ବଲାଙ୍ଗିର ଜିଲ୍ଲା ପରିଷଦ ବୈଠକ

  • ଉତ୍ତମ ସମନ୍ଵୟ ମାଧ୍ୟମରେ ଯୋଜନା ଗୁଡିକର ସଫଳ ରୂପାୟନ ଉପରେ ଗୁରୁତ୍ଵାରୋପ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପୂର୍ବାହ୍ନରେ ସ୍ଥାନୀୟ ରାଜ୍ୟ ହୋଟେଲ ପରିଚାଳନା ପ୍ରତିଷ୍ଠାନ ସମ୍ମିଳନୀ କକ୍ଷଠାରେ ବଲାଙ୍ଗିର ଜିଲ୍ଲା ପରିଷଦର ବୈଠକ ଜିଲ୍ଲା ପରିଷଦର ଅଧ୍ୟକ୍ଷା ଦେବକୀ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି, ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର, କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା, ଲୋଇସିଂହା ବିଧାୟକ ଡ଼. ମୁକେଶ ମହାଲିଙ୍ଗ, ଜିଲ୍ଲାପାଳ ଚଞ୍ଚଳ ରାଣା, ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ମିଥିଳା ମାଝି, ଜଳ ସମ୍ପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ତଥା ଟିଟିଲାଗଡ ବିଧାୟିକାଙ୍କ ପ୍ରତିନିଧି ଚନ୍ଦ୍ରବଦନ ପୁରୋହିତ, ବଲାଙ୍ଗିର ଲୋକସଭା ସାଂସଦଙ୍କ ପ୍ରତିନିଧି ମାଧବ କୁମାର ସାଏ, ଡିଏଫଓ ନିତୀଶ କୁମାର, ଜିଲ୍ଲା ପରିଷଦର ଅତିରିକ୍ତ ନିର୍ବାହୀ ଅଧିକାରୀ ଡ଼. ଗୁଣନିଧି ନାୟକ, ବଲାଙ୍ଗିର ଉପଜିଲ୍ଲାପାଳ କୁମାର ନାଗଭୂଷଣ, ପାଟଣାଗଡ ଉପଜିଲ୍ଲାପାଳ ଡ଼. ବିଜୟାନନ୍ଦ ସେଠୀଙ୍କ ସମେତ ଜିଲ୍ଲା ପରିଷଦର ସଭ୍ୟ, ସଭ୍ୟା, ପଞ୍ଚାୟତ ସମିତିର ଅଧ୍ୟକ୍ଷ, ଅଧ୍ୟକ୍ଷା, ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ ଓ କାର୍ଯ୍ୟ ନିର୍ବାହୀ ସଂସ୍ଥାର ଅଧିକାରୀମାନେ ଉପସ୍ଥିତ ଥିଲେ । ବୈଠକ ପ୍ରାରମ୍ଭରେ ଜିଲ୍ଲାପାଳ ସମସ୍ତଙ୍କୁ ସ୍ଵାଗତ ଜଣାଇଥିଲେ । ଜିଲ୍ଲା ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ସାହୁ ସମସ୍ତଙ୍କୁ ସ୍ଵାଗତ ଜଣାଇବା ସହ ଉତ୍ତମ ସମନ୍ଵୟ ମାଧ୍ୟମରେ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ଉନ୍ନୟନ ଓ ଲୋକାଭିମୁଖୀ ଯୋଜନା ଗୁଡିକର ସଫଳ ରୂପାୟନ ଦିଗରେ ସମସ୍ତେ ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ । ବିଭିନ୍ନ ଅଞ୍ଚଳର ଜନସାଧାରଣଙ୍କ ସମସ୍ୟା ଗୁଡିକର ସମାଧାନ ଦିଗରେ ବିଭାଗୀୟ ଅଧିକାରୀମାନେ ଧ୍ୟାନ ଦେବାକୁ ସେ ପରାମର୍ଶ ଦେଇଥିଲେ । ବୈଠକରେ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଜନ ଦ୍ଵାରା କାର୍ଯ୍ୟକାରୀ ହେଉଥିବା ପାଇପ ଜଳ ଯୋଗାଣ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ଆଲୋଚନା କରାଯାଇ ଜନସାଧାରଣଙ୍କୁ ପାନୀୟ ଜଳ ଯୋଗାଇଦେବା ନିମନ୍ତେ ବିଦ୍ୟୁତ ଯୋଗାଣ ହୋଇନଥିବା ପ୍ରକଳ୍ପ ଗୁଡିକୁ ଶୀଘ୍ର ବିଦ୍ୟୁତ ଯୋଗାଣ ଉପରେ ଆଲୋଚନା ହୋଇଥିଲା । ନିର୍ମାଣାଧୀନ ପାନୀୟ ଜଳ ପ୍ରକଳ୍ପ ଗୁଡିକର କାର୍ଯ୍ୟ ଯଥାଶୀଘ୍ର ସଂପୂର୍ଣ୍ଣ କରିବା ସହ କାର୍ଯ୍ୟ ଗୁଡିକର ଗୁଣବତ୍ତା ସୁନିଶ୍ଚିତ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ଅଚଳ ଥିବା ନଳକୂପ ଗୁଡିକର ମରାମତି ସହ ଜଳକ୍ଲିଷ୍ଟ ଅଞ୍ଚଳ ଗୁଡିକରେ ଟ୍ୟାଙ୍କର ଯୋଗେ ପାନୀୟ ଜଳ ଯୋଗାଇଦେବା ସମ୍ପର୍କରେ ବୈଠକରେ ଆଲୋଚନା ହୋଇଥିଲା । କୃଷି ବିଭାଗ ସମ୍ପର୍କରେ ଆଲୋଚନା କରାଯାଇ ଜିଲ୍ଲାରେ ମିଲେଟ ମିଶନର କାର୍ଯ୍ୟକାରିତା, ଚଳିତ ବର୍ଷ ଚାଷୀଙ୍କୁ ଯୋଗାଇ ଦିଆଯାଇଥିବା ସାର, ମିନି କୀଟ, ଇନପୁଟ୍‌ ସବସିଡି ଉପରେ ସବିଶେଷ ଆଲୋଚନା କରାଯାଇଥିଲା । ପ୍ରାଥମିକ ଶିକ୍ଷା ଓ ଗଣ ଶିକ୍ଷା ବିଭାଗ ସମ୍ପର୍କରେ ଆଲୋଚନା କରାଯାଇ ଜିଲ୍ଲାରେ ଉଚ୍ଚ ବିଦ୍ୟାଳୟରୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ଉନ୍ନୀତକରଣ ପ୍ରସ୍ତାବ, ବିଭିନ୍ନ ବ୍ଲକରେ ଖାଲି ଥିବା ଗୋଷ୍ଠୀ ଶିକ୍ଷା ଅଧିକାରୀ ପଦବୀ ପୂରଣ, ବିଦ୍ୟାଳୟ ଗୁଡିକର ଭିତ୍ତିଭୂମି, ଶିକ୍ଷକ ସ୍ଥିତି, ଛାତ୍ରୀମାନଙ୍କ ନିମନ୍ତେ ବିଦ୍ୟାଳୟ ଗୁଡିକରେ ନିର୍ମିତ ଶୌଚାଳୟ ଗୁଡିକର ସୁପରିଚାଳନା, ୫-ଟି