
- ଭାଷା ସାହିତ୍ୟକୁ ସୁନ୍ଦରଗଡ ଲେଖକଙ୍କ ଯଥେଷ୍ଟ ଅବଦାନ ରହିଛି
ରାଉରକେଲା, (ସସ୍ମିତା ପ୍ରଧାନ) : ସାହିତ୍ୟ ମଣିଷକୁ ମଣିଷ ସହିତ ଯୋଡେ । ଭାଷା ସାହିତ୍ୟକୁ ସୁନ୍ଦରଗଡ ଲେଖକଙ୍କ ଯଥେଷ୍ଟ ଅବଦାନ ରହିଛି । ଭାଷା ହେଉଛି ମଣିଷର ଅଭିବ୍ୟକ୍ତିର ମାଧ୍ୟମ ବୋଲି ଅତିଥିମାନେ ଓଡିଶା ସାହିତ୍ୟ ଏକାଡ଼େମୀର ଜିଲ୍ଲାସ୍ତରୀୟ ସାରସ୍ୱତ ଆସର ଓ କବିତା ପାଠ କାର୍ଯ୍ୟକ୍ରମରେ ମତ ପ୍ରକାଶ କରିଥିଲେ । ଏକାଡେମୀର ସୁନ୍ଦରଗଡ ଜିଲ୍ଲା ପ୍ରତିନିଧି ଡଃ ସୁପ୍ରିୟା ପାଲଙ୍କ ପୌରାହିତ୍ୟ ଓ ଆବାହକତ୍ୱରେ ସୁନ୍ଦରଗଡ ବିକାଶ ଭବନ ଠାରେ ଆୟୋଜିତ ସାରସ୍ୱତ ସଭାରେ ଅତିଥିମାନେ ଉପରୋକ୍ତ ମନ୍ତବ୍ୟ ପ୍ରଦାନ କରିଥିଲେ । ପ୍ରଥମ ଅଧିବେଶନ “ସୁନ୍ଦରଗଡ ଜିଲ୍ଲାର ଭାଷା ଓ ସଂସ୍କୃତି” ଆଲୋଚନାଚକ୍ରକୁ ଉଦଘାଟକ ଭାବେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ସରୋଜ କୁମାର ମିଶ୍ର, ମୁଖ୍ୟ ଅତିଥି ଭାବେ ଏକାଡ଼େମୀର ପ୍ରାକ୍ତନ ଉପସଭାପତି ଗିରି ଦଣ୍ଡସେନା, ବରେଣ୍ୟ ଅତିଥି ଭାବେ ସ୍ତମ୍ଭକାର ଭୂପେନ ମହାପାତ୍ର ଓ ବିଶିଷ୍ଟ ଅତିଥି ଭାବେ ଏକାଡ଼େମୀର ସଦସ୍ୟ ରାଜୀବ ପାଣି ଯୋଗଦେଇ ଆଲୋଚ୍ୟ ବିଷୟ ଉପରେ ଆଲୋଚନା କରିଥିଲେ । ପ୍ରାରମ୍ଭରେ ଡଃ ପାଲ ଅତିଥିମାନଙ୍କ ପରିଚୟ ପ୍ରଦାନ ପରେ କାର୍ଯ୍ୟକ୍ରମ ସଂପର୍କରେ ଆଲୋକପାତ କରିଥିଲେ । ଦ୍ୱିତୀୟ ଅଧିବେଶନ ଆଲୋଚନାଚକ୍ର “ଓଡିଆ ସାହିତ୍ୟକୁ ସୁନ୍ଦରଗଡ ଜିଲ୍ଲାର ଅବଦାନ”ରେ ସଭାମୁଖ୍ୟ ଭାବେ ବିଶିଷ୍ଟ କବି ଦୁର୍ଗାମାଧବ ପଣ୍ଡା, ମୁଖ୍ୟବକ୍ତା ଭାବେ ଏକାଡ଼େମୀର ପ୍ରାକ୍ତନ ସଦସ୍ୟ ଡଃ ପ୍ରଭାତ କୁମାର ମଲ୍ଲିକ, ସମ୍ମାନୀୟ ଆଲୋଚକ ଭାବେ ଅଧ୍ୟାପିକା ମୀନତି ମିଶ୍ର, ସସ୍ମିତା ଭୋଇ ଓ ଅଧ୍ୟାପକ ନୂତନ ଖମାରୀ ପ୍ରମୁଖ ଯୋଗଦେଇ ଆଲୋଚ୍ୟ ବିଷୟ ଉପରେ ଆଲୋଚନା କରିଥିଲେ । ଏହି ଅବସରରେ ଅତିଥିମାନେ ସେମାନଙ୍କ ବକ୍ତବ୍ୟରେ କହିଲେ ଯେ ଭାଷା ସାହିତ୍ୟକୁ ସୁନ୍ଦରଗଡ ଲେଖକଙ୍କ ଯଥେଷ୍ଟ ଅବଦାନ ରହିଛି । ଜିଲ୍ଲାର ସଂସ୍କୃତି ବ୍ରାହ୍ମଣୀ ନଦୀରୁ ସୃଷ୍ଟି । ଶଙ୍ଖ ଓ କୋଏଲ ନଦୀର ମିଶ୍ରଣରୁ ସୃଷ୍ଟି ବ୍ରାହ୍ମଣୀ ହେଉଛି ସମ୍ମନ୍ୱିତ ସଂସ୍କୃତି । ସେହିପରି ଭାଷାଗତ ସମସ୍ୟା କିପରି ସାମାଜିକ ଜୀବନକୁ ପ୍ରଭାବିତ କରେ ତଥା ଜିଲ୍ଲାର ଭାଷା କିପରି ସାଦ୍ରୀ ଓ ସମ୍ବଲପୁରୀ ଭାଷା ଦ୍ୱାରା ପ୍ରଭାବିତ ସେ ସଂପର୍କରେ ଆଲୋଚନା କରାଯାଇଥିଲା । ସାହିତ୍ୟର ଇଛା ହିଁ ହୃଦୟର ଇଛା । ସାହିତ୍ୟ ହିଁ ମଣିଷକୁ ମଣିଷ ସହିତ ଯୋଡେ । ଏହା ସହ ସାଦ୍ରୀ ଭାଷାକୁ ଓଡିଆ ଲିପିରେ ଏକ ଶବ୍ଦକୋଷ ପ୍ରକାଶ କରାଗଲେ ତାହା ବ୍ୟାପକ ହୋଇପାରନ୍ତା ବୋଲି ମତପ୍ରକାଶ କରିଥିଲେ । ଏହି ଅବସରରେ ସୁନ୍ଦରଗଡ ଜିଲ୍ଲାର ଲେଖକ ଓ ସେମାନଙ୍କ କୃତି ସଂପର୍କରେ ଆଲୋଚନା କରାଯାଇଥିଲା । ତୃତୀୟ ଅଧିବେଶନ କବିତା ପାଠୋତ୍ସବରେ ସଭାମୁଖ୍ୟ ଭାବେ କବି ସୁଧାଂଶୁ ଅଶୋକ, କବି ଡଃ ବିଜ୍ଞାନ ମହାନ୍ତି ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ କବି ମାନଙ୍କୁ ଦ୍ୱିତୀୟ ଇଶ୍ୱର ଓ ଯିଏ ସ୍ୱପ୍ନ ଦେଖିପାରେ ତଥା ଦେଖାଇପାରେ ସେ କବି ବା ଗାଳ୍ପିକ ହୋଇପାରେ ବୋଲି ମତପ୍ରକାଶ କରିଥିଲେ । କବି ଗୋପକୃଷ୍ଣ ନାଏକ, ପ୍ରଣତୀ ବେହେରା, ଗଣେଶ ତ୍ରିପାଠୀଙ୍କ ସଂଯୋଜନାରେ ଜିଲ୍ଲାର ବରିଷ୍ଠ କବି ଡାକ୍ତର କୃପାସିନ୍ଧୁ ନାୟକ, କୁଞ୍ଜବିହାରୀ ରାଉତ, ତ୍ରିଲୋଚନ ସ୍ୱାଇଁ, ନୃସିଂହ ଚରଣ ବିଶ୍ୱଳ, ନିରୁପମା ପତି, ରଶ୍ମିବାଳା ରାଉତରାୟ, ତ୍ରିନାଥ ସିଂହ, ବିଜୟିନୀ ଜେନା, ସ୍ନେହଲତା ନାୟକ, ଦେବରାଜ କିଶାନ, ପର୍ଶୁରାମ ବାରିକ, ରାଜୀବ ପାଣି, ସୁନିଲ୍ ମହାନ୍ତି, ଡଃ ବଂଶୀଧର ଦାଶ, ଦୀନବଂଧୁ ପ୍ରଧାନ, ଡଲିରାଣୀ ବ୍ରହ୍ମା, ସୁବ୍ରତ ମିଶ୍ର, ସ୍ନେହଲତା ମହାନ୍ତି, ସୁରେଣ ପାଣ୍ଡେ, ଚିତ୍ତରଞ୍ଜନ ବ୍ରହ୍ମା, ଚୈତାଳୀ ଦତ୍ତ, ଲୋଚନ ସାହୁ, କ୍ଷମାନିଧି ଭୋଇ, କୁମୁଦ ବଂଧୁ ନାୟକ, ଭିକାରୀଚରଣ ଚୌଧୁରୀ, ବିଦ୍ୟାଭୂଷଣ ଶରଣୀ, କିଶୋରୀ ଦାସ ପ୍ରମୁଖ କବିତା ପାଠ କରିଥିବା ବେଳେ ବିବିଧ ବିଶ୍ୱ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ମୁଖ୍ୟ ଆବାହିକା ଡଃ ପାଲ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ । ଏହି ଅବସରରେ ସ୍ନେହଲତା ରଣାଙ୍କ ପୁସ୍ତକ ‘ବନପ୍ରଭା’କୁ ଅତିଥି ମାନେ ଉନ୍ମୋଚନ କରିଥିଲେ ।