ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସ୍ଥିତ ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନର (ଏନ୍ଆଇଟି) ମେଟାଲର୍ଜିକାଲ୍ ଆଣ୍ଡ ମ୍ୟାଟେରିଆଲ୍ ଇଞ୍ଜିନିୟରିଂ ବିଭାଗ ପକ୍ଷରୁ ଇଣ୍ଟରନ୍ୟାସନାଲ କନଫରେନ୍ସ ଅନ୍ ପ୍ରୋସେସିଂ ଆଣ୍ଡ କ୍ୟାରେକ୍ଟରାଇଜେସନ ଅଫ୍ ମ୍ୟାଟେରିଆଲ୍ସର (ଆଇସିପିସିଏମ୍ ୨୦୨୪) ଷଷ୍ଠ ସଂସ୍କରଣ ଉଦ୍ଘାଟିତ ହୋଇଛି । ଡିସେମ୍ବର ୫ରୁ ୭, ୨୦୨୪ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଏହି ସମ୍ମିଳନୀର ଉଦ୍ଦେଶ୍ୟ ହେଉଛି ଶିକ୍ଷାବିତ୍ ଏବଂ ଶିଳ୍ପ ମଧ୍ୟରେ ଅର୍ଥପୂର୍ଣ୍ଣ ଆଦାନ ପ୍ରଦାନ, ଯାହା ଉନ୍ନତ ସାମଗ୍ରୀ ଗବେଷଣାକ୍ଷେତ୍ରରେ ସହଯୋଗ ପାଇଁ ଏକ ପ୍ଲାଟଫର୍ମ ଭାବରେ କାର୍ଯ୍ୟ କରିବ । ପ୍ରଥମେ ୨୦୧୧ ମସିହାରେରେ ନ୍ୟାସନାଲ କନଫରେନ୍ସ ଅନ୍ ପ୍ରୋସେସିଂ ଆଣ୍ଡ କ୍ୟାରେକ୍ଟରାଇଜେସନ ଅଫ୍ ମ୍ୟାଟେରିଆଲ୍ସ (ଏନ୍ସିପିସିଏମ୍) ନାମକ ଏକ ଜାତୀୟ ସମ୍ମିଳନୀ ଭାବରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ଅଓନ୍ତର୍ଜାତୀୟ ସ୍ତରକୁ ବିସ୍ତାରିତ ହୋଇ ୨୦୧୮ରେ ଆଇସିପିସିଏମ୍ରେ ପରିଣତ ହୋଇଥିଲା । ଏହାର ଆରମ୍ଭରୁ ଆଇସିପିସିଏମ୍ ଏକ ପ୍ରମୁଖ ବାର୍ଷିକ କାର୍ଯ୍ୟକ୍ରମ ଭାବରେ ନିଜକୁ ପ୍ରତିଷ୍ଠିତ କରିଛି, ଯାହା ସମଗ୍ର ବିଶ୍ୱର ପ୍ରସିଦ୍ଧ ପଣ୍ଡିତ, ଗବେଷକ ଓ ଶିଳ୍ପର ପ୍ରମୁଖ ମାନଙ୍କୁ ଆକର୍ଷିତ କରିଛି । ରାଉରକେଲା ଇସ୍ପାତ କାରଖାନାର ଭାରପ୍ରାପ୍ତ ନିର୍ଦ୍ଦେଶକ ଅତନୁ ଭୌମିକ ମୁଖ୍ୟ ଅତିଥି, ଏନ୍ଆଇଟି ରାଉରକେଲାର ନିର୍ଦ୍ଦେଶକ ତଥା ସମ୍ମିଳନୀର ମୁଖ୍ୟ ପୃଷ୍ଠପୋଷକ ପ୍ରଫେସର କେ. ଉମା ମହେଶ୍ୱର ରାଓଙ୍କ ଉପସ୍ଥିତିରେ ୨୦୨୪ ସଂସ୍କରଣକୁ ଉଦ୍ଘାଟନ କରାଯାଇଥିଲା । ମଞ୍ଚରେ ଥିବା ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ମଧ୍ୟରେ ଆଇସିପିସିଏମ୍ ୨୦୨୪ ଆୟୋଜକ ଦଳ; ମୁଖ୍ୟ ଉପଦେଷ୍ଟା ପ୍ରଫେସର ବଙ୍କିମ ଚନ୍ଦ୍ର ରାୟ, ଏମ୍.ଏମ୍. ବିଭାଗ ମୁଖ୍ୟ ତଥା ପୃଷ୍ଠପୋଷକ ପ୍ରଫେସର ଦେବାଶିଷ ଚୈରା, ଅଧ୍ୟକ୍ଷ ପ୍ରଫେସର ରାଜେଶ କୁମାର ପୃଷ୍ଟି, ଅନ୍ୟତମ ଅଧ୍ୟକ୍ଷ ପ୍ରଫେସର ଅଂଶୁମାନ ପାତ୍ର ଓ ସମ୍ପାଦକ ପ୍ରଫେସର ଡ଼ଃ ଅଜିତ ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ଆଜି ପ୍ରଫେସର ରାଜେଶ କୁମାର ପୃଷ୍ଟି ସ୍ୱାଗତ ଭାଷଣ ଦେଇ ସମ୍ମିଳନୀର ଶୁଭାରମ୍ଭ କରିଥିଲେ । ଚଳିତ ବର୍ଷର ସମ୍ମିଳନୀରେ ଷ୍ଟେନଲେସ୍ ଓ ସ୍ୱତନ୍ତ୍ର ଇସ୍ପାତ, ବର୍ଜ୍ୟବସ୍ତୁ ପରିଚାଳନା, ଫାଇବର-ରିଇନଫୋର୍ସଡ୍ ପଲିମର୍ (ଏଫ୍ଆର୍ପି) କମ୍ପୋଜିଟ୍, ନବୀକରଣଯୋଗ୍ୟ ଶକ୍ତି ଏବଂ ଶକ୍ତି ସଂରକ୍ଷଣ ପାଇଁ ସାମଗ୍ରୀ, ସ୍ମାର୍ଟ ସାମଗ୍ରୀ, ସାମଗ୍ରୀର ପୁନଃଚକ୍ରଣ ଓ ପୁନଃବ୍ୟବହାର, ଜୈବ ପଦାର୍ଥ ଏବଂ ସାମଗ୍ରୀ ଡିଜାଇନ୍ ଭଳି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଆଲୋଚନା ହୋଇଥିଲା । ମୁଖ୍ୟ ଅତିଥି ଅତନୁ ଭୌମିକ ମେଟାଲର୍ଜିକାଲ ଓ ସାମଗ୍ରୀ ଶିଳ୍ପରେ ସ୍ଥାୟୀ ଅଭ୍ୟାସର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ । ବିଶ୍ୱରେ ଦ୍ୱିତୀୟ ବୃହତ୍ତମ ଲୁହା ଓ ଇସ୍ପାତ ଉତ୍ପାଦନକାରୀ ରାଷ୍ଟ୍ର ଭାବେ ଭାରତ ପରିବେଶ ପ୍ରଭାବକୁ ହ୍ରାସ କରିବା ସହ ଉତ୍ପାଦନ ବଜାୟ ରଖିବାର ଦ୍ୱେତ ଆହ୍ୱାନର ସମ୍ମୁଖୀନ ହୋଇଛି । ଆଇସିପିସିଏମ୍ ଭଳି ସମ୍ମିଳନୀ ଭାରତର ଦୀର୍ଘମିଆଦୀ ନିମ୍ନ କାର୍ବନ ବିକାଶ ରଣନୀତି ସହ ସମନ୍ୱିତ ଅଭିନବ ତଥା ନିମ୍ନ ନିର୍ଗମନ ଶିଳ୍ପ ସମାଧାନକୁ ଆଗେଇ ନେବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ବିଶେଷକରି ପୁନଃଚକ୍ରଣ ଓ ବର୍ଜ୍ୟବସ୍ତୁ ପରିଚାଳନାକ୍ଷେତ୍ରରେ ପରିବେଶ ଅନୁକୂଳ ଶିଳ୍ପ ପଦ୍ଧତିର ଗୁରୁତ୍ୱ ଉପରେ ସେ ଗୁରୁତ୍ୱାରୋପ କରିଥିଲେ, ଯାହା ରାଉରକେଲା ଇସ୍ପାତ କାରଖାନାର ପଦକ୍ଷେପର ଏକ ଉଦାହରଣ ଅଟେ । ପ୍ରଫେସର କେ. ଉମାମହେଶ୍ୱର ରାଓ ସାମଗ୍ରୀ ଶିଳ୍ପରେ ପରିବେଶ ଆହ୍ୱାନର ମୁକାବିଲା ଉପରେ ଗୁରୁତ୍ୱାରୋପ କରି କହିଥିଲେ । “ଭାରତ ୨୦୭୦ ସୁଦ୍ଧା ନେଟ୍-ଶୂନ୍ୟ କାର୍ବନ ନିର୍ଗମନ ହାସଲ କରିବାକୁ ଏକ ମହତ୍ୱାକାଂକ୍ଷୀ ଲକ୍ଷ୍ୟ ଧାର୍ଯ୍ୟ କରିଛି । ବିଶେଷ କରି ଶିଳ୍ପ ଉତ୍ପାଦନ ପାଇଁ କୋଇଲା ଉପରେ ନିର୍ଭରଶୀଳତା ଜାରି ରହିଥିବାରୁ ବିଶେଷ ପ୍ରତିବନ୍ଧକ ରହିଛି । ଇଲେକ୍ଟ୍ରିକ୍ ଯାନ ଭଳି ଡିସରପ୍ଟିଭ୍ ଜ୍ଞାନକୌଶଳର ଉତ୍ପାଦଗୁଡିକ ନିର୍ମାଣ କରିବା ପାଇଁ ଆବଶ୍ୟକ ସାମଗ୍ରୀ ଏବେ ବି ଶକ୍ତି ଉପରେ ନିର୍ଭର କରେ, ଯାହା ପୁନର୍ବାର ଜୀବାଶ୍ମ ଇନ୍ଧନରୁ ଉତ୍ପାଦିତ ହୁଏ । ଏହା ‘ସବୁଜ ଇସ୍ପାତ’ ଉତ୍ପାଦନ ଭଳି ସ୍ଥାୟୀ ଅଭ୍ୟାସ ଦିଗରେ ତୁରନ୍ତ ପରିବର୍ତ୍ତନର ଆବଶ୍ୟକତା ଉପରେ ଆଲୋକପାତ କରେ । ପ୍ରଫେସର ଅଂଶୁମାନ ପାତ୍ର କାର୍ଯ୍ୟକ୍ରମର ବ୍ୟାପକତା ଓ ପରିସର ଉପରେ ଆଲୋକପାତ କରିଥିଲେ । ଚଳିତ ବର୍ଷର ସମ୍ମିଳନୀରେ ସମଗ୍ର ଭାରତରୁ ୧୦୦ରୁ ଅଧିକ ପ୍ରତିଯୋଗୀ ଅଂଶଗ୍ରହଣ କରିଛନ୍ତି ଏବଂ ଏଥିରେ ବର୍କେଲେ ସ୍ଥିତ କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟ, ଲିଡ୍ସ ବିଶ୍ୱବିଦ୍ୟାଳୟ, ବର୍ମିଂହାମ ବିଶ୍ୱବିଦ୍ୟାଳୟ, ବ୍ରିଷ୍ଟଲ ବିଶ୍ୱବିଦ୍ୟାଳୟ ଓ ଉତ୍ତର କାରୋଲିନା ଷ୍ଟେଟ୍ ୟୁନିଭର୍ସିଟି ସମେତ ବିଶ୍ୱପ୍ରସିଦ୍ଧ ଅନୁଷ୍ଠାନର ପ୍ରତିଷ୍ଠିତ ଅଧ୍ୟାପକମାନେ ପ୍ରମୁଖ ଭାଷଣ ପ୍ରଦାନ କରିଛନ୍ତି । ଆଇଆଇଏସ୍ସି