jayashree

ବଲାଙ୍ଗିର ବିଷୟରେ ଏକ ରଚନାର କିୟଦଂଶ

ଶରଦିନ୍ଦୁ ଭୂଷଣ ହୋତା

ବଲାଙ୍ଗିର ଲୋକେ ପ୍ରକୃତିଗତ ଭାବେ ଆମେ ବଡ଼ ସଭାବିଳାସୀ । ଯାହା ଯେମିତି ହେଉ ସବୁ କଥା ଆଗରେ ସଭାଟିଏ କରିବା ଆମର ମଜ୍ଜାଗତ ଅଭ୍ୟାସ । ଚିରୁଣି ଧରି ମୁଣ୍ଡକୁ ବହେ ରାଂପି ପକାଇବା ପରେ ଉକୁଣି ମୁଣ୍ଡିଆ ଲୋକଟିକୁ ଯେମିତି ହାଏ ଲାଗେ, କୌଣସି କିଛି ପାଇଁ ଆମର ମଧ୍ୟ ପିତ୍ତମୁଣି ଚହଲିବା ମାତ୍ରକେ ଜୋର୍‌ଦାର୍‌ ସଭାଟିଏ କରି ନେଇ ପାରିଲେ ତେଣିକି ବଡ଼ ଉଶ୍ୱାସ ଲାଗେ । ଅଂଚଳ ବିଚାରରେ ଆମର ବଡ଼ ଅବହେଳିତ ନିରିମାଖିଆ ଅଂଚଳ । ସାମୁହିକ ଭାଗ୍ୟ ପଥର ତଳେ ଚାପା ପଡ଼ିଛି । ଜୀବନ ଭୂମିରୁ କୌଣସି ରସ ନପାଇ ଦୀର୍ଘ କାଳ ଧରି ଆମେ ବଡ଼ ରୁଖାଶୁଖା ଜୀବନ ଜୀଉଁଛୁ । ଆମ ଭାଗ୍ୟକୁ ଚଳାଇବେ ବୋଲି ଚାଳକ ଓ ଶାସକ ପଣରେ କେତେ କେତେ ସିଆଣିଆ ବ୍ୟକ୍ତି ସାଆନ୍ତ ସାଜି ଆମ ଉପରେ ସବାର ହୋଇଛନ୍ତି । ନାନା ଆଳରେ ଜୀବନୋଦୟର ସମ୍ଭାବନାକୁ ବାଟମାରଣା କରୁଛନ୍ତି । କ୍ରମାଗତ ଭାବରେ ସେମାନଙ୍କ ଉଦ୍ଦେଶ୍ୟପୂର୍ଣ୍ଣ ଅବଜ୍ଞା ଓ ପ୍ରବଞ୍ଚନାର ଶୀକାର ହେବା ହେତୁ ଅସ୍ତିତ୍ୱର ଅନୁଭବ ଏବେ ଭିନ୍ନ ବାଗରେ ଉଖାରି ହୋଇଯାଇଛି । ଅନ୍ୟ କାହାରି କଥାର ଡାହାଣୀ ଆକର୍ଷଣରେ ନ ଭୁଲି ଏବେ ନିଜ କଥା ନିଜେ ଟିକେ ଅଧିକ ଗହୀରରୁ ବୁଝି ବୁଝାଇବା ପାଇଁ ଏକ ପ୍ରବଣତା ଜାଗିଛି । “ମହିଷି ଶିଂଗ ଫଟା, ଯୁଝିଲା ବେଳକୁ ଗୋଟା’ ନ୍ୟାୟରେ ସମସ୍ତେ କେମିତି ଗଅଁଠା ଗଅଁଠି ହୋଇ ଏକ ହୋଇ ଯାଆନ୍ତୁ, ସମସ୍ତଙ୍କ ଭାଗ୍ୟ ଓ ଭବିଷ୍ୟତକୁ ମନୁଷ୍ୟୋଚିତ ଢ଼ଙ୍ଗରେ ପୁଣି ଗଢ଼ି ତୋଳିବାକୁ ମଜ୍‌ବୁତ୍‌ ଭାବରେ ସଂଗ୍ରାମ କରିବାକୁ ଏକତ୍ରିତ ହୋଇ ପାରନ୍ତୁ, ଆମ ମାଟିର ନିରୁତା ଭାଷା, ସାହିତ୍ୟ ଓ ସଂସ୍କୃତିକୁ ଚିହ୍ନି ଚିହ୍ନାଇବା ପାଇଁ ଯୋଗ୍ୟ ହୋଇ ପାରନ୍ତୁ, ଆମ ଅଂଚଳର ମୁକ ଜନତାଙ୍କ ତୁଣ୍ଡରେ ଦାବି ଉପସ୍ଥାପନର ଭାଷା ଓ ଅଭିବ୍ୟକ୍ତି ପଇଟି ପାରନ୍ତା, ବିଚ୍ଛିନ୍ନତା, କଳହ ଓ ଆତ୍ମସ୍ୱାର୍ଥ ସୁଯୋଗ ସଂଧାନର ମାନସିକତା ବିଦାୟ ନିଅନ୍ତା… ଇତ୍ୟାଦି ଇତ୍ୟାଦି ନାନା ପ୍ରକାରର ପବିତ୍ର ବାସନା ଆମମାନଙ୍କ ଭିତରୁ ପ୍ରାୟ ପ୍ରତି ପ୍ରତ୍ୟେକଙ୍କ ଅନ୍ତର ଭିତରେ ଜାଗୁଛି । ଅପମାନ ଓ ଅବସାଦ ଜାରି ରଖିଥିବା ସ୍ଥିତାବସ୍ଥା ବିରୁଦ୍ଧରେ ବିଦ୍ରୋହ ଚେତନାଟିଏ ଉଙ୍କି ମାରୁଛି । ଏତେ ଦିନ ଯାହା ହେବା କଥା ହୋଇଗଲା । ଏଣୁ ଏଣିକି ନିଜକୁ ନିଜେ ସଜାଡ଼ିବା ଓ ଗଢ଼ିବା ପାଇଁ ସଂକଳ୍ପଟିଏ ବ୍ୟକ୍ତିଗତ ଓ ସମଷ୍ଟିଗତ ଉଭୟ ସ୍ତରରେ ଦାନା ବାନ୍ଧୁଛି । ଏତିକି ବେଳେ ସଭାଟିଏ କରିବାର ଆବଶ୍ୟକତାକୁ କିଏ କାହିଁକି ବା ନାହିଁ କରି ପାରିବ?

