ପଦ୍ମପୁର, (ନିରୋଜ କୁମାର ପାଣୀ) : ମହାପ୍ରଭୁ ନୃସିଂହନାଥ ତଥା ଇଷ୍ଟଦେବୀ ସମଲେଶ୍ୱରୀଙ୍କ ପୀଠରେ କୃଷି ଭିତ୍ତିକ ପର୍ବ ନୂଆଁଖାଇ ଲଗ୍ନ ଇତିମଧ୍ୟରେ ଧାର୍ଯ୍ୟ ହୋଇସାରିଛି । ଲଗ୍ନ ନିର୍ଦ୍ଧାରିତ ହେବାପରେ ସମଗ୍ର ପଶ୍ଚିମ ଓଡିଶା ଚଳଚଞ୍ଚଳ । ଦୋକାନ ବଜାରଠାରୁ ଆରମ୍ଭ କରି ସବୁଠାରେ ବର୍ତ୍ତମାନ ଗହଳି ଦେଖିବାକୁ ମିଳୁଛି । ଦୀର୍ଘ ଦୁଇବର୍ଷର କୋଭିଡ କଟକଣା ପରେ ଚଳିତ ବର୍ଷ ପୁଣି ଥରେ ଉତ୍ସାହ ଉଦ୍ଦୀପନା ସହିତ ସମସ୍ତେ ନବାନ୍ନ ଭକ୍ଷଣ କରିବେ, ସେଥିପାଇଁ ଜନସାଧାରଣ ବେଶ ଆନନ୍ଦିତ ଥିବା ଦେଖିବାକୁ ମିଳୁଛି । କିନ୍ତୁ ଏହିସବୁ ଭିତରେ ସମାଜରୁ ଅବହେଳିତ ନିଷ୍ପେସିତ ହୋଇ ବିଭିନ୍ନ ବୃଦ୍ଧାଶ୍ରମରେ ରହୁଥିବା ଅନ୍ତେବାସୀମାନଙ୍କ ପାଇଁ ଏହି ଉତ୍ସବ ସ୍ୱପ୍ନ କହିଲେ ଅତ୍ୟୁକ୍ତି ହେବନାହିଁ । ଏହାକୁ ହୃଦୟଙ୍ଗମ କରିଛି ବରଗଡ଼ ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ବଦାନ୍ୟ ବନ୍ଧୁ । ବଦାନ୍ୟ ବନ୍ଧୁ ପକ୍ଷରୁ ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ନୂଆଁଖାଇ ପୂର୍ବରୁ ଶ୍ରୀ ଶ୍ରୀ ନୃସିଂହନାଥ ବୃଦ୍ଧାଶ୍ରମ ଅନ୍ତେବାସୀମାନେ କିପରି ନୂଆଁଖାଇ ପାଳନ କରିବେ ସେଥିପାଇଁ ସମସ୍ତ ସାମଗ୍ରୀ ଯୋଗାଇ ଦିଆଯାଇଛି । ବିଶେଷକରି ମହିଳା ଅନ୍ତେବାସୀମାନଙ୍କ ପାଇଁ ଉନ୍ନତ ମାନର ଶାଢ଼ୀ, ପୁରୁଷ ଅନ୍ତେବାସୀମାନଙ୍କ ପାଇଁ ଧୋତି ଗାମୁଛା ତଥା ଅରୁଆ ଚାଉଳ, ଚିନି, ଗୁଡ଼, ତେଲ, ଲୁଣ, ଆଲୁ, ମୁଗ ବିଭିନ୍ନ ପନିପରିବା ଇତ୍ୟାଦି ପ୍ରଦାନ କରାଯାଇଛି । ବଦାନ୍ୟ ବନ୍ଧୁ ଅନୁଷ୍ଠାନର ମୁଖ୍ୟ ସୁବ୍ରତ କୁମାର ବିର୍ତ୍ତିଆଙ୍କ ସହିତ କୁନୁ ତ୍ରିପାଠୀ, ସାମ୍ବାଦିକ ନିରୋଜ ପାଣୀ, ଯୁବ ସମାଜସେବୀ ଯୋଗେନ୍ଦ୍ର ଭୋଇ, ଦେବେନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ରହି ଅନ୍ତେବାସୀମାନଙ୍କୁ ସମସ୍ତ ସାମଗ୍ରୀ ପ୍ରଦାନ କରିଥିଲେ । ଏହି ସାମଗ୍ରୀ ସବୁ ପାଇବା ପରେ ଅନ୍ତେବାସୀମାନେ ଖୁସି ବ୍ୟକ୍ତ କରିବା ସହିତ ଶ୍ରୀ ବିର୍ତ୍ତିଆଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।
Prev Post