ବାଙ୍ଗାଲୋର, ଆଇଆଇଟି ଓ ଏନ୍ଆଇଟି ଭଳି ପ୍ରମୁଖ ଭାରତୀୟ ଅନୁଷ୍ଠାନର ପ୍ରତିନିଧିଙ୍କ ସହିତ ଟାଟା ଷ୍ଟିଲ, ଜିନ୍ଦଲ ଷ୍ଟେନଲେସ୍ ଭଳି ଅଗ୍ରଣୀ ଶିଳ୍ପର ପେସାଦାରମାନେ ମଧ୍ୟ ଆଲୋଚନାରେ ଯୋଗଦାନ କରିଥିଲେ । ପ୍ରଫେସର ବଙ୍କିମ ଚନ୍ଦ୍ର ରାୟ କାର୍ଯ୍ୟକ୍ରମର ପ୍ରାୟୋଜକ ବିଶେଷ କରି ରାଉରକେଲା ଇସ୍ପାତ କାରଖାନା ଓ ଟାଟା ଷ୍ଟିଲକୁ ଧନ୍ୟବାଦ ଜଣାଇଛନ୍ତି । ଉଦୀୟମାନ ଢାଞ୍ଚାଗତ ସାମଗ୍ରୀ, ଏଫ୍ଆର୍ପି କମ୍ପୋଜିଟ୍ ବୋଲି ସେ ଗୁରୁତ୍ୱାରୋପ କରିଛନ୍ତି । ବିଭାଗୀୟ ମୁଖ୍ୟ ପ୍ରଫେସର ଦେବାଶିଷ ପ୍ରଧାନ ଶିକ୍ଷାନୁଷ୍ଠାନ ଓ ଶିଳ୍ପର ସହଯୋଗରେ ସମ୍ମିଳନୀର ଭୂମିକା ଉପରେ ଆଲୋକପାତ କରିଥିବା ବେଳେ ପ୍ରଫେସର ଡ଼ଃ ଅଜିତ ବେହେରା ଧନ୍ୟବାଦ ଅର୍ପଣ କରି ସମସ୍ତ ଅଂଶଗ୍ରହଣକାରୀ ଓ ଅଂଶୀଦାରଙ୍କ ଅବଦାନକୁ ସାଧୁବାଦ ଜଣାଇଥିଲେ । ଆଇସିପିସିଏମ୍ ୨୦୨୪ ବିଶ୍ୱସ୍ତରୀୟ ଆହ୍ୱାନଗୁଡ଼ିକର ଅଭିନବ ସମାଧାନ ଉପରେ ଧ୍ୟାନ କେନ୍ଦ୍ରିତ କରିବା ସହିତ ମେଟେରିଆଲ୍ ଇଞ୍ଜିନିୟରିଂରେ ଆନ୍ତଃବିଭାଗୀୟ ଗବେଷଣା ଚଳାଇଛି । ଧାତୁ, ସେମିକଣ୍ଡକ୍ଟର, ଆଲଏ, ପଲିମର ଇତ୍ୟାଦି ସାମଗ୍ରୀ ଡିଜାଇନ୍ ଓ ଉନ୍ନତି ସହିତ ଜଡ଼ିତ ଏହି କ୍ଷେତ୍ର ଉତ୍ପାଦନ, ନିର୍ମାଣ, ବିନିର୍ମାଣ, ଇଲେକ୍ଟ୍ରୋନିକ୍ସ, ଶକ୍ତି, ଏରୋସ୍ପେସ୍, ଅଟୋମୋଟିଭ୍ ଏବଂ ଆହୁରି ଅନେକ ଶିଳ୍ପକୁ ଆଗକୁ ବଢ଼ାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଶିକ୍ଷାବିତ୍ ଓ ଶିଳ୍ପ ମଧ୍ୟରେ ଏହି ସହଯୋଗ ଦ୍ୱାରା ଏହି ସମ୍ମିଳନୀର ଉଦ୍ଦେଶ୍ୟ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତାକୁ ପୂରଣ କରିବା ସହିତ ଏକ ସ୍ଥାୟୀ ତଥା ଉଚ୍ଚ-କାର୍ଯ୍ୟଦକ୍ଷତା ସାମଗ୍ରୀ ଉଦ୍ଭାବନ ପାଇଁ ମାର୍ଗ ପ୍ରଶସ୍ତ କରିବ ।
Prev Post