ଅନୁଗୋଳରେ ଇଏସଆଇ ମେଡିକାଲ ଓ ଝାରସୁଗୁଡାରେ ଇଏସଆଇସି କାର୍ଯ୍ୟାଳୟ ଲୋକାର୍ପିତ

  • ଶ୍ରମିକ ଓ କର୍ମଚାରୀମାନଙ୍କୁ ମୋଦୀ ସରକାରଙ୍କ ରଜ ଉପହାର-ଧର୍ମେନ୍ଦ୍ର ପ୍ରଧାନ
    • ଲୋକାର୍ପଣ ଉତ୍ସବରେ ସାମିଲ ହେଲେ ଶ୍ରମ ଓ ନିଯୁକ୍ତି ରାଷ୍ଟ୍ର ମନ୍ତ୍ରୀ ରାମେଶ୍ୱର ତେଲି
    • ୬୫ କୋଟି ବ୍ୟୟରେ ନିର୍ମିତ ୧୦୦ ଶଯ୍ୟା ବିଶିଷ୍ଟ ଇଏସଆଇ ହସ୍ପିଟାଲ ସ୍ଥାପନ ହୋଇଛି
    • ଅନୁଗୋଳ ଓ ଢେଙ୍କାନାଳ ୩ ଲକ୍ଷ ଲୋକ ଉପକୃତ ହେବେ
    • ଆଗାମୀ ଦିନରେ ରାଜ୍ୟରେ ୩ଟି ନୂଆ ଇଏସଆଇ ହସ୍ପିଟାଲ ଓ ୧୨ଟି ଡ଼ିସପେନସିଆରୀ ଖୋଲିବ
    • ଝାରସୁଗୁଡାରେ ଇଏସଆଇସିର ଉପ ଆଂଚଳିକ କାର୍ଯ୍ୟାଳୟ ଖୋଲିବା ପାଇଁ ଗତବର୍ଷ ସେପ୍ଟେମ୍ବର ୨୮ରେ ବିଭାଗୀୟ ମନ୍ତ୍ରୀଙ୍କୁ ପତ୍ର ଲେଖିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
    • ଇଏସଆଇସି ଉପ ଆଂଚଳିକ କାର୍ଯ୍ୟାଳୟ ଦ୍ୱାରା ପଶ୍ଚିମ ଓଡିଶାର ୧୩ ଜିଲ୍ଲା ହେବେ ଉପକୃତ
    • ପ୍ରାୟ୨ ଲକ୍ଷ ବୀମାଭୁକ୍ତଧାରୀ ଶ୍ରମିକ ଓ କର୍ମଚାରୀ ଉପକୃତ ହେବେ
    • ଶ୍ରମ ଶକ୍ତି ହେଉଛନ୍ତି ଓଡ଼ିଶା ଓ ଭାରତବର୍ଷର ଅର୍ଥନୀତି ପ୍ରଗତିର ଆଧାରଶୀଳା
    • ଇ-ଶ୍ରମ ପୋର୍ଟାଲରେ ୧ କୋଟି ୨୭ ଲକ୍ଷ ଶ୍ରମିକ ପଞ୍ଜିକରଣ ସହ ଓଡ଼ିଶା ଅନ୍ୟତମ ଅଗ୍ରଣୀ ରାଜ୍ୟ
    • ଇଏସଆଇ ଅଧୀନରେ ଅନେକ ହିତାଧିକାରୀ ଓ ଦିବ୍ୟାଙ୍ଗଙ୍କୁ ପେନସନ, ଆର୍ଥିକ ସହାୟତା ପ୍ରଦାନ କଲେ

ଅନୁଗୋଳ/ଝାରସୁଗୁଡ଼ା, (ପିଆଇବି) : ଅନୁଗୋଳ ଜିଲ୍ଲା ବଳରାମପ୍ରସାଦରେ କର୍ମଚାରୀ ରାଜ୍ୟ ବୀମା(ଇଏସଆଇ) ଡ଼ାକ୍ତରଖାନା ଏବଂ ଝାରସୁଗୁଡ଼ା ଠାରେ ଇଏସଆଇସିର ଉପ-ଆଂଚଳିକ କାର୍ଯ୍ୟାଳୟ ପ୍ରତିଷ୍ଠା କରି ମୋଦୀ ସରକାର ଶ୍ରମିକ ଓ କର୍ମଚାରୀମାନଙ୍କୁ ରଜ ସଂକ୍ରାନ୍ତିର ଉପହାର ଦେଇଛନ୍ତି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଶ୍ରମ ଓ ନିଯୁକ୍ତି ରାଷ୍ଟ୍ର ମନ୍ତ୍ରୀ ରାମେଶ୍ୱର ତେଲିଙ୍କ ସହ ଏହି ଦୁଇଟି ଜନକଲ୍ୟାଣକାରୀ କାମର ଲୋକାର୍ପଣ କରିବା ଅବସରରେ ଏହା କହିଛନ୍ତି । ଶ୍ରୀ ପ୍ରଧାନ ଇଆସଆଇ ହସ୍ପିଟାଲକୁ ପ୍ରତ୍ୟକ୍ଷ ଭାବେ ଲୋକାର୍ପଣ କରିବା ସହ ଭର୍ଚ୍ଚୁଆଲ ପ୍ଲାଟଫର୍ମରେ ଝାରସଗୁଡ଼ାରେ ଇଆସଆଇର ଉପଆଂଚଳିକ କାର୍ଯ୍ୟାଳୟର ଉଦଘାଟନ କରିଥିଲେ । ଏହି ଅବସରରେ ସେ କହିଛନ୍ତି ଯେ କୋଇଲା ଉତ୍ପାଦନରେ ଭାରତବର୍ଷରେ ଅନୁଗୋଳ ଓ ଝାରସୁଗୁଡ଼ା ଅନ୍ୟତମ ଅଂଚଳ । ଏଠାରେ ଜିନ୍ଦଲ, ଟାଟା, ନାଲକୋ ଭଳି ଶିଳ୍ପାନୁଷ୍ଠାନ ସମେତ ଅନେକ ପାୱାର ପ୍ଲାଂଟ୍‌ ଅଛି । ଜିଲ୍ଲାରେ ରେଳ ବିଭାଗର କାର୍ଯ୍ୟ ସହ ଲଜିଷ୍ଟିକ ଓ ଅନ୍ସିଲାରୀ ଇଣ୍ଡଷ୍ଟ୍ରିର କାମ ବଢ଼ୁଥିବାରୁ ଶ୍ରମିକମାନଙ୍କ ଚାହିଦା ବୃଦ୍ଧି ପାଉଛି । ସେହି ଦୃଷ୍ଟିରୁ ବଳରାମପ୍ରସାଦ ଠାରେ ପାଖାପାଖି ୫ ଏକର ପରିମିତ ଜମିରେ ୬୫ କୋଟି ବ୍ୟୟରେ ନର୍ମିତ ଭାରତ ସରକାରଙ୍କ ଇଏସଆଇ ହସ୍ପିଟାଲ ଶ୍ରମିକମାନଙ୍କୁ ଚିକିତ୍ସା ଯୋଗାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ।
ଅନୁଗୋଳ ଓ ଝାରସୁଗୁଡ଼ା ଭଳି ଅଗ୍ରଣୀ ଶିଳ୍ପାଂଚଳରେ ଶ୍ରମିକଙ୍କ ସ୍ୱାସ୍ଥ୍ୟବସ୍ଥା ଓ କଲ୍ୟାଣକୁ ଗୁରୁତ୍ୱ ଦେଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ଶ୍ରମ ମନ୍ତ୍ରୀ ଭୂପେନ୍ଦର ଯାଦବଙ୍କୁ ଧନ୍ୟବାଦ ଜଣାଇଛନ୍ତି । କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଏହି ଇଏସଆଇ ଡ଼ାକ୍ତରଖାନା ଫଳରେ ଅନୁଗୋଳ ଓ ଢେଙ୍କାନାଳ ଜିଲ୍ଲାର ହଜାର ହଜାର ଶ୍ରମିକ ଓ କର୍ମଚାରୀଙ୍କ ସହ ୩ ଲକ୍ଷ ଉପକୃତ ହେବେ । କୋଭିଡ ମହାମାରୀ ସମୟରେ ଏହି ହସ୍ପିଟାଲ ଲୋକଙ୍କ ଜୀବନ ବଂଚ।ଇବା ସହ ସଞ୍ଜିବନୀର ବି କାମ ଦେଇଥିଲା ।
