jayashree

ଟିଟିଲାଗଡ ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଭୋଟର ସଂଶୋଧନ ସମ୍ପର୍କିତ ବୈଠକ ଅନୁଷ୍ଠିତ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଶନିବାର ଅପରାହ୍ନରେ ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ ସମ୍ପର୍କିତ ବୈଠକ ନିର୍ବାଚନ ଅଧିକାରୀ-ତଥା-ଟିଟିଲାଗଡ଼ ଉପଜିଲ୍ଲାପାଳ ଦୟାମୟ ପାଢୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସଂଶୋଧିତ ଭୋଟର ପଞ୍ଜିକରଣ ଆଇନ ୨୦୨୨ ଅନୁଯାୟୀ ରୂପାନ୍ତରିତ ପଞ୍ଜିକରଣ ଫର୍ମଗୁଡିକର ସରଳୀକରଣ ବ୍ୟବସ୍ଥା ଓ ଏହାର କାର୍ଯ୍ୟକାରିତା, ଆଧାର ସଂଯୋଗିକରଣ ସମ୍ପର୍କରେ ଉପସ୍ଥିତ ବିଭିନ୍ନ ରାଜନୈତିକ ଦଳର କର୍ମକର୍ତ୍ତା ଓ ପ୍ରତିନିଧିମାନଙ୍କୁ ଉପଜିଲ୍ଲାପାଳ ଅବଗତ କରାଇଥିଲେ । ପୂର୍ବରୁ ଯୁବଗୋଷ୍ଠୀଙ୍କୁ ଭୋଟର ତାଲିକାରେ ନିଜର ନାମ ପଞ୍ଜିକରଣ କରିବାକୁ ବର୍ଷକୁ ଥରେ ମାତ୍ର ସୁଯୋଗ ମିଳୁଥିବା ବେଳେ ଏବେ ତାହା ପରିବର୍ତ୍ତନ କରାଯାଇ ବର୍ଷରେ ୪ ଥର ସୁଯୋଗ ମିଳୁଛି । ୪ଟି ଯୋଗ୍ୟତା ସୂଚକ ତାରିଖ ଯଥା – ଜାନୁଆରୀ ୧ ତାରିଖ, ଏପ୍ରିଲ ୧ ତାରିଖ, ଜୁଲାଇ ୧ ତାରିଖ ଓ ଅକ୍ଟୋବର ୧ ତାରିଖ ବେଳକୁ ଯେଉଁ ନାଗରିକମାନଙ୍କ ବୟସ ୧୮ ବର୍ଷ ହୋଇଥିବ, ସେମାନେ ପରବର୍ତ୍ତୀ ସ୍ଵତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମରେ ନିଜ ନାମ ପଞ୍ଜିକରଣ କରିପାରିବେ । ପ୍ରତ୍ୟେକ ବୁଥରେ ଅଙ୍ଗନୱାଡି କର୍ମୀ କିମ୍ବା ଶିକ୍ଷକ ଜଣେ ଜଣେ ବୁଥସ୍ତରୀୟ ଅଧିକାରୀ ଭାବେ ଭୋଟର ତାଲିକାର ସଂଶୋଧନ କାର୍ଯ୍ୟ କରିବା ସହ ୧୮ରୁ ୧୯ ବର୍ଷ ହୋଇଥିବା ନୂତନ ଭୋଟରଙ୍କୁ ତାଲିକାରେ ସାମିଲ କରିବା ପାଇଁ ଯତ୍ନବାନ ହେବେ, କୌଣସି ଯୋଗ୍ୟ ମତଦାତା ବାଦ ପଡିବେ ନାହିଁ, ଏଥିନିମନ୍ତେ ସ୍ଵତନ୍ତନ୍ତ୍ର ଭାବେ ଦୃଷ୍ଟି ଦେବା ପାଇଁ ଶ୍ରୀ ପାଢୀ ବକ୍ତବ୍ୟ ପ୍ରଦାନ କରିଥିଲେ, ସେହିଭଳି ଭାବେ ଭୋଟର ତାଲିକା ପ୍ରସ୍ତୁତି ନିମନ୍ତେ ଯୋଗ୍ୟତା ପ୍ରମାଣିତ ତା୦୧.୧୦.