om academy

ନବାନ୍ନ ପାର୍ବଣର ତତ୍ତ୍ୱକଥା : ଗୁରୁଜୀ ଡକ୍ଟର ଦୋଳଗୋବିନ୍ଦ ବିଶୀ

jsm
ପ୍ରାଗୈତିହାସିକ ଶୀକାରଜୀବୀ ସମାଜରୁ ବିବର୍ତ୍ତିତ ଆଦିମସମାଜର ବିଭିନ୍ନ ସ୍ତରରେ ବିକଶିତ ଧର୍ମୀୟ ଉପଲବ୍ଧି,ଧର୍ମାଚାର ଓ ମାନସତତ୍ତ୍ୱର କ୍ରମିକ ଇତିହାସ ନବାନ୍ନତତ୍ତ୍ୱ ମଧ୍ୟରେ ନିହିତ । ଆଦିମ ସମାଜର  ପିତୃପୂଜା, ଡ଼ଙ୍ଗରପୂଜା (ଏହା ମଧ୍ୟ ପିତୃପୂଜାରୁ ବିବର୍ତ୍ତିତ) ଓ ଧର୍ମଦେବତା ପୂଜାରୁ ପରବର୍ତ୍ତୀକାଳୀନ  ସମସ୍ତ ପୁରୁଷଦେବତାଙ୍କର  ବିବର୍ତ୍ତନ ସମ୍ଭବହୋଇଛି ।  ଉତ୍ତରକାଳୀନ ସମସ୍ତ ମାତୃଦେବୀମାନଙ୍କର ବିବର୍ତ୍ତନ ଆଦିମସମାଜର ଭୂଦେବୀ ଉପାସନା ବା ଧରଣୀତତ୍ତ୍ୱରୁ ସମ୍ଭବ ହୋଇଛି   । ଶୀକାର ଜୀବୀ ସମାଜରେ ଭୂଦେବୀ ବା ପୃଥିବୀମାତା ଅରଣ୍ୟଦେବୀ ଭାବରେ କଳ୍ପିତା ହୋଇଥିଲେ । ନୂତନ ପ୍ରସ୍ତର ଯୁଗର କୃଷିଜୀବୀ ସମାଜରେ ଏହି ଦେବୀ ଶସ୍ୟଦାୟିନୀ ଭୂଦେବୀ ଭାବରେ କଳ୍ପିତାହେଲେ  । କୃଷିଜୀବୀସମାଜର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଘଟଣା ଥିଲା ଶସ୍ୟ ଭିତରେ‘ଧାନ’ଓ‘ଗୋଧୂମ’(ଗହମ) ର ଆବିଷ୍କାର । ଆଦିମ କୃଷକସମାଜ ପ୍ରାଥମିକ ସ୍ତରରେ ଅରଣ୍ୟପ୍ରକୃତି ମଧ୍ୟରେ ହିଁ ବଞ୍ଚିରହୁଥିଲା । ସମ୍ଭବତଃ ସିନ୍ଧୁସଭ୍ୟତା ଯୁଗରେ କୃଷି ସମତଳ ଅଞ୍ଚଳକୁ ବିସରିତ ହୋଇଥିଲା । ସିନ୍ଧୁସଭ୍ୟତାରେ ଶସ୍ୟଦାୟିନୀ ଭୂଦେବୀଙ୍କୁ ଶସ୍ୟ ଓ ଉଦ୍ଭିଦ ପ୍ରଜନନକାରିଣୀ ମାତୃଦେବୀ ରୂପରେ ଗ୍ରହଣ କରାଯାଇଥିବାର ଦୃଷ୍ଟାନ୍ତ ଏହି କାଳୀନ ପ୍ରତ୍ନତାତ୍ତ୍ୱିକ ମୂର୍ତ୍ତୀକଳାରୁ ସ୍ପଷ୍ଟ ହୋଇଥାଏ  । ଅରଣ୍ୟପ୍ରକୃତିର ବନ୍ୟସମାଜ ଓ ଶୀକାରଜୀବୀ ସମାଜରେ ପରିକଳ୍ପିତ ଦେବଦେବୀମାନେ (ପ୍ରକୃତିର ବିଭିନ୍ନ ଶକ୍ତି) ପ୍ରାଥମିକ କୃଷିଜୀବୀ ସମାଜରେ ଅନିବାର୍ଯ୍ୟ ଭାବେ ଆବଶ୍ୟକ ହେଉଥିବାରୁ ପରବର୍ତ୍ତୀ କୃଷିଜୀବୀ ସମାଜର ଧର୍ମାଚାର ଓ ଦେବଦେବୀତତ୍ତ୍ୱ ମଧ୍ୟରେ ସେ ସକଳ ଅବଲୀନ ଭାବେ ରହିଲେ । ପ୍ରତ୍ନ-ପ୍ରପିତାମହଙ୍କର ମାନସତତ୍ତ୍ୱ, ଧର୍ମୀୟ ଉପଲବ୍ଧି, ଭାବସଂକଳ୍ପ ଓ ବ୍ୟାବହାରିକ କାର୍ଯ୍ୟଚେଷ୍ଟାରୁ ଉତ୍ତରକାଳୀନ ସମସ୍ତ ଲୋକସଂସ୍କୃତିର ଧାରା ଓ ଉପଧାରାର ବିବର୍ତ୍ତନ ସମ୍ଭବ ହୋଇଥିବାରୁ ସମସ୍ତ ଯୁଗର ଧର୍ମାଚାର ମଧ୍ୟରେ ପିତୃପୂଜାର ପ୍ରାଥମିକତା ରହିଆସିଲା । ଆଜି ପର୍ଯ୍ୟନ୍ତ ଶାକ୍ତ-ତନ୍ତ୍ର ପରମ୍ପରାରେ ବିକଶିତ ହୋଇ ଆସିଥିବା ‘ନବାନ୍ନ’ ର ସମସ୍ତ ମାତୃଦେବୀମାନେ ମୂଳତଃ ପୂର୍ବୋକ୍ତ ଭୂଦେବୀ ବା ଶସ୍ୟଦାୟିନୀ ଦେବୀଙ୍କଠାରୁ ହିଁ ବିବର୍ତ୍ତିତ ହୋଇଛନ୍ତି । 
ଆଦିମ କୃଷିଜୀବୀ ସମାଜରେ ଭୂଦେବୀଙ୍କ ଶସ୍ୟଦାୟିନୀ ତଥା ଶସ୍ୟଦେବୀ ରୂପର ଉପାସନା ସହ ‘ନବାନ୍ନ’ପୂଜାର ଆନୁଷ୍ଠାନିକ ପରମ୍ପରା ଗଢ଼ି ଉଠିଥିଲା । ଜୀବନ ଧାରଣ ପାଇଁ ଶୀକାରକୁ ଛାଡ଼ି ମଣିଷ ଯେଉଁଦିନଠାରୁ କୃଷି ଉପରେ ନିର୍ଭର କଲା, ସେହି ଦିନଠାରୁ ଆଜିପର୍ଯ୍ୟନ୍ତ ଭାରତୀୟ ସମାଜରେ କୃଷି ହିଁ ‘ଜୀବନଧାରଣ’ର ଅବଲମ୍ବନ ଭାବରେ ରହିଆସିଛି ଓ ଭାରତୀୟ ସମାଜ ଏକ କୃଷିଭିତ୍ତିକ ସଂସ୍କୃତିର ପୃଷ୍ଠଭୂମିରେ ତା’ର ସମସ୍ତ ବୈଚାରିକ ସିଦ୍ଧାନ୍ତକୁ ପ୍ରକାଶ କରିଛି । ପରବର୍ତ୍ତୀ ଆଦିବାସୀ, ଦ୍ରାବିଡ଼ ଓ ବୈଦିକ ସଭ୍ୟତା କାଳରେ ମଧ୍ୟ ଭାରତୀୟ ସମାଜ କୃଷି ଉପରେ ନିର୍ଭରଶୀଳ ହୋଇ ଆସିଛି । କୃଷିଦ୍ୱାରା ଭୂମିରୁ ଉତ୍ପନ୍ନ ଶସ୍ୟ ଯୋଗୁଁ ମାନବର ଭୌତିକସ୍ଥିତି ସମ୍ଭବ ହେଉଥିବାର ଉପଲବ୍ଧି କରି ପରବର୍ତ୍ତୀ ସମୟରେ “ଶସ୍ୟ ବା ଅନ୍ନ” କୁ ଶକ୍ତିମୟୀ ଦେବୀ ଭାବରେ ଗ୍ରହଣ କରାଯାଇଛି । ଶସ୍ୟଦାୟିନୀଦେବୀଙ୍କ ଉପାସନା ସହ ଶସ୍ୟଦେବୀଙ୍କର ଉପାସନା ଉର୍ବରତା ତନ୍ତ୍ରର ପୃଷ୍ଠଭୂମିରେ ସମୀଭୂତ ହୋଇଯାଇଛି । ଶୀକାରଜୀବୀ ମାନବର ତୁଷ୍ଟିକରଣ ମାନସିକତା କୃଷିଜୀବୀ ମାନବର ମନ ଭିତରେ କୃତଜ୍ଞ ଭାବ ସଂକଳ୍ପରେ ରୂପାନ୍ତରିତ  ହେବା ଫଳରେ ଶସ୍ୟଦାୟିନୀ ଭୂଦେବୀଙ୍କ ଠାରୁ ଉତ୍ପନ୍ନ ପ୍ରଥମ ଅମଳ ଯୋଗ୍ୟ ଶସ୍ୟକୁ ଆନୁଷ୍ଠାନିକ ଧର୍ମାଚାର ମଧ୍ୟରେ ସେହି ଦେବୀଙ୍କ ଉଦ୍ଦେଶ୍ୟରେ ସର୍ବପ୍ରଥମେ ଅର୍ପଣକରି ଜୀବନ ରକ୍ଷାକାରୀ ସେହି ‘ଶସ୍ୟ ବା ଅନ୍ନ’ କୁ ଭକ୍ଷଣ କରିବାର ବିଧିବିଧାନରୁ ନବାନ୍ନ ପାର୍ବଣର ପରମ୍ପରା ସୃଷ୍ଟି ହୋଇଛି । ଦ୍ରାବିଡ଼ ସଭ୍ୟତାରେ ଜୀବନ ଧାରଣ ପାଇଁ କୃଷିର ପ୍ରାଧାନ୍ୟ ରହିଥିବା ବେଳେ ଧର୍ମୀୟ ଉପଲବ୍ଧି କ୍ରମରେ ଯୋଗର ବିକାଶ ଘଟିଥିଲା । ଏହି ଯୋଗ ମାନବର ଭୌତିକସ୍ଥିତି ବିନା ଅସମ୍ଭବ ଓ ମାନବର ଭୌତିକ ସ୍ଥିତି ମୂଳରେ ଯେ, ଅନ୍ନର ଅପରିହାର୍ଯ୍ୟ ଭୂମିକା ରହିଛି, ଏହି ଉପଲବ୍ଧି ‘ଦ୍ରାବିଡ଼ୀୟ ମାନଙ୍କର ସିଦ୍ଧାନ୍ତଗତ  ବିଚାର’ ଭାବରେ ଗୃହୀତ ହୋଇଥିଲା । ତେଣୁ ଯୋଗେଶ୍ୱର ପାଶୁପତ ଶିବଙ୍କ (କୃଷି ଭିତ୍ତିକ ସମାଜରେ ପଶୁପାଳନ ଏକ ପ୍ରଧାନ ବୃତ୍ତି ଓ ପଶୁସମ୍ପଦ ନିର୍ଭରଯୋଗ୍ୟ ଅବଲମ୍ବନ ଅଟେ) ଉପାସନା ସଙ୍ଗେ ସଙ୍ଗେ  ସେମାନେ ଶସ୍ୟଦାୟିନୀ ଭୂବେଦୀ ଓ ଶସ୍ୟଦେବୀଙ୍କର ଉପାସନା ମଧ୍ୟ କରୁଥିଲେ  । ଏହି ସଭ୍ୟତାରେ ନବାନ୍ନର ମହିମା ରହିଥିଲା । ବିଶେଷତଃ ଦ୍ରାବିଡ଼ ସଭ୍ୟତାରେ ଯୋଗେଶ୍ୱରଙ୍କର ପ୍ରଭାବ ରହିଥିବାରୁ ଏହି କାଳରେ ନବାନ୍ନ ଦେବୀ ବା ମାତୃଦେବୀ ମଧ୍ୟ ଯୋଗେଶ୍ୱରୀ ରୂପରେ ଉପାସିତା ହେଉଥିଲେ । ଭାରତୀୟ ଶାକ୍ତ ପରଂପରାରେ ଯୋଗେଶ୍ୱରୀ ଭାବେ ଚାମୁଣ୍ଡାଙ୍କୁ ଗ୍ରହଣ କରାଯାଇଛି । ଯୋଗପ୍ରକ୍ରିୟା ମାଧ୍ୟମରେ ସେ ଅନ୍ନମୟକୋଷ ଦ୍ୱାରା ଗଠିତ ଓ ଚର୍ମବେଷ୍ଠିତ ଚଉରାଶି ନାଡ଼ି ବିଶିଷ୍ଟ ଶରୀର ଭିତରେ ମାନବକୁ ମୋକ୍ଷର ଦିବ୍ୟଦର୍ଶନ କରାଇଥାନ୍ତି । ଅନ୍ନମୟକୋଷର ଆଧାର, ଅନ୍ନର ଦେବୀ ଭାବରେ ସେ ମଧ୍ୟ ଉପାସିତା  ହୁଅନ୍ତି  । ଏହି ଚାମୁଣ୍ଡାତତ୍ତ୍ୱ ଭୂଦେବୀ ତତ୍ତ୍ୱରୁ ପର୍ବତ-ତତ୍ତ୍ୱ ମାଧ୍ୟମରେ ବିବର୍ତ୍ତିତ । ତେଣୁ ଚାମୁଣ୍ଡା ପର୍ବତ ମନ୍ତ୍ରରେ ପୂଜା ପାଆନ୍ତି । ଶାବରତନ୍ତ୍ରରେ ଚାମୁଣ୍ଡାଙ୍କ ବୀଜମନ୍ତ୍ରକୁ ହିଁ ‘ନବାନ୍ନ ମନ୍ତ୍ର’ଭାବରେ ଅବତାରଣା କରାଯାଇଛି   । ସ୍ମରଣ କରାଯାଇପାରେ ଯେ, ଖ୍ରୀଷ୍ଟପୂର୍ବ ଯୁଗରେ ଦକ୍ଷିଣଓଡ଼ିଶା ସମେତ ସମଗ୍ର ପଶ୍ଚିମ ଓଡ଼ିଶାରେ ଆଦିବାସୀଧାରାର ମୂଳ ଶବରସଂସ୍କୃତି ବ୍ୟାପକ ଭାବେ ରହିଥିଲା । ଶାବରତନ୍ତ୍ର ପ୍ରଭାବିତ ନବାନ୍ନ ମନ୍ତ୍ରର ସୃଷ୍ଟିକୁ ସେହି ପୃଷ୍ଠଭୂମିରୁ ବିଚାର କରାଯାଇପାରେ । ଏହି ଚାମୁଣ୍ଡା କୋଶଳଖଣ୍ଡରେ ଦେବୀ କୋଶଳେଶ୍ୱରୀ ରୂପରେ ବିବର୍ତ୍ତିତ ହୋଇଥିଲେ । ତେଣୁ ପଶ୍ଚିମ ଓଡ଼ିଶାର ଶାକ୍ତ-ନବାନ୍ନ ପରଂପରାରେ ଚାମୁଣ୍ଡାଙ୍କ ‘ବୀଜମନ୍ତ୍ର’କୁ ନବାନ୍ନମନ୍ତ୍ର ଭାବରେ ଗ୍ରହଣ କରାଯିବା ସଙ୍ଗେ ସଙ୍ଗେ ତୁଳସୀଚଉଁରାରେ କୋଶଳେଶ୍ୱରୀଙ୍କ ଉପାସନା ବିଧି ପ୍ରଚଳିତ ।
