୁଥର (ରାଜସ୍ଥାନୀ), ଅଞ୍ଜନ କର୍ମକାର (ସାନ୍ତାଳୀ), ଗୀତା ପ୍ରଦୀପ ରୁପାନି (ସିନ୍ଧି), ଲୋକେଶ ରଘୁରମଣ (ତାମିଲ), ରମେଶ କାର୍ତ୍ତିକ ନାୟକ (ତେଲୁଗୁ) ଏବଂ ମୋହମ୍ମଦ ଜାଭେଦ ଅହମଦ (ଉର୍ଦ୍ଦୁ) ଯୁବ ପୁରସ୍କାର ଗ୍ରହଣ କରିଥିଲେ । ପ୍ରତ୍ୟେକ ବିଜେତାଙ୍କୁ ପୁରସ୍କାର ସ୍ଵରୂପ ୫୦ ହଜାର ଟଙ୍କାର ଅର୍ଥ ରାଶି ସହିତ ତାମ୍ର ଫଳକ ପ୍ରଦାନ କରାଯାଇଥିଲା । ମୋହମ୍ମଦ ଆଶ୍ରଫ ଭଟ (କଶ୍ମିରୀ) ଓ ମୁନି ପାଶ୍ୱର୍ସୁନ୍ଦର ବିଜୟଜୀ (ସଂସ୍କୃତ) ଅନୁପସ୍ଥିତ ଥିଲେ । ଉଲ୍ଲେଖଯୋଗ୍ୟ, ୧୩ ତାରିଖ ପୂର୍ବାହ୍ନ ୧୦ଟା ୩୦ରେ ଭୁବନେଶ୍ୱରର ବୁଦ୍ଧ ମନ୍ଦିର ସ୍ଥିତ ସଭାଗୃହରେ ଯୁବ ପୁରସ୍କାର ପ୍ରାପକ ସମ୍ମିଳନୀ ଅନୁଷ୍ଠିତ ହେବ । ଏଥିରେ ପୁରସ୍କାର ଗ୍ରହଣ କରିଥିବା ଯୁବ ଲେଖକ ଲେଖିକାମାନେ ନିଜ ସାରସ୍ୱତ ଅନୂଭୂତି ବାଣ୍ଟିବେ । ଏହି ସମ୍ମିଳନୀରେ ଅଧ୍ୟକ୍ଷତା କରିବେ ସାହିତ୍ୟ ଅକାଦେମିର ଉପସଭାପତି ପ୍ରଫେସର କୁମୁଦ ଶର୍ମା । ଏହି ଉତ୍ସବରେ ଯୋଗ ଦେବା ପାଇଁ ଲେଖକ ଲେଖିକା ତଥା ସାହିତ୍ୟ ପ୍ରେମୀମାନଙ୍କୁ ସାହିତ୍ୟ ଅକାଦେମି ପକ୍ଷରୁ ଅନୁରୋଧ କରାଯାଇଛି ।

Leave A Reply

Your email address will not be published.