୨୦୨୩ରିଖ ଅଟେ । ଭୋଟର ତାଲିକାରେ ଭିନ୍ନକ୍ଷମ ନୂତନ ଭୋଟରଙ୍କୁ ଅନ୍ତର୍ଭୁକ୍ତ, ସମସ୍ତ ଯୋଗ୍ୟ ଯୁବ ଭୋଟରଙ୍କୁ ସାମିଲ କରିବା, ସଠିକ୍‌ ଓ ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତି କରିବା, ମୃତ କିମ୍ବା ସ୍ଥାନାନ୍ତରିତ ଭୋଟରଙ୍କୁ ବାଦ ଦେବା ସମ୍ପର୍କରେ ଉପଜିଲ୍ଲାପାଳ ଅବଗତ କରାଇଥିଲେ । ଭୋଟର ତାଲିକାରେ ନୂତନ ଭାବେ ନାମ ଅନ୍ତର୍ଭୁକ୍ତ କରିବା ପାଇଁ ଫର୍ମ-୬, ଭୋଟର ତାଲିକାରେ ଅନ୍ତର୍ଭୁକ୍ତ ହେବା କିମ୍ବା ଅନ୍ତର୍ଭୁକ୍ତ ହୋଇଥିବା ନାମକୁ ବାଦ ଦେବା ପାଇଁ ଫର୍ମ-୭, ଭୋଟର ତାଲିକାରେ ଅନ୍ତର୍ଭୁକ୍ତ ହୋଇଥିବା ବିବରଣୀ ସଂଶୋଧନ ନିମନ୍ତେ ଫର୍ମ-୮, ଭୋଟର ତାଲିକାରେ ଉଲ୍ଲେଖ ହୋଇଥିବା ସ୍ଥାନ ପରିବର୍ତ୍ତନ ପାଇଁ ଫର୍ମ-୦୮(ଖ), ଭୋଟର ପରିଚୟ ପତ୍ରକୁ ଆଧାର ସହିତ ସଂଯୋଗ ନିମନ୍ତେ ଫର୍ମ-୬(ଖ)ରେ ମତଦାତାମାନେ ଆବେଦନ କରିପାରିବେ ବୋଲି ଉପଜିଲ୍ଲାପାଳ ଶ୍ରୀ ପାଢୀ ସୂଚନା ପ୍ରଦାନ କରିଥିଲେ । ସେହିପରି ଭାବେ ଟିଟିଲାଗଡ ନିର୍ବାଚନ ମଣ୍ଡଳୀ-୬୯ରେ ଭୋଟର ତାଲିକାରେ ନୂତନ ଭାବେ ନାମ ଅନ୍ତର୍ଭୁକ୍ତ କରିବା ପାଇଁ ଫର୍ମ-୬ରେ ୪୫୯୨ ଜଣ, ଭୋଟର ତାଲିକାରେ ଅନ୍ତର୍ଭୁକ୍ତ ହେବା କିମ୍ବା ଅନ୍ତର୍ଭୁକ୍ତ ହୋଇଥିବା ନାମକୁ ବାଦ ଦେବା ପାଇଁ ଫର୍ମ-୭ରେ ୧୦୪୦ ଜଣ, ଭୋଟର ତାଲିକାରେ ଅନ୍ତର୍ଭୁକ୍ତ ହୋଇଥିବା ବିବରଣୀ ସଂଶୋଧନ ନିମନ୍ତେ ଫର୍ମ-୮ରେ ୩୨୩୮ଜଣ, ଭୋଟର ପରିଚୟ ପତ୍ରକୁ ଆଧାର ସହିତ ସଂଯୋଗ ନିମନ୍ତେ ଫର୍ମ-୬(ଖ)ରେ ୨୦୨୦ଜଣ ମତଦାତାମାନେ ଆବେଦନ କରିଛନ୍ତି ଓ ଭୋଟରଙ୍କ ସଂଖ୍ୟା ଆଜି ପର୍ଯ୍ୟନ୍ତ ୨,୪୫,୪୦୮ଜଣ, ସେମଧ୍ୟରୁ ପୁରୁଷଙ୍କ ସଂଖ୍ୟା ୧,୨୫,୪୯୨ଜଣ (୫୧.୧୪%), ମହିଳା ୧,୧୯,୮୨୭ଜଣ (୪୮.୮୩%), ତୃତୀୟ ଲିଙ୍ଗୀ ୮୯ ଜଣ (୦.୦୪%) ଏବଂ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ-୭୦ରେ ଭୋଟର ତାଲିକାରେ ନୂତନ ଭାବେ ନାମ ଅନ୍ତର୍ଭୁକ୍ତ କରିବା ପାଇଁ ଫର୍ମ-୬ରେ ୪୩୫୩ ଜଣ, ଭୋଟର ତାଲିକାରେ ଅନ୍ତର୍ଭୁକ୍ତ ହେବା କିମ୍ବା ଅନ୍ତର୍ଭୁକ୍ତ ହୋଇଥିବା ନାମକୁ ବାଦ ଦେବା ପାଇଁ ଫର୍ମ-୭ରେ ୧୮୭୭ଜଣ, ଭୋଟର ତାଲିକାରେ ଅନ୍ତର୍ଭୁକ୍ତ ହୋଇଥିବା ବିବରଣୀ ସଂଶୋଧନ ନିମନ୍ତେ ଫର୍ମ-୮ରେ ୩୬୯୯ ଜଣ, ଭୋଟର ପରିଚୟ ପତ୍ରକୁ ଆଧାର ସହିତ ସଂଯୋଗ ନିମନ୍ତେ ଫର୍ମ-୬(ଖ)ରେ ୧୫୫୭ ଜଣ ମତଦାତା ମାନେ ଆବେଦନ କରିଛନ୍ତି ଓ ଭୋଟରଙ୍କ ସଂଖ୍ୟା ଆଜି ପର୍ଯ୍ୟନ୍ତ ୨,୬୫,୨୧୩ଜଣ, ସେମଧ୍ୟରୁ ପୁରୁଷଙ୍କ ସଂଖ୍ୟା ୧,୩୫,୦୭୧ ଜଣ (୫୦.