• ସରକାରଙ୍କ ସମର୍ଥିତ ୧,୫୭,୦୬୬ ଷ୍ଟାର୍ଟଅପ୍ ମଧ୍ୟରୁ ୭୩ ହଜାର ଷ୍ଟାର୍ଟଅପ୍ ମହିଳା ନିର୍ଦ୍ଦେଶକଙ୍କ ଦ୍ୱାରା ପରିଚାଳିତ
• ଷ୍ଟାର୍ଟଅପଗୁଡ଼ିକ ସମଗ୍ର ଦେଶରେ ୧୬ ଲକ୍ଷରୁ ଅଧିକ ନିଯୁକ୍ତି ସୃଷ୍ଟି କରିଛନ୍ତି
ନୂଆଦିଲ୍ଲୀ, (ପିଆଇବି) : ଭାରତ ବିଶ୍ୱର ସବୁଠାରୁ ସକ୍ରିୟ ଷ୍ଟାର୍ଟଅପ୍ ଇକୋସିଷ୍ଟମ ଭାବରେ ଉଭା ହୋଇଛି ଏବଂ ସବୁଠୁ ଅଧିକ ଷ୍ଟାର୍ଟଅପ୍ ଥିବା ଦେଶମାନଙ୍କ ମଧ୍ୟରେ ତୃତୀୟ ସ୍ଥାନ ହାସଲ କରିଛି । ୧୦୦ରୁ ଅଧିକ ୟୁନିକର୍ଣ୍ଣ ସହ ଭାରତର ଷ୍ଟାର୍ଟଅପ୍ ପରିଦୃଶ୍ୟ ବ୍ୟାପକ ଉଦ୍ଭାବନ ଏବଂ ଉଦ୍ୟୋଗଶୀଳତାର ଭବିଷ୍ୟତକୁ ଆକାର ଦେଉଛି । ଭାରତରେ ଷ୍ଟାର୍ଟଅପ୍ ଇଣ୍ଡିଆ ଅଭିଯାନ ଅଧୀନରେ ଅତି କମରେ ଜଣେ ମହିଳା ନିର୍ଦ୍ଦେଶକ ଥିବା ୭୩,୦୦୦ରୁ ଅଧିକ ସ୍ୱୀକୃତିପ୍ରାପ୍ତ ଷ୍ଟାର୍ଟଅପ୍ ରହିଛି । ଏଗୁଡ଼ିକର ସଂଖ୍ୟା ସରକାରଙ୍କ ଦ୍ୱାରା ସମର୍ଥିତ ୧,୫୭,୦୬୬ ଷ୍ଟାର୍ଟଅପ୍ ମଧ୍ୟରୁ ପ୍ରାୟ ଅଧା ଭାଗକୁ ପ୍ରତିନିଧିତ୍ୱ କରିଥାଏ ଏବଂ ଉଦ୍ଭାବନ ଓ ଆର୍ଥିକ ବିକାଶରେ ମହିଳାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରିଥାଏ । ବିଗତ ଏକ ଦଶନ୍ଧି ମଧ୍ୟରେ ଭାରତରେ ଉଦ୍ୟୋଗ ପ୍ରତିଷ୍ଠାକୁ ନେଇ ଜନଭାବନାରେ ବ୍ୟାପକ ପରିବର୍ତ୍ତନ ଆସିଛି । ବେଙ୍ଗାଲୁରୁ, ହାଇଦ୍ରାବାଦ, ମୁମ୍ବାଇ ଏବଂ ଦିଲ୍ଲୀ-ଏନ୍ସିଆର୍ ଭଳି ସହର ନବୀନ ଉଦ୍ଭାବନର ପ୍ରାଣକେନ୍ଦ୍ର ପାଲଟିଛି । ଶସ୍ତା ଇଣ୍ଟରନେଟର ବ୍ୟାପକ ଉପଲବ୍ଧତା ଏବଂ ଯୁବ ଓ ସକ୍ରିୟ କର୍ମଚାରୀ ଆଧାର ସହିତ ଆର୍ଥିକ ପ୍ରଯୁକ୍ତି, ଶିକ୍ଷା