ସୁବର୍ଣ୍ଣପୁର ଜିଲ୍ଲାରେ ସମ୍ଭାବ୍ୟ ବନ୍ୟାର ମୁକାବିଲା ପାଇଁ ପ୍ରାକୃତିକ ବିପର୍ଯ୍ୟୟ କମିଟି ପ୍ରସ୍ତୁତି ବୈଠକ

  • ପ୍ରତ୍ୟେକ ବିଭାଗ ବିଭାଗୀୟ ପ୍ରସ୍ତୁତିର ସବିଶେଷ ସୂଚନା ପ୍ରଦାନ ପାଇଁ ନିର୍ଦ୍ଦେଶ
  • ଜିଲ୍ଲାରେ ଜିରୋ କାଜୁଆଲିଟି ଉପରେ ଗୁରୁତ୍ୱାରୋପ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଚଳିତ ବର୍ଷ ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା ନିମନ୍ତେ ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ପ୍ରସ୍ତୁତି ବୈଠକ ସୁବର୍ଣ୍ଣପୁର ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶଙ୍କ ଅଧ୍ୟତାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଜରୁରୀକାଳୀନ ଶାଖା ଦ୍ଵାରା ଆହୂତ ଏହି ବୈଠକରେ ବିଭାଗୀୟ ଅଧିକାରୀ ଆନନ୍ଦ ପଣ୍ଡା ଉପସ୍ଥିତ ସମସ୍ତଙ୍କୁ ବୈଠକକୁ ସ୍ୱାଗତ କରି ପୂର୍ବ ପ୍ରସ୍ତୁତ କାର୍ଯ୍ୟ ଖସଡାକୁ ବୈଠକରେ ଉପସ୍ଥାପନା କରିଥିଲେ । ଜିଲ୍ଲାପାଳ ଶ୍ରୀ ଦାଶ କାର୍ଯ୍ୟ ଖସଡ଼ା ଅନୁସାରେ ପ୍ରତ୍ୟେକଟି ବିନ୍ଦୁ ଉପର ବିଷଦ ଭାବରେ ଆଲୋଚନା କରି ସମ୍ପୃକ୍ତ ବିଭାଗର ଅଧିକାରୀମାନଙ୍କ ମତାମତ ନେଇଥିଲେ । ସେ ସମ୍ଭାବ୍ୟ ବନ୍ୟା ତଥା ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଜିଲ୍ଲାର ସମସ୍ତ ବିଭାଗ ପରସ୍ପର ମଧ୍ୟରେ ସହଯୋଗ ରକ୍ଷା ପୂର୍ବକ କାର୍ଯ୍ୟ କରିବା ସହ ଜିଲ୍ଲାରେ ଜିରୋ କାଜୁଆଲିଟି ଉପରେ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଛନ୍ତି । ବୈଠକରେ ବିଭିନ୍ନ ଅଧିକାରୀ ଆସନ୍ନ ବନ୍ୟା ମୁକାବିଲା ପାଇଁ କିପରି ପ୍ରସ୍ତୁତ ଅଛନ୍ତି ସେ ବିଷୟରେ ଗୃହକୁ ଅବଗତ କରାଇଥିଲେ । ବିଶେଷ ଭାବେ ଆରଡବ୍ଲୁଏସ୍‌ଏସ୍‌ ଅଧିକ୍ଷଣ ଯନ୍ତ୍ରୀ, କାର୍ଯ୍ୟ ନିର୍ବାହୀଯନ୍ତ୍ରୀ ତେଲ ଡିଭିଜନ ପ୍ରକଳ୍ପ, ଏମ୍‌ଆଇ, ଜିଲ୍ଲା ଶିକ୍ଷା ଅଧିକାରୀ, ଆର୍‌ଡବ୍ଲୁଏସ୍‌ଏସ୍‌, ସିଏସ୍‌ଓ, ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ, ଜିଲ୍ଲା ପଞ୍ଚାୟତ ଅଧିକାରୀ, ଜିଲ୍ଲା