୯୫%), ମହିଳା ୧,୩୦,୦୭୨ ଜଣ (୪୯.୦୪%), ତୃତୀୟ ଲିଙ୍ଗୀ ୭୦ ଜଣ (୦.୦୩%) ବୋଲି ଉପଜିଲ୍ଲାପାଳ ଶ୍ରୀ ପାଢୀ ସୂଚନା ପ୍ରଦାନ କରିଥିଲେ । ସେହିପରି ଭାବେ ୬୯-ଟିଟିଲାଗଡ ଓ ୭୦-କଣ୍ଟାବାଞ୍ଜି ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଭିନ୍ନ ବୁଥରେ ମତଦାନ ନିମନ୍ତେ ଭୋଟରମାନଙ୍କର ସୁବିଧାକୁ ଦୃଷ୍ଟିରେ ରଖି ବୁଥ ସଂଶୋଧନ ସମ୍ପର୍କରେ ଆଲୋଚନା ହୋଇଥିଲା । ଏହି ବୈଠକରେ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ପୌରପାଳିକାର ନିର୍ବାହୀ ଅଧିକାରୀଙ୍କ ତଥ୍ୟ ଆଧାରରେ ବିସ୍ତୃତ ଭାବେ ଆଲୋଚନା ଓ ମତାମତ ଦେଇଥିଲେ । ଟିଟିଲାଗଡ ନିର୍ବାଚନ ମଣ୍ଡଳୀରେ ୩୦୯ ବୁଥ ଓ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀରେ ୩୩୪ ସମୁଦାୟ ୬୪୩ ବୁଥର ଅବସ୍ଥିତି ଓ ଦୂରତାକୁ ନେଇ ଭୋଟର ମାନଙ୍କର ମତଦାନକୁ କିପରି ସୁରୁଖୁରୁରେ ପରିଚାଳିତ କରାଯାଇପାରିବ ସେ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା ହୋଇଥିଲା ଏବଂ ସର୍ବ ସମ୍ମତି କ୍ରମେ ବୁଥ ସଂଶୋଧନ ପାରିତ ହୋଇ ନିର୍ବାଚନ କମିଶନ ନିକଟକୁ ପ୍ରେରଣ ନିମନ୍ତେ ଉପସ୍ଥିତ ପ୍ରତିନିଧିମାନେ ସହମତି ପ୍ରକାଶ କରିଥିଲେ । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ବିପିନ ବିହାରୀ ଦୀପ, କାର୍ଯ୍ୟନିର୍ବାହୀ ଅଧିକାରୀ, ପୌରପରିଷଦ, ଟିଟିଲାଗଡ, ଡଃ. ଲଳିତ ବାଗ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଟିଟିଲାଗଡ, ଦେବାଶିଷ ସାମଲ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତୁରେକେଲା, ଅମୃତ ଲାଲ ବେହେରା, ତହସିଲଦାର, କଣ୍ଟାବାଞ୍ଜି, ଚନ୍ଦ୍ର ପ୍ରସାଦ ଦେହୁରି, ସହକାରୀ ଜିଲ୍ଲାପାଳ, ରାଜନୈତିକ ଦଳର ପ୍ରତିନିଧି, ବିଭାଗୀୟ ଅଧିକାରୀଙ୍କ ସମେତ ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.