jayashree

ପୋଲାର୍ଡ ପରାକ୍ରମ ପରେ ବ୍ରଭୋଙ୍କ ଘାତକ ବୋଲିଙ୍ଗ ଦକ୍ଷିଣ ଆଫ୍ରିକା ବିପକ୍ଷ ଚତୁର୍ଥ ଟି-୨୦କୁ ୨୧ ରନରେ ଜିତିଲା ୱେଷ୍ଟଇଣ୍ଡିଜ

ସେଣ୍ଟ୍‌ ଜର୍ଜ : ଅଧିନାୟକ କିରଣ ପୋଲାର୍ଡଙ୍କ ପରାକ୍ରମ ପରେ ଅଭିଜ୍ଞ ଡ୍ୱେନ୍‌ ବ୍ରାଭୋଙ୍କ ଘାତକ ବୋଲିଂ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ଶୃଙ୍ଖଳାରେ ୱେଷ୍ଟଇଣ୍ଡିଜ୍‌କୁ ଉଜ୍ଜୀବୀତ ରଖିଛି । ପୋଲାର୍ଡଙ୍କ ବିସ୍ଫୋରକ ଅର୍ଦ୍ଧଶତକ ଆଗରେ କ୍ୱିଣ୍ଟନ ଡି’କକ୍‌ଙ୍କ ଅର୍ଦ୍ଧଶତକ ମଳିନ ପଡ଼ିଗଲା । ଫଳରେ ଘରୋଇ ୱେଷ୍ଟଇଣ୍ଡିଜ୍‌ ଗୁରୁବାର ରାତିରେ ଖେଳାଯାଇଥିବା ଚତୁର୍ଥ ଟି-୨୦ ମ୍ୟାଚ୍‌କୁ ୨୧ ରନ୍‌ରେ ଜିତିନେଲା । ଏଥି ସହିତ ୫ ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳା ଏବେ ୨-୨ ସମାନ ସ୍ଥିତିରେ ପହଞ୍ଚିଯାଇଛି । ଅଲ୍‌ରାଉଣ୍ଡ ପ୍ରଦର୍ଶନ ପାଇଁ ପୋଲାର୍ଡ ହିଁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ । ଆସନ୍ତା ଶନିବାର ଏହି ଷ୍ଟାଡିୟମ୍‌ରେ ହିଁ ପଞ୍ଚମ ତଥା ଶୃଙ୍ଖଳା ନିର୍ଣ୍ଣାୟକ ମ୍ୟାଚ୍‌ ଖେଳାଯିବ ।

ଟସ୍‌ ହାରି ପ୍ରଥମେ ବ୍ୟାଟିଂ ପାଇଥିବା‌ ‌‌ୱେଷ୍ଟଇଣ୍ଡିଜ୍‌ ଦଳ ୬ ୱିକେଟ୍‌ ବିନିମୟରେ ୧୬୭ ରନ୍‌ କରିଥିଲା । ଲୁଇସ୍‌ (୭), କ୍ରିସ୍‌ ଗେଲ୍‌ (୫), ଆନ୍ଦ୍ରେ ରସେଲ (୯) ଓ ସିମ୍ରନ୍‌ ହେଟ୍‌ମାୟର (୭) ନିରାଶ କରିଥିଲା ବେଳେ ଓପ୍‌ନର ଲେଣ୍ଡଲ ସିମନ୍ସ ୪୭ (୩୪ ବଲ୍‌, ୪ ଚୌକା, ୪ ଛକା), ନିକୋଲସ୍‌ ପୂରନ ୧୬ (୧୫ ବଲ୍‌, ୨ ଚୌକା) ଏବଂ ଫାବିଏନ୍‌ ଆଲେନ୍‌ ୧୯ଞ୍ଚ (୧୩ ବଲ୍‌, ୨ ଚୌକା, ୧ ଛକା) ଉପଯୋଗୀ ରନ୍‌ କରିଥିଲେ । ତେବେ ଦଳକୁ ସଂକଟରୁ ଉଦ୍ଧାର କରିଥିଲେ ପୋଲାର୍ଡ । ସେ ୨୫ ବଲ୍‌ରୁ ୫୧ ରନ୍‌ କରି ଅପରାଜିତ ରହିଥିଲେ । ତାଙ୍କ ଅଧିନାୟକ ପାଳିରେ ୨ ଚୌକା ଓ ୫ ଛକା ସାମିଲ ଥିଲା । ଅସମାପ୍ତ ସପ୍ତମ ୱିକେଟ୍‌ରେ ଫାବିଏନ୍‌ଙ୍କ ସହ ପୋଲାର୍ଡ ୨୭ ବଲ୍‌ରୁ ୬୬ ରନ୍‌ ଆଦାୟ କରିଥିଲେ । ଦକ୍ଷିଣ ଆଫ୍ରିକାର ସଫଳ ବୋଲର ଭାବେ ଜର୍ଜ ଲିଣ୍ଡେ ଓ ତାବ୍ରିଜ୍‌ ସାମ୍‌ସି ୨-୨ ୱିକେଟ୍‌ ପାଇଥିଲେ ।

ଜବାବରେ ଡି’କକ୍‌ (୬୦, ୪୩ ବଲ୍‌, ୬ ଚୌକା, ୨ ଛକା) ଭଲ ଆରମ୍ଭ ଦେଇଥିଲେ। ଡି’କ୍‌ଙ୍କ ବ୍ୟତୀତ ଐଦେନ୍‌ ମର୍କରାମ (୨୦), କାଗି‌ସୋ ରବାଦା (୧୬ଞ୍ଚ) ଓ ଡେଭିଡ୍‌ ମିଲର (୧୨) ଦୁଇ ଅଙ୍କ ଟପି ପାରିଥିଲେ । ହେଲେ ଇଣ୍ଡିଜ୍‌ ବୋଲରଙ୍କ ମିଳିତ ଆକ୍ରମଣ ଆଗରେ ଅନ୍ୟ ସମସ୍ତେ ରନ୍‌ ପାଇଁ ସଂଘର୍ଷ କରିଥିଲେ । ବିଶେଷ କରି ବ୍ରାଭୋ (୪-୦-୧୯-୪) ସବୁଠୁ ଅଧିକ ଘାତକ ସାବ୍ୟସ୍ତ ହୋଇଥିଲେ । ତାଙ୍କୁ ଉଚିତ ସହଯୋଗ ଦେଇ ଆନ୍ଦ୍ରେ ରସେଲ (୪-୦-୩୦-୨), କିରଣ ପୋଲାର୍ଡ (୪-୦-୨୪-୧), କ୍ରିସ୍‌ ଗେଲ୍‌ (୨-୦-୧୧-୧) ଓ ଓବେଦ୍‌ ମ୍ୟାକୟ (୪-୦-୩୩-୧) ମିଳିତ ଭାବେ ୫ ୱିକେଟ୍‌ ଅକ୍ତିଆର କରିନେବାରୁ ଦକ୍ଷିଣ ଆଫ୍ରିକା ପାଳି ୧୪୬/୯ରେ ସୀମିତ ରହିଯାଇଥିଲା ।

Leave A Reply

Your email address will not be published.