ସେହିପରି ଝାରସୁଗୁଡ଼ା ଠାରେ ଇଏସଆଇସିର ଉପ-ଆଂଚଳିକ କାର୍ଯ୍ୟାଳୟ ପ୍ରତିଷ୍ଠା ମୋଦୀ ସରକାରଙ୍କ ଅନ୍ୟ ଏକ ଭେଟି । ଏହା ଦ୍ୱାରା ପଶ୍ଚିମ ଓଡ଼ିଶାର ୧୩ଟି ଜିଲ୍ଲା ପାଖାପାଖି ୨ ଲକ୍ଷ ବୀମାଭୁକ୍ତଧାରୀ ଶ୍ରମିକ ଓ କର୍ମଚାରୀମାନେ ଲାଭ ପାଇବେ । ସେଥିମଧ୍ୟରୁ ଝାରସୁଗୁଡ଼ାରେ ବୀମାଭୃକ୍ତ ୫୪ ହଜାର ଲୋକ ଉପକୃତ ହୋଇପାରିବେ । ଉଲ୍ଲେଖନୀୟ ଯେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଇଏସଆଇସିର ଏହି ଉପଆଂଚଳିକ କାର୍ଯ୍ୟାଳୟ ପାଇଁ ଗତବର୍ଷ ସେପ୍ଟେମ୍ବର ୨୮ ତାରିଖରେ ବିଭାଗୀୟ କେନ୍ଦ୍ରମନ୍ତ୍ରୀ ଭୂପେନ୍ଦର ଯାଦବଙ୍କୁ ପତ୍ର ଲେଖିଥିଲେ ।
ଏହାବ୍ୟତିତ ରାଜ୍ୟରେ ଆଗାମୀ ଦିନରେ ୩ଟି ନୂଆ ଇଏସଆଇ ହସ୍ପିଟାଲ ଓ ୧୨ଟି ଇଆସଆଇ ଡ଼ିସପେନସିଆରୀ ହେବ । ଭୁବନେଶ୍ୱରରେ ୧୫୦ ଶଯ୍ୟା ବିଶିଷ୍ଟ, ଯାଜପୁର ଜିଲ୍ଲା ଡ଼ୁବୁରି ଠାରେ ୧୦୦ ଶଯ୍ୟା ବିଶିଷ୍ଟ ଏବଂ ପାରାଦୀପରେ ୩୦ ଶଯ୍ୟା ବିଶିଷ୍ଟ ଇଆସଆଇ ହସ୍ପିଟାଲ ନିର୍ମାଣ କରାଯିବ ।
କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଶ୍ରମ ଶକ୍ତି ହେଉଛନ୍ତି ଓଡ଼ିଶା ଓ ଭାରତବର୍ଷର ଅର୍ଥନୀତି ପ୍ରଗତିର ଆଧାରଶୀଳା । ଶ୍ରମିକଙ୍କ ସେବା କଲେ ହିଁ ଦେଶର ଉତ୍ପାଦନ ବଢ଼ିବ । ଦେଶର ଉତ୍ପାଦନ ବଢ଼ିଲେ ଅର୍ଥନୀତି ମଜବୁତ୍‌ ହେବା ସହ ଗରିବଙ୍କ କଲ୍ୟାଣ ହେବ । ଏହି ମନ୍ତ୍ରରେ ମୋଦୀ ସରକାର ଶ୍ରମିକଙ୍କ କଲ୍ୟାଣ ପାଇଁ ଅନେକ ପଦକ୍ଷେପ ନେଉଛନ୍ତି । ଶ୍ରମିକମାନଙ୍କ ସର୍ବନିମ୍ନ ପାରିଶ୍ରମିକ ଅଧାରୁ ଅଧିକ ବୃଦ୍ଧି କରାଯାଇଛି । କୋଲ ଇଣ୍ଡିଆ ଦ୍ୱାରା ଶ୍ରମିକମାନଙ୍କୁ ବିଶେଷ ପାରିଶ୍ରମିକ ଦିଆଯାଉଛି । ଅପରପକ୍ଷରେ ଅନୁଗୋଳ, ଝାରସୁଗୁଡ଼ା, ଯାଜପୁର, କେନ୍ଦୁଝର ଭଳି ଖଣି ସମ୍ପନ୍ନ ଜିଲ୍ଲା ପାଇଁ ଜିଲ୍ଲା ଖଣିଜ ପାଣ୍ଠିର (ଡ଼ିଏମଏଫ)ର ବ୍ୟବସ୍ଥା କରାଯାଇଛି । ଏହି ପାଣ୍ଠି ଅଧୀନରେ ଅନୁଗୋଳ ପାଇଁ ବାର୍ଷିକ ୨୫୦ କୋଟି ଟଙ୍କା ରାଜସ୍ୱ ମିଳୁଛି ।
