- ଶିକ୍ଷା ହିଁ ଗୋଟିଏ ଜାତିର ଚେତନାରେ ପରିବର୍ତ୍ତନ ଆଣିଥାଏ
- ୫-ଟି ସ୍କୁଲ ରୂପାନ୍ତର ଯୋଗୁ ଶିକ୍ଷାର ଗୁଣାତ୍ମକ ମାନରେ ଉନ୍ନତି ଆସିଛି
- ନିଜର ଜ୍ଞାନ ଓ ମୂଲ୍ୟବୋଧ ଦ୍ୱାରା ପିଲାଙ୍କ ପାଇଁ ଆଦର୍ଶ ସୃଷ୍ଟି କରନ୍ତୁ : ଶିକ୍ଷକ ମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ
ଭୁବନେଶ୍ୱର : ଆଜି ରାଜ୍ୟର ବିଭିନ୍ନ ସରକାରୀ ହାଇସ୍କୁଲରେ ୫୭୬ ଜଣ ହିନ୍ଦି ଓ ସଂସ୍କୃତ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇଛନ୍ତି । ସେମାନଙ୍କ ମଧ୍ୟରୁ ୩୬୮ ଜଣ ହିନ୍ଦି ଓ ୨୦୮ ଜଣ ସଂସ୍କୃତ ଶିକ୍ଷକ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଲୋକସେବା ଭବନସ୍ଥିତ କନ୍ଭୋନସନ ସେଣ୍ଟରରେ ଏକ ନିଯୁକ୍ତି ପର୍ବର ଆୟୋଜନ ସହିତ ଦିଗ୍ଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ନୂତନ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ସ୍ୱାଗତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ଶିକ୍ଷା ଗୋଟିଏ ଜାତିର ଚିନ୍ତା, ଚେତନାରେ ପରିବର୍ତ୍ତନ ଆଣିଥାଏ । ଛାତ୍ରଛାତ୍ରୀଙ୍କୁ ବଡ ସ୍ୱପ୍ନ ଦେଖିବା ପାଇଁ ପ୍ରେରଣା ଦେଇଥାଏ । ପିଲାମାନଙ୍କୁ ସେମାନଙ୍କ ସ୍ୱପ୍ନ ପୂରଣ ଦିଗରେ ଅନୁପ୍ରାଣିତ କରିବାକୁ ସେ କହିଥିଲେ । ଏହାସହିତ ନିଜର ଜ୍ଞାନ ଓ ମୂଲ୍ୟବୋଧ ଦ୍ୱାରା ଛାତ୍ରଛାତ୍ରୀଙ୍କ ପାଇଁ ଆଦର୍ଶ ସୃଷ୍ଟି କରିବା ପାଇଁ ମଧ୍ୟ ସେ ପରାମର୍ଶ ଦେଇଥିଲେ । ଏହି ଲକ୍ଷ୍ୟ ନେଇ ଆମର ୫-ଟି ସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମ ଜାରି ରହିଛି ବୋଲି ପ୍ରକାଶ କରି ସେ କହିଲେ ଯେ ଏହାଦ୍ୱାରା ରାଜ୍ୟର ସ୍କୁଲ ଗୁଡିକର ଭିତ୍ତିଭୂମି ଓ ପରିବେଶରେ ସମ୍ପୂର୍ଣ୍ଣ ରୂପାନ୍ତର ଆସିଛି । ରାଜ୍ୟର ସମସ୍ତ ସରକାରୀ ଓ ସରକାରୀ ସହାୟତାପ୍ରାପ୍ତ ସ୍କୁଲ ଗୁଡିକରେ ଶିକ୍ଷାର ଗୁଣାତ୍ମକ ମାନରେ ଉଲ୍ଲେଖନୀୟ ବୃଦ୍ଧି ଆସିପାରିଛି । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ହାଇସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମ ଜରିଆରେ ୪୬୦୫ଟି ନୂଆ କ୍ଲାସରୁମ୍, ୧୬,୯୨୦ଟି ସ୍ମାର୍ଟ କ୍ଲାସରୁମ, ୭୮୬୩ଟି ଆଧୁନିକ ଲାବୋରେଟୋରୀ, ୭୯୨୦ଟି ଇ-ଲାଇବ୍ରେରୀ ସୃଷ୍ଟି କରାଯାଇଛି । ରାଜ୍ୟରେ ଶିକ୍ଷକ ନିଯୁକ୍ତି ଉପରେ ଗୁରୁତ୍ୱ ଦିଆଯାଉଛି ବୋଲି ପ୍ରକାଶ କରି ସେ କହିଥିଲେ ଯେ ମାଧ୍ୟମିକ ସ୍ତରରେ ଚଳିତ ଶିକ୍ଷାବର୍ଷରେ ରାଜ୍ୟ ସରକାର ୪୭୪୨ ଜଣ ଶିକ୍ଷକ ନିଯୁକ୍ତ କରିଛନ୍ତି । କାର୍ଯ୍ୟକ୍ରମରେ ଯୋଗଦେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡି କହିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ଦିଗ୍ଦର୍ଶନରେ ୫-ଟି ମନ୍ତ୍ର ଆଧାରରେ ଶିକ୍ଷା ବିଭାଗ ଏବେ ଶୀର୍ଷରେ ପହଞ୍ଚି ପାରିଛି । ଶିକ୍ଷାର ମାନ ବୃଦ୍ଧି ହେଲେ, ଦେଶର ବିକାଶ ହୁଏ ବୋଲି ସେ ମତ ଦେଇ ଶିକ୍ଷକ ମାନଙ୍କୁ ପିଲାଙ୍କ ନୈତିକ ବିଚାରଧାରାରେ ଉନ୍ନତି ଆଣିବା ପାଇଁ ଉଦ୍ୟମ କରିବାକୁ ସେ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଦୁଇ ଜଣ ନବନିଯୁକ୍ତ ଶିକ୍ଷୟିତ୍ରୀ ରେଶମା ବେହେରା ଓ ସଶ୍ମିତା ନାୟକ ସେମାନଙ୍କର ଅଭିଜ୍ଞତା ବର୍ଣ୍ଣନା କରିଥିଲେ । ରେଶମାଙ୍କ ପରିବାରରେ ସମସ୍ତେ ଶିକ୍ଷକ ବୃତ୍ତିରେ ଥିବାବେଳେ, ସଶ୍ମିତା କହିଥିଲେ ଯେ ତାଙ୍କ ପରିବାରରେ ସେ ପ୍ରଥମ ସରକାରୀ କର୍ମଚାରୀ । ଉଭୟ ଶିକ୍ଷକ ବୃତ୍ତିରେ ଯୋଗଦାନ କରିଥିବାରୁ ଏବଂ ୫-ଟି ଆଧାରରେ ସ୍ୱଚ୍ଛ ଓ ତ୍ୱରିତ୍ୱ ପ୍ରକ୍ରିୟାରେ ନିଯୁକ୍ତି ପ୍ରକ୍ରିୟା ଶେଷ ହୋଇଥିବାରୁ, ସେମାନେ ମୁଖ୍ୟମନ୍ତ୍ରୀଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରିଥିଲେ ଏବଂ ପିଲାମାନଙ୍କ ଭବିଷ୍ୟତ ପାଇଁ ପ୍ରତିବଦ୍ଧତାର ସହ ଶିକ୍ଷା ପ୍ରଦାନ କରିବେ ବୋଲି କହିଥିଲେ । ବିଭାଗୀୟ ସଚିବ ଅଶ୍ୱଥି ଏସ୍ ସ୍ୱାଗତ ଭାଷଣ ଦେଇଥିଲେ ଏବଂ ନିର୍ଦ୍ଦେଶକ ସୁଶାନ୍ତ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।