ରାଉରକେଲା, (ସସ୍ମିତା ପ୍ରଧାନ) : ଏନ୍ଆଇଟିର ପ୍ରାକ୍ତନ ଛାତ୍ରସଂଘ (ନିଟ୍ରା)ରାଉରକେଲା ଶାଖା ତରଫରୁ ୫୬ତମ ଜାତୀୟ ଯନ୍ତ୍ରୀ ଦିବସ ରାଉରକେଲା କ୍ଲବଠାରେ ପାଳିତ ହୋଇଯାଇଛି । ନିଟ୍ରାର ରାଉରକେଲା ଶାଖାର ଅଧ୍ୟକ୍ଷ ଇଂ ବିମଳ କୁମାର ବିଶିଙ୍କ ଅଧ୍ୟକ୍ଷତା, ଉପସଭାପତି ଇଂ ସୁଧାଂଶୁ ଶେଖର ପ୍ରଧାନଙ୍କ ଆବାହକତ୍ବ ଓ ସାଧାରଣ ସଂପାଦକ ଇଂ ଅନୁପ ଅଗ୍ରୱାଲଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଏନ୍ଆଇଟିର ନିର୍ଦ୍ଦେଶକ ପ୍ରଫେସର କେ ଉମାମହେଶ୍ଵର ରାଓ ଓ ମୁଖ୍ୟବକ୍ତା ଭାବେ ଡଃ ଅଯୋଧ୍ୟା ନାରାୟଣ ଦାସ ଯୋଗଦେଇ ଜାତୀୟ ଯନ୍ତ୍ରୀ ଦିବସ ପାଳନର ଆବଶ୍ୟକତା ଓ ଲକ୍ଷ୍ୟ ସଂପର୍କରେ ଆଲୋଚନା କରିଥିଲେ । ମୁଖ୍ୟଅତିଥି ପ୍ରଫେସର ରାଓ କହିଲେ ଯେ, ଯନ୍ତ୍ରୀମାନେ ସମସ୍ୟା ନହୋଇ ସମସ୍ୟାର ସମାଧାନ ହୁଅନ୍ତୁ । ଏହାସହ ସାର୍ ମୋକ୍ଷଗୁଣ୍ଡମ ବିଶ୍ବେସରାୟଙ୍କ ଜୀବନୀ ଓ ତାଙ୍କ ଦ୍ବାରା ବିଭିନ୍ନ ପ୍ରକଳ୍ପ କିପରି ଆମ ଜୀବନ ଓ ସମାଜର ଉନ୍ନତି ସାଧିତ କରିପାରିଛି ସେ ସଂପର୍କରେ ସୁନ୍ଦର ବକ୍ତବ୍ୟ ରଖିଥିଲେ । ଏହା ସହ ତାଙ୍କ ଦର୍ଶନ ସଂପର୍କରେ କହିଲେ ଯେ ପ୍ରଥମେ ଚିନ୍ତା କର, ଯୋଜନା କର, ତାପରେ ଗୁଣ ଏବଂ କ୍ଷତି ବୁଝିବା ପରେ କାମ ଆରମ୍ଭ କର । ଉଦାହରଣ ଛଳରେ ସେ କହିଲେ ବହୁ ବର୍ଷ ପୂର୍ବେ ଚାରମିନାର ହେଉ ଅବା ତାଜମହଲ ହେଉ ସେଥିରେ ସାମାନ୍ୟ ଫାଟ ଟିଏ ସୃଷ୍ଟି ହୋଇନଥିବା ବେଳେ ଆଜି ଆମେ ଯେଉଁ କାର୍ୟ୍ୟ କରୁଛେ ତାହା କେତେ ଦୀର୍ଘସ୍ଥାୟୀ ତାହା ଯନ୍ତ୍ରୀଙ୍କ ସାମର୍ଥ ଉପରେ ପ୍ରଶ୍ନ ଲଗାଉଛି । ତେଣୁ ଆଜି ସାର୍ ବିଶ୍ବେସରାୟଙ୍କ ଭଳି ଯନ୍ତ୍ରୀଙ୍କ ଆବଶ୍ୟକତା ଅନୁଭବ କରୁଛି । ମୁଖ୍ୟବକ୍ତା ଡଃ ଦାସ ତାଙ୍କ ବକ୍ତବ୍ୟ ପ୍ରୋଜେକ୍ଟର ମାଧ୍ୟମରେ ଇଞ୍ଜିନିୟରିଂର ଆବିଷ୍କାର ଓ ଆଧୁନିକିକରଣ ତଥା ବିଜ୍ଞାନ ଓ ନୂତନ ପ୍ରକ୍ରିୟା ସଂପର୍କରେ ଆଲୋଚନା କରିଥିଲେ । ସେହିପରି ଅଭିନବ ପ୍ରକ୍ରିୟାର ୮ ପ୍ରକାର ଓ ପିଟର ଡ୍ରାକରଙ୍କର ୭ ସୂତ୍ର ସଂପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ପ୍ରାରମ୍ଭରେ ଅଧ୍ୟକ୍ଷ ଇଂ ବିଶି ଚଳିତ ବର୍ଷ ଏହି ଦିବସ ପାଳନର ପ୍ରସଙ୍ଗ ‘ଏକ ସ୍ଥାୟୀ ଭବିଷ୍ୟତ ପାଇଁ ଯନ୍ତ୍ରବିଦ୍ୟା’ ସଂପର୍କରେ ଓ କାର୍ଯ୍ୟକ୍ରମ ସହ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ । ଏହି ଅବସରରେ ଏନ୍ଆଇଟିର କ୍ରୋଏସିଆ ଟିମ୍ର ନୂତନ ଉଦ୍ଭାବନ ପାଣି ଭିତରେ ରୋବର୍ଟ ମାଧ୍ୟମରେ ରକ୍ଷଣାବେକ୍ଷଣ ସହ ତାର ସ୍ଥିତି ସଂପର୍କରେ ଗବେଷଣା ଯାହା ସାରା ଭାରତ ବର୍ଷରେ ଶ୍ରେଷ୍ଠ ୫ଟି ଜ୍ଞାନକୌଶଳ ମଧ୍ୟରେ ଅନ୍ୟତମ ଓ ଏହାକୁ ଭାରତୀୟ ଜଳସେନା ଦ୍ବାରା ଉପଯୋଗ ପାଇଁ ବିବେଚିତ ହୋଇଥିବାରୁ ଏହି ଟିମ୍ରେ ଥିବା ସର୍ବଶ୍ରୀ ଦେବେନ୍ଦ୍ର ପ୍ରଧାନ, ବିଶ୍ବଜିତ ସ୍ବାଇଁ, ଅମିତ କୁମାର ଦାସ, ଅନୁଭବ ସାହୁଙ୍କୁ ସମ୍ମାନିତ କରାଯାଇଥିଲା । ସେହିପରି କୁଇଜ ମାଷ୍ଟର ସମ୍ପଦ ମିଶ୍ରଙ୍କ ଦ୍ବାରା କୁଇଜ ପ୍ରତିଯୋଗିତା କରାଯାଇ ୭୮ଜଣ ପ୍ରତିଯୋଗୀଙ୍କ ମଧ୍ୟରୁ ସର୍ବଶ୍ରୀ ଦିବ୍ୟମ ଦେବାଶିଷ ସାହୁ, ଅନୁରାଗ ଜି.ସି.ଙ୍କୁ ପ୍ରଥମ, ଦିବ୍ୟାଂଶୁ ମହାନ୍ତି ଓ ଅର୍ପଣ ଚକ୍ରବର୍ତ୍ତୀ ଦ୍ୱିତୀୟ ଓ ଦିବ୍ୟଜ୍ୟୋତି ତରାଇ ଓ କୃଷ୍ଣଆଦିତ୍ବ ମହାନ୍ତି ତୃତୀୟ ସ୍ଥାନ ଅଧିକାର କରିଥିବାରୁ ଅତିଥିମାନେ ନଗଦ ଅର୍ଥ, ମେମୋଣ୍ଟୋ ଓ ପ୍ରମାଣପତ୍ର ଦେଇ ସମ୍ମାନିତ କରିଥିଲେ । ପ୍ରାରମ୍ଭରେ କିଛି ନିଟ୍ରାନଙ୍କ ବିୟୋଗରେ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ଶେଷରେ କୋଷାଧ୍ୟକ୍ଷ ଇଂ ରାହୁଲ ଅଗ୍ରୱାଲ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରଫେସର ହୃଷିକେଶ ନାଏକ, କୁମାର ବେହେରା, ଅଜିତ ପୂଜାରୀ, ଫକୀର ଚରଣ ମହାନ୍ତି, ଡଃ ଶକ୍ତି ପ୍ରସାଦ ସାମନ୍ତରାୟ, ସ୍ବରୂପ ପାଣିଗ୍ରାହୀ, ହିମାଂଶୁ ଦାସ, ରତନ ଝଙ୍କାର ରାୟ, ରଶ୍ମି ରଂଜନ ବଇତାଇ, ବିଜୟ ପାତ୍ର, ଅସୀମ ସାବତଙ୍କ ସମେତ ଶତାଧିକ ନିଟ୍ରାନ ଉପସ୍ଥିତ ଥିଲେ ।