ଧରନ୍ତୁ ଉଦ୍ଦେଶ୍ୟଗତ ସ୍ୱଚ୍ଛତା ଧରି ଏଥିପାଇଁ ଜଣେ ସଭାରେ ବସିଛି । ସେଭଳି ଜଣେ ବାଟ ଦେଇ ପାରିବ ଓ ବାଟ ପାଇ ପାରିବ ମଧ୍ୟ । ସବୁ ଗବାକ୍ଷ ଖୋଲି ସେ ସବୁ ମତ ଓ ପଥର ଲୋକଙ୍କ କଥା ଶୁଣିବା ପାଇଁ ବସି ପାରିବ । ସବୁ କଥା ଦେଖି, ଶୁଣି, ବୁଝି ଅସଲ ଓ ଆକାଂକ୍ଷିତ ମଙ୍ଗଳଟି ପାଇଁ ଖିଅ ପାଇ ପାରିବ । ଦଶ ଜଣଙ୍କୁ ସାଥୀରେ ନେଇ ସଂଗ୍ରାମ ପଥରେ ଆଗେଇ ପାରିବ । ସଂଗ୍ରାମ ପଥର ସବୁ କଣ୍ଟା ମାଡ଼ି ପାରିବ । ଲୁହାର ଚଣା ଚୋବାଇ ପ୍ରୟୋଜନ ବେଳେ ହାତରୁ ଖାଇ ଘୋଡ଼ା ପଛରେ ମଧ୍ୟ ବିନା ଆପତ୍ତିରେ ଦୌଡ଼ ଦେଇ ପାରିବ । ଈର୍ଷା, ଆକ୍ରୋଶ ଓ ଅପମାନର ଶତ ଶତ ଫଣା ଚୋଟ ଖାଇ ମଧ୍ୟ ଢ଼ଳି ପଡ଼ିବନି, ମଜ୍‌ବୁତ୍‌ ରହିବ । ଧ୍ୟେୟନିଷ୍ଠ ଜଣେ ସଂଗ୍ରାମୀ ପୁରୁଷ ରୂପେ ସ୍ୱତଃ ହିଁ ସେ ବାରି ହୋଇ ପଡ଼ିବ । ଉଦ୍ଦେଶ୍ୟଗତ ସ୍ୱଚ୍ଛତା ରହିଥିଲେ ସଭାରେ ବସି ଜଣେ ଏଇୟା ହୋଇ ପାରିବ । ଆଉ ଜଣେ ଧରାଯାଉ ସେଭଳି କୌଣସି ଉଦ୍ଦେଶ୍ୟଗତ ସ୍ୱଚ୍ଛତା ନଥାଇ ସଭାରେ ବସିଛି । ହୁଏତ ତା’ର ତଥାକଥିତ ପଦପଦବୀ, ଯୋଗ୍ୟତା ବା ପ୍ରତିଭାର ପ୍ରଭାବ ହେତୁ ସଭା ମଣ୍ଡାଇବାର ସୁଯୋଗଟିଏ ସେ ପାଇ ଯାଇଛି । ସେଭଳି ଜଣକର ମନରେ ନଥିବା ହେତୁ ମାଳାରେ ବି କିଛି ନଥାଏ । ଯଦିଓ ସେ ପ୍ରୟୋଜନରେ ପଡ଼ି ସଭାର ଉଦ୍ଦେଶ୍ୟକୁ ସ୍ୱୀକାର କଲା ଭଳି ଦିଶିବାକୁ ବସିଥାଏ । ତଥାପି ତା’ ଅନ୍ତଃସନ୍ଧିରେ ଚୋର ଭଳି ଉଦ୍ଦେଶ୍ୟ ଭିତରର ଉଦ୍ଦେଶ୍ୟ (Intention within intention) ହୋଇ ଆତ୍ମସ୍ୱାର୍ଥ ଓ ଆତ୍ମ ପ୍ରତିଷ୍ଠାର ଏକ ଅବର୍ଜିଆ ହୀନ ଉଦ୍ଦେଶ୍ୟ ଲୁଚି ରହିଥାଏ । ଧୋବ ଖଣ୍ଡେ ପିନ୍ଧି ବାହାରକୁ ସାଆନ୍ତ ଭଳି ଦେଖା ଯାଉଥିବା ସତ୍ତେ୍ୱ ଅସଲରେ ତା’ ପିତ୍ତନଳୀରେ କିନ୍ତୁ ନାନା ପ୍ରକାରର ହୀନିମାନିଆଁ ଗନ୍ଧିଆ ଚିନ୍ତା ଗୁନ୍ଦାଳି ହେଉଥାଏ । ଭାବଗତ ଭାବେ ସେଥିରେ ସେ ଉଠୁଥାଏ ତ’ ପଡ଼ୁଥାଏ । ଧ୍ୟେୟନିଷ୍ଠ ଭାବେ ଆକାଂକ୍ଷିତ ଉଦ୍ଦେଶ୍ୟ ଆଡ଼କୁ ମୁହଁ କରି ଦଣ୍ଡେ ଘଡ଼ିଏ ପାଇଁ ବି ଥିର ଥଣ୍ଡା ହୋଇ ମୋଟେ ବସି ପାରୁନଥାଏ । ସଭା ତା’ ବାଟରେ କାର୍ଯ୍ୟକ୍ରମ ଅନୁଯାୟୀ ଚାଲିଥାଏ । ସମସ୍ତେ ଦେଖିବାକୁ ସେ ଶାନ୍ତ ସୁଧାର ଭଳି ବସିଥାଏ । ମାତ୍ର ବଡ଼ ସ୍ପର୍ଶକାତର ଭାବେ ବସିଥାଏ । ଚାରିଆଡ଼କୁ ଆଖି ପହଁରାଇ ଆଣି ବାରମ୍ବାର ତା’ର ତା’ର ସେ କଳି ନେଉଥାଏ ଯେ ଲୋକେ ତାକୁ କେତେ ଗୁରୁତ୍ୱ ଦେଇ ଦେଖୁଛନ୍ତି । କଥା କହିବା ବେଳେ ତା’ କଥା ରହୁଛି ନା’ ନାହିଁ । ଯେଉଁ ଉଦ୍ଦେଶ୍ୟରେ ସଭା ହେଉଛି, ସେ ଉଦ୍ଦେଶ୍ୟର ମଙ୍ଗ ଧରିଥିବା ଆଉ ପାଂଚଜଣ ମଙ୍ଗୁଆଳଙ୍କ ମଧ୍ୟରେ ପ୍ରକୃତରେ ସିଏ ଏକା ଯେ ମଙ୍ଗରାଜ ସେଭଳି ଜଣା ପଡ଼ୁଛି ନା’ ନାଇଁ । ଗଣମାଧ୍ୟମଗୁଡ଼ିକର ପ୍ରତିନିଧିମାନେ ଅଧିକ ଏକ ଉଚ୍ଚାଟନରେ ତା’ କହିବା କଥା ସବୁକୁ ଟିପୁଛନ୍ତି ନା’ ନାଇଁ । ଫଟୋ ଯଦି ଉଠାଯାଇଛି ତହିଁରେ ସେ ମଉଡ଼ମଣି ଭଳି ଦିଶି ପାରିବାର ପୋଜ୍‌ ପୋଜିସନ୍‌ ସବୁ ନିଆଯାଉଛି ନା’ ନାଇଁ … ଇତ୍ୟାଦି ନାନା କିସମର ଚିନ୍ତାଗୁଡ଼ିକୁ କେନ୍ଦ୍ର କରି ସେ ବାଘୁଆଙ୍କ ଭଳି ନିଘା ରଖିଥାଏ । ଯଦି ସବୁ ତା’ ମୁତାବକ ଠିକ୍‌ଠାକ୍‌ ଚାଲିଛି ତ’ ତା ସମାନେ ଆଉ ଭଦ୍ରଲୋକ ନାହିଁ । ଆୟୋଜକଙ୍କ ଅଜ୍ଞତାରୁ ହେଉ କିମ୍ବା ମଂଚାସୀନ କୌଣସି ସମଧର୍ମୀଙ୍କ ଉଦାସୀନତା ହେତୁ ହେଉ ଯଦି କୌଣସି କାରଣରୁ ପାନରୁ ଟିକେ ଚୁନ ଖସିଗଲା ତେବେ ତାଙ୍କର ଆଉ ଭାରସାମ୍ୟ ରଖି ଚଳିବାର ସମ୍ଭବ ହୁଏନାହିଁ । ମୁଁ ନାହିଁ ତ’ କିଛି ନାହିଁ ବିଚାରର ଦୁଷ୍ଟ ପ୍ରଭାବରେ ପଡ଼ି ତେଣିକି ସେ ସଭା ମାରା କରିଦେବାକୁ ବି ସେ ପଛାନ୍ତି ନାହିଁ । ସଭାର ମୂଳ ଉଦ୍ଦେଶ୍ୟ ଚୁଲିକି ଯାଏ । ଉପସ୍ଥିତ ଅନ୍ୟମାନେ ଅସ୍ୱସ୍ତିକର ଏଇ ମାଙ୍କଡ଼ାମୀ ଦେଖିବାକୁ ବାଧ୍ୟ ହୁଅନ୍ତି । ମିଡ଼ିଆବାଲା ତେଣିକି ଅସଲ କଥାର ଅବତାରଣା ପରିବର୍ତ୍ତେ ଏଭଳି ମତ୍ତ ମାର୍ତଣ୍ଡମାନଙ୍କ ତାଣ୍ଡବ ତର୍ଜମା କରିବାରେ ବ୍ୟସ୍ତ ରହି ଯାଆନ୍ତି ।