ବିଦ୍ୟାଳୟ ରୂପାନ୍ତରିକରଣ ସମ୍ପର୍କରେ ଆଲୋଚନା ହୋଇଥିଲା । ବିଦ୍ୟାଳୟ ଗୁଡିକରେ ଛାତ୍ରଛାତ୍ରୀମାନଙ୍କ ନାମଲେଖା ତଥା ଉପସ୍ଥାନ ଯେପରି ଶତ ପ୍ରତିଶତ ହେବ ଏବଂ କୌଣସି ବିଦ୍ୟାଳୟରେ ଡ୍ରପ ଆଉଟ ଯେପରି ନହେବ ସେଥିପ୍ରତି ଦୃଷ୍ଟି ଦେବାକୁ ପଞ୍ଚାୟତିରାଜ ଅନୁଷ୍ଠାନର ପ୍ରତିନିଧିମାନଙ୍କୁ ଜିଲ୍ଲାପାଳ ଅନୁରୋଧ କରିଥିଲେ । ବିଭାଗୀୟ କାର୍ଯ୍ୟାବଳୀ ତଥା ଉନ୍ନୟନମୂଳକ ଓ ଲୋକାଭିମୁଖୀ ଯୋଜନାର ରୂପରେଖ, କାର୍ଯ୍ୟକାରିତା ଓ ଅଗ୍ରଗତି ସମ୍ପର୍କରେ ଜନ ପ୍ରତିନିଧିମାନଙ୍କୁ ଅବଗତ କରିବା ନିମନ୍ତେ ଜିଲ୍ଲାପାଳ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲା ମଙ୍ଗଳ ବିଭାଗ ଦ୍ଵାରା ପରିଚାଳିତ ବିଦ୍ୟାଳୟ ଗୁଡିକର ଶିକ୍ଷକ ସ୍ଥିତି, ଛାତ୍ରାବାସ ଗୁଡିକର ପରିଚାଳନା ସମ୍ପର୍କରେ ବୈଠକରେ ଆଲୋଚନା ହୋଇଥିଲା । ଏତଦ୍‌ବ୍ୟତୀତ ବୈଠକରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ଉଠା ଜଳସେଚନ, କ୍ଷୁଦ୍ର ଜଳସେଚନ, ଲୋୟର ସୁକତେଲ ପ୍ରକଳ୍ପ, ଗ୍ରାମ୍ୟ ଉନ୍ନୟନ, ଜଳଛାୟା, ରାସ୍ତା ଓ ପୂର୍ତ୍ତ ବିଭାଗ ଜରିଆରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ପ୍ରକଳ୍ପ ଓ ଯୋଜନା ଗୁଡିକର କାର୍ଯ୍ୟକାରିତା ଓ ଅଗ୍ରଗତି ସମ୍ପର୍କରେ ବୈଠକରେ ସବିଶେଷ ଆଲୋଚନା ହୋଇଥିଲା । କେନ୍ଦ୍ରୀୟ ପଞ୍ଚଦଶ ଅର୍ଥ କମିଶନ ଓ ପଞ୍ଚମ ଅର୍ଥ କମିଶନ ଆବଦ୍ଧ ଅନୁଦାନର ପ୍ରସ୍ତାବିତ ପ୍ରକଳ୍ପ ଗୁଡିକ ସମ୍ପର୍କରେ ଆଲୋଚନା କରାଯାଇ ଅନୁମୋଦନ କରାଯାଇଥିଲା । ଜିଲ୍ଲା ପରିଷଦର ସଭ୍ୟ, ସଭ୍ୟା, ପଞ୍ଚାୟତ ସମିତିର ଅଧ୍ୟକ୍ଷ, ଅଧ୍ୟକ୍ଷାମାନେ ନିଜ ନିଜ ଅଞ୍ଚଳର ବିଭିନ୍ନ ସମସ୍ୟା ଓ ବିଭିନ୍ନ ପ୍ରକଳ୍ପ ସମ୍ପର୍କିତ ପ୍ରସ୍ତାବ ବୈଠକରେ ଉପସ୍ଥାପନ କରିଥିଲେ । ବୈଠକ ଶେଷରେ ଜିଲ୍ଲା ପରିଷଦର ଅତିରିକ୍ତ ନିର୍ବାହୀ ଅଧିକାରୀ ଡ଼. ନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.