ମଙ୍ଗଳ ଅଧିକାରୀ, ଜିଲ୍ଲା ମତ୍ସ୍ୟ ଅଧିକାରୀ, ଜିଲ୍ଲା କୃଷି ବିଭାଗ, ଜିଲ୍ଲା ପ୍ରାଣୀ ସମ୍ପଦ ବିଭାଗ, ଜିଲ୍ଲା ବନଖଣ୍ଡ ବିଭାଗ ପ୍ରମୁଖ ନିଜ ନିଜ ବିଭାଗର ପ୍ରସ୍ତୁତି ଉପରେ ସୂଚନା ପ୍ରଦାନ କରିଥିଲେ । କାର୍ଯ୍ୟ ନିର୍ବାହୀଯନ୍ତ୍ରୀ ତେଲ ଡିଭିଜନ ପ୍ରକଳ୍ପ, କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଏମ୍‌ଆଇ, ନଦୀକୂଳରେ ଥିବା ସମସ୍ତ ଘାଇ, ନଦୀ ଆଡିବନ୍ଧ ଗୁଡିକ ଯାଞ୍ଚ କରି ଦୁର୍ବଳ ଘାଇ ଓ ବିପଦ ସଂକୁଳ ପଠା ଗୁଡିକୁ ସୁଦୃଢ କରିବା ନିମନ୍ତେ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ସହରାଞ୍ଚଳରେ ଥିବା ବିଭିନ୍ନ ନାଳ ନର୍ଦ୍ଦମାଗୁଡିକ ସମୟ ପୂର୍ବରୁ ଆବଶ୍ୟଳ ମରାମତି ଓ ସଫା କରିବା ପାଇଁ ବୈଠକରେ ପରାମର୍ଶ ଦିଆଯାଇଛି । ଜିଲ୍ଲାର ବନ୍ୟା ପ୍ରବଣ ଅଞ୍ଚଳରେ ଅଗ୍ରୀମ ଶୁଖୁଲା ଖାଦ୍ୟ ତଥା ଦୈନନ୍ଦିନ ଆବଶ୍ୟକ ସାମଗ୍ରୀ ମହଜୁଦ ରଖିବା ପାଇଁ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏତଦ୍‌ ବ୍ୟତୀତ ଜିଲ୍ଲାର ବିଭିନ୍ନ ବନ୍ୟା ସମ୍ବେଦନଶୀଳ ଅଂଚଳରେ ପାୱାର ବୋଟ ଏବଂ ଦେଶୀ ଡଙ୍ଗା ମହଜୁଦ ରଖିବା ପାଇଁ ଉପଜିଲ୍ଲାପାଳମାନଙ୍କୁ ଧ୍ୟାନ ଦେବା ପାଇଁ କୁହାଯାଇଛି । ଜିଲ୍ଲାରେ ଥିବା ୬ ଗୋଟି ବନ୍ୟା ଆଶ୍ରୟ ସ୍ଥଳୀ ଯେପରି ବନ୍ୟା ସମୟରେ ସମ୍ପୂର୍ଣ୍ଣ ଉପଯୋଗ ହୋଇପାରିବ ସେଥିପାଇଁ ସେ ସଂପୃକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ନିର୍ବାହୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ଏବଂ ଆବଶ୍ୟକ ସ୍ଥଳେ ସ୍ଥାନୀୟ ସ୍କୁଲ ଗୃହ ଓ ୱେର ହାଉସକୁ ଉପଯୋଗ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲାରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ ଚାଲୁ ରଖିବା ସହିତ ସମସ୍ତ ବ୍ଲକ୍, ତହସିଲ, ଥାନା ସହ ଯୋଗାଯୋଗ ପୂର୍ବକ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ଉପରେ ଗୁରୁତ୍ୱାରୋପ କରାଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଓ ଜିଲ୍ଲା