jayashree

ବିନା କାରଣରେ ବାହାର କରି ଦେଲେ ମିଶନ ଶକ୍ତି ମହାସଂଘରୁ : ନ୍ୟାୟ ପାଇଁ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ପୀଡ଼ିତା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ବେଲପଡ଼ା ବ୍ଲକ୍‌ ସଲଣ୍ଡି ଗ୍ରାମ ପଞ୍ଚାୟତ ମିଶନ ଶକ୍ତି ମହାସଂଘ ମହିଳା ସ୍ୱୟଂ ସହାୟିକା ପରିଚାଳନା କମିଟିର ସଭାନେତ୍ରୀ, ସଂପାଦିକା, କୋଷାଧ୍ୟକ୍ଷା ଓ ଇସି ମେମ୍ବରମାନଙ୍କୁ ସଂଘରୁ ବହିଷ୍କାର କରି ନୂତନ କମିଟି ଗଠନ କରାଯାଇଥିବା ବେଳେ ସେମାନଙ୍କ ଦରମା ମଧ୍ୟ ବନ୍ଦ କରାଯାଇଥିବା ବଲାଙ୍ଗିର ଜିଲ୍ଲପାଳ ଚଂଚଳ ରାଣାଙ୍କ ପାଖରେ ଅଭିଯୋଗ କରାଯାଇଛି । ସେମାନେ ଅଭିଯୋଗ କରିଛନ୍ତି ଯେ, ଦୀର୍ଘ ୪ ବର୍ଷ ହେଲା ସେମାନେ କାମ କରି ଆସୁଥିଲେ । ଗତ ଆଠ ନଅ ମାସ ହେଲା କୌଣସି ବୈଠକ ଡକାନଯାଇ କିମ୍ବା ସେମାନଙ୍କ ଦସ୍ତଖତ ନନେଇ ସେମାନଙ୍କ ଅଜାଣତରେ ସେମାନଙ୍କୁ ମହିଳା ମହାସଂଘରୁ ବାହାର କରି ଦିଆଯାଇଥିବା ବେଳେ ତାଙ୍କୁ ଦରମା ମଧ୍ୟ ଦିଆଯାଇନାହିଁ । ବିଏଲ୍‌ସି ଜୁଲି ଛୁରା ଓ ଏମ୍‌ବିକେ ମିନତି କୁମ୍ଭାର ଦୁହେଁ ମିଶି ନୂତନ କମିଟି ଗଠନ କରିବା ସହ ଅନ୍ୟମାନଙ୍କ ଠାରୁ ଟଙ୍କା ଆଦାୟ କରି ସେମାନଙ୍କୁ ସଂଘରୁ ବାହାର କରି ଦେଇଥିବା ସେମାନେ ଅଭିଯୋଗ କରିଛନ୍ତି । ଏହା ଜାଣିବା ପରେ ଅଭିଯୋଗକାରିଣୀମାନେ ବେଲପଡ଼ା ବିଡ଼ିଓଙ୍କୁ ଲିଖିତ ଆକାରରେ ଜଣାଇଥିଲେ ବି କୌଣସି ସୁଫଳ ନ ପାଇବାରୁ ଆଜି ନ୍ୟାୟ ପାଇଁ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିବା କହିଛନ୍ତି । ସେହିଭଳି ବେଲପଡ଼ା ବ୍ଲକ୍‌ର କାନୁଟ୍‌ ଗ୍ରାମ ପଞ୍ଚାୟତ ମିଶନ ଶକ୍ତି ସ୍ୱୟଂ ସହାୟକ ମହିଳା ମହାସଂଘର ସଭାପତି, ସଂପାଦିକା, କୋଷାଧ୍ୟକ୍ଷା ଓ ଇସି ସଭ୍ୟାମାନଙ୍କୁ ମହାସଂଘରୁ ବାହାର କରାଯାଇଥିବା ବେଳେ ସେମାନଙ୍କ ଦରମା ବନ୍ଦ କରି ଦିଆଯାଇଥିବା ଅଭିଯୋଗ ଆସିଛି ଆଜି ବଲାଙ୍ଗିର ଜିଲ୍ଲାପାଳଙ୍କ ପାଖକୁ । ତେବେ ଉଚିତ୍‌ ତଦନ୍ତ କରି ନ୍ୟାୟ ପ୍ରଦାନ କରାଯିବାକୁ ଅଭିଯୋଗକାରିଣୀମାନେ ଜିଲ୍ଲାପାଳଙ୍କୁ ଲିଖିତ ଭାବେ ଜଣାଇଛନ୍ତି ।

Leave A Reply

Your email address will not be published.