ରାଉରକେଲା, (ସସ୍ମିତା ପ୍ରଧାନ) : ମାଣବସା ଗୁରୁବାର ଓଷା ଓଡ଼ିଶାରେ ପାଳିତ ହେଉଥିବା ଏକ ପ୍ରମୁଖ କୃଷିଭିତ୍ତିକ ପାର୍ବଣ ହୋଇଥିବା ବେଳେ ସୁନ୍ଦରଗଡ ଜିଲ୍ଲା ସଦର ମହକୁମା ସମେତ ଜିଲ୍ଲାର ପୁରପଲ୍ଲୀରେ ମଧ୍ୟ ଏହାର ବେଶ ମହତ୍ତ୍ୱ ରହିଛି । ତେଣୁ ଆଜି ମାର୍ଗଶିର ମାସ ପ୍ରଥମ ଗୁରୁବାର ଅବସରରେ ସୁନ୍ଦରଗଡ଼ ସହର ସମେତ ପୁରପଲ୍ଲୀର ଘରେ ଘରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିବା ପରିଲକ୍ଷିତ ହୋଇଛି । ତାସହିତ ମାର୍ଗଶୀର ପ୍ରଥମ ମାଣବସା ଗୁରୁବାର ଓଷାରେ ଜିଲ୍ଲାର ଘରେ ଘରେ ଏକ ପାର୍ବଣର ମହକ ମଧ୍ୟ ବାରି ହୋଇପଡିଛି । ଓଡ଼ିଆଣୀ ମାନଙ୍କ ଶଙ୍ଖଘଣ୍ଟ, ହୁଳହୁଳି ଶବ୍ଦରେ ଗାଁ ଗଣ୍ଡା ସବୁ ଫାଟି ପଡୁଥିବା ବେଳେ ଚତୁର୍ଦୀଗ ଉତ୍ସବ ମୁଖର ହୋଇଛି । ଏଠାରେ ସୂଚନାଯୋଗ୍ୟ ଯେ, ସବୁ ପାର୍ବଣ ଭଳି ମାଣବସା ଗୁରୁବାର ଓଷାର ମଧ୍ୟ ରହିଛି ଏକ ସ୍ୱତନ୍ତ୍ର ବିଧି ଓ ବିଧାନ । ଏହି ଅବସରରେ ପୂଜାଘରକୁ ଧାନମେଣ୍ଟା ବା ଧାନବେଣୀରେ ସଜାଯାଉଥିବା ବେଳେ ଗୁରୁବାରର ପୂର୍ବ ରାତିରେ ଗୃହିଣୀ ମାନେ ଘରକୁ ଲିପାପୋଛା କରି ଝୋଟି ଚିତାରେ ବିଭିନ୍ନ ପ୍ରକାର ଚିତ୍ର କରି ଘରକୁ ସୁସଜ୍ଜିତ କରିଥାନ୍ତି । ତାସହିତ ମାଁ ଲକ୍ଷ୍ମୀଙ୍କ ଖଟୁଲି ଚାରିପଟେ ଝୋଟିଚିତ୍ରରେ ଷୋଳ ପାଖୁଡା ପଦ୍ମ ଅଙ୍କନ କରାଯାଉଥିବା ବେଳେ ଘରର ଚାରିଆଡେ ମାଁ ଲକ୍ଷ୍ମୀଙ୍କର ପାଦର ଚିତା ଅଙ୍କନ କରାଯାଇଥାଏ । ତାପରେ ବିଭିନ୍ନ ପ୍ରକାରର ଫଳ ସମେତ ପୂଜା ସାମଗ୍ରୀ ଆଣି ମାଁ ଲକ୍ଷ୍ମୀ ଠାକୁରାଣୀଙ୍କୁ ଆରାଧନା କରିବା ସହିତ ବଳରାମ ଦାସଙ୍କ ରଚିତ ଲକ୍ଷ୍ମୀ ପୁରାଣକୁ ପଠନ କରିଥାନ୍ତି ଓଡ଼ିଆଣୀ ମାନେ । ମାଁ ଲକ୍ଷ୍ମୀଙ୍କୁ ଆରାଧନା କରି ସାନିଧ୍ୟ ଲାଭକଲେ ଘର ଧନଧାନ୍ୟରେ ପୂର୍ଣ୍ଣ ହେବାର ମଧ୍ୟ ଧାର୍ମିକ ବିଶ୍ୱାସ ରହିଥିବା ବେଳେ ଅନେକ ଓଡ଼ିଆଣୀ ମାନେ ନିର୍ଜଳା ଉପବାସ କରି ଏହି ଓଷାକୁ ପାଳନ କରିଥାନ୍ତି । ତାଛଡା ଏହି ମାଣବସା ଗୁରୁବାରର ସନ୍ଧ୍ୟାରେ ଅନେକ ଗାଁ ଗୁଡ଼ିକରେ ଲକ୍ଷ୍ମୀ ପୁରାଣ ନାଟକ ମଧ୍ୟ ମଞ୍ଚସ୍ତ ହୋଇଥାଏ । ଲଷ୍ମୀ ପୁରାଣ ନାଟକରେ ସ୍ୱଚ୍ଛତା ଓ ସମର୍ପଣ ଭାବ ଦ୍ଵାରା ଶ୍ରୀୟା ଚାଣ୍ଡାଳୁଣୀ ମାଆ ଲକ୍ଷ୍ମୀଙ୍କୁ ମାର୍ଗଶିର ମାସରେ କେମିତି ପ୍ରସନ୍ନ କରିଥିଲେ, ସେ ପ୍ରସଙ୍ଗ ପ୍ରଦର୍ଶିତ ହେଉଥିବା ବେଳେ ପ୍ରଭୂ ଜଗନ୍ନାଥ ମା’ଙ୍କର ଅବମାନନା କରିଥିବାରୁ କେମିତି ଦୁଃଖ ପାଇଥିଲେ, ସେ କଥା ମଧ୍ୟ ନିଛକ ଭାବରେ ପ୍ରଦର୍ଶିତ ହୋଇଥାଏ । ଅପରପକ୍ଷେ ଗାଁର ସବୁ ବର୍ଗର ଲୋକଙ୍କୁ ଏହି ନାଟକରେ ଅଭିନୟ କରିବାର ସୁଯୋଗ ପ୍ରାପ୍ତ ହୋଇଥାଏ । ତେଣୁ ସମାଜରେ ବହୁଦିନରୁ ରହି ଆସିଥିବା ଛୁଆଁ ଅଛୁଆଁ ଭେଦଭାବ ଭଳି କୁସଂସ୍କାରକୁ ମଧ୍ୟ ଦୂର କରିବାରେ ମାଣବସା ଗୁରୁବାର ଓଷାର ଏକ ବହୁତ ବଡ଼ ଭୂମିକା ରହିଛି କହିଲେ ଅତ୍ୟୁକ୍ତି ହେବନାହିଁ ।