ସରକାର ଲୋକଙ୍କ କଥା ଚିନ୍ତା କଲେ ତାକୁ କଲ୍ୟାଣକାରୀ ସରକାର କୁହାଯାଏ । ଓଡ଼ିଶା ସମେତ ଦେଶର ସଂଗଠିତ ଓ ଅସଂଗଠିତ ଶ୍ରମିକଙ୍କୁ ସାମାଜିକ ସୁରକ୍ଷାରେ ଯୋଡ଼ିବା ସହ ଶ୍ରମିକଙ୍କ ଜୀବନକୁ ଦୃଢ଼ୀଭୂତ କରିବା ଦରକାର । ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ବୁଝିବା, ଉଚିତ୍‌ ପାରିଶ୍ରମିକ ଦେବା ତଥା ଶ୍ରମିକଙ୍କୁ ସମ୍ମାନଜନକ ଜୀବନ ପ୍ରଦାନ କରିବା ଦିଗରେ କେନ୍ଦ୍ର ସରକାର, ରାଜ୍ୟ ସରକାର, ଇଆସଆଇ,ସବୁ ସରକାରୀ ଓ ବେସରକାରୀ ଶିଳ୍ପ ସମୂହଙ୍କ ମିଳିତ ସହଯୋଗ ଆବଶ୍ୟକ । ସେମାନଙ୍କ ସ୍ୱାସ୍ଥ୍ୟ ବୀମୀ ଓ ଜୀବନ ବୀମା କରିବା ଆବଶ୍ୟକ ।
ଇ-ଶ୍ରମ ପୋର୍ଟାଲରେ ଶ୍ରମିକ ପଞ୍ଜିକରଣ କରାଯିବାରେ ଓଡ଼ିଶା ଅନ୍ୟତମ ଅଗ୍ରଣୀ ରାଜ୍ୟ । ଦେଶରେ ୨୭ କୋଟି ଶ୍ରମିକ ଏବଂ ଓଡ଼ିଶାର ୧ କୋଟି ୨୭ ଲକ୍ଷ ଶ୍ରମିକ ଇ-ଶ୍ରମ ପୋର୍ଟାଲରେ ପଞ୍ଜିକରଣ କରିଛନ୍ତି । ପରିବର୍ତ୍ତିତ ଟେକ୍ନୋଲୋଜି ଦୃଶ୍ୟପଟ୍ଟରେ ଦେଶର ଅସଂଗଠିତ ଶ୍ରମିକମାନଙ୍କୁ କୁଶଳୀ କରିବାକୁ ମୋଦୀ ସରକାର ଦାୟିତ୍ୱ ନେଇଛନ୍ତି । ଶ୍ରମ ଶକ୍ତିକୁ ସଶକ୍ତ କରିବା ଦିଗରେ ଆମ ସମସ୍ତଙ୍କର ଭାଗିଦାରୀ ରହିବା ବି ଜରୁର ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।
ଉଲ୍ଲେଖନୀୟ ଯେ, ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଇଏସଆଇ ଅନ୍ତର୍ଗତ ବିଭିନ୍ନ ଯୋଜନାରେ ହିତାଧିକାରୀଙ୍କ ପରିବାର ବର୍ଗ, ଦିବ୍ୟାଙ୍ଗଙ୍କୁ ପେନସନ ଦରମା ସ୍ୱରପ ଚେକ୍‌ ପ୍ରଦାନ କରିଥିଲେ । ବିଶେଷ ଭାବରେ କୋଭିଡ୍‌-୧୯ ରିଲିଫ ଅନ୍ତର୍ଗତ କରୋନାରେ ମୃତ୍ୟୁବରଣ କରିଥିବା ହିତାଧିକାରୀଙ୍କ ପରିବାର ବର୍ଗ ତଥା ପିଙ୍କି ଦେହୁରୀ, ଶିବାନୀ ସାହୁ, ପ୍ରତିମା ସାହୁଙ୍କୁ ଆର୍ଥିକ ସହାୟତା, ପେନସନ ଦରମାର ପ୍ରଦାନ କରିଥିଲେ । ଏହାସହ ଦିବ୍ୟାଙ୍ଗ ମାନଙ୍କୁ ମଧ୍ୟ ପେନସନ ପ୍ରଦାନ କରାଯାଇଥିଲା ।

Leave A Reply

Your email address will not be published.

error: Content is protected !!