ପ୍ରଯୁକ୍ତି, ସ୍ୱାସ୍ଥ୍ୟ ପ୍ରଯୁକ୍ତି ଏବଂ ଇ-କମର୍ସ ସମେତ ବିଭିନ୍ନ କ୍ଷେତ୍ରରେ ଷ୍ଟାର୍ଟଅପ୍ ଗୁଡ଼ିକର ଅଭିବୃଦ୍ଧିକୁ ତ୍ୱରାନ୍ୱିତ ହୋଇଛି । ଷ୍ଟାର୍ଟଅପ୍ ଇଣ୍ଡିଆର ‘ଇଣ୍ଡିଆନ୍ ଷ୍ଟାର୍ଟଅପ୍ ଇକୋସିଷ୍ଟମ୍ ରିପୋର୍ଟ’ ଅନୁଯାୟୀ, ଭାରତର ଷ୍ଟାର୍ଟଅପଗୁଡ଼ିକ ସ୍ଥାନୀୟ ଏବଂ ବିଶ୍ୱସ୍ତରୀୟ ସମସ୍ୟାର ସମାଧାନ ପାଇଁ କୃତ୍ରିମ ବୁଦ୍ଧିମତ୍ତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (ଏଆଇ), ବ୍ଲକ୍ ଚେନ ଏବଂ ଆଇଓଟି ଭଳି ଆଧୁନିକ ଜ୍ଞାନକୌଶଳର ଉପଯୋଗ କରିଛନ୍ତି । ଇନକ୍ୟୁବେଟର, ଆକ୍ସେଲେରେଟର ଏବଂ ମଜବୁତ ମେଣ୍ଟରିଂ ନେଟୱର୍କ ଦ୍ୱାରା ସମର୍ଥିତ ଏହି ଉଦ୍ଭାବନ ସଂସ୍କୃତି ଏକ ଅନନ୍ୟ ଇକୋସିଷ୍ଟମକୁ ପ୍ରୋତ୍ସାହିତ କରିଛି ଯାହା ତୃଣମୂଳ ସ୍ତରର ଆହ୍ୱାନଗୁଡ଼ିକୁ ଅତ୍ୟାଧୁନିକ ସମାଧାନ ସହିତ ଯୋଡ଼ିଥାଏ । ଷ୍ଟାର୍ଟଅପ୍ ଗୁଡ଼ିକର ରୂପାନ୍ତରଣକାରୀ ସମ୍ଭାବନାକୁ ସ୍ୱୀକାର କରି ଭାରତ ସରକାର ଉଦ୍ୟୋଗଜଗତକୁ ସମର୍ଥନ ଓ ପ୍ରୋତ୍ସାହନ ଯୋଗାଇ ଦେବା ପାଇଁ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି । ୨୦୧୬ରେ ଆରମ୍ଭ ହୋଇଥିବା ପ୍ରମୁଖ ଯୋଜନା ଷ୍ଟାର୍ଟଅପ୍ ଇଣ୍ଡିଆ ଅଭିଯାନ ଏହି ପ୍ରୟାସରେ ମୂଳଦୁଆ ପାଲଟିଛି । ୨୫ ଡିସେମ୍ବର ୨୦୨୪ ସୁଦ୍ଧା ଶିଳ୍ପ ଏବଂ ଆଭ୍ୟନ୍ତରୀଣ ବାଣିଜ୍ୟ ପ୍ରୋତ୍ସାହନ ବିଭାଗ (ଡିପିଆଇଆଇଟି) ଦ୍ୱାରା ୧୫୭,୦୬୬ଟି ଷ୍ଟାର୍ଟଅପକୁ ସ୍ୱୀକୃତି ମିଳିଛି ଏବଂ ଏହାର ପୋର୍ଟାଲରେ ୭୫୯,୩୦୩ ଉପଭୋକ୍ତା ପଞ୍ଜୀକୃତ ହୋଇଛନ୍ତି । ଏହି ଅଭିଯାନରେ ସରଳ ଅନୁପାଳନ, ସ୍ୱପ୍ରମାଣିକରଣ, ସିଙ୍ଗଲ ୱିଣ୍ଡୋ ମଞ୍ଜୁରୀ ସହିତ ଅମଲାତନ୍ତ୍ରିକ ବାଧାଗୁଡ଼ିକୁ ଦୂର କରିବାକୁ ପଦକ୍ଷେପ ନିଆଯାଇଛି ଫଳରେ ବ୍ୟବସାୟିକ ସୁଗମତା ପ୍ରୋତ୍ସାହନ ମିଳୁଛି । ଏହି ଯୋଜନାରେ ପଞ୍ଜିକୃତ ହେଉଥିବା ଷ୍ଟାର୍ଟଅପ୍ ଗୁଡ଼ିକୁ କ୍ରମାଗତ ତିନୋଟି ଆର୍ଥିକ ବର୍ଷ ପାଇଁ ଟିକସ ଛାଡ଼ ସୁବିଧା ପ୍ରଦାନ କରାଯାଉଛି । ଷ୍ଟାର୍ଟଅପ୍ ଗୁଡ଼ିକ ପାଇଁ ଏଫ୍ଏଫ୍ଏସ୍ ପାଣ୍ଠି ଯୋଜନାରେ ୧୦ହଜାର କୋଟି ଟଙ୍କାର ପ୍ରାରମ୍ଭିକ ପାଣ୍ଠିଯୋଗାଣ ସୁବିଧା ଦିଆଯାଇଛି । ବାୟୋଟେକ୍ନୋଲୋଜି, କୃଷି ଏବଂ ଅକ୍ଷୟ ଶକ୍ତି ଭଳି ଉଦ୍ୟୋଗ କ୍ଷେତ୍ର ପାଇଁ ନିର୍ଦ୍ଦିଷ୍ଟ ନୀତି ପ୍ରସ୍ତୁତ କରାଯାଇଛି । ଭାରତ ଷ୍ଟାର୍ଟଅପ୍ ନଲେଜ୍ ଆକ୍ସେସ୍ ରେଜିଷ୍ଟ୍ରୀ ବା ଭାଷ୍କର ଜରିଆରେ ଷ୍ଟାର୍ଟଅପ୍, ନିବେଶକ, ପରାମର୍ଶଦାତା, ସେବା ପ୍ରଦାନକାରୀ ଏବଂ ସରକାରୀ ସଂସ୍ଥା ସମେତ ଉଦ୍ୟୋଗୀ ଇକୋସିଷ୍ଟମ୍ ମଧ୍ୟରେ ପ୍ରମୁଖ ଅଂଶୀଦାରମାନଙ୍କ ମଧ୍ୟରେ କେନ୍ଦ୍ରୀକରଣ, ସୁବ୍ୟବସ୍ଥିତ ଏବଂ ସହଯୋଗ ବୃଦ୍ଧି କରାଯାଇଛି । ଏହାବ୍ୟତୀତ ଅଟଳ ଇନୋଭେସନ ମିଶନ (ଏଆଇଏମ୍) ଏବଂ ନେସନାଲ ଇନିସିଏଟିଭ୍ ଫର୍ ଡେଭଲପିଂ ଆଣ୍ଡ୍ ହାର୍ନେସ୍ ଇନୋଭେସନ୍ (ନିଧି) ଭଳି ପଦକ୍ଷେପ ଉଦ୍ଭାବକମାନଙ୍କୁ ଭିତ୍ତିଭୂମି ଏବଂ ଆର୍ଥିକ ସହାୟତା ପ୍ରଦାନ କରିଥାଏ । ସେହିପରି ୨୦୨୧ରେ ଆରମ୍ଭ ହୋଇଥିବା ସମୃଦ୍ଧ (ଝଗ୍ଧବକ୍ସଗ୍ଧଙ୍କକ୍ଟ୍ର ଇମମରକ୍ଷରକ୍ସବଗ୍ଧକ୍ଟକ୍ସ କ୍ଟଲ ଗରସଗ୍ଧଣ ଲକ୍ଟକ୍ସ ଚକ୍ସକ୍ଟୟଙ୍କମଗ୍ଧ ଓଦ୍ଭଦ୍ଭକ୍ଟଙ୍ଖବଗ୍ଧସକ୍ଟଦ୍ଭ, ଊରଙ୍ଖରକ୍ଷକ୍ଟକ୍ଟ୍ରଜ୍ଞରଦ୍ଭଗ୍ଧ, ବଦ୍ଭୟ ଏକ୍ସକ୍ଟଙ୍ଗଗ୍ଧଷ-ଝଇଗଜଓଊଐ) ଯୋଜନାରର ଲକ୍ଷ୍ୟ ହେଉଛି ଚାରି ବର୍ଷ ମଧ୍ୟରେ ୯୯ କୋଟି ଟଙ୍କା ବ୍ୟୟବରାଦ ସହିତ ୩୦୦ ସଫ୍ଟୱେର୍ ଉତ୍ପାଦ ଷ୍ଟାର୍ଟଅପ୍ଗୁଡ଼ିକୁ ସହାୟତା ଯୋଗାଇ ଦେବା । ବ୍ୟବସାୟ ବଢ଼ାଇବା ପାଇଁ ପ୍ରତି ଷ୍ଟାର୍ଟଅପ ପିଛା ୪୦ ଲକ୍ଷ ଟଙ୍କା ଦିଆଯିବାକୁ ଲକ୍ଷ୍ୟ ରଖାଯାଇଛି । ଷ୍ଟାର୍ଟଅପ୍ ଗୁଡ଼ିକ ଭାରତର ଆର୍ଥିକ ବିକାଶରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଛନ୍ତି । ଷ୍ଟାର୍ଟଅପ୍ ଗୁଡ଼ିକ ସମଗ୍ର ଦେଶରେ ୧୬ ଲକ୍ଷରୁ ଅଧିକ ନିଯୁକ୍ତି ସୃଷ୍ଟି କରିଛନ୍ତି । ସେହିପରି ଏଗୁଡ଼ିକ ଉଦ୍ଭାବନ-ପରିଚାଳିତ ଉତ୍ପାଦକତା ମାଧ୍ୟମରେ ଏବଂ ପରୋକ୍ଷରେ ଆନୁସଙ୍ଗିକ ଶିଳ୍ପକୁ ପ୍ରୋତ୍ସାହିତ କରି ଜିଡିପିରେ ସିଧାସଳଖ ଯୋଗଦାନ କରନ୍ତି । ଗ୍ଲୋବାଲ ଭେଞ୍ଚର କ୍ୟାପିଟାଲ (ଭିସି) ଏବଂ ପ୍ରାଇଭେଟ୍ ଇକ୍ୱିଟି (ପିଇ) ନିବେଶ ପାଇଁ ଭାରତ ଏକ ଆକର୍ଷଣୀୟ ସ୍ଥାନ ପାଲଟିଛି । ଗ୍ରାମାଞ୍ଚଳ ଆଧାରିତ ଷ୍ଟାର୍ଟଅପ୍ ଏବଂ ସାମାଜିକ ଉଦ୍ୟୋଗଗୁଡିକ ସ୍ୱାସ୍ଥ୍ୟସେବା, ଶିକ୍ଷା ଏବଂ କୃଷିକ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ବ୍ୟବଧାନକୁ ଦୂର କରୁଛନ୍ତି ଏବଂ ଲକ୍ଷ ଲକ୍ଷ ଲୋକଙ୍କ ଜୀବନଧାରଣ ମାନରେ ଉନ୍ନତି କରୁଛନ୍ତି । ସରକାରଙ୍କ ସମର୍ଥିତ ନୀତି, ନିବେଶକ ଅନୁକୂଳ ପରିବେଶ ଏବଂ ନବସୃଜନକୁ ପ୍ରୋତ୍ସାହିତ କରିବା ଉପରେ ଧ୍ୟାନ ଦେବା ଭାରତକୁ ଷ୍ଟାର୍ଟଅପ୍ କ୍ଷେତ୍ରରେ ବିଶ୍ୱସ୍ତରରେ ଅଗ୍ରଣୀ ଦେଶ ଭାବେ ସ୍ଥାନିତ କରିଛି ।