jayashree

ଟିଟିଲାଗଡ଼ରେ ବିଧାୟକଙ୍କ ପାଣ୍ଠିରୁ ଚାଲିଛି ରାସ୍ତା ନିର୍ମାଣ କାର୍ଯ୍ୟ : ଭଲ ରାସ୍ତା ଉପରେ ପୁଣି କାମ, ଅନୁଦାନର ହେଉନି ସଦ୍‌ବିନିଯୋଗ, ସାଧାରଣରେ ଅସନ୍ତୋଷ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଓଡ଼ିଶାର ବିଭିନ୍ନ ସ୍ଥାନରେ ସହରର ସୌନ୍ଦର୍ଯ୍ୟକରଣ ତଥା ବିକାଶ କାର୍ଯ୍ୟ ଜୋର୍ ସୋରରେ ଚାଲିଛି । ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଶାସନରେ ଜନ ସାଧାରଣଙ୍କ ନିମନ୍ତେ ଜନାଭିମୁଖି କାର୍ଯ୍ୟକ୍ରମ ରାଜ୍ୟ ବ୍ୟାପୀ ଚାଲିଛି । ଏହି ପରିପ୍ରେକ୍ଷୀରେ ଟିଟିଲାଗଡ଼ ପୌରପରିଷଦ ଅନ୍ତର୍ଗତ ୧୫ଟି ୱାର୍ଡରେ ମଧ୍ୟ ବିଭିନ୍ନ ବିକାଶମୂଳକ କାର୍ଯ୍ୟ ହାତକୁ ନେଇଛି । ଟିଟିଲାଗଡ଼ର ବିଧାୟିକା ତଥା ବାଣିଜ୍ୟ ଓ ପରିବହନ, ଜଳ ସମ୍ପଦ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ମଧ୍ୟ ସହରର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ସ୍ଥାନୀୟ ଅଞ୍ଚଳର ଅସୁବିଧା ବିଷୟରେ ଅବଗତ କରାଇ ବିକାଶ କାର୍ଯ୍ୟ ପାଇଁ କୋଟି କୋଟି ଟଙ୍କାର ଅନୁଦାନ ଆଣିଛନ୍ତି । ଏହା ସହିତ ସହରର ୧୫ଟି ୱାର୍ଡର କିପରି ଉନ୍ନତିକରଣ ତଥା ଆସିଥିବା ଅନୁଦାନର ସଦ୍‌ଉପଯୋଗ କରାଯାଇ ବିକାଶ କାର୍ଯ୍ୟ କରାଯିବ ସେ ଦିଗରେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଉଛନ୍ତି । ପୂର୍ବରୁ ଏହି ସହରର ବହୁତ ବଡ଼ ସମସ୍ୟାର ସମାଧାନ କରିବାରେ ସଫଳ ମଧ୍ୟ ହୋଇଛନ୍ତି, ତନ୍ମଧ୍ୟରୁ ରେଳ ଓଭର ବ୍ରିଜ, ଭୂତଳ ପୋଲ, ମହାରାଜ ସାଗରର ସୌନ୍ଦର୍ଯ୍ୟକରଣ, ରାଜ କନ୍ଵର ପାର୍କର ସୌନ୍ଦର୍ଯ୍ୟକରଣ ଅନ୍ୟତମ । ଏହା ସହିତ ଅନ୍ୟାନ୍ୟ ବିକାଶ କାର୍ଯ୍ୟ ଜାରି ରଖିଛନ୍ତି ମନ୍ତ୍ରୀ ଶ୍ରୀମତୀ ସାହୁ । ଚଳିତ ବର୍ଷ ଖାସ କରି ସହରର ସମସ୍ତ ୱାର୍ଡରେ ଦରକାରୀ ସ୍ଥାନରେ ରାସ୍ତା, ନାଳ ନିର୍ମାଣ, ନାଳ ଉପର ଘୋଡଣି, ରାସ୍ତା କଡ଼ରେ ବିଦ୍ୟୁତ ଖୁମ୍ବ ଲଗାଯିବା, ବାସହରା ଥିବା ଲୋକଙ୍କୁ ଜମି ପଟା ବଣ୍ଟନ ଇତ୍ୟାଦିକୁ ବେଶୀ ଗୁରୁତ୍ୱ ପ୍ରଦାନ କରୁଛନ୍ତି ।

