ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିରରେ ମିଶନ ଶକ୍ତି ସ୍କୁଟର ଯୋଜନାକୁ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଚଞ୍ଚଳ ରାଣା ଉଦ୍ଘାଟନ କରିଛନ୍ତି । ଆଜି ମିଶନ ଶକ୍ତି ଗୃହରେ ଜିଲ୍ଲାପାଳ ପତାକା ଦେଖାଇ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହି ଯୋଜନା ଅନ୍ତର୍ଗତ ଆଜି ଜିଲ୍ଲାରେ ୧୩୭ଟି ସ୍କୁଟର ମହିଳାମାନଙ୍କୁ ଦିଆଯାଇଛି । ଏଥିରେ ଆଗଲପୁର ଓ ପୁଇଁତଲାକୁ ୭ ଟି ଲେଖାଏଁ, ବଙ୍ଗୋମୁଣ୍ଡା ଓ ତୁରେକେଲାକୁ ୧୭ ଟି ଲେଖାଏଁ, ବେଲପଡା ଓ ସଇଁତଲାକୁ ୧୧ଟି ଲେଖାଏଁ, ମୁରିବାହଲ ଓ ପାଟଣାଗଡକୁ ୯ ଟି ଲେଖାଏଁ, ବଲାଙ୍ଗିରକୁ ୨୦ ଟି, ଦେଓଗାଁକୁ ୧୩ ଟି, ଲୋଇସିଂଗାକୁ ୪ ଟି, ଟିଟିଲାଗଡକୁ ୧୨ଟି ସ୍କୁଟର ଦିଆଯାଇଛି । ଏହା ଦ୍ଵାରା ସମସ୍ତ ସ୍ଵୟଂ ସହାୟକ ଗୋଷ୍ଠୀର ମହିଳାମାନେ ଏହି ଯୋଜନାର ସୁବିଧା ନେଇପାରିବେ । ଏହି ଯୋଜନାରେ ମହିଳାମାନେ ବିନା ସୁଧରେ ୧ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ନେଇପାରିବେ । ରାଜ୍ୟ ସ୍ତରରେ ଏହି ଯୋଜନା ପାଇଁ ୫୨୮ କୋଟି ଟଙ୍କାର ବଜେଟ୍ ପ୍ରାବଧାନ କରାଯାଇଛି । ବଲାଙ୍ଗିର ଜିଲ୍ଲାର ସମୁଦାୟ ୬୮୨୧ଟି ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ଏଥିରୁ ଲାଭବାନ ହେବେ । କାର୍ଯ୍ୟକ୍ରମରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ସୁଶାନ୍ତ ସିଂ, ଡ଼ିପିସି ମିଶନ ଶକ୍ତି ସୁମନ ଦ୍ଵିବେଦୀ ଏବଂ ବିଭିନ୍ନ ସ୍ଵୟଂ ସହାୟକ ଗୋଷ୍ଠୀର ମହିଳା ସଦସ୍ୟାମାନେ ଉପସ୍ଥିତ ଥିଲେ ।