jayashree

ଭାବର ବିକଳ୍ପ ଗର୍ଭରେ ଶବ୍ଦର ଭୃଣ

  • ବିଜୟ ରାୟ

ଭାବର ସାତ ତାଳ ଗଭୀରତାରେ ଥାଏ ଶବ୍ଦ । ଖେଳି ବୁଲୁଥାଏ – – ପବନରେ, ପାଣିରେ, ନୀଳ ଅବକାଶର ବ୍ୟାପ୍ତିରେ, ଯାହା ମିଳିଯିବା ଏତେ ସହଜ ନଥାଏ ! ଯେଉଁ ଭାବର ଯେତେ ଚୁମ୍ବକୀୟ ଆକର୍ଷଣ, ସେ ହିଁ ଡାକି ପାରେ ପଦ୍ମତୋଳା… କବିତାର ପେଡ଼ିରେ ମୁଣ୍ଡ ପୋତି ପଶି ଯାଆନ୍ତି ଆପେ ଆପେ ଖେଳୁଥିବା ଶବ୍ଦମାନେ । ସବୁବେଳେ ଭାବ ଧରିପାରେ ନାହିଁ ଶବ୍ଦଙ୍କୁ ଓ ଲୁଚକାଳି ଖେଳ ଜାରି ରହେ, କବିତାର ଭାବ ଭୂଇଁରେ । କବିତାର କାନଭାସ୍‌ରେ ବ୍ୟାପ୍ତିର କଠୋରତା ଥାଏ । ବେଳେବେଳେ ଭାବର ଭିତରକନିକାରେ ଥାଏ – – ସନ୍ତସନ୍ତିଆ ସବୁଜିମା ଭରା ଶବ୍ଦଙ୍କ ହେନ୍ତାଳ ବଣ, ନତୁବା ତୁଠର ମାଙ୍କଡ଼ା ପଥରରେ ଲହୁଲୁହାଣ ହୁଏ ଭାବର ପଦ ବ୍ରଜ ! ବେଳ ଅବେଳରେ ଫୁଟି ଫୁଟି ମଉଳି ଯାଏ ଅଜାଗାର ଛତୁ ପରି ।

ବେଳ ହେଲେ ଯେମିତି ତାରା ଫୁଟେ ଅକାଶରେ, ଫୁଲ ଫୁଟେ ଡାଳରେ ସେମିତି କବିତା ଫୁଟୁଥାଏ କବିର ଛାତି ଭିତରେ । ଏହି ହିରଣ୍ମୟ ସମୟ ଟିକୁ ଅପେକ୍ଷା ଥାଏ କବିର । ସେଇ ବେଳେ ସିଏ, ସିଏ ହୋଇ ନଥାଏ । ତା ଭାବ ଭୂମିରେ ଆପେ ଆପେ ଉଡିଆସି ଖଞ୍ଜି ହୋଇଯାନ୍ତି କଳ୍ପିତ ଶବ୍ଦ ମାନେ । ମାଲୁମ୍ ପଡ଼େନି ତାକୁ କେମିତି କବିତା ଆରମ୍ଭ ହୋଇ ଶେଷ ହୋଇଯାଏ ! ବାସ୍ତବରେ କହିବାକୁ ଗଲେ, ସେତେବେଳକୁ କବିତାଟିଏ ଜନ୍ମ ନେଇ ସାରିଥାଏ କବିର ଏନ୍ତୁଡିଶାଳରେ, ଯେଉଁଠି ଭାବର ବିକଳ୍ପ ସନ୍ଧାନରେ କବିତା ନଥାଏ, ତାକୁ ଆମେ ‘ଜନ୍ମା-କବିତା’ ବୋଲି କହି ପାରିବା କି ? ଶାସ୍ତ୍ରୀୟତାର ଶ୍ରେୟ ସାଧାରଣତଃ ଏଇ ଶ୍ରେଣୀୟ କବିତା ମାନଙ୍କୁ ଯାଏ । କବି ସତ୍ତା ଓ ତାର ବିଷୟାନୁଭୂତି ଉଭୟେ ପାଦ ସହ ପାଦ ମିଳାଇ ମିଳାଇ ଚାଲନ୍ତି ଏବଂ ଏକ କଳାତ୍ମକ ଉତ୍କର୍ଷତାରେ ଥାଏ ସେମାନଙ୍କ ସ୍ରୁଷ୍ଟି ଓ ସୃଜନ । ତାହା ଭିତରେ ନୈର୍ବ୍ୟକ୍ତିକ ଉଚ୍ଚାରଣ ଟିଏ ନିହିତ ଥାଏ । କାବ୍ୟିକ ଭାବାବେଗ ଅତ୍ୟନ୍ତ ମୌଳିକ ଓ ସ୍ଵତଃସ୍ପୃତ ଆଙ୍ଗିକ ଅଗଣା ଟିଏ ଖୋଜିନିଏ । କୌଣସି ପରିବର୍ତ୍ତନ ନିଶ୍ଚିତ ଭାବେ କବିତାର ଆତ୍ମିକ ସତ୍ତାରେ, ତାର ଆଙ୍ଗିକ ଆବରଣକୁ ପରିବର୍ତ୍ତନ କରିବା ସଙ୍ଗେ ସଙ୍ଗେ ନିୟନ୍ତ୍ରଣ ମଧ୍ୟ କରିଥାଏ । ଏଠାରେ ଭାବ ଭାରି ସକ୍ରିୟତାର ସହ କବିଟିର ଆବେଗର ଯାତ୍ରାରେ ସାମିଲ ହୁଏ ଓ ତାର ତାର୍କିକ ଦିଗଟିକୁ ସ୍ଥିର କରେ । କାବ୍ୟିକ ସଂଯମତା ଓ କାବ୍ୟିକ ପ୍ରାଚୁର୍ୟ୍ୟ ଭିତରର ସନ୍ତୁଳନ ହିଁ ଗୋଟିଏ କବିତାକୁ ‘ଜନ୍ମା’ ବା ‘ଗଢା’ ର ପଦବାଚ୍ୟ କରାଏ । ଯଦିଓ ଏହି କାବ୍ୟିକ ସଂଯମତା ବା କଠୋରତା, କବିତାକୁ ଆଙ୍ଗୁଠି ନିର୍ଦ୍ଦେଶ କରି ଚିହ୍ନେଇ ଦେଇ ନଥାଏ, ବରଂ ଏହା ଏକ ଗୁଣ ଯାହା ଅନୁଭବ ତୋଳିପାରେ କବିଟିର ଆତ୍ମିକ ଆବେଗରେ ! କବିତାରେ ଅମିତବ୍ୟୟୀ ଶବ୍ଦ ପ୍ରୟୋଗ, ଅତ୍ୟଧିକ ଭାବାବେଗ, ବୌଦ୍ଧିକ ବିମ୍ବ ମାନଙ୍କର ଅହେତୁକ ଘୂରା ଫେରା, କବିତାଟିର ବାହ୍ୟ ଆଡମ୍ବର ପାଇଁ ବିଳାସ ହୋଇପାରେ ମାତ୍ର କବିତାଟିର ଆତ୍ମିକ ଅଭିଳାଷକୁ ଶୁଦ୍ଧ ସୁବର୍ଣ୍ଣ କରିପାରେ ନାହିଁ । ଏହା ଜନ୍ମା କବିତାଟିଏ ର ପରିପନ୍ଥୀ ଅଟେ ।

