୫-ଟି ସଚିବଙ୍କ ଗଜପତି ଗସ୍ତ

  • ବ୍ରହ୍ମପୁରରୁ ଜୟପୁର ବିଜୁ ଏକ୍ସପ୍ରେସ ୱେ -୨ର ନିର୍ମାଣ ଖୁବ ଶୀଘ୍ର
  • ତିନି ବର୍ଷରେ କାମ ସରିବ
  • ୩୦୫ କିଲୋମିଟର ଏହି ସଡକରେ ପାହାଡ ଖୋଳା ଯାଇ ଟନେଲ୍ ନିର୍ମାଣ କରାଯିବ, ଓଡିଶାରେ ଏହା ପ୍ରଥମ
  • ବ୍ରହ୍ମପୁର ଠାରୁ ଜୟପୁର ଦୂରତା ୩ ଘଣ୍ଟା କମିବ
  • ମୋହନାରୁ ବ୍ରହ୍ମପୁର ୪୫ ମିନିଟ୍ ଲାଗିବ
  • ଡିସେମ୍ବର ସୁଦ୍ଧା ଜିରାଙ୍ଗ କଲେଜ ହେବ ସ୍ମାର୍ଟ କଲେଜ : 5T ସଚିବ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ ଗତକାଲି ଦୁଇ ଦିନିଆ ଗସ୍ତରେ ଗଜପତି ଜିଲ୍ଲା ଯାଇ ବିଭିନ୍ନ ଉନ୍ନୟନମୂଳକ କାମର ସମୀକ୍ଷା କରିଛନ୍ତି । ବିଶେଷ କରି ଗୁରୁତ୍ୱପୂର୍ଣ୍ଣ ବିଜୁ ଏକ୍ସପ୍ରେସ ୱେର ନିର୍ମାଣ ସମ୍ପର୍କରେ ପୂର୍ତ୍ତ ବିଭାଗର ଅଧିକାରୀମାନଙ୍କ ସହିତ ଆଲୋଚନା କରି ପ୍ରକ୍ରିୟା ତ୍ୱରାନ୍ୱିତ କରିବାକୁ ପରାମର୍ଶ ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ ବିଜୁ ଏକ୍ସପ୍ରେସ ୱେ -୧ର ନିର୍ମାଣ କାମ ସଫଳତାର ସହ ସମ୍ପୂର୍ଣ୍ଣ ହେବା ପରେ ରାଜ୍ୟ ସରକାର ଏବେ ବିଜୁ ଏକ୍ସପ୍ରେସ ୱେ-୨ର କାମ ଆରମ୍ଭ କରିବାକୁ ଯାଉଛନ୍ତି । ରାଜ୍ୟର ଅର୍ଥନୈତିକ ଓ ସାମାଜିକ ବିକାଶ ଦୃଷ୍ଟିରୁ ଏହା ଖୁବ୍ ଗୁରୁତ୍ୱ ବହନ କରେ । ୩୦୫ କିଲୋମିଟର ଦୀର୍ଘ ଏହି ରାସ୍ତା ବ୍ରହ୍ମପୁର ସହରକୁ ଜୟପୁର ସହ ଯୋଡିବ ଏବଂ ଏହି ପ୍ରକଳ୍ପ ପାଇଁ ପ୍ରାୟ ୭୦୦୦ କୋଟି ଟଙ୍କା ବିନିଯୋଗ କରାଯିବ । ଏହା ସମ୍ପୂର୍ଣ୍ଣ ଭାବେ ଏକ ନୂଆ ପ୍ରକଳ୍ପ (Green Field Project) । ଏହା ଗଞ୍ଜାମ, ଗଜପତି, ରାୟଗଡା ଓ କୋରାପୁଟ- ଏହି ୪ଟି ଜିଲ୍ଲାର ୧୫ଟି ବ୍ଲକ ଦେଇ ନିର୍ମିତ ହେବ । ଗଞ୍ଜାମରେ ୪୩ କି.ମି., ଗଜପତିରେ ୪୭ କି.ମି., ରାୟଗଡାରେ ୧୫୮ କି.ମି. ଓ କୋରାପୁଟରେ ୫୭ କି.ମି. ରାସ୍ତା ତିଆରି କରାଯିବ । ଏହା ଦ୍ୱାରା ବ୍ରହ୍ମପୁରରୁ ଜୟପୁରକୁ ଗସ୍ତ ସମୟ ୮ ଘଣ୍ଟାରୁ ୫ ଘଣ୍ଟାକୁ କମିଯିବ । ବ୍ରହ୍ମପୁରରୁ ମୋହନା ମାତ୍ର ୪୫ ମିନିଟ୍‌ ଲାଗିବ ଏବଂ ରାୟଗଡାରୁ ମୋହନା ମାତ୍ର ଦେଢ ଘଣ୍ଟା ଲାଗିବ ଯାହାକି ବର୍ତ୍ତମାନ ପ୍ରାୟ ୪ ଘଣ୍ଟା ଲାଗୁଛି । ଏହି ସଡକରେ ରାଜ୍ୟରେ ପ୍ରଥମ ଥର ପାଇଁ ପାହାଡ ଖୋଳା ଯାଇ ରାସ୍ତା ନିର୍ମାଣ କରାଯିବ ଯାହାଦ୍ୱାରା କି ସଡକର ଦୈର୍ଘ୍ୟ ପ୍ରାୟ ୨୫ରୁ ୩୦ କି.ମି. କମିଯିବ ଏବଂ ଯିବାଆସିବା ସମୟ ମଧ୍ୟ ୨ ଘଣ୍ଟା କମ ରହିବ । ଏହା ଦ୍ୱାରା ଦକ୍ଷିଣ ଓଡିଶାରେ ଏକ ନୂଆ ଇକୋନୋମିକ୍ କରିଡର ସୃଷ୍ଟି ହୋଇପାରିବ । ଏହି କାମ ତିନି ବର୍ଷ ମଧ୍ୟରେ ଶେଷ ହେବ ବୋଲି ଶ୍ରୀ ପାଣ୍ଡିଆନ ସୂଚନା ଦେଇଥିଲେ ।

ଶ୍ରୀ ପାଣ୍ଡିଆନ ଏହା ପରେ ଜିରାଙ୍ଗର ବୁଦ୍ଧ ମନ୍ଦିର ପରିଦର୍ଶନ କରିଥିଲେ ଏବଂ ଜିରାଙ୍ଗ କଲେଜର ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ । ଜିରାଙ୍ଗ କଲେଜରେ ୬ ମାସ ମଧ୍ୟରେ ଡିସେମ୍ବର ସୁଦ୍ଧା ସ୍ମାର୍ଟ କ୍ଲାସ ଆରମ୍ଭ କରାଯିବ ବୋଲି ସେ ପ୍ରତିଶୃତି ଦେଇଥିଲେ । ପିଲାମାନଙ୍କ ସହ ଆଲୋଚନା କରି ସେ ନିଜ କଲେଜର ଉନ୍ନତି ପାଇଁ କାମ କରିବାକୁ ପିଲାଙ୍କୁ ପରାମର୍ଶ ଦେଇଥିଲେ । ଭଲ ପାଠ ପଢି ଓଡିଶାର ବିକାଶରେ ଯୋଗଦାନ ରଖିବାକୁ କହିଥିଲେ ।

ଏହା ସହିତ ସାଧାରଣ ଜନତାଙ୍କୁ ଭେଟି ସେମାନଙ୍କ ବିଭିନ୍ନ ସମସ୍ୟା ମଧ୍ୟ ଶୁଣିଥିଲେ । ଜିଲ୍ଲାସ୍ତରରେ ଯାହା ସମ୍ଭବ ତାକୁ ତୁରନ୍ତ ସମାଧାନ କରିବା ପାଇଁ ଜିଲ୍ଲାପାଳଙ୍କୁ ପରାମର୍ଶ ଦେବା ସହିତ ଅନ୍ୟ ସମସ୍ୟାର ସମାଧାନ ପାଇଁ ପ୍ରସ୍ତାବ ପଠାଇବାକୁ ପରାମର୍ଶ ଦେଇଥିଲେ ।

Leave A Reply

Your email address will not be published.