ମୁରିବାହାଲ ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରର ସ୍ଵାସ୍ଥ୍ୟ ଖରାପ

  • ବର୍ଷେରୁ ଅଧିକ ହେବ ଭର୍ତ୍ତି ରୋଗୀଙ୍କୁ ଦିଆଯାଉନି ଖାଦ୍ୟ କି ଜଳଖିଆ
  • ଜେନେରେଟର୍‌ ଥାଇ ବିଦ୍ୟୁତ୍‌ ଗଲେ ଅନ୍ଧାରରେ ରୋଗୀ
  • କାଦୁଅ ପଚପଚ ସମ୍ମୁଖ ରାସ୍ତା
  • ମେଡ଼ିକାଲ୍‌ ଇନ୍‌ଚାର୍ଜଙ୍କୁ ଭେଟି କଣ୍ଟାବାଞ୍ଜି ବିକାଶ ପରିଷଦର ତୀବ୍ର ପ୍ରତିବାଦ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ମହକୁମାରେ ଥିବା ଏକମାତ୍ର ସ୍ଵାସ୍ଥ୍ୟକେନ୍ଦ୍ରଟି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରୁ ଦୀର୍ଘ ବର୍ଷ ହେବ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପରିଣତ ହୋଇଥିଲେ ମଧ୍ୟ ଏବେବି ବହୁ ସମସ୍ୟାର ସମାଧାନ ହୋଇନଥିବା ବେଳେ ଏହାର ସ୍ଵାସ୍ଥ୍ୟ ଖରାପ ବୋଲି ଅଭିଯୋଗ ହୋଇଛି । ପୁର୍ବରୁ ଗୁରୁତର ଯକ୍ଷ୍ମା ରୋଗୀଙ୍କୁ ଏଠାରେ ମାସ ମାସ ଧରି ଔଷଧ ଯୋଗାଣ ହୋଇନଥିଲା । ଏବେ ବିଭିନ୍ନ ସମସ୍ୟା ଦେଇ ଗତି କରୁଥିବା ଏହି ସିଏଚ୍‌ସିକୁ ସୋମବାର କଣ୍ଟାବାଞ୍ଜି ବିକାଶ ପରିଷଦ ମୁରିବାହାଲ ଶାଖାର ସଦସ୍ୟମାନଙ୍କ ସହିତ ବରିଷ୍ଠ ବିଜେଡ଼ି ନେତା ଅଜୟ ଦାସ ପରିଦର୍ଶନ କରିଥିଲେ । ସେମାନେ ମୁରିବାହାଲ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ରୋଗୀମାନେ ଥିବା ୱାର୍ଡକୁ ଯାଇ ଚିକିତ୍ସିତ ହେଉଥିବା ରୋଗୀମାନଙ୍କ ବିଭିନ୍ନ ସୁବିଧା ଅସୁବିଧା ପଚାରି ବୁଝିଥିଲେ । ଦୀର୍ଘ ଗୋଟିଏ ବର୍ଷରୁ ଅଧିକ ହେବ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହେଉଥିବା ରୋଗୀମାନଙ୍କୁ ସକାଳୁ କ୍ଷୀର, ପାଉଁରୁଟି ଭଳି ଜଳଖିଆ ଓ ମଧ୍ୟାହ୍ନ ଭୋଜନ ମୂଳରୁ ଦିଆଯାଉନଥିବା ରୋଗୀମାନଙ୍କ ଠାରୁ ଜାଣିବାକୁ ପାଇ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ପରିଦର୍ଶନ ସମୟରେ ଡାକ୍ତରଖାନାରେ ଜେନେରେଟର୍‌ ଥିବା ସତ୍ତ୍ୱେ ବିଦ୍ୟୁତ୍ ଚାଲିଗଲେ ରୋଗୀମାନେ ଅନ୍ଧାରରେ ରହୁଥିବା ଦେଖିବାକୁ ମିଳିଥିଲା । ସେହିଭଳି ସ୍ଵାସ୍ଥ୍ୟକେନ୍ଦ୍ର ସମ୍ମୁଖ ରାସ୍ତାରେ ବଡ ବଡ ଗାତ ସୃଷ୍ଟି ହୋଇ କାଦୁଅରେ ଭର୍ତ୍ତି ହୋଇଥିବାରୁ ଲୋକେ ଯିବା ଆସିବାରେ ଘୋର ଅସୁବିଧା ହେଉଥିବା ଦେଖିବାକୁ ମିଳିଥିଲା । ଏହି ସବୁ ସମସ୍ୟା ବିଷୟରେ ଦାୟିତ୍ୱରେ ଥିବା ସ୍ୱାସ୍ଥ୍ୟକେନ୍ଦ୍ର ଇନ୍‌ଚାର୍ଜ ଡା. ଥବୀର ମେହେରଙ୍କ ସହିତ ବିକାଶ ପରିଷଦର କର୍ମକର୍ତ୍ତା ଓ ବିଜେଡ଼ି ନେତା ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ବିଜେଡ଼ି ନେତା ଶ୍ରୀ ଦାସ ଫୋନ ଯୋଗେ ବଲାଙ୍ଗିର ସିଡ଼ିଏମ୍‌ଓ ଡ. ପ୍ରଦୀପ ଗୁରୁଙ୍କ ସହିତ ସିଏଚ୍‌ସିରେ ଲାଗିରହିଥିବା ବିଭିନ୍ନ ସମସ୍ୟାର ଶୀଘ୍ର ସମାଧାନ ପାଇଁ ଆଲୋଚନା କରିଥିଲେ । ଅତି ଶୀଘ୍ର ଏହି ସମସ୍ୟାଗୁଡ଼ିକର ସମାଧାନ ନହେଲେ କଣ୍ଟାବାଞ୍ଜି ବିକାଶ ପରିଷଦ ତରଫରୁ ଦୃଢ଼ ପଦକ୍ଷେପ ନିଆଯିବ ବୋଲି ଚେତାବନୀ ଦିଆଯାଇଥିଲା । ଏ ସମ୍ପର୍କରେ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ଇନ୍‌ଚାର୍ଜ୍ ଡ. ଥବୀର ମେହେରଙ୍କୁ ପଚାରିବାରୁ ରୋଗୀ କଲ୍ୟାଣ ସମିତି ପକ୍ଷରୁ ପ୍ରସ୍ତାବ ପାରିତ ହୋଇ ଗୋଟିଏ ଏସ୍‌ଏଚ୍‌ଜିଙ୍କୁ ଦାୟିତ୍ଵ ଦିଆଯାଇଥିଲା କିନ୍ତୁ ସେମାନେ ଖାଦ୍ୟ କି ଜଳଖିଆ ଦେଲେ ନାହିଁ, ଜେନେରେଟର୍‌ରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ କେବେ କେବେ ଏହା ଅଚଳ ହୋଇପଡୁଥିବା ବେଳେ ସମ୍ମୁଖ ରାସ୍ତା ପାଇଁ ମୁଁ ପ୍ରଶାସନକୁ ଲିଖିତ ଭାବେ ଜଣାଇଛି ବୋଲି ପ୍ରକାଶ କରିଥିଲେ । ଏହି ପରିଦର୍ଶନ ବେଳେ ବିକାଶ ପରିଷଦର ଛିନୁ କେତକୀ, ବାସୁଦେବ ବାଗ, ସୁଦାମ ବାଗ, ରୁକମନ ବଘାର, ମିନିକେତନ ପାତ୍ର, ଉମାକାନ୍ତ ଖମାରୀ, ମଦନ ଥାଟି, ପ୍ରଶାନ୍ତ ଖମାରି, ମନ ଭୋଇ, ନବୀନ ଭୋଇ, ପ୍ରଭାକର ବନଛୋର, ଜୟସାଇଲ କୁଅଁର, କିଶୋର ଦାସ, ଜନ୍ମଜୟ କାଣ୍ଡ, ରମେଶ କୁଅଁର, ଧନୁ ମେହେର, ଶ୍ୟାମ ବଗର୍ତ୍ତୀ, ପ୍ରହଲ୍ଲାଦ ବଛା ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.