ଭାତ ହାଣ୍ଡିରୁ ଗୋଟିଏ ଚିପିଲେ ଜଣା ପଡ଼ିବା ନ୍ୟାୟରେ ଗୋଟିଏ ଦୁଇଟି ସଭା ବିଷୟରେ ଚିନ୍ତା କଲେ ସବୁକଥା ଜାଣିହେବ । ଭାଷା ଚର୍ଚ୍ଚାର ପ୍ରସଙ୍ଗ ନେଇ ମଧ୍ୟ ସେ ଏକା କଥା । ଅନେକ ସଭା ସମିତି ହୋଇ ଚାଲିଛି । ଆମ ଅଂଚଳର ଲିପି, ଭାଷା ଓ ସଂସ୍କୃତିକୁ ଚିହ୍ନଟ କରି ସେଥିପାଇଁ କାମ କରାଯିବ ଓ ତା’ର ସ୍ୱାତନ୍ତ୍ର୍ୟ ପ୍ରତିଷ୍ଠା ପାଇଁ ସବୁ ସ୍ତରରେ ଉଦ୍ୟମ ଜାରି ରଖାଯିବ ବୋଲି କେତେନା’ କେତେ ଅତ୍ୟୁତ୍ସାହୀ ଉଚ୍ଚାରଣ ସବୁ ଶୁଣାଗଲା । କଥାଗୁଡ଼ିକ ଶୁଣି ଦେହରେ ସତେ ଅବା ମଳୟ ପବନ ବାଜିବା ପରି ଲାଗିଲା । ଜାକିଜୁକି ହୋଇ ନିଜ ଭିତରେ ନିଜେ ଜୀବନ ଜିଉଁଥିବା ପ୍ରବୀଣମାନେ ମଧ୍ୟ ଆପଣା ଆପଣା ଭିତରେ ପୁଣି କିଛି କରିପାରିବାର ପ୍ରବଳ ବେଗ ଅନୁଭବ କରି ବାହାରକୁ ବାହାରି ପଡ଼ିଲେ । ମହଳଣ ପଡ଼ି ଆସୁଥିବା ଜୀବନଗୁଡ଼ିକ ପୁଣିଥରେ ପୁଲକିତ ହୋଇ ପଡ଼ିଲା । ଶେଷବେଳକୁ ହେଲେ ଆପଣା ଭାଷା ସାହିତ୍ୟ ପାଇଁ ସ୍ୱଚ୍ଛଳ ଭାବରେ କିଛି କରିପାରିବାର ଆକାଂକ୍ଷିତ ସୁଯୋଗଟି ମିଳି ପାରିଲା ବୋଲି ଅନେକେ ମନ ଭିତରେ ଭାରି କୁତୁକୁତୁ ଅନୁଭବ କଲେ । ଅତ୍ୟୁତ୍ସାହର ଆବେଗରେ ଭାଷା ଚର୍ଚ୍ଚା ପର୍ବର ପ୍ରଥମ ପ୍ରହର ଏଭଳି ଆବେଗ ସର ସର ହୋଇ ପାର ହୋଇଗଲା । ନିର୍ଦ୍ଧାରିତ ଲକ୍ଷ୍ୟ ହାସଲ ଦିଗରେ ଆମେ କେତେ କ’ଣ କରି ପାରିଲେ ନ ପାରିଲେ ସେ କଥା ସମୟ ନିର୍ଦ୍ଧାରଣ କରିବ । ମାତ୍ର ସେଇ ପ୍ରହରର ଅଶୋଧିତ ଆବେଗଗୁଡ଼ିକ ଉତ୍ସାହର ନାମ ନେଇ ଏଭଳି ପ୍ରବଳ ହେଲା ଯେ ଅନ୍ୟ ଭାଷାରେ ଲେଖାପଢ଼ା କରି ଆସୁଥିବା କବି, ଲେଖକମାନେ ମଧ୍ୟ ସଉତୁଣୀ ଭଳି ମନେ ହେଲେ । ପାଂଚ ଜଣଙ୍କ ସାମ୍ନାରେ ସେମାନଙ୍କୁ ଝିଂଗାସ ଦେଇ ଅପମାନିତ କରିପାରିବାର ଏକ ଅଙ୍ଗିକାରବଦ୍ଧତା ବୋଲି ବୁଝାଗଲା । ଅନ୍ୟ ଭାଷାରେ ଲେଖାଲେଖି କରି ଯଥେଷ୍ଟ ସାରସ୍ୱତ ଯୋଗ୍ୟତାର ସ୍ୱାକ୍ଷର ରଖି ସାରିଥିବା ସ୍ରଷ୍ଟା ପୁରୁଷମାନଙ୍କୁ ମଧ୍ୟ ହେୟ ପ୍ରତିପାଦନ କରିପାରିବାରେ ଏକପ୍ରକାର ଉଲ୍ଲାସ ମିଳିଲା । ଦେଖାଗଲା ଯେ, ଭାଷା, ସାହିତ୍ୟ ଓ ସଂସ୍କୃତିର ସେବା କରିବାର ନାଁରେ ସେଭଳି ଉଲ୍ଲସିତ ଉତ୍ୟୁତ୍ସାହୀ ମାନେ କ୍ରମଶଃ ଏକ ମୌଳବାଦୀ ମାନସିକତାର ଶୀକାର ହୋଇ ପଡ଼ିଲେ । ଦାବୀର ତୋଡ଼ ଦେଖାଇ ଅନେକ ନିତାନ୍ତ ଉଗ୍ର ଓ ଉଦ୍ଧତ ବେଭାରର ଅପସାଂସ୍କୃତିକ ଦୃଷ୍ଟାନ୍ତମାନ ସ୍ଥାପନ କରି ବସିଲେ ।

