csstore

ଆଜି ଶ୍ରାଦ୍ଧବାର୍ଷିକୀ : ମହାନ୍‌ ସଂଗୀତ ନିର୍ଦେଶକ ସରୋଜ ନନ୍ଦ

  • ଗଣେଶ ବାରିକ୍

କେରି କେରି ସୁନା ଦୁବ… ମୁଁ ତ ବଡ଼ ଦେଉଳର ପାରା… ତୋ ଆଗରେ କିଛି ଧୂପ… ଜନମି ଥିଲି ମୁଁ ଶ୍ରୀଗୁଣ୍ଡିଚା ଦିନ… କଳା ଠାକୁର ମୋ କଳା ଠାକୁର… ଛ ଖଣ୍ଡ କାଠରେ ହେବ ସବାରୀ… ପ୍ରଥମ ପ୍ରେମର ପ୍ରଥମ ଚିଠି… ବାଟରେ ଚାଲୁ ଚାଲୁ… ଗାଁ ମଝିରେ ଚାନ୍ଦିନୀ… ଆଇନା କେବେ ମିଛ କହେନା… ତୁ ଚାଲି ଯିବୁ ତୋ ଶାଶୁଘର… ଷୋଳଟି ଫଗୁଣ ଆସି ତତେ ଛୁଇଁ ଗଲା ପରେ… ନିଝୁମ ରାତିର ସହର ରେ… ଛାତି ମୋର ଚିରି ଯେବେ… ନା ମୁଁ ତତେ କେବେ ଚିଠି ଦେଇଛି… ଆଉ ସେ କଲମ କେବେ ଧରିବି ନାହିଁ… ମୋ ପ୍ରିୟା ହାତରେ ଦୁଇଟି ଚୂଡି… ପ୍ରେମ ଆମର ରହିବ ଅମର… ସୀମା ମୁଁ ତୁମକୁ ଭଲ ପାଇଁ ଭୁଲିଗଲି ମୁଁ ମୋର ସୀମା… କେତେ ଅବିବେକୀ କେତେ ସ୍ବାର୍ଥପର… ପୁନେଇଁ ଚାନ୍ଦ ତୋର… ଆଜି ମଙ୍ଗନ କାଲି ତୋର ବାହାଘର… ପ୍ରେମ ନୁହେଁ ପିଲା ଖେଳ କାହା ବାଲି ଘର… ଆଖି କହେ ଅଳ୍ପ କିଛି… ସବାରୀ ଚାଲେ ଲୋ ଗୋରୀ ଧିରେ ଧିରେ… ଝିଅ ଜନମ ପର ଘର କୁ… ଭଳି ଗୀତ ଆଜି ବି ଶୁଣିଲେ ନୂଆଁ ନୂଆଁ ଲାଗେ । ଏ ସବୁ ଗୀତର ସଂଗୀତ ନିର୍ଦେଶକ ହେଉଛନ୍ତି ଦିବଂଗତ ସରୋଜ ନନ୍ଦ । ଓଡ଼ିଆ ଆଧୁନିକ ସଙ୍ଗୀତର ନୂତନ ଅଧ୍ୟାୟର ଶ୍ରେୟ ସରୋଜ ନନ୍ଦଙ୍କ ଉପରେ ଯାଏ । ନବେ ଦଶକରେ ସେ ଥିଲେ ସଙ୍ଗୀତର ଶୀର୍ଷରେ ଆଉ ପ୍ରତ୍ୟେକ ପାନ ଦୋକାନ ପାର୍କ, ଅର୍କେଷ୍ଟ୍ରା, ଅପେରା, ଯାତ୍ରା ପର୍ବରେ ଥିଲା ତାଙ୍କ ସଙ୍ଗୀତର ମୂର୍ଚ୍ଛନା । ବିରହ ପ୍ରେମିକ ପ୍ରେମିକାଙ୍କ ନିରୋଳା ବେଳା ହେଉକି ବାହାଘରର କନ୍ୟା ବିଦା ବେଳର ଅଶ୍ରୁଳ ପରିବେଶ, ସବୁଠି ରାଜୁତି କଲା ସରୋଜ ନନ୍ଦଙ୍କ ପ୍ରାଣବନ୍ତ ସଙ୍ଗୀତର ସ୍ବର । ୧୯୫୮ ମେ ୧୮ ତାରିଖ ବାପା ପରମାନନ୍ଦ ଓ ମା’ ସୁବର୍ଣ୍ଣ ନନ୍ଦଙ୍କ କୋଳରେ କନ୍ଧପାଲିପଡା ବଲାଙ୍ଗିରରେ ଜନ୍ମ ନିଅନ୍ତି ସରୋଜ ନନ୍ଦ । ସେ ବାପା ମା’ଙ୍କ ସବୁଠୁ ଛୋଟ ସନ୍ତାନ ଥିଲେ । ତାଙ୍କ ଡାକ ନାମ ଥିଲା ରାଜୁ, ବଲାଙ୍ଗିର ଆଖ ପାଖ ଅଞ୍ଚଳରେ ରାଜୁ ଦା’ ନାମରେ ବେଶ୍ ପରିଚିତ ଥିଲେ । ମିଶନ ସ୍କୁଲ, ପୃଥୀରାଜ ହାଇସ୍କୁଲ ବଲାଙ୍ଗିରରେ ତାଙ୍କ ସ୍କୁଲ ଜୀବନ ଆରମ୍ଭ ହୋଇଥିଲା । ଆଉ ସେଇଠୁ ସଙ୍ଗୀତ ପ୍ରତି ଆର୍କଷିତ ହୋଇଥିଲେ । ପରେ ସେ ରାଜେନ୍ଦ୍ର କଲେଜରେ ପାଠ ପଢୁଥିବା ବେଳେ ଢୋଲକ ଓ ନାଲ ବଜେଇ ସଂଗୀତ ଦୁନିଆଁକୁ ପ୍ରବେଶ କରିଥିଲେ । କଲେଜରେ ପଢୁଥିବା ସମୟରେ ବଲାଙ୍ଗିର ଗ୍ରୀନ ଲାଇଟ୍ ଅରକେଷ୍ଟାରରେ ମ୍ୟୁଜିକ ଡାଇରେକ୍ଟର ଭାବରେ କାମ କରୁଥିଲେ । ମୁଁ ତ ବଡ଼ ଦେଉଳର ପାରା… ହେଉଛି ତାଙ୍କର ପ୍ରଥମ ହିଟ୍ ଭଜନ । ତାଙ୍କ ବହୁତ ଭଜନ ଓ ଆଲବମ ଗୀତ ଆଜି ବି ଚିର ସବୁଜ । ପଂରବ୍ରହ୍ମ, କଲା କଲା ଚକା ଡୋଲା, ଶଙ୍ଖଚକ୍ର, ଆଦି ମାତା, ମଧୁ ଚନ୍ଦ୍ରିକା, କଦମ୍ବ ମୂଳିଆ, ଭକ୍ତି କୈବଲ୍ୟ, ନିର୍ମାଲ୍ୟ, ସିନ୍ଦୁର, ଭୈରବୀ, ଓମ୍ ନମୋଃ ଶିବାୟ ଭଜନ ବହୁତ ଆଦୃତ ଲାଭ କରିଥିଲା । ପରମବ୍ରହ୍ମ ଭଜନ କ୍ୟାସେଟ ୬ଟି ଭାଷାରେ ରିଲିଜ ହୋଇଥିଲା । ଠିକ୍ ସେହିପରି ଆଲବମ ଗୀତ ମଧ୍ୟରେ ପ୍ରଥମ ପ୍ରେମ, ଚାନ୍ଦିନୀ, ରଜନୀଗନ୍ଧା, ତମକଥା ମନେ ପଡେ, ପୁଣି ଦେଖା ହେବ, କହିଲେ କହିବ ମିଛ କହୁଛ, ଚକୋରୀ ଝରଣା ଲୁହ ଅମର ପ୍ରେମ ବହୁତ ଚର୍ଚ୍ଚିତ ଆଲବମ ଗୀତ । ଅମର ପ୍ରେମ ଥିଲା ତାଙ୍କ ସଙ୍ଗୀତ ନିର୍ଦେଶିତ ଶେଷ ଆଲବମ ଗୀତ । ସାହାରା ଓ ଧାରା ନାମକ ଦୁଇଟି ଟେଲି ଧାରାବାହିକ ହେଉଛି ସରୋଜଙ୍କ ବିରଳ କୃତି । ତାଙ୍କ ସ୍ବର ସଂଯୋଜନାରେ ଜାତୀୟ ସ୍ତରର କଣ୍ଠ ଶିଳ୍ପୀ ଅନୁରାଧା ପୌଡୁଆଲ, ମହମ୍ମଦ ଅଜିଜ୍, ସୁରେଶ ୱଦେକର, ଉଦିତ ନାରାୟଣ, କୁମାର ସାନୁ, ବାବୁଲ ସୁପ୍ରିଓ, ସୋନୁ ନିଗମ, ଅଭିଜିତ ଭଟ୍ଟାଚାର୍ୟ୍ୟ, ବିନୋତ ରାଠୋର, ସାଧନା ସରଗମ, କ୍ରିଷ୍ଣା ବେଉରା, ସୋନାଲୀ ବାଜପାୟୀ, ଜଲି ମୁର୍ଖାଜୀ, ଚନ୍ଦନ ଦାସ ଭଳି ଗାୟକ ସବୁ ଗାଇଛନ୍ତି । ଓଡ଼ିଆ ଗାୟକ ମାନକ ମଧ୍ୟରେ ଭିକାରି ବଳ, ସୁବାଷ ଦାଶ, ଗୀତା ଦାସ, ଅନୁସୂୟା ନାଥ, ଲୋପିତ ମିଶ୍ର, ଶୁଭାଷିଶ, ଶୈଲଭାମା, ଅଭିଜିତ ମଜୁମଦାର ପ୍ରମୁଖ ଗାଇଛନ୍ତି । ତାଙ୍କ କୋଶଲୀ ଭଜନ କ୍ୟାସେଟ ମନ୍ ଭଜୁଥା ବି ବହୁତ ଚର୍ଚ୍ଚିତ ହୋଇଥିଲା । ଆହା ବାପ ଧନରେ ମୋର୍ ଲବଣୀ ଖିଆ… ହାଏରେ କାଏଁ ମହନୀ ଲାଗିଛେ… ମହ ମହ କିଆ… ଆଏଁଖ୍ ଦିଟା ଚକା ଚକା… ଆଜି ବି ତାର ସତ୍ତା ହରେଇନି । ଆଲବମ ଛଡା ଓଡ଼ିଆ ସିନେମାରେ ବି ସେ ସଙ୍ଗୀତ ନିର୍ଦେଶନା ଦେଇଥିଲେ । ୧୯୮୯ରେ ବଲାଙ୍ଗିର ସିନେମା ପ୍ରେମୀ ମାନକ ମିଳିତ ଉଦମ୍ୟରେ ତିଆରି ହେଇଥିବା ଆକାଶ ଆଖି ହେଉଛି ତାଙ୍କ ପ୍ରଥମ ସଙ୍ଗୀତ ନିର୍ଦେଶିତ ଓଡିଆ ସିନେମା ପରେ ପରେ ଲକ୍ଷ୍ମୀ ପ୍ରତିମା, ଜୀବନ ସାଥୀ, କିଏ କାହାର, ରାମ ଲଣକ୍ଷ୍ମ, ଚକ୍ରବ୍ୟୁହ (ଅସମାପ୍ତ) ଭଳି ଚଳଚ୍ଚିତ୍ରରେ ସଫଳ ସଂଗୀତ ନିର୍ଦେଶନା ଦେଇଥିଲେ । କିଏ କାହାର ଓ ଲକ୍ଷ୍ମୀ ପ୍ରତିମା ପାଇଁ ୧୯୯୮ରେ ଶ୍ରେଷ୍ଠ ସଙ୍ଗୀତ ନିର୍ଦେଶକ ପୁରସ୍କାର ପାଇଥିଲେ । ଓଡ଼ିଆ ଓ କୋଶଲୀ ଭାଷା ଛଡା ସେ ହିନ୍ଦୀ, ମରାଠୀ, ଛତିଶଗଡ ଭାଷାରେ ବି ଅନେକ କ୍ୟାସେଟରେ ସଙ୍ଗୀତ ଦେଇଥିଲେ । ଇସ୍କ୍ ନାମକ ଏକ ଗଜଳରେ ବି ସଂଗୀତ ଦେଇଥିଲେ । ସବୁ ଠାରୁ ବେଶୀ ଚର୍ଚ୍ଚା ଥିଲା ଆମେରିକାର ଏକ କାର୍ଯ୍ୟକ୍ରମରେ ପ୍ରାରମ୍ଭିକ ସଙ୍ଗୀତ ଭାବେ କେରି କେରି ସୁନା ଦୁବ… ସେଠାରେ ଗୁଆ ଯାଇଥିଲା । ତାହା ପୁଣି ସେ ସମୟରେ ଦୂରଦର୍ଶନରେ ସିଧା ପ୍ରସାରଣ ହୋଇଥିଲା । ସେ ସଙ୍ଗୀତରେ ଏତେ ମସଗୁଲ ଥିଲେ ଯେ ବିବାହ ବି କରିବା ଭୁଲି ଯାଇଥିଲେ । ଯୋଜନା ଥିଲା ତାଙ୍କ ସ୍ବର ସଂଯୋଜନାରେ ଗୀତ ଗାଇବେ ପ୍ରସିଦ୍ଧ ଗାୟିକା ଲତା ମଙ୍ଗେସକର ସେଥି ପାଇଁ ମୁମ୍ବାଇରେ ମଧ୍ୟ ଆରମ୍ଭ କରି ଦେଇଥିଲେ ରହିବା । ଭାଗ୍ୟର ବିଡମ୍ବନା ତାହା ତାଙ୍କ ସ୍ବପ୍ନ ହେଇଗଲା । ତାଙ୍କ ସଂର୍ପକରେ ପ୍ରସିଦ୍ଧ ସଂଗୀତଜ୍ଞ ଅକ୍ଷୟ ମହାନ୍ତି କହିଥିଲେ- ସରୋଜଙ୍କ ଆଗମନ ଥିଲା ବାଘ ଭଳି, ବାଘ ଭଳି ବି ରାଜୁତି କଲେ, ଆଉ ତାଙ୍କ ବିଦାୟ ମଧ୍ୟ ଥିଲା ବାଘ ଭଳି । ୫ ଡିସେମ୍ବର ୨୦୦୦ ମସିହା ଆଜିର ଦିନ ୪୨ ବର୍ଷ ବୟସରେ ମୁମ୍ବାଇରେ ହୃତଘାତରେ ତାଙ୍କର ପରଲୋକ ହୋଇଥିଲା ।

ରିନ୍ ବଚନ, ବଲାଙ୍ଗିର-୧
୯୭୭୭୨୫୧୩୫୫

jayashree
Leave A Reply

Your email address will not be published.