ଆଦିମ ସମାଜରୁ ଆରମ୍ଭକରି ସମସ୍ତ ପ୍ରାକ୍‌ ବୈଦିକକାଳୀନ ସମାଜରେ ଉପଲବ୍ଧ ଓ ବିବର୍ତ୍ତିତ ମାନସତତ୍ତ୍ୱ ତଥା କ୍ରିୟାନୁଷ୍ଠାନ ଗୁଡ଼ିକୁ ବୈଦିକ କାଳରେ ଏକ ଉନ୍ନତ ବୈଚାରିକ ସିଦ୍ଧାନ୍ତ ଓ ଦାର୍ଶନିକ ଦୃଷ୍ଟିକୋଣରୁ ତର୍ଜମା କରାଯାଇ ମାନବ ସମାଜ ଓ ଜଗତର ସ୍ଥିତିସ୍ଥାପକତା ପରିପ୍ରେକ୍ଷୀରେ ସେଗୁଡ଼ିକର ଉପାଦେୟତାକୁ ବିଚାରକରି ଆବଶ୍ୟକ‘ତତ୍ତ୍ୱ’ଗୁଡ଼ିକୁ ମହାନ ପରଂପରା ରୂପରେ ସ୍ୱୀକୃତି ଦିଆଯାଇଥିଲା । ବୈଦିକ ଋଷିଗଣ କୃଷିର ଆଧାରଭୂମିକୁ ‘ମାତା’ ରୂପରେ ଓ ଭୂମିରୁ କୃଷିଦ୍ୱାରା ଉତ୍ପନ୍ନ‘ଅନ୍ନ’(ଶସ୍ୟ) କୁ ‘ବ୍ରହ୍ମ’ରୂପରେ ସମ୍ବୋଧନ କରି ବେଦରେ ପୃଥିବୀମାତା ଓ ଅନ୍ନର ମହିମା ଗାନକରିଛନ୍ତି । ବୈଦିକ ମନୀଷିମାନେ ବେଦରେ ଯେଉଁ ମୈତ୍ରୀ, ସଂହତି ଓ ଉତ୍ତମ ମାନବୀୟ ବୁଝାମଣା ତଥା ବିଶ୍ୱଦୃଷ୍ଟିର ଶାଶ୍ୱତ ପରଂପରା  ସୃଷ୍ଟିକରିଥିଲେ,ଏହାର ମୂଳତତ୍ତ୍ୱମାନ କୃଷି ସଭ୍ୟତାର ଆରମ୍ଭ କାଳରୁ ହିଁ ବିକାଶଲାଭ କରିଥିଲା । ଶୀକାରଜୀବୀ ସମାଜରୁ ମଣିଷ ଯେତେବେଳେ କୃଷିଜୀବୀ ସମାଜରେ ପ୍ରବେଶ କଲା ସେତେବେଳେ ହିଁ ପ୍ରକୃତ ମାନବର ସଂଜ୍ଞାରେ ତାର ରୂପାନ୍ତର ଘଟିଥିଲା । ସେ ତମସରୁ ମୁକ୍ତହୋଇ ଜ୍ୟୋତିକୁ ଆସିବାପରି, ଅସଭ୍ୟରୁ ସଭ୍ୟକୁ, ଦୁଷ୍ଟରୁ ଶିଷ୍ଟକୁ, ହିଂସାରୁ ଅହିଂସାକୁ, ସଂଘର୍ଷରୁ ସଂହତିକୁ, ବିଶୃଙ୍ଖଳିତ ଜୀବନରୁ ଶୃଙ୍ଖଳିତ ଜୀବନକୁ, ସହବୈରରୁ ସହାବସ୍ଥାନକୁ ଉନି୍ନତ ହେଲା । କୃଷି ସଭ୍ୟତାର ପାରିପାଶ୍ୱର୍କତା ଓ ଜୀବନଶୈଳୀ ମଣିଷକୁ ପୂର୍ବ ଜୀବନର ବହୁ କୁପ୍ରବୃତ୍ତିରୁ ମୁକ୍ତିଦେଇ ଏକ ଉନ୍ନତ ବୌଦ୍ଧିକବିକାଶର ବାତାୟନ ଉନ୍ମୁକ୍ତ କରିଦେଲା । କୃଷିସମାଜରେ ମାନବୀୟ ସହଯୋଗ ଓ ସଂହତିର ଆବଶ୍ୟକତା ରହିଥିବାରୁ ମଣିଷ ସର୍ବ ପ୍ରଥମେ ଏହି ଯୁଗରେ କୁଟୁମ୍ବ ବା ପରିବାରର ପରିକଳ୍ପନା କରିଥିଲା । ଏହି କୁଟୁମ୍ବ ବା ପରିବାର ମଧ୍ୟରେ ସ୍ୱତଃ ପ୍ରକାଶିତ ସ୍ନେହ, ପ୍ରେମ, ସଂହତି ଓ ଆତ୍ମୀୟତା ଆଦି ସ୍ୱର୍ଗୀୟ ଗୁଣର ମହାନତାକୁ ବ୍ୟାପକ ପରିସର ମଧ୍ୟରେ ଲାଭକରିବାର ଜିଜ୍ଞାସାରୁ ମଣିଷର ଗ୍ରାମ୍ୟ, ଗୋଷ୍ଠୀ, ସମାଜ ଓ ରାଷ୍ଟ୍ର ଜୀବନ ସମ୍ଭବ ହେଲା । ବୈଦିକ ଋଷିମାନେ ଏହାକୁ ହିଁ ବିଶ୍ୱଦୃଷ୍ଟିରେ ପ୍ରତିଫଳିତ କରାଇ“ବସୁଧୈବ କୁଟୁମ୍ବକମ୍‌”ର ପରିକଳ୍ପନା କରିଥିଲେ । କୃଷିଭିତ୍ତିକ ସମାଜଦର୍ଶନର ପୃଷ୍ଠଭୂମିରେ“ ନବାନ୍ନ” ପାର୍ବଣରେ ଏହି ମୂଲ୍ୟବୋଧ ପ୍ରତିଫଳିତ ।    ନବାନ୍ନ ଭକ୍ଷଣ ବିଧିରେ କୁଟୁମ୍ବ ଓ ସହଭୋକ୍ତାବାଦକୁ ପ୍ରାଥମିକତା ଦେବାର ଲୋକାଚାର ଭିତରେ ଆମ ପ୍ରତ୍ନପୂର୍ବପୁରୁଷଙ୍କ ଗଭୀର ତାତ୍ତ୍ୱିକ ଅନ୍ତଃର୍ଦୃଷ୍ଟି ପ୍ରତିଫଳିତ । 
କୃଷିଜୀବୀ ସମାଜରେ ମଣିଷ କୁଟୁମ୍ବ ବା ପରିବାରକୁ ପାଇଥିବାରୁ ନବାନ୍ନ-ଅନୁଷ୍ଠାନ ସମୟରେ ସମସ୍ତ କୁଟୁମ୍ବ ବା ପରିବାର ଏକତ୍ର ବସି ନବାନ୍ନ ଭକ୍ଷଣ କରିବାର ପୃଷ୍ଠଭୂମିରେ ସେହି କାଳୀନ ମାନସତତ୍ତ୍ୱ ହିଁ ଅବଲୀନ ହୋଇ ରହିଛି । ପୁନଶ୍ଚ ଜୀବନ ଧାରଣ ନିମିତ୍ତ ମଣିଷ ଯେଉଁ ଅନ୍ନ ଉପରେ ନିର୍ଭର କରେ, ତାକୁ କୃଷି ପ୍ରକ୍ରିୟାରେ ଭୂମିରୁ ଉତ୍ପନ୍ନ କରିବାକୁ ପଡେ଼ । ଏହି ମହାନ୍‌ କର୍ମ ପାଇଁ କୁଟୁମ୍ବ ପରିବାର ଠାରୁ ଆରମ୍ଭ କରି ଗ୍ରାମ୍ୟ ଅନ୍ତର୍ଗତ ଓ ପ୍ରତିବେଶୀ ଗ୍ରାମ୍ୟସମାଜର ସଭ୍ୟମାନଙ୍କ ମଧ୍ୟରେ ପାରସ୍ପରିକ ସହଯୋଗ, ସଂହତି ଓ ମୈତ୍ରୀ ସଂପର୍କର ଯେଉଁ ଆବଶ୍ୟକତା ରହିଛି, ତାକୁ ହିଁ ନବାନ୍ନର ଲୋକାଚାରରେ ପାଳନ କରି ଦେଖାଇ ଦିଆଯାଇଥାଏ । ଏ ସବୁ ମାନବୀୟ ଆବଶ୍ୟକତାକୁ ଉଚ୍ଚ ସମ୍ମାନ ଜଣାଇ ବୈଦିକ ଋଷିଗଣ ପୃଥିବୀ ମାତାର ମହିମା, ଅନ୍ନଦର୍ଶନ, ପାରିବାରିକ ଓ ସାମାଜିକ ସହଭାବ, ଭାତୃପ୍ରେମ ତଥା ମୈତ୍ରୀବନ୍ଧନର ଯଶୋଗାନ ପୂର୍ବକ ‘ନବାନ୍ନ’ ର ମହାନ ପରଂପରାକୁ ସ୍ୱୀକାର କରିଥିଲେ । ପଞ୍ଚଭୂତରେ ଗଢ଼ା ମଣିଷର ଶରୀର ବଞ୍ଚିରହିବା ପାଇଁ ଯୋଉଁ ‘ଅନ୍ନ’ ଲୋଡ଼ା ସେହି ଅନ୍ନ ଭୂମିରୁ ଉତ୍ପନ୍ନ ହେବାପାଇଁ ମଧ୍ୟ ପଞ୍ଚଭୂତର ଆବଶ୍ୟକ ହୋଇଥାଏ । ତେଣୁ ଆଦିମସମାଜରୁ ଆରମ୍ଭକରି ପରବର୍ତ୍ତୀ ଲୋକସମାଜ ଓ ବୈଦିକସମାଜ ପର୍ଯ୍ୟନ୍ତ ଏହି ପଞ୍ଚଭୂତ ପାଞ୍ଚୋଟି ପ୍ରମୁଖ ଦେବତା ଭାବରେ ଗୃହୀତ ହୋଇ ଆସିଛନ୍ତି । କୃଷି ଭିତ୍ତିକ ସମାଜରେ ‘ଅନ୍ନ’ ର ଯତ୍ନ ଓ ସୁରକ୍ଷାରେ ସହାୟତା କରୁଥିବା ମାନବେତରଜୀବ, ପ୍ରକୃତି ଓ ଶକ୍ତି ବିଶେଷ ମଧ୍ୟ ଦେବତା ଭାବରେ ଗୃହୀତ । ନବାନ୍ନ ପାର୍ବଣରେ ଏ ସମସ୍ତଙ୍କର ଉପାସନା ବିଧି, ଏହି କାରଣରୁ ପ୍ରଚଳିତ ।

ଅବସରପ୍ରାପ୍ତ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗୀୟ ମୁଖ୍ୟ,
ଡି଼ି.ଏ.ଭି. ସ୍ୱୟଂଶାସିତ ମହାବିଦ୍ୟାଳୟ
ଟିଟିଲାଗଡ଼, ଜି: ବଲାଙ୍ଗିର- ୭୬୭୦୩୩

Leave A Reply

Your email address will not be published.