oum

ଆଇପିଏଲ : ଧାୱନଙ୍କ ଶିଖର ପାଳିରେ ଚେନ୍ନାଇକୁ ୫ ୱିକେଟରେ ହରାଇ ଶୀର୍ଷରେ ଦିଲ୍ଲୀ

jsm

ସାରଜା : ସାରଜା କ୍ରିକେଟ ଷ୍ଟାଡିୟମଠାରେ ଖେଳାଯାଉଥିବା ଚଳିତ ଆଇପିଏଲର ୩୪ ତମ ମ୍ୟାଚରେ ଚେନ୍ନାଇ ସୁପରକିଙ୍ଗସକୁ ୫ ୱିକେଟରେ ପରାସ୍ତ କରିଛି ଦିଲ୍ଲୀ କ୍ୟାପିଟାଲ୍ସ । ପାଳି ଆରମ୍ଭରୁ ଶେଷ ପର୍ୟ୍ୟନ୍ତ ଥିବା ଶତକ ଅର୍ଜନକାରୀ ଶିଖର ଓ ଶେଷ କିଛି ବଲରେ ଦ୍ରୁତ ପାଳି ଖେଳି ଅକ୍ଷର ପଟେଲ ଦିଲ୍ଲୀକୁ ସପ୍ତମ ବିଜୟ ଉପହାର ଦେଇଥିଲେ। ସେହିଭଳି ଚଳିତ ଋତୁରେ ଚେନ୍ନାଇ ବିପକ୍ଷରେ ଦିଲ୍ଲୀ ଦ୍ବିତୀୟ ବିଜୟ ହାସଲ କରିଥିଲା। ଅନ୍ୟପକ୍ଷରେ ଚମକହୀନ ଚେନ୍ନାଇ ଷଷ୍ଠ ପରାଜୟ ବରଣ କରିଥିଲା।

ଟସ୍ ଜିତି ବ୍ୟାଟିଂ କରିଥିବା ଚେନ୍ନାଇ ଅଲରାଉଣ୍ଡର ରବୀନ୍ଦ୍ର ଜାଦେଜାଙ୍କ ୧୩ ବଲ୍ ୩୩ଞ୍ଚ ରନ୍ (୪ ଛକା) ପାଇଁ ନିର୍ଧାରିତ ୨୦ ଓଭରରେ ୧୭୯/୪ର ଆହ୍ବାନପୂର୍ଣ୍ଣ ସ୍କୋର କରି ନେଇଥିଲା। ଜାଦେଜାଙ୍କ ସହ ଅନ୍ୟତମ ମଧ୍ୟକ୍ରମ ତାରକା ଅମ୍ବାତି ରାୟୁଡୁ (୪୫ଞ୍ଚ ରନ୍, ୨୫ ବଲ୍, ୧ ଚୌକା, ୪ ଛକା) ମଧ୍ୟ ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ। ଉଭୟ ଅବିଭାଜିତ ପଞ୍ଚମ ୱିକେଟ୍‌ରେ ମାତ୍ର ୨୧ ବଲ୍‌ରୁ ୫୦ ରନ୍ ଯୋଡ଼ିଥିଲେ। ଏହି ଦୁଇ ଜଣଙ୍କ ଉଗ୍ରରୂପ ପାଇଁ ହିଁ ଚେନ୍ନାଇ ଶେଷ ୫ ଓଭରରୁ ୬୭ ରନ୍ ସଂଗ୍ରହ କରି ନେଇଥିଲା। ଚେନ୍ନାଇର ପାଳି ଆରମ୍ଭ କିନ୍ତୁ ସେତେଟା ଉତ୍ସାହଜନକ ନଥିଲା। ମ୍ୟାଚ୍‌ର ତୃତୀୟ ବଲ୍‌ରେ ସାମ କରନ୍ ଖାତା ଖୋଲିବା ପୂର୍ବରୁ ତୁଷାର ଦେଶପାଣ୍ଡେଙ୍କ ଶିକାର ହୋଇଥିଲେ। ଏହା ପରେ ଅବଶ୍ୟ ଅର୍ଧଶତକ ହାସଲକାରୀ ଫାଫ୍ ଡୁ’ ପ୍ଲେସିସ୍ (୫୮ ରନ୍, ୪୭ ବଲ୍, ୬ ଚୌକା, ୨ ଛକା) ଅଭିଜ୍ଞ ସେନ୍ ୱାଟସନ୍ (୩୬ ରନ୍, ୨୮ ବଲ୍, ୬ ଚୌକା)ଙ୍କ ସହ ଦ୍ବିତୀୟ ୱିକେଟ୍‌ରେ ୮୭ ରନ୍ ଯୋଡ଼ି ସ୍ଥିତି‌ ସୁଧାରି ନେଇଥିଲେ। ଚଳିତ ଋତୁରେ ଡୁ’ ପ୍ଲେସିସ୍‌ଙ୍କର ଏହା ଚତୁର୍ଥ ଅର୍ଧଶତକ ଥିଲା। ଅଧିନାୟକ ମହେନ୍ଦ୍ର ସିଂହ ଧୋନି (୩) ପୁଣି ବିଫଳ ହୋଇଥିଲେ। ତେବେ ରାୟୁଡୁ-ଜାଦେଜା ନିଜ ଧୂଆଁଧାର ବ୍ୟାଟିଂ ବଳରେ ଏହି କ୍ଷତିର ଭରଣା କରି ନେଇଥି‌ଲେ।