ଏ ତ’ ଗଲା ବଡ଼ ବଡ଼ ପ୍ରସଙ୍ଗ । ସାନ ମାପର ପ୍ରସଙ୍ଗଗୁଡ଼ିକୁ ଧରି କରାଯାଉଥିବା ସଭା ସମିତିରେ ବି ଅଳ୍ପ ବିସ୍ତର ସେଇ ସମାନ ପ୍ରବଣତା ଦେଖା ଦେଉଛି । ବାହାରକୁ ଆମେ ସଂପୂର୍ଣ୍ଣ ନିବେଦିତ ପ୍ରାଣ ଓ ସଚେତନ ଭଳି ଦେଖାଯାଉଥିଲେ ମଧ୍ୟ କେଜାଣି କେଉଁ ଅଭିଶାପରେ ଏକ ଅବର୍ଜିଆ ଆତ୍ମସ୍ୱାର୍ଥ ଆମମାନଙ୍କର ମଂଜ କାମୁଡ଼ି ଧରିଛି । ଯେକୌଣସି ଅବସରରେ ନିଜ ପାଇଁ ବିଶିଷ୍ଟତା ଲାଭର ଲୋକ ଆମକୁ କାବୁ କରି ନେଉଛି । ତହିଁରୁ ଆମେ ମୁକୁଳି ପାରୁନୁ । କ୍ରମାଗତ ଆମ ଆଚରଣରେ ଦେଖାଦେଇ ସେଗୁଡ଼ିକ ଏତେବେଳକୁ ଏକ ଏକ କ୍ଷତିକାରକ ଅଭ୍ୟସ୍ତ ସଂସ୍କାର ରୂପେ ଉଭା ହୋଇ ସାରିଛି । ସ୍ଥିତାବସ୍ଥାକୁ ସୁଧାରିବା ପାଇଁ ଦରକାର ପଡ଼ୁଥିବା କୌଣସି ବି ବିକଳ୍ପ ଗଠନ ପାଇଁ ଆମେ ଅକ୍ଷମ ହୋଇ ପଡ଼ୁଛୁ । ସେଥିପାଇଁ ବୋଧହୁଏ ବାପଠାରୁ ପୁଅ ପର୍ଯ୍ୟନ୍ତ ସଭିଏଁ ମିଶି ଆମେ ରାତି ରାତି ଉଜାଗର ହୋଇ ବର୍ଣ୍ଣାଢ଼୍ୟ ଆୟୋଜନ ଓ ଉଦ୍ୟମଗୁଡ଼ିକ କରୁଥିବା ସତ୍ତେ୍ୱ ବଲାଙ୍ଗିରର ଭାଗ୍ୟରେ ମୁଗୁରା ଏଯାବତ୍‌ ସେମିତି ମୁକୁଳା ହିଁ ପଡ଼ିଛି । ବିକଳ୍ପ ବଲାଙ୍ଗିର ଗଠନ ପାଇଁ ବିକଳ୍ପ ମଣିଷ ଦରକାର । ଆମମାନଙ୍କର ଅଭ୍ୟସ୍ତ ମାନସିକତା ପ୍ରବଣତା ଓ ସଂସ୍କୃତିକୁ ଡେଇଁ ପାରିବା ପାଇଁ ଆମେମାନେ ବଦଳିବା ଦରକାର । ନିଜେ ବଦଳିବାକୁ ରାଜି ନହେଲେ ଆମେ ଯେତେ ଯେତେ ଆଳଙ୍କାରିକ ଆୟୋଜନ ସବୁ କଲେ ମଧ୍ୟ ଆମ କାହାରି ହାତରେ ବଲାଙ୍ଗିରର କାଦୁଅଗୁଡ଼ିକ ସଫା ହୋଇ ପାରିବନାହିଁ ।

ସଭାରେ ବସୁଥିବା ଶିଷ୍ଟମାନଙ୍କ ସିଆଣିଆଁ ପଣ ସଂଚାରିତ ହୋଇ କ୍ରମଶଃ ଜନମାନସକୁ ପ୍ରଦୂଷିତ କରି ଦେଉଛି । ସଭାରେ ବସି କଥା ବିକୁଥିବା ସାଆନ୍ତମାନଙ୍କୁ ଲୋକେ ଏଣିକି ଭିନ୍ନ ଆଖିରେ ଦେଖି ବସିଲେଣି । ସଭାରେ ଆଲୋଚିତ “ବଡ଼’ କଥାଗୁଡ଼ିକୁ ତାଙ୍କ “ଛୋଟ’ ମୁଣ୍ଡମାନଙ୍କରେ ଥାନ ଦେଇ ରଖି ପାରୁନାହାନ୍ତି । କିଛି ମିଡ଼ିଆ କଭରେଜ୍‌ ମିଳିଯିବା ପରେ କଥାଗୁଡ଼ିକ ବାଏଁ ବାଏଁ ପୁରୁଣା କର୍ପୁର ଭଳି ଉଡ଼ି ଯାଉଛି । ଲୋକଙ୍କ ଭିତରକୁ ଭେଦି ପାରୁନାହିଁ । ବିଭିନ୍ନ ମାଧ୍ୟମରେ ଦେଖି ଶୁଣି ବୁଝି ଲୋକେ ଖାଲି ସଂବାଦ ରୂପେ କଥାଗୁଡ଼ିକର ବିବରଣୀ ପାଉଛନ୍ତି । ମାତ୍ର ସମ୍ୟକ ଭାବରେ କୌଣସି ବି କଥାର ପ୍ରେରଣାରେ ଉଦ୍‌ବୋଧିତ ହେଉନାହାନ୍ତି । କ୍ରମଶଃ ଧରି ନେଲେଣି ଯେ, ସଭାରେ ବଡ଼ ବଡ଼ କଥାଗୁଡ଼ିକ ଖାଲି ଆଲୋଚନା ମାଧ୍ୟମରେ କୁହାହେବା ପାଇଁ । କଥା ମାଧ୍ୟମରେ ଭଲ ଭଲ ଘୋଷଣାଗୁଡ଼ିକ ହୁଏ । ସଂକଳ୍ପ ନିଆଯାଏ । ତଥାକଥିତ ଭାବେ କିଛି କିଛି କାର୍ଯ୍ୟକ୍ରମର ସୂଚନା ମଧ୍ୟ ଦିଆଯାଏ । ମାତ୍ର କୁହାଯାଉଥିବା ସବୁକଥାକୁ ପାଳିବା ବା କାର୍ଯ୍ୟକାରୀ କରିବାରେ କାହାରି ପାଇଁ ଭିତରୁ ବାହାରୁ କୌଣସି ଆଡ଼ୁ କିଛି ବାଧ୍ୟବାଧକତା ନଥାଏ । ସମସ୍ତଙ୍କ ପାଇଁ ସାହାଣ ମେଲା ଥାଏ । କୁହାଯାଉଥିବା କଥାଗୁଡ଼ିକର କାର୍ଯ୍ୟକାରିତା ପାଇଁ କାହାରିକୁ ବି ଉତ୍ତରଦାୟୀ କରାଯାଇ ପାରୁନଥାଏ । ଏଭଳି ବାକ୍‌ ଚାତୁରୀ ଓ ଚାହିଁବାର ବିଳାସିତାଗୁଡ଼ିକୁ ଦେଖି ଦେଖି ଲୋକେ କ୍ରମଶଃ ଥୋବରା ହୋଇ ପଡ଼ନ୍ତି । ମଗଜ ଖଟାଇ କୌଣସି ବି କଥା ପାଇଁ ମେହେନତ କରିବାକୁ ରାଜି ଭାବ ରଖି ପାରନ୍ତି ନାହିଁ । ପରିଣାମରେ ତମାମ୍‌ ଜନଜୀବନ ମଜ୍ଜାଗତ ଏକ ଅବସାଦ ଓ ଆଳସ୍ୟ ଭିତରକୁ ଅନିବାର୍ଯ୍ୟ ଭାବେ ଆଉଜି ହୋଇଯାଏ । ରୁଗ୍‌ଣ ମାନସିକତାର ଶୀକାର ହୋଇଯିବା ଫଳରେ ଜନଜୀବନ ରୁଗ୍‌ଣ ହୁଏ । ଚଦୁର୍ଦ୍ଦିଗରେ ଘଟୁଥିବାର ଅସୁସ୍ଥତା ଓ କୁତ୍ସିତତାଗୁଡ଼ିକ ସେମାନଙ୍କ ଦେହସୁହା ହୋଇଯାଏ । ସାର୍ବିକ ଏକ ପରାଭବ ଭୋଗୀ ତମାମ୍‌ ଜନସମଷ୍ଟି ଜାନୁଭଙ୍ଗ ଅବସ୍ଥାରେ ପଡ଼ିରହେ । ଏତେ ଏତେ ସଭାରେ ଏତେ ଏତେ ଭଲ କଥାର ପାରାୟଣ ହେଉଥିବା ସତ୍ତେ୍ୱ ବଲାଙ୍ଗିରର ଲୋକେ କିନ୍ତୁ ସେମିତି ପଡ଼ି ରହିଛନ୍ତି । କିଛି ବି କରିବାର ଜୁ ନାହିଁ । ସମଗ୍ର ସହର ନର୍କ କୁଣ୍ଡ ହୋଇଯାଉ, କାହାରି କିଛି କରିବାର ନାହିଁ । ଜୁଆ, ସଟ୍ଟା, ରାହାଜାନୀ ପ୍ରବଳରୁ ପ୍ରବଳତର ହେଉ, କାହାରି କିଛି ଚିନ୍ତା କରିବାର ନାହିଁ । ବିଦ୍ୟାଳୟ, ମହାବିଦ୍ୟାଳୟରେ କପି କରୁ କରୁ ପିଲାଛୁଆ ସବୁ ମାଙ୍କଡ଼ ହୋଇ ଯାଆନ୍ତୁ, କାହାରି ପର୍‌ବାଏ ନାହିଁ । ଦୁର୍ନୀତି ଦୁରାଚାର ଭ୍ରଷ୍ଟାଚାର ଅନାଚାର ସବୁ ଷୋଡ଼ଶ ଉପଚାରରେ ଚାଲୁ, କାହାରି ମୁଣ୍ଡ ବିନ୍ଧିବାର ନାହିଁ । ପୂଜ୍ୟପୂଜାର ବ୍ୟତିକ୍ରମ ଘଟି ଅପସଂସ୍କୃତିର କଳାବାଦଲ ଘୋଟି ଆସୁ, କାହାରି ବି ପାଟି ଖୋଲିବାର ନାହିଁ । ଦାରୁ, ଦାରୀ, ଦାଦାଗିରିର ମାହୋଲ ଖୋଲିଯାଉ, କାହାରି ବାଧା ଦେବାର ନାହିଁ । ସବୁ କିଛିକୁ ପିଠେଇ ନେଇ ଏକ ଅଚଳାୟତନ ମହାମେରୁ ପରି ଜନଜୀବନ ମୂର୍ଚ୍ଛା ହୋଇ ପଡ଼ିିଛି । ଅଥଚ ପ୍ରବଳରୁ ପ୍ରବଳ ହୋଇ ସବୁ କ୍ଷେତ୍ରରେ ସଭାମାନ ଚାଲିଛି ।

ଏବର ସଭାମାନଙ୍କରେ ଆଉ ଏକ କଥା ଅତି ଅବଶ୍ୟ ପାଳନ କରାଯାଉଛି । ମୂଳ କାର୍ଯ୍ୟକ୍ରମ ସହିତ ଯୋଡ଼ି ଏକ ସମ୍ବର୍ଦ୍ଧନା ପ୍ରଦାନ ବା ଉପାୟନ ପ୍ରଦାନ କାର୍ଯ୍ୟକ୍ରମ ରହୁଛି । ଇଏ ତାହାକୁ ତ’ ସିଏ ଏହାକୁ ହୋଇ ଚତୁରେ ଚତୁରେ କୋଳାକୋଳି ନ୍ୟାୟରେ ଏବେ ପ୍ରାୟ ନେଇ ଆଣି ଥୋଇ ପାରୁଥିବା ବା ସେମିତି ଚଳି ଚଳାଇ ପାରୁଥିବାର ପ୍ରାୟଃ ପ୍ରତ୍ୟେକ ହୁସିଆର ପୁଅ ବଲାଙ୍ଗିରରେ ଉପାଧି, ଉପାୟନ ବା ସମ୍ବର୍ଦ୍ଧନାଗୁଡ଼ିକ ଭୁଂଜି ସାରିଛନ୍ତି । ଗଣମାଧ୍ୟମଗୁଡ଼ିକର ଦୟାରୁ ଗାଁ ଗହଳିରେ ଥିବା ମଳିମୁଣ୍ଡିଆ ବେଡ଼ା ଲୋକମାନଙ୍କ ପାଖରେ ବି ଖବର ପହଂଚି ସାରିଛି ଯେ ବଲାଙ୍ଗିରର ମାଟି ଏହି ପରିପ୍ରେକ୍ଷୀରେ ଆଉ ନିହାତି ଅନୁର୍ବର ହୋଇ ରହିନାହିଁ । ଛାତିରେ ହାତ ଦେଇ କହି ପାରିବାକୁ କିଛି ନହେଲେ ବି ବଲାଙ୍ଗିର ମାଟିର ଅଳିଅଳ ଦୁଲାଳମାନଙ୍କ ଭିତରୁ ଗଣ୍ଡେ ପୁଞ୍ଜେ କୃତି ସନ୍ତାନ ଫି’ ବର୍ଷ ବାହାରୁଛନ୍ତି । ଯେଉଁମାନଙ୍କୁ ଶିଷ୍ଠ ମଣ୍ଡଳୀର ସମାବେଶରେ ଉପାଧି ଉପାୟନ ସମ୍ବର୍ଦ୍ଧନା ଆଦିର ଶିରପା ବାନ୍ଧିବାକୁ ମିଳୁଛି । ମାତ୍ର ଫୁସୁରୁ ଟୁପୁରୁ ହୋଇ ନିନ୍ଦୁକ ଲୋକେ ପଚରା ପଚରି ହେଉଥିବା କଥା ପଦକୁ କିନ୍ତୁ ଏଡ଼ାଇ ଦେଇ ହେବନି । ସେମାନେ ପଚାରୁଛନ୍ତି ଯେ, ଫି’ ବର୍ଷ ଏତେ ଏତେ ଯୋଗ୍ୟ “କମିହାଁ’ ପୁଅଝିଅ ଜନ୍ମ କରି ମଧ୍ୟ ବଲାଙ୍ଗିର ମାଟି ଏମିତି ନିରିମାଖି ଅବସ୍ଥାରେ କେମିତି ପଡ଼ି ରହିଛି? ସୌରଭ, ବିଭୂଷଣ, ଉତ୍ତମ, ସର୍ବୋତ୍ତମ ଆଦି ଇତ୍ୟାଦିର କବଚ କୁଣ୍ଡଳ ପିନ୍ଧା ଏତେ ଏତେ ଉଜ୍ୱଳ ପୁରୁଷ ସବୁ ତ’ ଆତଯାତ ହେଉଛନ୍ତି, ତେବେ କେଉଁ ଦେବତାର ଅଭିଶାପରୁ ଚତୁର୍ଦ୍ଦିଗରେ ଅନ୍ଧାର ଘନେଇ ଆସୁଛି ଓ ଜୀବନ ପରିସ୍ଥିତି ଏମିତି ରୌରବମୟ ହୋଇ ପଡ଼ିଛି?

ଏମିତି କେତେ କେତେ ପ୍ରଶ୍ନ ଉଙ୍କି ମାରୁଛି । ସେଗୁଡ଼ିକର ଠିକ୍‌ ଉତ୍ତର ଖୋଜିବାର ବେଳ ଆସିଯାଇଛି । ଉଦ୍ଦେଶ୍ୟର ପରିଚ୍ଛନ୍ନତା ରକ୍ଷା କରାଯାଇ ପାରିବ, ଯଦି ସେହି ଉତ୍ତରଗୁଡ଼ିକର ବିବେକୀ ନିର୍ଦ୍ଦେଶନାରେ ଆମେ ଚଳିବା ପାଇଁ ରାଜି ହୋଇ ଦରକାର ମୁତାବକ ବଦଳି ପାରିବା । ସେଇ ଆହ୍ୱାନ ପ୍ରତି ଉଦାସୀନ ରହି ଅଭ୍ୟାସଗତ ଭାବେ ଯଦି ତଥାପି ଠୁନ୍‌କୁମାନି ହୋଇ ଗଉଁ କାଢ଼ିବା ତେବେ ସଭାସମିତିରେ ପାଣ୍ଡିତ୍ୟ ଦେଖାଇ ଯେତେ ରୋବେଇ ଖୋବେଇ ହେଲେ ବି ଆମ ଦେଇ କିଛି ହେବନାହିଁ । କାରଣ ସବୁ ଧୁମ୍‌ ଧଡ଼ାକା ଓ କୋଳାହଳରୁ ଓହରି ଆସି ଶୁଣିବାକୁ ଚାହିଁଲେ ନିଶ୍ଚୟ ଶୁଣି ପାରିବା ଯେ ବଲାଙ୍ଗିର ମଧ୍ୟ ଏବ ଏବକୁ ଆମମାନଙ୍କୁ ଉଦ୍ଦେଶ୍ୟ କରି ଏକ ଆପ୍ତବାଣୀର ଖିଅ ଧରି ଆରମ୍ଭ କଲାଣି – “”ମୋର କଥାଗୁଡ଼ିକ କେବଳ ଯଦି ତୁମର ଚିନ୍ତା ଓ ଆଲୋଚନାର ବିଷୟ ମାତ୍ର ହୁଏ, ବାସ୍ତବରେ ଯଦି କୌଣସି କିଛିକୁ ମୂର୍ତ୍ତ କରି ତୋଳି ନପାର ଏବଂ କେବଳମାତ୍ର ଏକ ତାତ୍ତ୍ୱିକ ବିଳାସରେ ମାତି ରହ, ତେବେ ଆକାଂକ୍ଷିତ ମଙ୍ଗଳ ବୋଲି ପାଇ ପାରିବା ଯେ ତୁମ ପାଇଁ ତମସାଚ୍ଛନ୍ନ ହୋଇ ରହିଯିବ ଏକଥା କିନ୍ତୁ ଅତି ନିଶ୍ଚୟ ।”
ଭୁବନେଶ୍ୱର, ମୋ.ନଂ.: ୯୯୩୭୭୪୦୬୭୬

Leave A Reply

Your email address will not be published.