jayashree

ସାଗର ପରିକ୍ରମା ଯାତ୍ରା ଏକାଦଶ ପର୍ଯ୍ୟାୟରେ ପାରାଦୀପ ମାଛଧରା ପୋତାଶ୍ରୟରେ ମତ୍ସ୍ୟଜୀବୀଙ୍କ ସହ ଆଲୋଚନା କଲେ କେନ୍ଦ୍ରମନ୍ତ୍ରୀ ପରଷୋତ୍ତମ ରୂପାଲା

ପାରାଦୀପ, (ପିଆଇବି) : କେନ୍ଦ୍ର ମତ୍ସ୍ୟ, ପ୍ରାଣୀସମ୍ପଦ ଓ ଦୁଗ୍ଧ ଉତ୍ପାଦନ ମନ୍ତ୍ରୀ ପରଷୋତ୍ତମ ରୂପାଲା ଆଜି ସାଗର ପରିକ୍ରମା ଯାତ୍ରା ଏକାଦଶ ପର୍ଯ୍ୟାୟ ଅବସରରେ ଜଗତସିଂହପୁର ଜିଲ୍ଲାର ପାରାଦୀପ ମାଛଧରା ପୋତାଶ୍ରୟରେ ମତ୍ସ୍ୟଜୀବୀ ପୁରୁଷ ଓ ମହିଳାଙ୍କ ସହ ଆଲୋଚନା କରିବା ସହ ସେମାନଙ୍କ ସମସ୍ୟା ଓ ଅସୁବିଧା ପଚାରି ବୁଝିଛନ୍ତି । ଏହି ଅବସରରେ ସେ ମତ୍ସ୍ୟଜୀବୀ ହିତାଧିକାରୀଙ୍କୁ କେସିସି, ପ୍ରମାଣପତ୍ର/ମଞ୍ଜୁରୀ ଆଦେଶ ଓ କ୍ଷାର ପାଣି ପୋଖରୀ ସବସିଡି ପ୍ରଦାନ କରିଥିଲେ ଏବଂ ଜିଏଆଇଏସ୍ ହିତାଧିକାରୀଙ୍କୁ ମଧ୍ୟ ଚେକ୍ ବାଣ୍ଟିଥିଲେ । ଏହା ସହ ପାରାଦୀପ ମାଛ ଧରା ପୋତାଶ୍ରୟର ଆଧୁନିକୀକରଣ ଓ ଉନ୍ନତିକରଣ ପାଇଁ ପରଷୋତ୍ତମ ରୂପାଲା ଏହି ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କରିଥିଲେ । ସାଗର ପରିକ୍ରମା ଯାତ୍ରା ଅନ୍ତର୍ଗତ ଆଜି ଶ୍ରୀ ରୂପାଲା ପ୍ରଥମେ କେନ୍ଦ୍ରାପଡ଼ା ଜିଲ୍ଲାର ଖରିନାସୀ ମତ୍ସ୍ୟ ଅବତରଣ କେନ୍ଦ୍ରରେ ପହଞ୍ଚି ମତ୍ସ୍ୟଜୀବୀ, ମତ୍ସ୍ୟ ଚାଷୀ ଓ ମତ୍ସ୍ୟଜୀବୀ ସମ୍ପ୍ରଦାୟର ପ୍ରତିନିଧିଙ୍କ ମିଳିତ ଉଦ୍ୟମକୁ ଦେଖିବାକୁ ପାଇଥିଲେ । ଶ୍ରୀ ରୂପାଲା ବର୍ଦ୍ଧିତ ଚାହିଦା ପୂରଣ କରିବାରେ ମତ୍ସ୍ୟ ଚାଷୀଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଏବଂ ଆମର ମତ୍ସ୍ୟଜୀବୀ ଏବଂ ମତ୍ସ୍ୟ ଚାଷୀଙ୍କ ଅମୂଲ୍ୟ ଅବଦାନକୁ ସ୍ୱୀକାର କରିଥିଲେ । ଏମାନେ ଆମକୁ ଖାଦ୍ୟ ଏବଂ ଜୀବିକାର ଏକ ଗୁରୁତ୍ୱପୂର୍ଣ୍ଣ ଉତ୍ସ ଯୋଗାଇବା ପାଇଁ ଅକ୍ଳାନ୍ତ ପରିଶ୍ରମ କରନ୍ତି ବୋଲି ସେ କହିଥିଲେ । ଏହା ଶୁଣି ହିତାଧିକାରୀମାନେ ଖୁସି ହୋଇଥିଲେ ଏବଂ ସେମାନେ ଏହି ଯାତ୍ରା ସେମାନଙ୍କ ଜୀବନରେ ଆଣିଥିବା ଗୁରୁତ୍ୱ ଏବଂ ପ୍ରଭାବ ବିଷୟରେ କହିପାରିଥିଲେ । ହିତାଧିକାରୀମାନେ ଏକ ଖୋଲା ଆଲୋଚନାରେ ସକ୍ରିୟ ଭାବରେ ଅଂଶଗ୍ରହଣ କରିଥିଲେ ଏବଂ ବାୟୋଫ୍ଲକ୍, ଆରଏଏସ୍, ଶୀତଳ ଭଣ୍ଡାରର ବିକାଶ ଇତ୍ୟାଦି ଜ୍ଞାନକୌଶଳ ବିଷୟରେ ଆଲୋଚନା କରିଥିଲେ । ସେମାନଙ୍କୁ କିଷାନ କ୍ରେଡିଟ୍ କାର୍ଡ (କେସିସି) ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା । ଏହାପରେ ମତ୍ସ୍ୟଜୀବୀଙ୍କ ଘର ପାଖରେ ହୋଇଥିବା ଆଲୋଚନାରେ ସେମାନେ କେନ୍ଦ୍ରମନ୍ତ୍ରୀଙ୍କୁ ବିଭିନ୍ନ ସମସ୍ୟା ସମାଧାନ ଓ ପ୍ରସଙ୍ଗକୁ ନେଇ ଅନୁରୋଧ କରିଥିଲେ । ଏହା ଶୁଣିବା ପରେ ମତ୍ସ୍ୟଜୀବୀମାନେ ସମ୍ମୁଖୀନ ହେଉଥିବା ସମସ୍ୟା ଉପରେ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ଶ୍ରୀ ରୂପାଲା କହିଥିଲେ । ସାଗର ପରିକ୍ରମା ପର୍ଯ୍ୟାୟ ଏକାଦଶ ପର୍ଯ୍ୟାୟ କାର୍ଯ୍ୟାକ୍ରମରେ ବିଭିନ୍ନ ସ୍ଥାନରୁ ପାଖାପାଖି ୫୫୦୦ ମତ୍ସ୍ୟଜୀବୀ, ବିଭିନ୍ନ ମତ୍ସ୍ୟଜୀବୀ ଓ ବିଶେଷଜ୍ଞ ଯୋଗ ଦେଇଥିଲେ । ପାରାଦୀପ ମାଛଧରା ପୋତାଶ୍ରୟରେ ଓଡ଼ିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ, ମତ୍ସ୍ୟ ଓ ପ୍ରାଣୀସମ୍ପଦ, ଦୁଗ୍ଧ ଉତ୍ପାଦନ ବିଭାଗ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ପାରାଦୀପ ବିଧାୟକ ସମ୍ବିତ ରାଉତରାୟ, କେନ୍ଦ୍ର ସରକାରଙ୍କ ମତ୍ସ୍ୟ ବିଭାଗର ଯୁଗ୍ମ ସଚିବ ନିତୁ କୁମାରୀ ପ୍ରସାଦ, ଏନ୍ଏଫଡିବିର ମୁଖ୍ୟ କାର୍ଯ୍ୟନିର୍ବାହୀ ଡ. ଏଲ୍ ନରସିଂହ ମୂର୍ତ୍ତି ଓ ଅନ୍ୟ ସରକାରୀ ଅଧିକାରୀମାନେ ଉପସ୍ଥିତ ଥିଲେ । ୭ ଜାନୁଆରୀ ୨୦୨୪ରୁ ଆରମ୍ଭ ହୋଇଥିବା ସାଗର ପରିକ୍ରମା ଯାତ୍ରାର ଏକାଦଶ ପର୍ଯ୍ୟାୟ ଓଡ଼ିଶାର ଗଞ୍ଜାମ ଓ ପୁରୀ ଜିଲ୍ଲାରେ ଶେଷ ହୋଇସାରିଛି । କେନ୍ଦ୍ର ମତ୍ସ୍ୟ, ପ୍ରାଣୀସମ୍ପଦ ଓ ଦୁଗ୍ଧ ଉତ୍ପାଦନ ମନ୍ତ୍ରୀଙ୍କ ନେତୃତ୍ୱରେ ସାଗର ପରିକ୍ରମା ହେଉଛି ମତ୍ସ୍ୟଜୀବୀଙ୍କ ପାଇଁ ବ୍ୟାପକ ପ୍ରୋତ୍ସାହନ ଅଭିଯାନ । ଏହି କାର୍ଯ୍ୟକ୍ରମ ମତ୍ସ୍ୟଜୀବୀମାନଙ୍କୁ ଭେଟିବା, ସେମାନଙ୍କ ଅସୁବିଧା ଶୁଣିବା, ଗ୍ରାମସ୍ତରୀୟ ବାସ୍ତବତାକୁ ଦେଖିବା, ଦୀର୍ଘସ୍ଥାୟୀ ମାଛଧରାକୁ ପ୍ରୋତ୍ସାହିତ କରିବା ଏବଂ ଶେଷ ଧାଡ଼ିରେ ଥିବା ମତ୍ସ୍ୟଜୀବୀଙ୍କ ପାଖରେ ସରକାରୀ ପଦକ୍ଷେପ ପହଞ୍ଚାଇବାରେ ସହାୟକ ହେବ ।

Leave A Reply

Your email address will not be published.