ଚଳିତ ବର୍ଷ ବିଧାୟିକାଙ୍କ ପାଣ୍ଠିରୁ ପୌର ପରିଷଦର ୱାର୍ଡ ନମ୍ୱର ୧, ୨, ୩, ୪, ୬, ୭, ୧୨, ୧୩ ପାଇଁ ୩୪ ଲକ୍ଷ ଟଙ୍କାର ଅନୁଦାନ ଦେଇଛନ୍ତି । ପରିତାପର ବିଷୟ ମନ୍ତ୍ରୀ ନିଜେ ଅଞ୍ଚଳର ବିକାଶ କାର୍ଯ୍ୟ ପାଇଁ ଯେତେ ଚେଷ୍ଟିତ ତାଙ୍କ ଦଳୀୟ କାଉନସିଲର ଏହାର ଓଲଟା କାର୍ଯ୍ୟ କରୁଛନ୍ତି ବୋଲି ଆଲୋଚନା ହେଉଛି । ୱାର୍ଡ ନମ୍ବର ୬ରେ ଥିବା ଅବକାରୀ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ଯାଇଥିବା ରାସ୍ତା ସମ୍ପୂର୍ଣ୍ଣ ଠିକ୍‌ ଥିବା ବେଳେ ସେହି ରାସ୍ତା ଉପରେ ବିଧାୟିକାଙ୍କ ପାଣ୍ଠିରୁ କାହିଁକି ଦୁଇ ଲକ୍ଷ ଟଙ୍କାର ପେଭର ବ୍ଲକ ରାସ୍ତାର ନିର୍ମାଣ କରୁଛନ୍ତି ଲୋକ ବୁଝି ପାରୁ ନାହାନ୍ତି ବୋଲି ଆଲୋଚନା ହେଉଛି । ବିଧାୟିକାଙ୍କ ପାଣ୍ଠିରୁ ସହରର ଯେଉଁ ସ୍ଥାନରେ ଅତି ଜରୁରୀ ଥିବା ବିକାଶ କାର୍ଯ୍ୟ ବାକି ରହିଛି ସେହି ସ୍ଥାନରେ ଏହି ଟଙ୍କାର ସଦ୍‌ଉପଯୋଗ କରିବା କଥା କିନ୍ତୁ ଦରକାର ନଥାଇ ଅନୁଦାନ ଖର୍ଚ୍ଚ କରିବା କ’ଣ ମନ୍ତ୍ରୀଙ୍କ ଠିକା ପୋଷା ନୀତି ହେଉନି କି ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସହରର କେଉଁ କେଉଁ ସ୍ଥାନରେ ରାସ୍ତା ଆଜି ଯାଏଁ ନ ଥିବା ବେଳେ ଆସିଥିବା ଅନୁଦାନର ହେଉନି ସଦ୍‌ବିନିଯୋଗ, ଯଦି ଭଲ ରାସ୍ତା ଉପରେ ପୁଣି ରାସ୍ତା ନିର୍ମାଣ ହେବ ତା’ହେଲେ ଯେଉଁ ଦୁଃଖକୁ ସେଇ ଦୁଃଖ । ବିଧାୟିକା ତଥା ମନ୍ତ୍ରୀ ନିଜେ ଏ ଦିଗରେ ଦୃଷ୍ଟି ଦେଇ ବିକାଶ କାର୍ଯ୍ୟ କରନ୍ତୁ ବୋଲି ଦାବୀ ହେଉଛି ।

Leave A Reply

Your email address will not be published.