ରାଉରକେଲା, (ସସ୍ମିତା ପ୍ରଧାନ) : ପଶ୍ଚିମ ଓଡିଶାକୁ କ୍ରୀଡ଼ା କ୍ଷେତ୍ରର ଏନ୍ତୁଡ଼ିଶାଳ ଭାବେ ବିବେଚନା କରାଯାଏ । କିନ୍ତୁ ଏବେ ଏହି ପଶ୍ଚିମ ଓଡିଶାକୁ କ୍ରୀଡ଼ା କ୍ଷେତ୍ରରେ ଅବହେଳା କରାଯାଉଛି । କାରଣ ସୁନ୍ଦରଗଡ଼ରେ ଥିବା ମହିଳା ଫୁଟ୍ବଲ୍ ହଷ୍ଟେଲରେ ପୁରୁଷ ଫୁଟ୍ବଲ କୋଚ୍ଙ୍କୁ ନିଯୁକ୍ତ କରାଯାଇଛି । ଯାହାକୁ ନେଇ ମୋହନ ସରକାରଙ୍କ କ୍ରୀଡ଼ା ବିଭାଗର ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସୂଚନା ନେବାରୁ ଜଣାପଡିଛି ସୁନ୍ଦରଗଡ଼ରେ ରହିଛି ମହିଳା ଫୁଟ୍ବଲ୍ ସ୍ପୋର୍ଟସ ହଷ୍ଟେଲ । ଏହି ହଷ୍ଟେଲ ଅନେକ ଜାତୀୟ ଓ ଆନ୍ତର୍ଜାତୀୟ ଫୁଟ୍ବଲ୍ ଖେଳାଳୀଙ୍କୁ ସୃଷ୍ଟି କରିଛି । ଏହି ହଷ୍ଟେଲରେ ଜଣେ ମହିଳା କୋଚ୍ ଜୈନେକା ସାମନ୍ତଙ୍କୁ ନିଯୁକ୍ତ କରାଯାଇଥିଲା । କିନ୍ତୁ ସଂପୃକ୍ତ କୋଚ୍ ଜଣକ ବେଶ ପ୍ରଭାବଶାଳୀ । ତେଣୁ ସେ ନିଜର ପ୍ରଭାବ ବିସ୍ତାର କରି ଏଠାରୁ ଭୁବନେଶ୍ୱରକୁ ବଦଳି ହୋଇଗଲେ । ହେଲେ ଭୁବନେଶ୍ୱରରେ ତାଙ୍କ ପାଇଁ କୌଣସି ଅନ୍ୟ ହଷ୍ଟେଲ ନାହିଁ । କାରଣ ଭୁବନେଶ୍ୱରରେ ଯେଉଁ ହଷ୍ଟେଲ ରହିଛି ସେଠାରେ ଜଣେ ମହିଳା କୋଚ୍ ଦୀର୍ଘଦିନ ହେବ ଅଛନ୍ତି । ତେଣୁ ତାଙ୍କୁ ଥଇଥାନ କରାଯିବା ପାଇଁ ଭୁବନେଶ୍ୱର ଫୁଟ୍ବଲ୍ ଏକାଡେମୀର ଇନ୍ଚାର୍ଜ କରାଯାଇଛି । ହେଲେ ତାଙ୍କ ମୂଳ ନିଯୁକ୍ତି ହେଉଛି ମହିଳା ଫୁଟ୍ବଲ୍ ହଷ୍ଟେଲ । ଯେହେତୁ ଭୁବନେଶ୍ୱରରେ ଥିବା ମହିଳା ଫୁଟ୍ବଲ୍ ହଷ୍ଟେଲରେ ପୂର୍ବରୁ ଜଣେ କୋଚ୍ ଅଛନ୍ତି ତେଣୁ ତାଙ୍କର ସେଠାରେ ଆବଶ୍ୟକତା ନାହିଁ । ସେ ଜଣେ ପ୍ରଭାବଶାଳୀ କୋଚ୍ ହୋଇଥିବାରୁ ଧରାଧରି କରି ଭୁବନେଶ୍ୱର ଫୁଟ୍ବଲ୍ ଏକାଡେମୀରେ ଥଇଥାନ ହୋଇଛନ୍ତି । ସେଠାରେ ସରକାରଙ୍କ କୌଣସି ମହିଳା ହଷ୍ଟେଲ ନାହିଁ । ଅପରପକ୍ଷରେ ସୁନ୍ଦରଗଡ଼ ମହିଳା