ନିଜସ୍ୱ ମତ : ଜନ୍ମାଷ୍ଟମୀ ଅନୁଚିନ୍ତା

  • ଜୟଶ୍ରୀ ସାହୁ

ବିଶିଷ୍ଟ ଧର୍ମଗୁରୁ ଓଷୋଙ୍କର ସୁନ୍ଦର କାହାଣୀଟେ ଆଜି ମନେ ପଡୁଛି । ଜଣେ ଫେରିବାଲା ବୁଲି ବୁଲି ବିଞ୍ଚଣା ବିକୁଥିଲା ଆଉ ଦାବୀ କରୁଥିଲା ଯେ ବିଞ୍ଚଣାର ଦାମ ଶହେ ଟଙ୍କା ଓ ତାହା ଶହେ ବର୍ଷ ଯାଏଁ ଅକ୍ଷତ ରହିବ । ରାଜା ସେଥିରୁ ଗୋଟିଏ କିଣିଲେ । ବିଞ୍ଚି ହେବାର ଅଳ୍ପ ସମୟ ଭିତରେ ବିଛଣାର ପତି ସବୁ ଇତସ୍ତତ ପଡିବା ଆରମ୍ଭ କଲା । ରାଗିଯାଇ ରାଜା ଫେରିବାଲାକୁ ଡକେଇ ପଠେଇଲେ । ବିଞ୍ଚଣାର ଅବସ୍ଥା ଦେଖି ବୁଲା ବିକାଳୀଟି କହିଲା – “ରାଜା ବିଞ୍ଚଣାକୁ ଠିକ ଭାବେ ବ୍ୟବହାର କରି ଜାଣି ନାହାନ୍ତି । ବିଞ୍ଚି ହେଲା ବେଳେ ବିଞ୍ଚଣା ସ୍ଥିର ରହିବ, ମୁଣ୍ଡଟା ହଲିବ । ତା’ହେଲେ ଯାଇ ଧୁକ୍‌ନା(ବିଞ୍ଚଣା) ଶହେ ବର୍ଷ ଯିବ । ଆଜି ଜନ୍ମାଷ୍ଟମୀ ଅବସରରେ ଏ କାହାଣୀ ମନେ ପକେଇବାର ଉଦ୍ଦେଶ୍ୟ ହେଲା, କାହିଁ କେତେ କାଳରୁ ଆମେ ସଗର୍ବେ ବିଞ୍ଚଣାକୁ ଅକ୍ଷତ ରଖି ନିଜ ମୁଣ୍ଡଟିମାନ ଖାଲି ହଲଉଛୁ । ଯଦି ଆରାମ ନ ମିଳିଲା ତେବେ ବିଞ୍ଚଣା ଦଶ ବର୍ଷ କି ପଚାଶ ବର୍ଷ କି ହଜାର ବର୍ଷ ଯାଉ, ତା’ର କିଛି ମାନେ ନାଇଁ । ସାତ ପୁରୁଷରୁ ଆମ ସମାଜ ବାଳକୃଷ୍ଣଙ୍କ ଜନ୍ମୋତ୍ସବ ପାଳି ଆସୁଛି । ଅଥଚ ସାତ ବର୍ଷର ଗୋଟେ ଛୁଆକୁ ସ୍କୁଲରେ ପିଟି ପିଟି ମାରି ଦିଆଗଲା, ସେ ଘଟଣା ଆମକୁ ବିଚଳିତ କଲାନି । ବରଂ, ଆମେ ଖୋଜି ବସିଲୁ ପିଲାଟି କେଉଁ ଜାତିର, କେଉଁ ଜାଗାର, କେଉଁ ଧର୍ମର, କେଉଁ ଶ୍ରେଣୀର… ଇତ୍ୟାଦି । ବର୍ବର ଭାବେ ପିଟିଥିବା ଶିକ୍ଷକ ସପକ୍ଷରେ ବାହାରି ପଡିଲା ଜାତି ମହାସଭା । ଏଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗ ଯଦି ଆମ ମନରେ ଭାବାନ୍ତର ଆଣି ପାରେନି, ତେବେ ଧିକ୍‌ ଆମ ପରିବେଷ୍ଟନୀ, ଆମ ଧର୍ମଧାରାକୁ । ଆହୁରି ହଜାର ବର୍ଷ ଧରି ମହୋତ୍ସବ ମନେଇଲେ ବି ଏ ସମାଜ ପାଦେ ବି ଆଗକୁ ଯିବନି । ଭିଡ ଭିତରେ ମଣିଷ ଆହୁରି ଏକାକୀ ହେଇ ପଡୁଥିବ, ବିଞ୍ଚଣାଟି ଧରି ଆହୁରି ଜୋର୍‌ରେ ମୁଣ୍ଡ ହଲଉଥିବ ।

Leave A Reply

Your email address will not be published.

three − 1 =

error: Content is protected !!