ଦ୍ବିତୀୟ ପାଳିରେ ଦିଲ୍ଲୀ ୧୮୦ ରନ୍‌ର ଲକ୍ଷ୍ୟକୁ ପିଛା କରି ୨୦ ଓଭରରେ ୫ ୱିକେଟ ହରାଇ ୧୮୫ ରନ୍‌ କରି ବିଜୟ ହାସଲ କରିଛି । ଦିଲ୍ଲୀ ପକ୍ଷରୁ ଶିଖର ଧାୱନ ସର୍ବାଧିକ ୧୦୧ ରନ୍‌ କରିଥିବା ବେଳେ ଶ୍ରେୟସ୍ ଆୟର ୨୩ ବଲରେ ୨୩ ରନ୍‌ ଓ ମାର୍କସ୍ ଷ୍ଟୋଇନିସ୍ ୧୪ ବଲରେ ୨୪ ରନ୍‌ କରିଥିଲେ। ଶେଷ ଓଭରରେ ଅକ୍ଷର ପଟେଲ ୩ଟି ଛକା ମାରି ଦିଲ୍ଲୀକୁ ବିଜୟ ଦେଇଥିଲେ। ଧାୱନଙ୍କ ଶତକ ଦିଲ୍ଲୀ ପଶ୍ଚାତଧାବନର ମେରୁଦଣ୍ଡ ଥିଲା। ହେଲେ ଶେଷ ଓଭରରେ ତିନିଟି ଛକା ମାରି ଅଲରାଉଣ୍ଡର ଅକ୍ଷର ପଟେଲ ଦିଲ୍ଲୀର ଉତ୍କଣ୍ଠାପୂର୍ଣ୍ଣ ବିଜୟରେ ମୁଣ୍ଡି ମାରିଥିଲେ। ରବୀନ୍ଦ୍ର ଜାଦେଜାଙ୍କ ଶେଷ ଓଭରରୁ ବିଜୟ ପାଇଁ ଦିଲ୍ଲୀକୁ ୧୭ ରନ୍‌ର ଦରକାର ଥିଲା। ଅକ୍ଷର ଦ୍ବିତୀୟ, ତୃତୀୟ ଓ ପଞ୍ଚମ ବଲ୍‌କୁ ଛକା ମରି ଗୋଟିଏ ବଲ୍ ପୂର୍ବରୁ ଦଳକୁ ଜିତାଇଥିଲେ। ୧୮୦ ରନର ଲକ୍ଷ୍ୟ ନେଇ ଖେଳିଥିବା ଦିଲ୍ଲୀ ଖାତା ଖୋଲିବା ପୂର୍ବରୁ ପୃଥ୍ବୀ ସ’ଙ୍କୁ ହରାଇଥିଲା। ଅଜିଙ୍କ୍ୟ ରାହାଣେ ବି ପୁନର୍ବାର ନିରାଶ କରିଥିଲେ। ଅଧିନାୟକ ଶ୍ରେୟସ୍ ଆୟର (୨୩) ଓ ମାର୍କସ ଷ୍ଟୋଇନିସ୍ (୨୪) ଭଲ ଆରମ୍ଭକୁ ବଡ଼ ସ୍କୋରରେ ରୂପାନ୍ତର କରି ପାରି ନଥିଲେ। ଆଲେକ୍ସ କେରି (୪) କମାଲ କରିବାରେ ସଂପୂର୍ଣ୍ଣ ବିଫଳ ହୋଇଥିଲେ। ତେବେ ଧାୱନଙ୍କ ଧମାକାଦାର ଶତକ ଏବଂ ଅକ୍ଷରଙ୍କ ୫ ବଲ୍ ୨୧ଞ୍ଚ ଦିଲ୍ଲୀ ବିଜୟ ପାଇଁ ପର୍ୟ୍ୟାପ୍ତ ହୋଇଥିଲା। ଧାୱନ ତାଙ୍କ ଶତକୀୟ ପାଳି ପାଇଁ ମ୍ୟାଚ୍‌ର ଶ୍ରେଷ୍ଠ ପୁରସ୍କାର ଲାଭ କରିଥିଲେ। ଅନ୍ୟପଟେ ଚେନ୍ନାଇ ପକ୍ଷରୁ ଦୀପକ ଚହର ୨ଟି ୱିକେଟ ନେଇଥିବା ବେଳେ ଶାର୍ଦ୍ଦୁଲ ଠାକୁର, ଡୱେନ ବ୍ରାଭୋ, ସାମ୍ କରନ୍ ୧-୧ ୱିକେଟ ନେଇଥିଲେ । ଏହି ବିଜୟ ସହ ଦିଲ୍ଲୀ କ୍ୟାପିଟାଲ୍ସ ୧୪ ଅଙ୍କ ସଂଗ୍ରହ କରି ଦଳ ତାଲିକାରେ ପ୍ରଥମରେ ରହିଛି।

Leave A Reply

Your email address will not be published.