ଫୁଟ୍ବଲ୍ ହଷ୍ଟେଲରେ କୋଚ୍ଙ୍କ ଆବଶ୍ୟକତା ପଡିବାରୁ ଓଡିଶା ପୁଲିସର ଜଣେ ଅନଭିଜ୍ଞ କୋଚ୍ଙ୍କୁ ସୁନ୍ଦରଗଡ଼କୁ ଅଣାଗଲା । ଏହି କୋଚ୍ ଜଣକ ମହିଳାମାନଙ୍କୁ ପ୍ରଶିକ୍ଷଣ ଦେବା ପାଇଁ ସେପରି ବିଶେଷ ଧରଣର ଲାଇସେନ୍ସ କୋର୍ଷ କରି ନାହାଁନ୍ତି । ଏପରିକି ସେ ଏନ୍ଆଇଏସ୍ର ଡିପ୍ଲୋମା ହୋଲ୍ଡର୍ ମଧ୍ୟ ନୁହଁନ୍ତି । ସେହିପରି ତାଙ୍କର ପୂର୍ବରୁ କୌଣସି ପ୍ରଶିକ୍ଷଣ ଦେବାର ଅଭିଜ୍ଞତା ନାହିଁ । ବଡ଼ ଆଶ୍ଚର୍ଯ୍ୟର କଥା ହେଉଛି ଏକ ମହିଳା ହଷ୍ଟେଲରେ ଜଣେ ପୁରୁଷ କୋଚ୍ଙ୍କୁ ନିଯୁକ୍ତ କରାଯାଇଛି । କାରଣ ମହିଳା ମାନଙ୍କର ବିଭିନ୍ନ ସମୟରେ ଶାରିରୀକ ସମସ୍ୟା ଦେଖା ଦେଇଥାଏ । କ୍ରୀଡ଼ା କ୍ଷେତ୍ରରେ ଏହା ବେଶ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଯଦି କୌଣସି ପୁରୁଷ କୋଚ୍ଙ୍କୁ ନିଯୁକ୍ତ କରାଯାଏ ତାହା ହେଲେ ତାଙ୍କ ସହ ଜଣେ ମହିଳା କୋଚ୍ଙ୍କୁ ମଧ୍ୟ ନିଯୁକ୍ତି ଦେବା ବାଧ୍ୟତାମୂଳକ । କାରଣ ମହିଳା କୋଚ୍ ମହିଳାମାନଙ୍କର ବିଭିନ୍ନ ଶାରିରୀକ ସମସ୍ୟା ବିଷୟରେ ଅବଗତ ହୋଇ ପାରିବେ । ହେଲେ ପୁରୁଷ କୋଚ୍ ନିଯୁକ୍ତ ହୋଇଥିବାରୁ ମହିଳାମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଯାହାକୁ ସେମାନେ କାହା ନିକଟରେ ପ୍ରକାଶ କରି ପାରୁନାହାଁନ୍ତି । ଯାହାକି ତାଙ୍କ ପ୍ରଶିକ୍ଷଣରେ ପ୍ରଭାବ ପକାଉଛି । ଏହାସହ ମହିଳାମାନେ ଉପଯୁକ୍ତ ପ୍ରଶିକ୍ଷଣରୁ ବଞ୍ଚିତ ହେଉଛନ୍ତି । କେତେକ କ୍ରୀଡ଼ାବିତ୍ କହିଛନ୍ତି ପୂର୍ବରୁ ଯେଉଁ ମହିଳା କୋଚ୍ଙ୍କୁ ସରକାର ଏଠାରେ ନିଯୁକ୍ତି ଦେଇଥିଲେ ତାଙ୍କୁ ପୁନର୍ବାର ଏଠାକୁ ଫେରାଇ ଅଣାଯାଉ ନଚେତ ତାଙ୍କୁ ଭୁବନେଶ୍ୱରରେ ମହିଳା ଫୁଟ୍ବଲ୍ ହଷ୍ଟେଲରେ ଥଇଥାନ କରାଯାଇ ସେଠାରେ ଦୀର୍ଘଦିନ ଧରି ଆସନ ମାଡି ବସିଥିବା କୋଚ୍ଙ୍କୁ ସୁନ୍ଦରଗଡ଼ ଅଣାଯାଉ । ଅନ୍ୟ କେତେକ କ୍ରୀଡ଼ାବିତ୍ କହିଛନ୍ତି ଯେଉଁମାନେ ଏଠାକୁ ବଦଳି ହୋଇ ଆସୁଛନ୍ତି ସେମାନେ ସୁନ୍ଦରଗଡ଼ରେ ରହିବା ପାଇଁ ଇଚ୍ଛା ପ୍ରକାଶ କରୁନାହାଁନ୍ତି । କାରଣ ଭୁବନେଶ୍ୱରେ ରହି ମୌଜ କରିବା କୋଚ୍ ମାନଙ୍କ ଆଦତ ହୋଇଗଲାଣି । ତେଣୁ ଯେତେବେଳେ ନିଯୁକ୍ତି ଦିଆଯାଉଛି ବା ବଦଳି କରାଯାଉଛି ସେହି ସମୟରେ ସରକାର ସର୍ତ୍ତାବଳୀ ରଖନ୍ତୁ ଯେ, ଯେଉଁ ଜିଲ୍ଲାକୁ ପଠାଯିବ ସେଠାରେ ଚାକିରିର ସର୍ତ୍ତାବଳୀ ଅନୁଯାୟୀ କୋଚ୍ମାନଙ୍କୁ ରହିବାକୁ ପଡିବ । ଏହା ହେଲେ ଯେଉଁମାନଙ୍କୁ ଭୁବନେଶ୍ୱରରୁ ସୁନ୍ଦରଗଡ଼କୁ ପଠାଯାଉଛି ସେମାନେ ଅନ୍ତତଃ ଚାକିରି ସର୍ତ୍ତାବଳୀ ଅନୁଯାୟୀ ଏଠାରେ ରହି ମହିଳାମାନଙ୍କୁ ଫୁଟ୍ବଲ୍ ପ୍ରଶିକ୍ଷଣ ଦେବା ଉଚିତ୍ । ଏହା ହୋଇପାରିଲେ କ୍ରୀଡ଼ାର ବିକାଶ ହୋଇପାରିବ । ଯଦି ଏହା କରାନଯାଏ ତେବେ କ୍ରୀଡ଼ାର ଏନ୍ତୁଡିଶାଳ ଭାବେ ପରିଚିତ ସୁନ୍ଦରଗଡ଼ର ନାମ ମହିଳା ଫୁଟ୍ବଲ୍ ମାନଚିତ୍ରରୁ ଲିଭି ଯିବ ବୋଲି କ୍ରୀଡ଼ା ସଂଗଠକ ଓ କ୍ରୀଡ଼ାବିତ୍ମାନେ ମତ ପୋଷଣ କରିଛନ୍ତି । ଏଠାରେ ପ୍ରଶ୍ନ ଉଠୁଛି ଭୁବନେଶ୍ୱରକୁ ଯଦି ଜଣେ ମହିଳା କୋଚ୍ଙ୍କୁ ବଦଳି କରାଗଲା ତେବେ ଭୁବନେଶ୍ୱରରେ ଥିବା ମହିଳା ଫୁଟ୍ବଲ୍ କ୍ରୀଡ଼ା ଛାତ୍ରାବାସରେ ପୂର୍ବରୁ ଯେଉଁ କୋଚ୍ ଦୀର୍ଘଦିନ ଧରି ଆସନ ମାଡିବସି ଅଛନ୍ତି ତାଙ୍କୁ ସୁନ୍ଦରଗଡ଼ ବଦଳି କରାଯାଇ ପାରିଥାନ୍ତା । ତେବେ ଭୁବନେଶ୍ୱରରେ ବିନା କାମରେ ଦୁଇଜଣ ମହିଳା ଫୁଟ୍ବଲ କୋଚ୍ଙ୍କୁ କାହିଁକି ସରକାର ରଖୁଛନ୍ତି ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ପଶ୍ଚିମ ଓଡିଶାର ଏକ ପ୍ରମୁଖ କ୍ରୀଡ଼ା କ୍ଷେତ୍ର ସୁନ୍ଦରଗଡ଼ ଜିଲାକୁ ଉପେକ୍ଷା କରାଯାଉଛି ବୋଲି କ୍ରୀଡାବିତ୍ ମାନେ ମତ ପୋଷଣ କରୁଛନ୍ତି ।
Prev Post