‘ଗଢା’ ବା ନିର୍ମାଣ ର କବିତା ମାନଙ୍କରେ ଶବ୍ଦର ଭୃଣ, ଭାବର ବିକଳ୍ପ ଗର୍ଭ ଖୋଜାରେ ନିମଗ୍ନ ଥାଏ । ଭୋକ ଭୂଇଁ ମାନଙ୍କର ଇତିହାସ ନଜାଣି, ଭୋକର କଙ୍କାଳ ଗଢେ କବିତା ! ଯୋଉ ବ୍ୟକ୍ତି ଜଣଙ୍କୁ ଆମେ ବିଲକୁଲ ଜାଣିନଥାନ୍ତି, ସେହିଭଳି ବ୍ୟକ୍ତିଙ୍କ ଉପରେ ଏକ ଶ୍ରଦ୍ଧାଞ୍ଜଳିର ପୁଟ ଦେଇ, କବିତାଟିଏ ଲେଖିବାର ବରାଦ ଆସେ ! ସ୍ଥଳ ବିଶେଷରେ ଏହି ସବୁ କବିତା ମାନଙ୍କୁ ଆମେ କି ପ୍ରକାର କବିତା କହିବା ? ଗଢା କବିତା ମାନଙ୍କୁ ଲେଖିଲା ବେଳେ ଲାଗେନି କି, ଶବ୍ଦ ମୁଖର ଜନପଦରେ ଚାବି ଲେନ୍ଥା ହଜେଇ ଖୋଜିବା ପରି ? ଏପରି କବିତାରେ ଧାରାବାହିକତା ବୋଲି କିଛି ନଥାଏ କ୍ଷ ନଥାଏ ବି ପୃଷ୍ଟ ଭାଗରେ କବିତାଟିର ରୂପରେଖ ଗତ ନକ୍ସା କବ୍ୟିକ ଦୃଷ୍ଟିଭଙ୍ଗୀ । ଏହି ପ୍ରଜାତିର କବିତାରେ ଜ୍ଞାନକୁ ଗାରିମାମୟ କରିବାର ଆବେଗ ଥାଏ ମାତ୍ର, କବିତାର ଆତ୍ମା ପାଖକୁ ତାର ପହଞ୍ଚ ନଥାଏ । ଅତ୍ୟଧିକ ଜ୍ଞାନମୟ ଆତ୍ମ ସଚେତନତା, ଅନାବଶ୍ୟକ ଦୀର୍ଘତା, କବିତାର ପ୍ରାଣ ପ୍ରାଚୁର୍ୟ୍ୟକୁ ନିଷ୍ପ୍ରାଣ କରିଦିଏ । ଗଢା ଯାଇଥିବା କବିତା ମାନଙ୍କରେ ସୌନ୍ଦର୍ୟ୍ୟବୋଧ ଖୋଜିବା ଦୁରୁହ ହୋଇଯାଏ ଓ ଭୂମି ଗତ ବାସ୍ତବତା ଠାରୁ ସ୍ଵପ୍ନ ପ୍ରବଣତାର ପ୍ରାବଲ୍ୟ ପରିଲକ୍ଷିତ ହୁଏ । କିନ୍ତୁ ପ୍ରାକୃତିକ ସ୍ଵପ୍ନ ପ୍ରବଣତା କବିତାକୁ ଅର୍ଥମୟ କରେ ଓ ପ୍ରକାଶ ଭଙ୍ଗୀରେ ସ୍ଵଚ୍ଛତା ଘେନି ଆସେ । ଏହା ନିର୍ମାଣର କବିତା ମାନଙ୍କରେ ପରିଦୃଷ୍ଟ ହୁଏ ନାହିଁ । କବିତାର ଭୃଣକୁ କି ତାର ମହକକୁ ଆମେ ମରୁଭୂମିରେ ଛାଡି ମାଟିରେ ଖୋଜିବା କାହିଁକି ??

Leave A Reply

Your email address will not be published.