ପଶୁ ସମ୍ପଦ ଅଧିକାରୀଙ୍କୁ ବନ୍ୟା ପୂର୍ବରୁ ଆବଶ୍ୟକୀୟ ଔଷଧ ଏବଂ ଗୋଖାଦ୍ୟ ମହଜୁଦ ରଖିବା ପାଇଁ କୁହାଯାଇଛି । ପିଏଚ୍‌ଡି, ଓଆର୍‌ଡବ୍ଲୁଏସ୍‌ଏସ୍‌ ବିଭାଗ ତରଫରୁ ବନ୍ୟା ଓ ବନ୍ୟା ପରବର୍ତ୍ତୀ ସମୟରେ ପିଇବାପାଣିକୁ ଜନସାଧାରଣଙ୍କ ନିମନ୍ତେ ଉପଲବ୍ଧ କରାଇବା ଉପରେ ନିର୍ଦ୍ଦେଶ ଦିଆଯିବା ସହ ଆଶ୍ରୟ ସ୍ଥଳ ନିକଟରେ ନଳକୂପ ଖଣନକୁ ସୁନିଶ୍ଚିତ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦିଆଯାଇଛି । ପୁନଶ୍ଚ କାର୍ଯ୍ୟକ୍ରମଗୁଡିକୁ ସୁନିଶ୍ଚିତ ଓ ବ୍ୟବସ୍ଥିତ କରାଯିବା ଉପରେ ଗୁରୁତ୍ୱାରୋପ କରାଯାଇ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ସରଜମିନ ତଦନ୍ତ କରି ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ଉପରେ ବୈଠକରେ ଆଲୋଚନା କରାଯାଇଛି । ଆସନ୍ନ ବନ୍ୟା ସମୟରେ ପାଣିପାଗ ସମ୍ବନ୍ଧୀୟ ଆଗୁଆ ସୂଚନା ଜନସାଧାରଣଙ୍କୁ ଜଣାଇ ଦେବା ପାଇଁ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ଓ ବିଡ଼ିଓ ମାନେ ସମ୍ପୃକ୍ତ ଅଞ୍ଚଳରେ ପଦକ୍ଷେପ ନେବା ସହ ତତ୍‌ସମ୍ୱନ୍ଧୀୟ ସୂଚନାକୁ ବ୍ୟାପକ କରିବା ସହ ସମସ୍ତଙ୍କୁ ଉପଲବ୍ଧ କରାଇବାକୁ ଜିଲ୍ଲାର ସମସ୍ତ କାର୍ଯ୍ୟରତ ସାମ୍ବାଦିକ ସହଯୋଗ କରିବା ପାଇଁ ବୈଠକରେ ଅନୁରୋଧ କରାଗଲା । ପ୍ରତିକୂଳ ପରିସ୍ଥିତିରେ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ପାଇଁ ବିଦ୍ୟୁତ ବିଭାଗ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଛି । ବନ୍ୟା ପରବର୍ତ୍ତୀ ପରିସ୍ଥିତିରେ କୃଷକମାନଙ୍କୁ ଆବଶ୍ୟକୀୟ ବିହନ, କୀଟନାଶକ ଓ କୃଷି ସମ୍ୱନ୍ଧୀୟ ବିଶେଷ ସୂଚନା ଜିଲ୍ଲା କୃଷି ଅଧିକାରୀ ଯୋଗାଇ ଦେବେ ଏବଂ ସମସ୍ତ କୃଷି ଫସଲର ବୀମାକରଣ ପାଇଁ ପଦକ୍ଷେପ ନେବେ । ଜିଲ୍ଲା ଶିକ୍ଷା ଅଧିକାରୀ ଜିଲ୍ଲାର ସମସ୍ତ ଗ୍ରାମ୍ୟାଞ୍ଚଳ ସ୍କୁଲଗୁଡିକର ସ୍ଥିତି ସମ୍ପର୍କରେ ଆଗୁଆ ସରଜମିନ ତଦନ୍ତ କରିବାକୁ କୁହାଯାଇଛି । ବୈଠକରେ ବିପର୍ଯ୍ୟୟ ପ୍ରସ୍ତୁତି ଏବଂ ସଂକଟ ସମୟରେ ସମସ୍ତ ରାଜନୈତିକ ପଦାଧିକାରୀ ତଥା ଗ୍ରାମ ପଞ୍ଚାୟତ ସ୍ତରରେ ସମ୍ପୃକ୍ତ ସରପଞ୍ଚ ଓ ଅନ୍ୟାନ୍ୟ ପଞ୍ଚାୟତ ପ୍ରତିନିଧି ଓ ତୃଣମୂଳ କର୍ମଚାରୀ ମାନଙ୍କ ସହଯୋଗ ନେବାକୁ ପରାମର୍ଶ ଦିଆଯାଇଛି । ସମ୍ଭାବ୍ୟ ବନ୍ୟାରୁ ଧନ ଜୀବନକୁ ରକ୍ଷା କରିବା ପାଇଁ ଆସନ୍ତାକାଲି ସକାଳ ୦୮ଟାରେ ସୋନପୁର ତେନ୍ତୁଳିଘାଟ ଠାରେ ଏନ୍‌ଡିଆର୍‌ଏଫ୍‌ ଅଧିକାରୀ ମୁଣ୍ଡୁଳିଙ୍କ ଦ୍ୱାରା ବିଭିନ୍ନ ରକ୍ଷାତ୍ମକ କୌଶଳ ଉପରେ ଡେମୋ ପ୍ରଦର୍ଶନ କରାଯିବ । ଶେଷରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ନିଶି ପୁନମ ମିଞ୍ଜ ସମସ୍ତଙ୍କ ସହଯୋଗ କାମନା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିବା ବେଳେ ପ୍ରସ୍ତୁତି ବୈଠକରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ, ନିହାର ରଞ୍ଜନ କଁହର, ଉପଜିଲ୍ଲାପାଳ ବୀରମହାରାଜପୁର ଅଶୋକ କୁମାର ଭୋଇ, ଲୋକସଭା ସାଂସଦ ବଲାଙ୍ଗିରଙ୍କ ପ୍ରତିନିଧି ଶରତ ଶତପଥୀ, ସିଡ଼ିଏମଓ ବିଶ୍ୱରଂଜନ ପତି, ଏସ୍‌ଇ ପୀଡବ୍ଲୁଡି ଇଂ ଦାମୋଦର କୈବର୍ତ୍ତ, ଏସ୍‌ଇଆର୍‌ଡବ୍ଲୁଏସ୍‌ଏସ୍‌ ଇଂ ବିଭୁ ପ୍ରସାଦ ପଣ୍ଡା, ଜିଲ୍ଲା ଯୋଗାଣ ଅଧିକାରୀ ସୁରେଶ ପାଣିଗ୍ରାହୀ, ଜିଲ୍ଲା ଶିକ୍ଷା ଅଧିକାରୀ ଲକ୍ଷ୍ମଣ ଭୋଇ, ଏଣ୍ଡିଆରଏଫ ମୁଣ୍ଡୁଳିର ଇନ୍ସପେକ୍ଟର ଏକଜିକ୍ୟୁଟିଭ ୟୁ କେ ଦୀକ୍ଷିତ, ସୂର୍ଯ୍ୟକାନ୍ତ, ଆନନ୍ଦ କୁମାର, ଜିଲ୍ଲା ମଙ୍ଗଳ ଅଧିକାରୀ, ଜିଲ୍ଲା ପଞ୍ଚାୟତ ଅଧିକାରୀ ଅର୍ଜୁନ ମାଝୀ, ଉପନିର୍ଦ୍ଦେଶକ ଯୋଜନା ଓ ପରିସଂଖ୍ୟାନ ଚତୁର୍ଭୁଜ ସାହୁ, ସିଡିଭିଓ ଅନନ୍ତ ପ୍ରସାଦ ପଣ୍ଡା, ଜିଲ୍ଲା ମତ୍ସ୍ୟ ଅଧିକାରୀ ପ୍ରସନ୍ନ ପଟ୍ଟନାୟକ ସମେତ ବିଭିନ୍ନ ଜିଲ୍ଲାସ୍ତରୀୟ ଅଧିକାରୀ, ସମସ୍ତ ତହସିଲଦାର, କାର୍ଯ୍ୟ ନିର୍ବାହୀ ଅଧିକାରୀ ମ୍ୟୁନିସିପାଲିଟି ସୋନପୁର, ବିଜ୍ଞାପିତ ଅଞ୍ଚଳ ପରିଷଦ ବିନିକା ଓ ତରଭା, ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି, ଜିଲ୍ଲା ଜରୁରୀ ଶାଖା କର୍ମଚାରୀ ବିଶ୍ୱନାଥ ନାୟକ, ଆଲୋକ ଦାଶ, ରିତେଶ ହୋତା ପ୍ରମୁଖ ଉପସ୍ଥିତ ପୂର୍ବକ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.