ମୋଦୀ ସରକାରଙ୍କ ଜନ ବିରୋଧୀ, ଶ୍ରମିକ, କୃଷକ ନୀତି ବିରୁଦ୍ଧରେ ୫ ଏପ୍ରିଲ ପାର୍ଲିଆମେଣ୍ଟ ଅଭିଯାନକୁ ସଫଳ କରିବା ପାଇଁ ଆହ୍ୱାନ

ରାଉରକେଲା, (ସସ୍ମିତା ପ୍ରଧାନ) : କେନ୍ଦ୍ର ବିଜେପି ନେତୃତ୍ଵାଧୀନ ମୋଦୀ ସରକାରଙ୍କ ଜନ ବିରୋଧୀ, ଶ୍ରମିକ, କୃଷକ ତଥା ଦେଶ ବିରୋଧୀ ନୀତି ବିରୁଦ୍ଧରେ ସିଆଇଟିୟୁ, ଅଖିଳ ଭାରତ କୃଷକ ସଭା, ଅଖିଳ ଭାରତ କ୍ଷେତ ମଜଦୁର ୟୁନିୟନ ଡାକରାରେ ୫ ଏପ୍ରିଲ ପାର୍ଲିଆମେଣ୍ଟ ଅଭିଯାନ ସଫଳ କରିବା ସହିତ ଦେଶର ସାଧାରଣ ଜନତା, ଶ୍ରମିକ, କୃଷକ, କ୍ଷେତ ମଜଦୁର କର୍ମଚାରୀ, ଯୁବ, ଛାତ୍ର, ମହିଳା, ଆଦିବାସୀ ସକଳ ସ୍ତରର ସାଧାରଣ ଲୋକଙ୍କ ୨୦ ଦଫା ଦାବୀରେ ଦିଲ୍ଲୀ ଅଭିଯାନ ପାଇଁ ସୁନ୍ଦରଗଡ଼ ଜିଲ୍ଲାର ଶହ ଶହ ସଂଖ୍ୟାରେ ଶ୍ରମିକ ସାମିଲ ହେବାକୁ ଶ୍ରମିକ ଭବନ, ସେକ୍ଟର ୧୬ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ସିଆଇଟିୟୁର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ରାଜ୍ୟ ସାଧାରଣ ସମ୍ପାଦକ ବିଷ୍ଣୁ ମହାନ୍ତି ଆହ୍ୱାନ ଦେଇଛନ୍ତି । ସେ ଏହି କାର୍ଯ୍ୟକ୍ରମ ସଂପର୍କରେ ବିସ୍ତୃତ ଭାବରେ ଦର୍ଶାଇଛନ୍ତି ଯେ କେନ୍ଦ୍ରରେ ମୋଦୀ ଦେଶର ଲୋକମାନଙ୍କ ପାଇଁ ଆଛାଦିନ ଆଣିବେ ବୋଲି କହି କ୍ଷମତାକୁ ଆସିଥିଲେ, କିନ୍ତୁ ତାଙ୍କ ଶାସନର ୯ ବର୍ଷ ସରିଥିବା ବେଳେ କେତେକ ହାତଗଣତି ପୁଞ୍ଜିପତିମାନଙ୍କର ଆଛାଦିନ ଆସିଛି ଏବଂ ଦେଶର ସକଳ ସ୍ତରର ଲୋକଙ୍କ ପାଇଁ ଖରାପ ଦିନ ଆସିଯାଇଛି ବୋଲି ସେ ଅଭିଯୋଗ କରିଥିଲେ । ଦେଶରେ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ଦର ଆକାଶ ଛୁଆଁ ହୋଇଛି । ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସ ଦର ସର୍ବକାଳୀନ ରେକର୍ଡ଼ ଭଙ୍ଗ କରିଛି । ଦେଶର ଶ୍ରମିକ, କୃଷକ, କୃଷି ଶ୍ରମିକମାନଙ୍କ ଉପରେ ଆକ୍ରମଣ କରାଯାଇଥିଲା ବେଳେ ଆଇନର ପରିବର୍ତ୍ତନ କରାଯାଇଛି । ଦେଶର ଯୁବକମାନଙ୍କ ପ୍ରତି ପ୍ରତାରଣା କରାଯାଇଛି । ମୋଦୀ ସରକାରର କର୍ପୋରେଟ ବନ୍ଧୁମାନଙ୍କର ହଜାର ହଜାର କୋଟି ଟଙ୍କା ଅନାଦେୟ ବ୍ୟାଙ୍କ ଋଣ ସରକାର ଛାଡ କରୁଥିବା ବେଳେ ଦେଶର ସାଧାରଣ ଲୋକଙ୍କ ଉପରେ ବିଭିନ୍ନ ଜରିଆରେ ଟିକସ ବୃଦ୍ଧି କରାଯାଇଛି । ଏହି ଜନ ବିରୋଧୀ ନୀତି ବିରୁଦ୍ଧରେ ଦେଶବାସୀ ଏକ ହେବାକୁ ସେ ଆହ୍ୱାନ ଦେଇଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ସିଆଇଟିୟୁ ରାଜ୍ୟ ଉପସଭାପତି ପ୍ରମୋଦ ସାମଲ, ବିମାନ ମାଇତି, ଜାହାଙ୍ଗୀର ଅଲ୍ଲୀ, ରାଜ୍ୟ ସଂପାଦକ ହୃଦାନନ୍ଦ ଯାଦବ, ଜିଲ୍ଲା ସଂପାଦକ ରାଜ କିଶୋର ପ୍ରଧାନ, କୃଷକ ସଭା ରାଜ୍ୟ ଯୁଗ୍ମ ସଂପାଦକ ସୁରେନ୍ଦ୍ର ଦାଶ, ଶ୍ରମିକ ନେତା, ଶ୍ରୀମନ୍ତ ବେହେରା, ସୁରେନ୍ଦ୍ର ମହାନ୍ତି, ପ୍ରଭାତ ମହାନ୍ତି, ବିଶ୍ଵଜିତ ମାଝୀ, କୈଳାସ ଦାସ, କୁଳମଣି ରାଉତ ପ୍ରମୁଖ ସାମ୍ବାଦିକ ସମ୍ମିଳନୀରେ ଏହି ମଜଦୁର କିଶାନ ସଂଘର୍ଷ ରାଲିରେ ସୁନ୍ଦରଗଡ଼ ଜିଲ୍ଲାରୁ ହଜାର ହଜାର ସଂଖ୍ୟାରେ ଶ୍ରମିକ କୃଷକ କ୍ଷେତ ମଜଦୁରମାନେ ସାମିଲ ହେବା ସହ ରାଜ୍ୟ ଉପସଭାପତି ବିମାନ ମାଇତିଙ୍କ ନେତୃତ୍ୱରେ ୧୦ଟି ଜିଲ୍ଲାରେ ଏକ ପ୍ରଚାର ରାଲି ପରିକ୍ରମା କରି ଲୋକଙ୍କୁ ସଚେତନ କରାଯାଇଛି ବୋଲି କହିଥିଲେ । ସକଳ କ୍ଷେତ୍ରରେ ମୋଦୀ ସରକାର ବିଫଳ ହୋଇଥିବା ବେଳେ ଦେଶର ହାତ ଗଣତି ନିର୍ଦ୍ଦିଷ୍ଟ ପୁଂଜିପତିମାନଙ୍କ ସ୍ଵାର୍ଥ ସାଧନ ପାଇଁ କାମ କରୁଥିବା ଅଭିଯୋଗ କରିଥିଲେ । ୨୦ ଦଫା ଦାବୀ ମଧ୍ୟରେ ସର୍ବନିମ୍ନ ମଜୁରୀ ମାସିକ ୨୦ ହଜାର କରିବା, କୃଷକମାନଙ୍କୁ କୃଷିଜାତ ସାମଗ୍ରୀର ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରଦାନ କରିବା, ସମସ୍ତ ଗରିବ, ମଧ୍ୟବିତ୍ତ ଚାଷୀ, କୃଷି ଶ୍ରମିକଙ୍କ ଉପରୁ ସରକାର ଏକ କାଳୀନ ଋଣ ଛାଡ କରିବା, ୪ଟି ଲେବର କୋର୍ଡ ଓ ବିଦ୍ୟୁତ ସଂଶୋଧନ ବିଲ୍ -୨୦୨୨ ଓ ପରିବହନ ସମ୍ବନ୍ଧିତ ସଂଶୋଧିତ ଆଇନକୁ ବାତିଲ କରିବା, ମନାରଗାରେ ସର୍ବନିମ୍ନ ୨୦୦ ଦିନର କାମ ସହ ଦୈନିକ ୬୦୦ ଟଙ୍କା ମଜୁରୀ, ସମସ୍ତ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଅଧୀନରେ ଖାଲି ପଡିଥିବା ପଦବୀ ପୂରଣ କରିବା, ଦରବୃଦ୍ଧି ନିୟନ୍ତ୍ରଣ କରିବା, ସରକାରୀ ଗଣବଣ୍ଟନ ବ୍ୟବସ୍ଥାକୁ ସାର୍ବଜନୀନ କରିବା, ସମସ୍ତ ସ୍କିମ୍ ଶ୍ରମିକ ଯଥା ଅଙ୍ଗନୱାଡ଼ି, ଆଶା, ପାଚିକା, ଆଇସିଆରପି ଓ ବ୍ୟାଙ୍କ ମିତ୍ରମାନଙ୍କୁ ଶ୍ରମିକର ମାନ୍ୟତା ସହ ସାମାଜିକ ସୁରକ୍ଷା ପ୍ରଦାନ କରିବା, ପରିବହନ ଶ୍ରମିକମାନଙ୍କୁ ସର୍ବନିମ୍ନ ମଜୁରୀ ସହ ସାମାଜିକ ସୁରକ୍ଷା ପ୍ରଭୃତି ଦାବୀରେ ଆସନ୍ତା ୫ ଏପ୍ରିଲ ଦିଲ୍ଲୀ ଅଭିଯାନକୁ ସଫଳ କରିବା ପାଇଁ ସେ ଆହ୍ୱାନ କରିଥିଲେ ।

Leave A Reply

Your email address will not be published.