ପୁରୀ କେଭିକେ ସାରା ଦେଶରେ ଏକ ଆଦର୍ଶ ମଡେଲ

ସତ୍ୟବାଦୀ, (ଦିଲ୍ଲୀପ କୁମାର ଧାଉଡିଆ) : ଭାରତୀୟ କୃଷି ଅନୁସନ୍ଧାନ ପରିଷଦର ଉପମହାନିର୍ଦେଶକ (ସମ୍ପ୍ରସାରଣ) ଡ଼. ଇଉ.ଏସ୍‌. ଗୌତମ, ଅଟାରି କଲିକତାର ନିର୍ଦ୍ଧେଶକ ଡ଼. ପ୍ରଦୀପ କୁମାର ଦେ ଏବଂ ଓଡିଶା କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟର ସମ୍ପ୍ରସାରଣ ଅଧ୍ୟକ୍ଷ ଡ଼. ପ୍ରସନ୍ନଜିତ ମିଶ୍ର, ପୁରୀ କୃଷି ବିଜ୍ଞାନ କେନ୍ଦ୍ରକୁ ପରିଭ୍ରମଣ କରିଛନ୍ତି । କୃଷି ବିଜ୍ଞାନ କେନ୍ଦ୍ରରେ ଥିବା ମଡେଲ ୟୁନିଟ ଯଥା ପୁଷ୍ଟିକର ବଗିଚା, ଛତୁ ଉତ୍ପାଦନ, ଯାଆଁଳା ଉତ୍ପାଦନ, ଚାରା ଉତ୍ପାଦନ ଗୃହ, ମେସିନ ସାହାଯ୍ୟରେ ଧାଡିରେ ଧାନ ବୁଣିବା ପଦ୍ଧତିରେ ମୁଗ ଚାଷ, ସୂର୍ଯ୍ୟମୁଖୀ, ମିଠା ମକା ଚାଷ, ଔଷଧୀୟ ବଗିଚା, ମହୁମାଛି ପାଳନ, ଟ୍ରେଲି ପଦ୍ଧତିରେ ପୋଟଳ ଚାଷ, ଗୁଣ୍ଡୁରୀ ଚଢ଼େଇ ପାଳନ, କଡକନାଥ କୁକୁଡ଼ା ଇତ୍ୟାଦି କୃଷି ଓ ଆନୁସାଙ୍ଗିକ କ୍ଷେତ୍ରରେ ଜିଲ୍ଲାରେ ଥିବା ଅନେକ ଚାଷୀଙ୍କୁ ଅନୁପ୍ରାଣିତ କରିପାରିବ । କେନ୍ଦ୍ରରେ ଥିବା ଉଦ୍ୟାନ ଓ ମତ୍ସ୍ୟ ଭିତ୍ତିକ ସମନ୍ୱିତ କୃଷି ମଡେଲ ଚାଷୀଙ୍କ ଆୟ ଦ୍ଵିଗୁଣତ କରିବାରେ ସହାୟକ ହୋଇପାରିବ । ଏଥିସହିତ କୃଷି ବିଜ୍ଞାନ କେନ୍ଦ୍ରର ସଫଳ ପରୀକ୍ଷଣ ଓ ପ୍ରଦର୍ଶନ ଜିଲ୍ଲାରେ ଥିବା ବିଭିନ୍ନ ସରକାରୀ ଅନୁଷ୍ଠାନ କିପରି କାର୍ଯ୍ୟରତ କରିପାରିବେ ସେଥିପାଇଁ ଦୃଷ୍ଟି ଦେବାକୁ ପରାମର୍ଶ ଦେଇଥିଲେ । ପୁରୀ ଜିଲ୍ଲାରେ ଅଧିକ ଖାଲୁଆ ଏବଂ ଜଳମଗ୍ନ ଜମି ଥିବାରୁ ପୋଖରୀ ଭିତ୍ତିକ ସମନ୍ଵିତ କୃଷିକୁ ଗୁରୁତ୍ୱ ଆରୋପ କରି ୩ ଗୋଟି ଅନୁକରଣୀୟ ମଡେଲ କେଭିକେ ପରିସରରେ ସ୍ଥାପନ ହୋଇଥିବାରୁ ବୈଜ୍ଞାନିକମାନଙ୍କୁ ପ୍ରଶଂସା ମଧ୍ୟ କରିଥିଲେ । ଜାତିପୁର ଗ୍ରାମରେ କୃଷି ବିଜ୍ଞାନ କେନ୍ଦ୍ର ଦ୍ୱାରା ପରିଚାଳିତ ଭାରତୀୟ ପରିବର୍ତ୍ତିତ ଜଳବାୟୁରେ କୃଷି କାର୍ଯ୍ୟ (ଏନ୍‌ଆଇସିଆର୍‌ଏ) ପ୍ରକଳ୍ପର ଅନୁଭୂତି ଏବଂ ପର୍ଯ୍ୟାୟ କ୍ରମେ ଧାନ ସହ ମାଛ ଚାଷ ସହିତ ହୁଡାରେ ଉଦ୍ୟାନ ଫସଲ ଜିଲ୍ଲାରେ ଏକ ଆଲୋଡ଼ନ ସୃଷ୍ଟି କରିଥିବାରୁ ଏ ଦିଗରେ ଜିଲ୍ଲା ପ୍ରଶାସନ ସହ ମିଳିତ ଭାବେ କାର୍ଯ୍ୟ କରିବା ପାଇଁ କହିଥିଲେ । ଏଭଳି କାର୍ଯ୍ୟଶୈଳୀ ଜାରି ରହିଲେ ଆଗାମୀ ଦିନରେ କେଭିକେ, ପୁରୀ ସାରା ଦେଶରେ ଶ୍ରେଷ୍ଠ ଭାବେ ପୁରସ୍କୁତ ହୋଇପାରିବ ବୋଲି ଡି.ଡି.ଜି (ସମ୍ପ୍ରସାରଣ) ମତ ପୋଷଣ କରିଥିଲେ । ଏହି ପରିଦର୍ଶନରେ କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ ଡ଼. ସଞ୍ଜୟ କୁମାର ମହାନ୍ତି, ମତ୍ସ୍ୟ ବୈଜ୍ଞାନିକ ଡ଼. ଅମ୍ବିକା ପ୍ରସାଦ ନାୟକ, ଗୃହ ବିଜ୍ଞାନୀ ସୁମିତା ଆଚାର୍ଯ୍ୟ, କୃଷି ସମ୍ପ୍ରସାରଣ ବୈଜ୍ଞାନିକ ଡ଼.ସୋନିତା ରାଣୀ ସେଠି, କୃଷି ଯାନ୍ତ୍ରିକରଣ ବୈଜ୍ଞାନିକ ଡ଼. ଦୀପଶିଖା ପରମଜିତା ଓ ବିଭୁ ପ୍ରସାଦ ଦାଶ ପ୍ରମୁଖ ସାମିଲ ହୋଇଥିଲେ ।

Leave A Reply

Your email address will not be published.